Unknown

 

 

 

 

 

 

 

 

 

ଶ୍ରୀମଦ ଭାଗବତ

(ଚତୁର୍ଥ ସ୍କନ୍ଧ)

ଜଗନ୍ନାଥ ଦାସ

 

ଚତୁର୍ଥ ସ୍କନ୍ଧ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍‌

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦ୍‌ମୃତଦ୍ରବସଂଯୁତଂ

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୂବିଭାବୁକାଃ

•••

 

ପ୍ରଥମ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏବେ ହୋ ଶୁଣ ଏକ ଚିତ୍ତେ

ଚତୁର୍ଥସ୍କନ୍ଧ ଭାଗବତେ

ପୂର୍ବେ ଯେ ପଦ୍ମଯୋନି ତନୁ

ଜନ୍ମିଲେ ସ୍ୱାୟମ୍ଭୂବ ମନୁ

ତା ନାରୀ ଶତରୂପା ନାମ

ପୂଜିତ ସର୍ବଗୁଣ ଧାମ

ତାର ଉଦରେ ବେନିସୁତ

ଅପର ତିନୋଟି ଦୁହିତ

ଆକୂତି ଦେବହୂତି ବେନି

ପ୍ରସୂତୀ ନାମେ କନ୍ୟା ତିନି

ଆକୂତି ରୁଚିକି ବରିଲା

ପୁତ୍ରିକା ଅର୍ଥେ ବିଭା ଦେଲା

ଯେ ଧର୍ମ ବିଧି ବେଦ ଅଙ୍ଗେ

ବିଚାରି ଶତରୂପା ସଙ୍ଗେ

ସେ ପ୍ରଜାପତି ଗୃହେ ଆଣି

ସ୍ୱଧର୍ମେ ଆକୂତି ଘରଣୀ

ସେ କନ୍ୟା ଗର୍ଭେ ଋଷି ବୀର୍ଯ୍ୟେ

ପୁତ୍ର ଦୁହିତା ମହାତେଜେ

ଜନ୍ମିଲେ ଅତି ସୁଲକ୍ଷଣ

ତାହାଙ୍କ ନାମ ଏବେ ଶୁଣ

ଯଜ୍ଞ ପୁରୁଷ ତାଙ୍କ ବଂଶେ

ଜନ୍ମ ହୋଇଲେ ବିଷ୍ଣୁ ଅଂଶେ

କନ୍ୟା ସ୍ୱରୂପା ସୁଲକ୍ଷଣା

ତା ନାମ କଳ୍ପିଲା ଦକ୍ଷିଣା

ସେ ବେନି କନ୍ୟା ପୁତ୍ର ଆଣି

ସ୍ୱଗୃହେ ମନୁଙ୍କ ଘରଣୀ

ନିଜ ଅପତ୍ୟ ପ୍ରିୟଭାବେ

ପାଳଇ ମନୁବଂଶ ଲାଭେ

ଏମନ୍ତେ ଗଲା ଦିନାକେତେ

ସେ ମନୁ ଅଳଙ୍କାର ଯୁତେ

ଯଜ୍ଞ ସମ୍ପୂର୍ଣ୍ଣେ କନ୍ୟା ଦେଲା

ନିଗମ ମତେ ଧର୍ମ କଲା

ସେ ଯଜ୍ଞପତି କନ୍ୟା ପାଇ

ଗୃହସ୍ଥ ଧର୍ମ ବିଧି ବହି

ଦକ୍ଷିଣା ଗର୍ଭେ ମୁନିବଳା

ଦ୍ୱାଦଶ ପୁତ୍ର ଜନ୍ମ କଲା

ତୋଷ ପ୍ରତୋଷ ପୁତ୍ର ବେନି

ସନ୍ତୋଷ ଭଦ୍ର ଶାନ୍ତି ତିନି

ଷଷ୍ଠରେ ପୁତ୍ର ଇଡ଼ସ୍ପତି

ବେଦେ ଅଧିକ ଯାର ମତି

ଇନ୍ଦୁ କବି ଯେ ବିଭୁ ସ୍ୱାହ୍ନ

ସୁଦେବ ଦ୍ୱାଦଶେ ରୋଚନ

ଏ ଯେ ଦ୍ୱାଦଶ ଭ୍ରାତୃଗଣେ

ମନୁର ଆଜ୍ଞା ପରମାଣେ

ତାହାଙ୍କୁ ତୁଷ୍ଟ ଦେବଗଣ

ହୋଇଲେ ସୃଷ୍ଟିର କାରଣ

ମରୀଚି ଆଦି ସପ୍ତମୁନି

ଯଜ୍ଞକୁ ଇନ୍ଦ୍ରପଦେ ଘେନି

ଉତ୍ତାନପାଦ ପ୍ରିୟବ୍ରତ

ଏ ବେନି ମନୁରାଜା ସୁତ

ଏହାଙ୍କ ବଂଶେ ରାଜା ଯେତେ

ପୁତ୍ର ପଉତ୍ର ଅପ୍ରମିତେ

ଯେ କନ୍ୟା ଦେବହୂତି ନାମ

ତାହାକୁ ଲଭିଲା କର୍ଦ୍ଦମ

ତାହାର ନବ କନ୍ୟା ଗର୍ଭେ

ଯେ ଅବା ଉପୁଜିଲେ ପୂର୍ବେ

ସେ କଥା କହିବି ମୁଁ ତୋତେ

ତୁ ଯେବେ ପଚାରିଲୁ ମୋତେ

ପ୍ରସୂତି କନ୍ୟା ମନୁ ରାଜା

ଦେଇ ଦକ୍ଷକୁ କଲା ପୂଜା

ତାର ସନ୍ତତି ତିନି ଲୋକେ

ବିଖ୍ୟାତ ହୋଇଲେ ଅନେକେ

କହିବି ଏଥିର କାରଣ

ତୁ ଏବେ ସାବଧାନେ ଶୁଣ

ଶୁଣନ୍ତେ ନବ ମୁନି ବଂଶ

ହରଇ ଅଶେଷ କଳ୍ମଷ

କର୍ଦ୍ଦମ ଋଷିଙ୍କର ବଳା

ଜ୍ୟେଷ୍ଠ ଦୁହିତା ତାରେ ଦେଲା

ମରୀଚି ବୀର୍ଯ୍ୟେ ତା ଉଦରେ

ଜନ୍ମିଲେ ଯେ ବେନି କୁମରେ

କଶ୍ୟପ ପୂର୍ଣ୍ଣିମା ଯେ ଦୁଇ

ଶୁଚି ସୁନ୍ଦର ବେନି ଭାଇ

ଏ ବେନି ଭାଇଙ୍କର ବଂଶ

ଜଗତେ ହୋଇଲେ ପ୍ରକାଶ

ବିରଜ ବଶ୍ୱଗ ସେ ସୁତ

ଅପରେ ବିଶେଷ ବିଦିତ

ଦେବକୁଲ୍ୟା ଯେ କନ୍ୟା ତାର

ସଂସାରେ ହୋଇଲା ପ୍ରଚାର

ସେ ଅନସୂୟା ଅତ୍ରି ନାରୀ

ଅତି ସୁନ୍ଦରୀ ସୁକୁମାରୀ

ତାହାର ଗର୍ଭେ ତିନିସୁତ

ହୋଇଲେ ଜଗତ ବିଦିତ

ଦତ୍ତ ଦୁର୍ବାସା ସୋମ ତିନି

ତିନି ଦେବଙ୍କ ରୂପ ଘେନି

ବିଦୁର ଉବାଚ

ଅତ୍ରିର ପତ୍ନୀ ଗର୍ଭଗତେ

ତ୍ରିଦେବ ଜନ୍ମିଲେ ଜଗତେ

ସେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରି

ସୃଷ୍ଟି ପାଳନ ଅନ୍ତକାରୀ

ଏ କଥା ସଂଶୟ ତ ମୋତେ

ଭୋ ମୁନି କହ ଶୁଦ୍ଧଚିତ୍ତେ

କି ହେତୁ କି କର୍ମ ବିଚାରି

କିମ୍ପା ଜନ୍ମିଲେ ଦେହ ଧରି

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନେ

ଅତ୍ରି ଯେ ବ୍ରହ୍ମାର ନନ୍ଦନେ

ସ୍ୱଭାବେ ବ୍ରହ୍ମ ବିଦ୍ୟାକର

ବ୍ରହ୍ମା ବୋଇଲେ ତପ କର

ସେ ତପେ ଯେବା ଦେବ ସେବି

ତାର ପ୍ରସନ୍ନେ ଫଳ ଲଭି

ଏମନ୍ତେ ପିତାବାକ୍ୟ ମାନି

ଧର୍ମ ପତ୍ନୀକି ସଙ୍ଗେ ଘେନି

ସେ ପତିବ୍ରତା ଅନସୂୟା

ତାକୁ ନ ଲାଗେ ବିଷ୍ଣୁମାୟା

ସେ ସାଧୁ ପତ୍ନୀ ସଙ୍ଗ ମେଳେ

ମିଳିଲେ ଗିରି କୁଳାଚଳେ

ସେ ଗିରିଶିଖେ ନାନା ଫୁଲ

ସୁରଙ୍ଗ ସୁଗନ୍ଧ ଅମୂଲ୍ୟ

ଚନ୍ଦନ ଚମ୍ପକ ଅଶୋକ

ପାରିଜାତ ସେ କୁରୁବକ

ତ୍ରିସନ୍ଧ୍ୟା ନଦୀକୂଳେ ରହେ

ସ୍ନାନେ ସକଳ ପାପ ଦହେ

ସେ ବନେ ପଶି ବେନିଜନେ

ତପ ସମାଧି ଯୋଗଧ୍ୟାନେ

ମନକୁ ଧରି ଆତ୍ମାବଳେ

ପବନ ଇନ୍ଦ୍ରିୟ ନିଶ୍ଚଳେ

ଏକ ଚରଣେ ଉଭା ହୋଇ

ଉପର ମୁଖେ ଶୁଦ୍ଧେ ଧ୍ୟାୟି

ଶତେ ବରଷ ଯୋଗଧ୍ୟାନେ

ବିଞ୍ଚିଲେ ପବନ ଭୋଜନେ

ନିଶ୍ଚଳ ଯୋଗଧ୍ୟାନେ ଚିନ୍ତି

ଚିତ୍ତେ ଏମନ୍ତ ବିଚାରନ୍ତି

ଜଗତ ପ୍ରଭୁ ଯେ ଈଶ୍ୱର

ସୃଷ୍ଟି ପାଳନ ଚକ୍ରଧର

ଅନାଦି ପରମ କାରଣ

ଦୁର୍ଲ୍ଲଭ ଯାହାର ବରଣ

ଆମ୍ଭର ସନ୍ତତି କାରଣ

ଶରଣ ଗଲୁ ତା ଚରଣ

ଏମନ୍ତ ଚିତ୍ତେ ବିଚାରନ୍ତି

ହରିହୁଁ ଅନ୍ୟ ନ ଜାଣନ୍ତି

ସେ ହରି ଯେବେ ଦୟାକରେ

ଜନ୍ମ ଲଭିବେ ମୋର ଘରେ

ତେବେ ସେ ଜୀବନ ମୋହର

ସେ ହରି ଶରଣ ସୋଦର

ଏମନ୍ତ ନିତ୍ୟେ ଚିତ୍ତେ ଚିନ୍ତି

ସେ ବନେ ତପସ୍ୟା ସାଧନ୍ତି

ଉର୍ଦ୍ଧ୍ୱ ବଦନେ ସେ ନିଶ୍ଚଳ

ଏମନ୍ତେ ଗଲା ଦୀର୍ଘକାଳ

ପ୍ରାଣସଂଯମ ଶ୍ରମବଳେ

ଶିରେ ଉପୁଜିଲା ଅନଳେ

ତେଜେ ତାପିଲେ ତିନିପୁର

ଦେଖି କମ୍ପିଲେ ସୁର ନର

ବିଶ୍ୱ କମ୍ପିତ ତେଜ ଭୟେ

ଦେଖି ଗୋବିନ୍ଦ କଲେ ଦୟେ

ତକ୍ଷଣେ ପ୍ରଭୁ ନରହରି

ତିନି ଦେବଙ୍କ ରୂପ ଧରି

ବେଗେ ମିଳିଲେ ଶୂନ୍ୟପଥେ

ଗନ୍ଧର୍ବ ବିଦ୍ୟାଧର ଯୂଥେ

ସୁସ୍ୱରେ ଯେତେ ଗୀତ ଗାନ

ଯେଣେ ତୃପତ ଆତ୍ମମନ

ସେ ହରି ନିଜ ଗୁଣ ଗାଇ

ତପ ପ୍ରଭାବ ହୃଦେ ବହି

ଦୂର ଗମନ ଅତିଶ୍ରମେ

ମିଳିଲେ ମୁନିଙ୍କ ଆଶ୍ରମେ

ଦେବଙ୍କ ଆଗମନ ଦେଖି

ସେ ମୁନି ଆସନ ଉପେକ୍ଷି

ସମାଧି ତପ ଆଚରଣେ

ଥିଲେ ସେ ଏକଇ ଚରଣେ

ବେନି ଚରଣ ସ୍ଥିରେ ଥୋଇ

କପୋଳେ ବେନିହସ୍ତ ଦେଇ

ହରଷେ ଅଶ୍ରୁଜଳ ନେତ୍ରେ

ପ୍ରଣାମ କଲେ ଦଣ୍ତବତେ

ଉଠି ଚାହଁଇ ଶୂନ୍ୟମାର୍ଗେ

ତିନି ମୂରତି ଦେଖି ଆଗେ

ବୃଷଭ ପକ୍ଷୀରାଜ ଯାନେ

ପରମହଂସଙ୍କ ବିମାନେ

ତିନିଦେବଙ୍କ ଚିହ୍ନ ଦେଖି

ନିର୍ମଳ କଲା ବେନି ଆଖି

ଦେଖଇ ବ୍ରହ୍ମା ବିଷ୍ଣୁ ହର

ନିଜ ଆୟୁଧେ ମନୋହର

ପ୍ରସନ୍ନ ଦିଶେ ମୁଖକାନ୍ତି

ଈଷତ ହାସେ ଶୋଭାପାନ୍ତି

ଏମନ୍ତେ ଦେଖି ତିନି ମୁଖ

ମୁନି ଛାଡିଲେ ମନୋଦୁଃଖ

କଣ୍ଠ କଣ୍ଠିତ ଗଦଗଦେ

ପ୍ରଣାମ କଲେ ତିନି ପାଦେ

କରଯୁଗଳ ଶିରେ ଦେଇ

ବୋଲଇ ତାଙ୍କ ମୁଖ ଚାହିଁ

ଅତ୍ରି ଉବାଚ

ସ୍ଥିତି ଉଦ୍ଭବ ଲୟ କାର୍ଯ୍ୟେ

ତୁମ୍ଭର ଶରୀର ବିରାଜେ

ଭକ୍ତଜନଙ୍କ ପ୍ରିୟ ଭାବେ

ଶରୀର ବହୁ ଅନୁରାଗେ

ଉଠି ଚାହିଁଲା ଶୂନ୍ୟମାର୍ଗେ

ଶ୍ୱେତ ଅଶିତ ପୀତରୋଗେ

ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର

ମୁଁ ତୁମ୍ଭ ଚରଣେ କିଙ୍କର

ତୁମ୍ଭର ରୂପ ଏ ସଂସାରେ

ପ୍ରକାଶେ ଜନ ଉପକାରେ

ଏମନ୍ତେ ଅତ୍ରି ବାକ୍ୟ ଶୁଣି

ବିଷ୍ଣୁ ଶଙ୍କର କୁଶପାଣି

ଦେବା ଉଚୁଃ

କହନ୍ତି ଅତ୍ରି ମୁଖ ଚାହିଁ

ଭୋ ମୁନି ଭାଗ୍ୟବନ୍ତ ତୁହି

ତୋହର ପ୍ରାୟ ତପଘୋରେ

ତପସ୍ୱୀ ନାହିଁ ଏ ସଂସାରେ

ପତ୍ନୀ ସହିତେ ଦୁଃଖ ସହି

ତପ ଯେ କଲୁ ବନେ ରହି

ଚିତ୍ତେ ତୁ କଳ୍ପି ଅଛୁ ଯାହା

ତେଣୁ ଆମ୍ଭର ତୋତେ ଦୟା

ମନେ ତୁ ସଂଶୟ ନ କର

ହୋଇବୁଁ ତୁମ୍ଭର କୁମର

ତୋହର ଯଶ ଏ ଜଗତେ

ନିଶ୍ଚଳ ରହିବ ଯେମନ୍ତେ

କରିବୁ ସତ୍ୟ ଏ ବଚନ

ଏମନ୍ତ କହି ଅନ୍ତର୍ଦ୍ଧାନ

ମୈତ୍ରେୟ ଉବାଚ

ନିଜ ଭୁବନେ ଗଲେ ବେଗେ

ସେ ଅତ୍ରି ପତ୍ନୀ ଗର୍ଭଭାଗେ

ଋତୁ ସଙ୍ଗମ ପତ୍ନୀ ସଙ୍ଗେ

ଜନ୍ମ ହୋଇଲେ ତିନି ଦେବେ

ନୟନ ମଧ୍ୟୁ ସୋମ ଜାତ

ଉଦରୁ ରୁଦ୍ରର ସମ୍ଭୂତ

ଦୁର୍ବାସା ଧୂର୍ଜ୍ଜଟିର ଅଂଶେ

ଜନ୍ମ ହୋଇଲେ ପୃଷ୍ଠଦେଶେ

ତପ ପ୍ରଭାବର ଏ ଗୁଣ

ଏବେ ଅଙ୍ଗିରା ବଂଶ ଶୁଣ

ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ

ତାର ସଂଯୋଗେ ପ୍ରଜାପତି

ଚାରି ଦୁହିତା ଜନ୍ମକଲା

ସୁନ୍ଦର ରୂପ ଗୁଣଶୀଳା

ତୁଳନା ନାହିଁ ଅନୁପମ

ଶୁଣ ହେ ତାହାଙ୍କର ନାମ

ପ୍ରଥମ କନ୍ୟା ସିନୀବାଲୀ

ଅପରେ କୁହୁ ରାକାବାଳୀ

ଚତୁର୍ଥ ନାମ ଅନୁମତି

ଏମନ୍ତେ କନ୍ୟାଙ୍କର ଖ୍ୟାତି

ଅପରେ ବେନି ସୁତ ଜାତ

ଔତଥ୍ୟ ବୃହସ୍ପତି ସୁତ

ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ

ପୌଲସ୍ତି ସୃଷ୍ଟି ଏବେ ଶୁଣ

ଅଗସ୍ତି ହବି ନାମ ବେନି

ଜନ୍ମିଲେ ବ୍ରହ୍ମତେଜ ଘେନି

ଏ ଯେ ସୁରୁଚି ମନ୍ୱନ୍ତରେ

ବିଖ୍ୟାତ ଖ୍ୟାତି ତିନି ପୁରେ

ସେ ପୁଣି ଅନ୍ୟ ଜନେ ଖ୍ୟାତ

ବ୍ରତୋଳି ବିଶ୍ରବା ସମ୍ଭୂତ

ବ୍ରତୋଳି ପତ୍ନୀ ଇଡ଼ବଳା

ଦୁର୍ଜ୍ଜୟ ପୁତ୍ର ପ୍ରସବିଲା

କୁରୂପ ଦେଖି ତା ଶରୀର

ତା ନାମ କଳ୍ପିଲା କୁବେର

ପୁଣି ବିଶ୍ରବା ରୂପ ଘେନି

ଅସୁରୀ ଗର୍ଭେ ପୁତ୍ର ତିନି

ରାବଣ କୁମ୍ଭକର୍ଣ୍ଣ ନାମ

ତେଜେ ତ୍ରୈଲୋକ୍ୟ ନାହିଁ ସମ

ପୁଣି ଜନ୍ମିଲେ ବିଭୀଷଣ

ବିଷ୍ଣୁର ଭକ୍ତ ମହାଜନ

ପୌଲସ୍ତି ପୁତ୍ର ଭାନୁ ଗର୍ଭେ

ତିନି ବାଳକ ସୃଷ୍ଟି ଲଭେ

କେ ପାରେ ତାଙ୍କ ଗୁଣ ଚିନ୍ତି

ଅନଳ ପ୍ରାୟେ ତେଜ କାନ୍ତି

ଜ୍ୟେଷ୍ଠର ନାମ କର୍ମ ଶ୍ରେଷ୍ଠ

ଦ୍ୱିତୀୟ ବରୀୟସ ଶ୍ରେଷ୍ଠ

କନିଷ୍ଠ ସହିଷ୍ଣୁ ପ୍ରକାଶ

ଏବେ ତୁ ଶୁଣ କ୍ରତୁବଂଶ

କ୍ରତୁର ପତ୍ନୀ ନାମ କ୍ରିୟା

ତା ପୁତ୍ର ଶୁଣ ପୁଣ୍ୟଦେହା

ଷାଠି ସହସ୍ର ବାଳଖିଲ୍ୟା

ତା ଗର୍ଭେ ପୁତ୍ର ଉପୁଜିଲା

କେ ପାରେ ତାଙ୍କ ଗୁଣ ଚିନ୍ତି

ଅନଳ ପ୍ରାୟ ରୁପକାନ୍ତି

ଶୁଣ କହିବା ବଂଶ ଏବେ

ବଶିଷ୍ଠ ଅରୁନ୍ଧତୀ ଗର୍ଭେ

ନିର୍ମଳ ଗୁଣ ସପ୍ତଋଷି

ଭାନୁ ଉଦୟେ ତାହା ଘୋଷି

ଶୁଣ ବିଦୁର ମନ ସୁଖେ

କହିବା ଚିତ୍ରକେତୁ ମୁଖେ

ଜ୍ୟେଷ୍ଠ ଚିତ୍ରକେତୁ ସୁରୋଚି

ବିରାଜ ମିତ୍ର ବେନି ଶୁଚି

ଉଲ୍ୱଣ ବସୁଭୃତ୍ୟ ଜାତ

ଦ୍ୟୁମାନ ଶକ୍ତିଙ୍କ ସମ୍ଭୂତ

ଚିତିର ବଂଶ ଏବେ କହି

ଶୁଣ ବିଦୁର ମନଦେଇ

ଅପୂର୍ବ ପତ୍ନୀ ସେ ସ୍ୱଭାବେ

ପୁତ୍ରେ ଜନ୍ମିଲା ତାର ଗର୍ଭେ

ଦଧୀଚି ନାମେ ମହାବୀର

ସ୍ୱଭାବେ ଦିଶେ ଅଶ୍ୱଶିର

କେ କହିପାରେ ତାଙ୍କ ଗୁଣ

ଏବେ ତୁ ଭୃଗୁବଂଶ ଶୁଣ

ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ

ତିନି ଅପତ୍ୟ ସୃଷ୍ଟି ଲଭେ

ଧାତା ବିଧାତା ବେନି ସୁତ

କନ୍ୟାଏ କମଳା ସମ୍ଭୁତ

ଧାତା ବିଧାତା ବେନିକୋଳେ

ସୁନ୍ଦର ରୂପ ବାଳକାଳେ

ସୁମେରୁ ପର୍ବତ ଦୁହିତା

ଆୟତି ନିୟତି ସମ୍ଭୂତା

ଏ ବେନି କନ୍ୟା ବେନି ଭାଇ

ବିବାହ କଲେ ବେନିକୁହିଁ

ସେ ବେନି କନ୍ୟା ଗର୍ଭଗତେ

ଜନ୍ମ ଲଭିଲେ ବେନି ସୁତେ

ମୁକୁଣ୍ତ ପ୍ରାଣ ତାଙ୍କ ନାମ

ସୁନ୍ଦରେ ସମ ନୁହେଁ କାମ

ମାର୍କଣ୍ତେୟ ମୃକୁଣ୍ଡ ହେଲା

ସଂସାରେ ଖ୍ୟାତି ସେ ଲଭିଲା

ସେ ପ୍ରାଣୁ ଦେବଶିରା ହୁଏ

ମୁନିଙ୍କ ମଧ୍ୟେ ମହାଶୟେ

ଉଶନା ମୁନି ଯାର ସୁତ

କବିଙ୍କ ମଧ୍ୟେ ମହାବ୍ରତ

ଏ ସର୍ବମୁନି ମହାଜନ

ସ୍ୱଭାବେ ତ୍ରୈଲୋକ୍ୟ ଭାବନ

ଏମନ୍ତ କର୍ଦ୍ଦମ ସନ୍ତତି

କହିଲି ମୁନିବଂଶ ଖ୍ୟାତି

ଏ ଯଶ ଶୁଣନ୍ତେ ସଂସାରେ

ଜ୍ଞାନ ଅଜ୍ଞାନ ପାପ ହରେ

ଏ ସ୍ୱାୟମ୍ଭୂବ ମନୁ ସୁତା

ପ୍ରସୂତି ନାମେ ପତିବ୍ରତା

ତାହାର ପ୍ରିୟ ଶୁଦ୍ଧମତି ।

ଯା ନାମ ଦକ୍ଷ ପ୍ରଜାପତି

ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେ

ଷୋଡ଼ଶ କନ୍ୟା ସେ ପ୍ରସବେ

ଜନ୍ମିଲେ ନାମ ସୁଲୋଚନୀ

ରୂପେ ତ୍ରିଭୁବନ ମୋହିନୀ

ଧର୍ମକୁ ତ୍ରୟୋଦଶ ନାରୀ

ଦେଲା ସେ ଅଳଙ୍କାର ଭରି

ଅଗ୍ନିକୁ ଏକ କନ୍ୟା ଦେଲା

ପିତୃ ପୁରୁଷେ ଏକ ବଳା

ଅପରେ ନାରୀ ସତୀକନ୍ୟା

ସୁଗୁଣା ପତିବ୍ରତା ଧନ୍ୟା

ଅନେକ ମତେ ତାର ଗୁଣ

ଶିବଙ୍କୁ କଲା ସେ ପ୍ରଦାନ

ଶ୍ରଦ୍ଧା ମଇତ୍ରୀ ଦୟା ଶାନ୍ତି

ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି

ତିତିକ୍ଷା ମୂର୍ତ୍ତି ବୁଦ୍ଧି ମେଧା

ଲଜ୍ଜା ସହିତେ ପରସିଦ୍ଧା

ଏମନ୍ତେ ଧର୍ମ ଏତେ ନାରୀ

ଦକ୍ଷର ଭାବେ ବିଭାକରି

ଶ୍ରଦ୍ଧା ସତ୍ୟକୁ ପ୍ରସବିଲା

ମୈତ୍ରୀ ପ୍ରସାଦେ ଉପୁଜିଲା

ଅଭୟ ହେଲା ଦୟାଠାରୁ

ଶ୍ରମ ଯେ ଜନ୍ମିଲା ଶାନ୍ତିରୁ

ହର୍ଷରୁ ତୁଷ୍ଟି ପ୍ରସବିଲା

ପୁଷ୍ଟିରୁ ଗର୍ବ ଯେ ହୋଇଲା

ଯୋଗ ହୋଇଲା କ୍ରିୟାଠାରୁ

ଦର୍ପକ ଉନ୍ନତି ଗର୍ଭରୁ

ଅର୍ଥରୁ ବୁଦ୍ଧି ଉପୁଜିଲା

ସ୍ମୃତି ଯେ ମେଧାରୁ ଜନ୍ମିଲା

ତିତିକ୍ଷା ପ୍ରସବିଲା କ୍ଷେମ

ବିନୟ ଲଜ୍ଜାରୁ ଜାଣିମ

କ୍ଷେମ ପ୍ରସୂତି କ୍ରିୟା ତହୁଁ

ମୂର୍ତ୍ତିର ସୁତ ଏବେ କହୁଁ

ଯହିଁ ଆଶ୍ରିତ ସର୍ବଗୁଣ

ସେ ବେନି ନର ନାରାୟଣ

ଏ ବେନି ପୁତ୍ର ଜନ୍ମଦିନେ

ଆନନ୍ଦ ଏ ତିନି ଭୁବନେ

ଦିଶେ ଗଗନ ଗିରି ନଦୀ

ଆନନ୍ଦେ ଉଲ୍ଲୋଳ ଜଳଧି

ଗଗନ ପୂରେ ତୂରୀ ଘୋଷେ

ନିର୍ମେଘେ କୁସୁମ ବରଷେ

ସକଳ ମୁନି ସ୍ତୁତିକରି

ରଙ୍ଗେ ନାଚନ୍ତି ଅପସରୀ

ଗନ୍ଧର୍ବ କିନ୍ନର ଆନନ୍ଦେ

ଗାବନ୍ତି ବିଦ୍ୟାଧର ବୃନ୍ଦେ

ସକଳ ଗୃହେ ଅନୁକୂଳ

ଉଛୁଳେ ପରମ ମଙ୍ଗଳ

ହରଷେ ହର ପଦ୍ମଯୋନି

ସଙ୍ଗେ ଦେବତା ବୃନ୍ଦ ଘେନି

ମିଳିଲେ ଧର୍ମର ଭୁବନେ

ଆନନ୍ଦ ମନେ ସର୍ବଜନେ

ଯେ ନିଜ ମାୟାଗୁଣେ ହରି

ବିଶ୍ୱ ସଂସାରେ ରୂପ ଧରି

ବିଶ୍ୱ ପାଳନ କ୍ଷମ ଅର୍ଥେ

ଭାରତ ଭୂମି ମଧ୍ୟଗତେ

ତପ ଆଚରି ଜନହିତେ

ସେ ହରି ଚରଣେ ନମସ୍ତେ

ଯେ ହରି ସୃଷ୍ଟିଲୟ ଅର୍ଥେ

ଆମ୍ଭଙ୍କୁ ସର୍ଜିଲା ଜଗତେ

ସର୍ବ ଲକ୍ଷଣ ଅର୍ଥେ ହରି

ଆତ୍ମାକୁ ବେନି ରୂପ କରି

ପରିପାଳନ ତପବଳେ

ଆସନେ ଧରଣୀ ମଣ୍ତଳେ

ଶ୍ରୀନିକେତନ ତିନି ନେତ୍ର

କ୍ଷଣେ କିଞ୍ଚିତ ସେ ପବିତ୍ର

ସଂସାରାର୍ଣ୍ଣବ ସୁଖେ ତରେ

ଯେ ପ୍ରାଣୀ ତୋତେ ଆଶ୍ରାକରେ

ଏମନ୍ତ ସୁରଗଣେ ଗାଇ

ସ୍ତୁତି କରନ୍ତି ମୁଖ ଚାହିଁ

ଜଗତ ହିତେ ତପ ଅର୍ଥେ

ସେ ଗନ୍ଧମାର୍ଦ୍ଦନ ପର୍ବତେ

ମିଳିଲେ ଶୁଭ ଲଗ୍ନବେଳେ

ଭାରତ ଭୂମି ସୁମଙ୍ଗଳେ

ସେ ବେନିରୂପ ବିଷ୍ଣୁଅଂଶେ

ଜନ୍ମ ହୋଇଲେ ଧର୍ମବଂଶେ

ଭୂମିର ଭାରା ନିବାରଣେ

ଜଗତ ପରମ କାରଣେ

ସମ୍ଭବେ ଯଦୁ କୁରୁବଂଶେ

କୃଷ୍ଣ ଅର୍ଜ୍ଜୁନ ବିଷ୍ଣୁ ଅଂଶେ

ଅଗ୍ନିରେ ସ୍ୱାହା ସ୍ୱଧା ନାରୀ

ତିନି ଅପତ୍ୟ ଜନ୍ମ କରି

ପାବକ ପବମାନ ଶୁଚି

ହୁତ ଭୋଜନ ଜଳରୁଚି

ଏ ତିନିବୀର୍ଯ୍ୟେ ଅଗ୍ନିଗଣେ

ଜନ୍ମିଲେ ସଂସାର ଧାରଣେ

ଊନପଞ୍ଚାଶ ରୂପ ହୋଇ

ତେଜେ ଗଞ୍ଜନ୍ତି ସ୍ୱର୍ଗମହୀ

ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ

ମିଳନ୍ତି ବୈତାଳିକ ରଙ୍ଗେ

ଯେ ବ୍ରହ୍ମବାଦୀ ବିପ୍ରଗଣେ

ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ

ଅଗ୍ନିକୁ କରନ୍ତି ବରଣ

ତାହାଙ୍କ ନାମ ଏବେ ଶୁଣ

ଅଗ୍ନି ସୁଧା ଯେ ବର୍ହିଷଦ

ସୋମପା ଆଜ୍ୟପ ସୁବେଦ

ଅଗ୍ନିର ପତ୍ନୀ ସ୍ୱାହା ନାମ

ସ୍ୱରୁପ ଗୁଣେ ଅନୁପମ

ତାର ଉଦରେ କନ୍ୟା ବେନି

ଜନ୍ମିଲେ ପିତୃରୁପ ଘେନି

।।

ଅଷ୍ଟବସୁଙ୍କ ନାମ ଭଣି

ଯା ନାମ ବିଷ୍ଣୁ ତା ଧରଣୀ

ଏ ବେନି କନ୍ୟା ଯୋଗଜ୍ଞାନୀ

ବଞ୍ଚନ୍ତି ଭୁବନ ପାବନୀ

ଏମନ୍ତ ଦକ୍ଷ ପ୍ରଜାପତି

ତାର କୁମାରୀ ନାମ ସତୀ

ଈଶ୍ୱର ପତ୍ନୀ ସେ ସ୍ୱଭାବେ

ତାର ଚରିତ ଶୁଣ ଏବେ

ଆତ୍ମା ସଦୃଶ ପୁତ୍ର ଗର୍ଭେ

ସେ ସତୀ କେବେ ହେଁ ନ ଲଭେ

ପିତାର ଯଜ୍ଞଶାଳେ ଯାଇ

ସ୍ୱାମୀର ଛଳେ କ୍ରୋଧବହି

ଦେବଙ୍କ ମଧ୍ୟେ ଯଜ୍ଞଶାଳେ

ଜୀବନ ଛାଡିଲା ଅନଳେ

ଚତୁର୍ଥ ସ୍କନ୍ଧେ ଭାଗବତ

କହଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ମୈତ୍ରେୟ ବିଦୁର

ସମ୍ବାଦେ ନାମ ପ୍ରଥମୋଽଧ୍ୟାୟଃ ।

•••

 

ଦ୍ଵିତୀୟ ଅଧ୍ୟାୟ

 

ବିଦୁର ଉବାଚ

ଯେ ଶିବ ସାଧୁଙ୍କର ଶ୍ରେଷ୍ଠ

ତା ସଙ୍ଗେ ଦକ୍ଷ କଲା ହଟ

ଦୁହିତା ବତ୍ସଳ ସ୍ୱଭାବେ

ସତୀକୁ ଦେଇଅଛି ଭବେ

କିମ୍ପା ଅନୀତି ବିଚାରିଲା

ସତୀକୁ ଅନାଦର କଲା

ସଚରାଚର ଗୁରୁ ହର

ସେ ଆତ୍ମାରାମ ଯଜ୍ଞେଶ୍ୱର

ଶାନ୍ତି ନିଗ୍ରହ ନିର୍ବିକାର

ଅଦ୍ଭୁତ ମହିମା ଯାହାର

ସମ ସୁହୃଦ ଶୁଦ୍ଧଚିତ୍ତ

ଜଗତବନ୍ଧୁ ବିଶ୍ୱନାଥ

ତାଙ୍କୁ ଅବଜ୍ଞା କିମ୍ପା କଲା

କେବା ତାହାକୁ ଶିକ୍ଷା ଦେଲା

ଜାମାତା ଶ୍ୱଶୁର ସମ୍ୱନ୍ଧେ

କେବା ସାଧିଲା ବୁଦ୍ଧି ଭେଦେ

ଶିବଙ୍କୁ ଅନାଦର କଲା

ସେ ଭାବେ ସତୀ ପ୍ରାଣ ଦେଲା

ଏ ବାଣୀ ଶୁଣି ମୋର ମନ

ଚଞ୍ଚଳ ଭାବେ ହୁଏ ଛନ୍ନ

ଭୋ ମୁନି କରି ବାରେ ସ୍ନେହ

କହିବା ନ ରହୁ ସନ୍ଦେହ

ମୈତ୍ରେୟ ଉବାଚ

ଶୁଣ ବିଦୁର ଶାସ୍ତ୍ରଯୋଗେ

ସୃଷ୍ଟିର ପୂର୍ବେ ଦକ୍ଷ ଯଜ୍ଞେ

ଯଜ୍ଞ ଆରମ୍ଭ ଆଚରଣେ

ମିଳିଲେ ସର୍ବ ଦେବଗଣେ

ଅଶେଷ ମୁନିଙ୍କର ମେଳେ

ମିଳିଲେ ଦଶଦିଗ ପାଳେ

ଯକ୍ଷ କିନ୍ନର ନାଗକୁଳ

ମିଳିଲେ ତୃତୀୟ ଅନଳ

ପିତୃ ଦେବତା ଗଣ ଆଦି

ଯେତେ ମହାଯଜ୍ଞ ସମ୍ପାଦି

ଏମନ୍ତ ସୁରଗଣ ଯେତେ

ମିଳିଲେ ବ୍ରହ୍ମାର ଅଗ୍ରତେ

ସୁର କିନ୍ନର ସର୍ବମୁନି

ଦକ୍ଷକୁ ସର୍ବେ ସଙ୍ଗେ ଘେନି

ସେ ଦକ୍ଷ ନିଜ ବ୍ରହ୍ମତେଜେ

ସୁନ୍ଦରେ ତ୍ରିଭୁବନ ଗଞ୍ଜେ

ଆଦିତ୍ୟ ପ୍ରାୟେ ଦେହକାନ୍ତି

ମଣି କଙ୍କଣ ଝଟକନ୍ତି

ବ୍ରହ୍ମାର ସଭା ମଧ୍ୟଗତେ

ଥିଲେ ଯେ ତିମିର ଆୟତ୍ତେ

ଦକ୍ଷର ତେଜେ ତମ ଗଲା

ସେ ସଭା ନିର୍ମଳ ଦିଶିଲା

ଦେବଙ୍କ ମଧ୍ୟେ ଦକ୍ଷ ଦେଖି

ଉଠିଲେ ଆସନ ଉପେକ୍ଷି

ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେ

ଦକ୍ଷକୁ ଦେଖି ନ ଉଠିଲେ

ସେ ସଭା ମଧ୍ୟେ ମୁନି ଯେତେ

ଆନନ୍ଦେ ଭଜି ଶୁଦ୍ଧଚିତ୍ତେ

ରୋମାଞ୍ଚ ଅଶ୍ରୁ ଜଳେ ନେତ୍ରେ

ଅଞ୍ଜଳି କରି କରପତ୍ରେ

ଦକ୍ଷକୁ ସାଧୁ ସାଧୁ ବାଣୀ

ଭାବେ କରନ୍ତି ପୁଣି ପୁଣି

ସେ ଦକ୍ଷ ସଭା ମଧ୍ୟେ ଗଲା

ବ୍ରହ୍ମା ଚରଣେ ପ୍ରଣମିଲା

ସେ ବ୍ରହ୍ମା କୃତକୃତ୍ୟ ହୋଇ

ଦକ୍ଷକୁ ଆଲିଙ୍ଗନ ଦେଇ

ନେଇ ସମୀପେ ବସାଇଲେ

ଅନେକ ପୁରସ୍କାର ଦେଲେ

ରୁଦ୍ର ଯେ ସଭା ମଧ୍ୟେ ଥିଲେ

ଦକ୍ଷକୁ ଦେଖି ନ ଉଠିଲେ

ଦେଖିଣ ରୁଦ୍ର ଅପମାନ

ଦକ୍ଷର ଚିତ୍ତେ ମହାତମ

ସେ ଦକ୍ଷ ସଭାରେ ଶ୍ୱଶୁର

ତାକୁ ନ ଗଣିଲେ ଈଶ୍ୱର

ଅବଜ୍ଞା ଦୋଷେ ସେ ପ୍ରଚଣ୍ତ

ଯେହ୍ନେ ଉଦିତ ମାରତଣ୍ତ

କର ପ୍ରସାରି ସଭା ମଧ୍ୟେ

କୋପେ କହଇ ଶାସ୍ତ୍ର ବାଦେ

ଶୁଣ ହେ ବ୍ରହ୍ମଋଷିଗଣ

ଆଗମ ନିଗମ ପ୍ରମାଣ

ତୁମ୍ଭେ ଯେ ସଭାମଧ୍ୟେ ଅଛ

ଏବେ ତ ଦେଖିଲ ପ୍ରତ୍ୟକ୍ଷ

ଶାସ୍ତ୍ର ତୁମ୍ଭର ବାକ୍ୟ ଯେତେ

ଯେ ସଦାଚାର ଏ ଜଗତେ

କେ ଲଂଘିପାରେ ତାହା ବଳେ

ଏ ତିନିଭୁବନ ମଣ୍ତଳେ

ଦେଖ ଏ ତୁମ୍ଭର ବଚନ

ଲଘିଂଲା ବିକଟଲୋଚନ

ରୁଦ୍ର ବୋଲାଇ ଗର୍ବ କଲା

ଏ ମୋତେ ଦେଖି ନ ଉଠିଲା

ଦେଖ ଏ ଲୋକପାଳ ମଧ୍ୟେ

ନିର୍ଭୟ ନିରାତପବାଦେ

ଯେ ସାଧୁ ସନ୍ଥ ଆଚରଣ

କି ଭାବେ କଲା ଏ ଦୂଷଣ

ମୋହର ଶିଷ୍ୟ ଏ ବୋଲାଇ

ଯେଣୁ ଦୁହିତା ଦେଲି ମୁହିଁ

ଅଗ୍ନି ଦେବତା ବିପ୍ରସ୍ଥାନ

ଦୁହିତା କରିଛି ପ୍ରଦାନ

ଏଣୁ ମୁଁ ଏହାର ଶ୍ୱଶୁର

ଗୁରୁଙ୍କ ମଧ୍ୟେ ଗୁରୁବର

ଆଧି ଉପାଧି ଅତିବାଦେ

ଧର୍ମେ ନମିବ ମୋର ପାଦେ

ମାନ୍ୟ ନ କରି ମୋ ଚରଣେ

ଅବଜ୍ଞା କଲା ଦୁଷ୍ଟପଣେ

ମର୍ଯ୍ୟାଦା ଭେଦ ଅଭିମାନୀ

ବର୍ତ୍ତଇ ଶୂଦ୍ର ଦେହ ଘେନି

ଏହା ମୁଁ ନ ଜାଣିଲି ଜ୍ଞାନେ

ବିଶ୍ୱାସି ବ୍ରହ୍ମାର ବଚନେ

ଦୁହିତା ଦାନ ଦେଲି ମୁହିଁ

ଶୂଦ୍ରକୁ ଯେହ୍ନେ ବେଦ କହି

ଅପାତ୍ରେ ଦେଲା ଫଳ ଯେତେ

ଏବେ ବୋଧିଲି ଯଥାଅର୍ଥେ

ଶ୍ମଶାନବାସୀ ଏ ଯୁକତେ

ବର୍ତ୍ତଇ ଭୂତ ପ୍ରେତ ସାଥେ

ଉନ୍ନତ ପ୍ରାୟ ନଗ୍ନ ହୋଇ

ଶ୍ମଶାନେ ନିରତେ ଭ୍ରମଇ

ଜଟା ସହିତ ମୁକ୍ତକେଶେ

ଶ୍ମଶାନେ ଭ୍ରମେ ଧୂମ ବେଶେ

ଉନ୍ନତ ଭୋଳ ହାସ୍ୟ ମୁଖେ

ନିତ୍ୟେ ବଞ୍ଚଇ ଦୁଖଶୋକେ

ପତ୍ନୀର ଉପଦେଶ ଫଳେ

ନିତ୍ୟେ ଭ୍ରମନ୍ତି ଅନ୍ତରାଳେ

ଅଶିବଗଣ ନିତ୍ୟେ ସାଧ

ଏଣୁ ଆଶିବ ଶିବ ବାଦ

ପ୍ରମତ୍ତ ମତ୍ତଜନ ପ୍ରାୟେ

ଏଣୁ ଅଶୁଚି ଦେହ ବହେ

ପ୍ରଥମ ଭୂତଗଣ ପତି

ନିତ୍ୟେ ତାମସ ବହେ ମତି

ଏଣୁ ତପସ୍ୱୀ ଜନପ୍ରିୟ

ନିତ୍ୟେ ନିନ୍ଦିତ ଏହା ଦେହ

ନପୁଂସ ଅଟେ ଏ ଦୁର୍ମତି

ଦୁର୍ହୃଦ ପ୍ରାୟେ ଦେହମତି

ସ୍ୱମତ ନ ଜାଣି ଅଜ୍ଞାନେ

ବିଶ୍ୱାସି ବ୍ରହ୍ମାର ବଚନେ

ଏହାକୁ ସତୀ କନ୍ୟା ଦେଲି

ଦୁଷ୍ଟେ ଅନୀତି ଆଚରିଲି

ମୈତ୍ରେୟ ଉବାଚ

ଏମନ୍ତେ କୁତ୍ସିତ ବଚନେ

ସେ ପ୍ରଜାପତି କୋପମନେ

ଦୁର୍ହୃଦ ପ୍ରାୟେ ଆଚରିଲେ

ଗିରୀଶେ ବହୁ ନିନ୍ଦା କଲେ

ତକ୍ଷଣେ ଉଠି କୋପାନଳେ

ସ୍ୱହସ୍ତେ ଦତ୍ତ ଘେନି ଜଳେ

ଭୃଗୁର ବଚନ ସମେତେ

ହରଙ୍କୁ ଶାପ ଦେବା ଅର୍ଥେ

ଦକ୍ଷ ଉବାଚ

ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ

ଅଶେଷ ଦେବଙ୍କ ସମେତେ

ଅଶେଷ ଦେବ ଯଜ୍ଞଭାଗ

କେବେହେଁ ହର ନ ଲଭିବ

ଏ କଥା ମୋହର ପ୍ରମାଣ

ଏଥକୁ ସାକ୍ଷୀ ନାରାୟଣ

ଏ ଦେବଗଣଙ୍କ ଅଧମ

ଆତ୍ମାକୁ ମଣେ ସର୍ବ ସମ

ଦକ୍ଷକୁ ଚାହିଁ ଦେବଲୋକେ

ନିଷେଧ କଲେ ଏକେ ଏକେ

ସେ ଦକ୍ଷ କୋପେ ଅଭିମାନୀ

ଶାପ ଯେ ଦେଲା ଦୋଷଘେନି

ଅତ୍ୟନ୍ତ କୋପେ ଶାପ ଦେଲା

ଋଷିଙ୍କ ବଚନ ନ କଲା

ଶିବଙ୍କୁ କୋପେ ଶାପ ଦେଇ

ଅତ୍ୟନ୍ତ କ୍ରୋଧ ମନେ ବହି

ବ୍ରହ୍ମାର ସଭାରୁ ବାହାର

ତକ୍ଷଣେ ଯାନ୍ତେ ନିଜପୁର

ନନ୍ଦୀ ଯେ ରୁଦ୍ରପାଶେ ଥିଲା

ଦକ୍ଷର ଶାପ ସେ ଶୁଣିଲା

ରୋଷେ ସେ କୃତାନ୍ତ ନୟନ

ଦକ୍ଷର ଶାପେ କୋପମନ

ଦକ୍ଷକୁ ପ୍ରତିଶାପ ଦେଇ

କହଇ ସଭା ମୁଖ ଚାହିଁ

ଦକ୍ଷର ଯେତେ ମତେ ଥିବେ

ଏ ଶାପ ଭଲେ ସେ ଲଭିବେ

ଦକ୍ଷକୁ ଯେବେ ଆରାଧିବେ

ବିଷ୍ଣୁର ଦ୍ରୋହ ସେ ଲଭିବେ

ଏ କୂଟ ଗୃହଧର୍ମ ମଧ୍ୟେ

ବିଷୟ ଭୋଗ ଇଚ୍ଛା ସଧେ

ବିସ୍ତାରି ଯଜ୍ଞ କର୍ମକାଣ୍ତେ

ଯେ ଏହା ବଖାଣିବ ତୁଣ୍ଡେ

ପଶୁଙ୍କ ପ୍ରାୟ କରି ଆଶ

ଯେବା କରନ୍ତି ଅନ୍ନଗ୍ରାସ

ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି

ଲାଭ ଅଲାଭେ ଚିତ୍ତ ସ୍ଥାପି

ପଶୁ ହିଂସନେ ଦୃ୍ଢଚିତ୍ତ

ଅଜ୍ଞାନ ବଳେ ଏ ମୋହିତ

ଅଶେଷ ଯଜ୍ଞ କର୍ମ କରି

ଏ ରୁଦ୍ରଭାବ ନ ଆଦରି

ଯେ ବିପ୍ରବ୍ରତ ଧର୍ମକେତୁ

ଅଶେଷ କର୍ମଫଳ ହେତୁ

ଚିତ୍ତ ଇନ୍ଦ୍ରିୟ ଦେହେ ଭ୍ରମି

ଚାତକ ପ୍ରାୟେ ଶ୍ରମେ ଭ୍ରମି

ଭ୍ରମଇ ଇହ ପରଲୋକେ

ଅରୁଦ୍ର ମାର୍ଗେ ଅତିରେକେ

ଏମନ୍ତ ଶାପ ଦେବା କାଳେ

ସେ ନନ୍ଦୀଶ୍ୱର କୋପାନଳେ

ଭୃଗୁ ସେ ସଭା ମଧ୍ୟେ ଥିଲେ

ନନ୍ଦୀର ବଚନ ଶୁଣିଲେ

ଦକ୍ଷର ମତେ ପକ୍ଷ ଧରି

ରୁଦ୍ର ବିଷୟେ କୋପକରି

ଯେ ଶିବବ୍ରତ ଏ ଜଗତେ

କରିବ ଶିବର ଆୟତ୍ତେ

ସେ ବ୍ରହ୍ମଦଣ୍ଡ ଦୁରତ୍ୟୟ

ସ୍ୱଭାବେ ଭୃଗୁ ମହାଶୟ

ମୋହର ଶାସ୍ତ୍ର ଅନାଦରି

ପାଷାଣ୍ଡ ହୋନ୍ତୁ ତମ ଧରି

ତକ୍ଷଣେ ଜଳହସ୍ତେ ଘେନି

ସଭା ସମୂହେ ଉଚ୍ଚେ ବାଣୀ

କହଇ ହସ୍ତେ ଜଳଧରି

ହୃଦୟେ କୋପାନଳ ଭରି

ଅସୁରୀ ପୁତ୍ର ନଷ୍ଟ ବୁଦ୍ଧି

ପାଷଣ୍ତଗଣେ ଯେ ପ୍ରସିଦ୍ଧି

ଭୂଷଣ ଜଟା ଭସ୍ମ ଅସ୍ଥି

ଶିବ ପୂଜନ୍ତି ଦୃଢ଼ମତି

ବହନ୍ତି ଶିବଦୀକ୍ଷା ହୃଦେ

ଯେ ଅବା ଦେବାସୁର ମଧ୍ୟେ

ବ୍ରହ୍ମା ବ୍ରାହ୍ମଣ ନିନ୍ଦାକରି

ନିରତେ ଶିବଦୀକ୍ଷା ଧରି

ଶିବର ପଥ ସନାତନ

ଯେ ଅବା ଆଚରିବ ଜନ

ଅନ୍ତେ ପାଷାଣ୍ଡ ଗତି ହେଉ

ବିଷ୍ଣୁ ନିନ୍ଦନ ଜ୍ଞାନ ବହୁ

ଏମନ୍ତେ ଭୃଗୁ ବାକ୍ୟ ଶୁଣି

ସଭାର ମଧ୍ୟେ ଶୂଳପାଣି

ବିମନ ହୋଇ ବେଗେ ଉଠି

ଅନଳ ପ୍ରାୟେ କୋପ ଦୃଷ୍ଟି

ଶିବଗଣଙ୍କୁ ଘେନି ସଙ୍ଗେ

ମିଳିଲେ ନିଜସ୍ଥାନ ମାର୍ଗେ

ଶିବ ଗମନେ ମୁନିଗଣେ

ଆଗମ ନିଗମ ପ୍ରମାଣେ

ସହସ୍ର ମୁନି ମୋକ୍ଷଗଣେ

ଯେ ଯଜ୍ଞ ବିଧାନ ପ୍ରମାଣେ

ବିଷ୍ଣୁର ପୂଜାବିଧି ସାରି

ଯଜ୍ଞାବଭୃତେ ସ୍ନାନ କରି

ଜାହ୍ନବୀ ଜଳେ କରି ସ୍ନାନ

ବିପ୍ରେ ଗମିଲେ ଯେଝାସ୍ଥାନ

ସେ ବ୍ରହ୍ମଯଜ୍ଞେ ନମୋଽସ୍ତୁତେ

ଭାଷା ପ୍ରବନ୍ଧେ ଭାଗବତେ

ଚତୁର୍ଥସ୍କନ୍ଧେ ସେ ଉଦିତ

ହରି ଭକତ ଜନହିତ

ବିଷ୍ଣୁ ଚରିତ ସୁଧାରସ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ହର ପ୍ରଜାପତି ସମ୍ୱାଦେ

ନାମ ଦ୍ଵିତୀୟୋଽଧ୍ୟାୟଃ ।

•••

 

ତୃତୀୟ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ

କାଳର ଗତି ସାବଧାନେ

ଜାମାତା ଶ୍ୱଶୁର ସମେତେ

ବିବାଦ ଆଚରିଲେ ଯେତେ

କମଳଯୋନି ଯେତେବେଳେ

ଦକ୍ଷକୁ ଶୁଭଲଗ୍ନ ଦେଲେ

ସକଳ ମୁନି ମନୁଗଣେ

ସ୍ଥାପିଲେ ପ୍ରଜାପତି ପଣେ

ଦକ୍ଷକୁ ପୂଜି ଅଭିଷେକେ

ପୁଣି କହିଲେ ଏକେ ଏକେ

ତୁମ୍ଭ ସକଳ ମଧ୍ୟେ ଏହୁ

ପାଳନେ ପ୍ରଜାପତି ହେଉ

ଦକ୍ଷକୁ କହେ ବେଦବର

ତୁ ବାଜପେୟ ଯଜ୍ଞ କର

ସେ ଦକ୍ଷ ମନେ ଗର୍ବ କଲା

ରୋଷେ ରୁଦ୍ରଙ୍କୁ ନ ବରିଲା

ଭୃଗୁଙ୍କୁ କଲେ ପୁରୋହିତ

ସଙ୍ଗେ ଘେନାଇ ମୁନିସନ୍ଥ

ଯେ ଯଜ୍ଞ ବୃହସ୍ପତି ନାମ

ଶୁଣିଲା ଯଜ୍ଞଙ୍କ ଉତ୍ତମ

ସେ ଯଜ୍ଞ ଆରମ୍ଭର ବେଳେ

ସକଳ ମୁନି ଏକମେଳେ

ଯେ ବ୍ରହ୍ମଋଷି ଦେବଋଷି

ସର୍ବ ଦେବଙ୍କ ସଙ୍ଗେ ବସି

ପିତୃ ଦେବତାଗଣ ଶୂନ୍ୟେ

ପତ୍ନୀକି ଘେନି ଦିବ୍ୟଯାନେ

ଯଜ୍ଞେ ଗମନ୍ତି ଯୂଥେ ଯୂଥେ

ଗୀତ ସୁବାଦ୍ୟ ଶୂନ୍ୟପଥେ

ଆକାଶେ ବିମାନ ଗହଳ

ଚଳନ୍ତେ ଶୁଭେ ମୁଖଗୋଳ

ଏମନ୍ତେ ଶମ୍ଭୁର ଘରଣୀ

ଆକାଶେ ଶୁଣି ଦେବବାଣୀ

ନିଜ ସଖୀକି ପଚାରିଲା

ତାହାର ବଦନୁ ଶୁଣିଲା

ତୋର ପିତାର ମହାଯଜ୍ଞେ

ଦେବେ ଗମନ୍ତି ଶୂନ୍ୟମାର୍ଗେ

ନିଜ କାମିନୀ ଘେନି ସଙ୍ଗେ

ବିମାନେ ଯାନ୍ତି ନାନାରଙ୍ଗେ

ତିନି ଭୁବନେ ଯେତେ ଜନେ

ଯଜ୍ଞେ ଗମନ୍ତି ତୋଷମନେ

ଦିବ୍ୟ ଅଳଙ୍କାର ଭୂଷଣେ

ବିମାନେ ବସି ବଧୂଗଣେ

ସ୍ୱାମୀଙ୍କ ସଙ୍ଗେ ଯେ ଚଳନ୍ତି

ଦେଖ ଗମନ୍ତି ପନ୍ତି ପନ୍ତି

ନକ୍ଷତ୍ରଗଣ ପ୍ରାୟେ ଶୋଭା

କିବା ଉପମା ଅନ୍ୟେ ଦେବା

ତା ଶୁଣି ଗଗନକୁ ଚାହିଁ

ଅମ୍ବିକା ମନେ ବିଚାରଇ

ଦେଖ ଅଭାଗ୍ୟ କର୍ମ ମୋର

ମୋହର ସ୍ୱାମୀ ମହେଶ୍ୱର

ମୋହର ପିତା ଯଜ୍ଞକାଳେ

ମୁହିଁ ନିରାଶ କର୍ମଫଳେ

ମୋର ସ୍ୱାମୀଙ୍କି ନ ବରିଲା

ଅବହେଳନ ମୋତେ କଲା

ମୋର ମାତାର ଦୟା ନାହିଁ

କେ ଅବା ସହୁ ଦେହବହି

ଏମନ୍ତ ଭାଳି ଦେବୀ ମନେ

ମିଳିଲେ ସ୍ୱାମୀ ସନ୍ନିଧାନେ

ହୃଦୟେ ଶୋକଭର ହୋଇ

କହନ୍ତି ରୁଦ୍ର ମୁଖ ଚାହିଁ

ଭୋ ନାଥ ଶୁଣ ପଶୁପତି

ତୁମ୍ଭ ଶ୍ୱଶୁର ମୂଢ଼ମତି

ଯଜ୍ଞ ଆରମ୍ଭ ପୁଣ୍ୟକାଳେ

ତା ଶୁଣି ସର୍ବଦେବ ମିଳେ

ମୁନି ଏ ସପତ୍ନୀକ ହୋଇ

ଶୂନ୍ୟେ ଗମନ୍ତି ରଥେ ଥାଇ

ଦେଖ ଏ ମୁଖରାବ ଗୋଳ

ପୂରିତ ଗଗନ ମଣ୍ତଳ

ଭୋ ନାଥ ଚାଲ ଆମ୍ଭେ ଯିବା

ପିତାର ଉତ୍ସବ ଦେଖିବା

ଦେଖ ସନ୍ତୋଷେ ଦେବଗଣେ

ଚଳନ୍ତି ଯଜ୍ଞର କାରଣେ

ଯଜ୍ଞ ଉତ୍ସବ ପିତା ଘରେ

ମୋର ଭଗିନୀ ସହୋଦରେ

ମିଳିବେ ସ୍ୱାମୀ ଘେନି ସଙ୍ଗେ

ଯଜ୍ଞ ଦେଖିବେ ନାନା ରଙ୍ଗେ

ମୁହିଁ ତୁମ୍ଭର ସଙ୍ଗେ ଥିବି

ପିତାର ଉତ୍ସବ ଦେଖିବି

ମାତାଙ୍କୁ ଦେଖିବି ଲୋଚନେ

ଭଗିନୀଗଣ ସୁଖମନେ

ଭୋ ନାଥ ଆଜ୍ଞା ଦେବା ମୋତେ

ମୁହିଁ ଚଳିବି ତୁମ୍ଭ ସାଥେ

ତୁମ୍ଭ ଗୋଚରେ ବିଷ୍ଣୁ ମାୟା

କେ ଜାଣିପାରେ ନାଥ ତାହା

ତଥାପି ନାରୀ ଜନ୍ମ ମୋର

ମୁଁ କାହୁଁ କରିବି ଗୋଚର

ଦେଖ ପ୍ରଭୁ ଏ ଶୂନ୍ୟପଥେ

ଦେବେ ଗମନ୍ତି ଯୁଥେ ଯୁଥେ

ଯେସନେ ରାଜହଂସ ପନ୍ତି

ବିମାନ ମଧ୍ୟେ ଶୂନ୍ୟେ ଯାନ୍ତି

ମୋର ପିତାର ଘରେ ଯାଇ

ଯଜ୍ଞ ଦେଖିବେ ସୁଖ ବହି

ମୁଁ ଏହା ସହିବି କେମନ୍ତେ

ଶରୀର ବହି ଏ ଜଗତେ

ପିତା ଜନନୀ ଭଗ୍ନୀଗଣେ

ଦିବ୍ୟ ଭୂଷଣ ଆଭରଣେ

ଯଜ୍ଞ ଆରମ୍ଭ ସୁଖ ଭୋଳେ

ଥିବେ ସକଳେ ଏକମେଳେ

ଭୋ ନାଥ ଶୁଣ ସଦାଶିବ

ତୁମ୍ଭେ ଅବରଣେ ନ ଯିବ

ମୁଁ ଯିବି ଆଜ୍ଞା ଦିଅ ମୋତେ

ଆନନ୍ଦ ମନେ ଶୁଦ୍ଧଚିତ୍ତେ

ମୈତ୍ରେୟ ଉବାଚ

ଏମନ୍ତେ ପ୍ରିୟା ମୁଖୁ ବାଣୀ

ଈଶ୍ୱର ସ୍ଥିର ଚିତ୍ତେ ଶୁଣି

ସ୍ୱଭାବେ ଜଗତ ଈଶ୍ୱର

ସଂସାର ଯାର ଖେଳଘର

ଅଳପ ଅପମାନେ ରହି

କହନ୍ତି ପତ୍ନୀ ମୁଖ ଚାହିଁ

ଈଶ୍ୱର ଉବାଚ

ଶୁଣ ସୁନ୍ଦରୀ କହୁ ତୋତେ

ତୁ ଯେବେ ପଚାରିଲୁ ମୋତେ

ସାଧୁ ବିଚାର ଏ ତୋହର

ଶୁଦ୍ଧ ସୁନ୍ଦର ମନୋହର

କହୁ ଯେ ବନ୍ଧୁ ଅପମାନ

କେ ସହିପାରେ ଦୁର୍ବଚନ

ବନ୍ଧୁକୁ ବନ୍ଧୁ ଭାବଭୋଳେ

ଅମାନ୍ୟ କରେ ଅବହେଳେ

ଯେ ବିଦ୍ୟାବଳେ ତପ ଦାହେ

ସତ୍ୟ ସୁନ୍ଦର ଦେହ ବହେ

ଉତ୍ତମ କୁଳେ ଯା’ର ଜାତ

ସକଳ ଗୁଣରେ ସେ ଖ୍ୟାତ

ଜାଣଇ ଶ୍ରୁତି ସ୍ମୃତି ଧର୍ମ

ଆଗମ ନିଗମ ଯେ କର୍ମ

ସେ ପୁଣି ପୂର୍ବକର୍ମ ବଳେ

ବନ୍ଧୁ ନିନ୍ଦଇ ଅବହେଳେ

ଅଜ୍ଞାନ ବାଦ ହୁଏ ତାରେ

ସୁଖେ ନ ରହେ ଏ ସଂସାରେ

ଯେ ପ୍ରାଣୀ ଅଭ୍ୟାଗତ ଦେଖି

ବକ୍ର ବଦନେ ବୁଜେ ଆଖି

ବନ୍ଧୁର କୁବଚନ ବାଣେ

ଅନ୍ୟାନ୍ୟ ଦେହେ ମନ ପ୍ରାଣେ

ତୁ ପୁଣି ପିତା ପ୍ରିୟ ବହୁ

ତାର ସୁହୃଦେ ଧର୍ମ କହୁ

ସାଧୁ ସଙ୍ଗତେ ଯେ ବସଇ

ତାହାର ରିପୁ ମିତ୍ର ନାହିଁ

ଏଣୁ ଅସାଧୁ ସଙ୍ଗେ ଥିଲେ

ପ୍ରାଣ ଇନ୍ଦ୍ରିୟ ବୁଦ୍ଧି ବଳେ

ପରର ଆତ୍ମାକୁ ନିନ୍ଦଇ

ଅସାଧୁ ବାକ୍ୟେ ମନଦେଇ

ଯେ ବନ୍ଧୁ ଆଗମନ ଦେଖି

ଉଠିବ ଆସନ ଉପେକ୍ଷି

ଭାବେ ଆସନ୍ତି କିଛିଦୂର

ବଚନ କହନ୍ତି ମଧୂର

ଅଭିଗମନ ମଧୂବାଣୀ

ପୁଚ୍ଛନ୍ତି ନିଜ ଘରେ ଆଣି

ବିଷ୍ଣୁର ଭାବେ ପୂଜାକରି

ଆନନ୍ଦେ ପ୍ରିୟଭାବେ ଭରି

ତାହାକୁ ବୋଲି ସାଧୁଜନ

ସେ ବିଷ୍ଣୁ ଦେବଙ୍କ ସମାନ

ଯେଣୁ ସେ ଦକ୍ଷ ପ୍ରଜାପତି

ମୋ ଭାବେ ଚିନ୍ତଇ ଦୁର୍ମତି

ତୁ ଯେବେ ମୋହର ବଚନ

ଅଜ୍ଞାନେ କରିବୁ ଲଘଂନ

ପିତା ଭୁବନ ଯିବୁ ତୁହି

କେବେହେଁ ଭଲ ତା ନୁହଇ

ଅକର୍ମଜନ ସଙ୍ଗ ଯେବେ

ବାଦେ ଉତ୍ତମ ଜନ ଭାବେ

କେବେହେଁ ଭଲ ତାର ନାହିଁ

ଏମନ୍ତ ଦେବୀ ଆଗେ କହି

ସ୍ଥିର ହୋଇଲେ ଉମାକାନ୍ତ

କହିଲେ ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚୁତୁର୍ଥସ୍କନ୍ଧେ ହରଗୌରୀ ସମ୍ବାଦେ

ନାମ ତୃତୀୟୋଽଧ୍ୟାୟଃ װ

•••

 

Unknown

ଚତୁର୍ଥ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ଦେବୀ ଆଗେ କହି

ରୁଦ୍ର ରହିଲେ ଆତ୍ମା ଧ୍ୟାୟି

।।

ମନେ ଚିନ୍ତନ୍ତି ବିଶ୍ୱନାଥ

ନ ପୁଣ ହୁଏ ବିପରୀତ

।।

ମୋ ପତ୍ନୀ ପିତାଘରେ ଗଲେ

ପ୍ରାଣ ଏ ନ ରଖିବ ଭଲେ

।।

ଏହାର ମନ ସ୍ଥିର ନାହିଁ

ନ ଗଲେ ନ ଧରିବ ଦେହୀ

।।

ଏମନ୍ତ ଚିତ୍ତେ ଚିନ୍ତି ହର

କେବେହେଁ ନୁହେଁ ମନ ସ୍ଥିର

।।

ଚିନ୍ତା ବିକଳେ ବିଶ୍ୱପତି

ନିଜଗଣଙ୍କୁ ଚିତ୍ତେ ଚିନ୍ତି

।।

ଏହାର ସଙ୍ଗେ ଥିବି ମୁହିଁ

ରୁଦ୍ରଗଣଙ୍କୁ ସଙ୍ଗେ ନେଇ

।।

ଏମନ୍ତେ ଚିନ୍ତା କରୁ କରୁ

ଦେବୀ ଉଠିଲେ ନିଜଘରୁ

।।

ନୟନେ ପୂରେ ଅଶ୍ରୁଜଳ

କେବେହେଁ ନୁହେଁ ମନସ୍ଥିର

।।

ଶରୀର କମ୍ପେ ଦୁଃଖଚିତ୍ତେ

କଦଳୀବନ ଯେହ୍ନେ ବାତେ

ନିଃଶ୍ୱାସ ବହେ ଖରତର

ଶୁଖିଲା ସୁରଙ୍ଗ ଅଧର

ଅଧୋବଦନେ ମନଦୁଃଖୀ

ଉଠିଲେ ଆସନ ଉପେକ୍ଷି

ଧୀରେ ଚଳନ୍ତେ ରୋଷଭରେ

ଅବନୀ କମ୍ପେ ପାଦଭରେ

ପିତା ଭୁବନେ ଦେବୀ ଯାନ୍ତେ

ପଥେ ଚଳନ୍ତି ବିଶ୍ୱନାଥେ

ଶତ ସହସ୍ର ରୁଦ୍ରଗଣ

ନିକଟେ ମିଳିଲେ ତକ୍ଷଣ

ବୃଷଭ ଚଢି ବିଶ୍ୱନାଥ

ଗଣେ ଧାଇଁଲେ ଯୂଥ ଯୂଥ

ମୁଁ ଯିବି ଅମ୍ବିକାର ପଛେ

ମୋ କଥା ଦେଖ ତୁ ପ୍ରତ୍ୟକ୍ଷେ

ଏମନ୍ତ ରୁଦ୍ର ଆଗେ କହି

ନନ୍ଦୀ ଚଳିଲେ ଗଣ ନେଇ

ଅମ୍ବିକା ତୁଲେ ନାରୀଯୂଥ

ମିଳିଲେ ଉପାୟନ ହସ୍ତ

କନ୍ଦୁକ ଦର୍ପଣ ଅମ୍ବୂଜ

ଶ୍ୱେତାତପତ୍ର ଶ୍ୱେତଧ୍ୱଜ

ବ୍ୟଞ୍ଜନ ପୁଷ୍ପମାଳାଘେନି

ସଙ୍ଗତେ ଗୀତ ନାଦ ଧ୍ୱନି

ଦୁନ୍ଦୁଭି ଶଙ୍ଖଭେରୀ ନାଦେ

ସମୀପେ ମିଳିଲେ ଆନନ୍ଦେ

ଅଧୋବଦନେ ଦେବୀ ଯାନ୍ତେ

ପଥେ ମିଳିଲେ ବିଶ୍ୱନାଥେ

ଧୂମବ୍ୟାପିତ ଯଜ୍ଞଶାଳେ

ଅଶେଷ ଋଷି ବିପ୍ରମେଳେ

ବିପ୍ରଙ୍କ ସଙ୍ଗେ ପ୍ରଜାପତି

ଅନଳେ କ୍ଷେପନ୍ତି ଆହୁତି

ଯଜ୍ଞ ସଭାରେ ନାନାବିଧି

ଯେ ଦ୍ରବ୍ୟ ଯେଉଁ ଭାଣ୍ଡେ ସିଦ୍ଧି

ମନ୍ତ୍ର ଆହୁତି ହୋମବଳେ

ସତୀ ମିଳିଲେ ଯଜ୍ଞଶାଳେ

ସତୀ ଚାହାନ୍ତି କୋପଚିତ୍ତେ

ସେ ଯଜ୍ଞେ ଅଛନ୍ତି ସମସ୍ତେ

ସତୀ ବଚନେ କୋପ ବହି

ସମୀପେ ନ ରହିଲେ କେହି

ଭଗିନୀଗଣ ମାତୃ ତୁଲେ

ସତୀର ସମୀପେ ମିଳିଲେ

ପ୍ରେମାଶ୍ରୁ କଣ୍ଠେ ଭଗ୍ନୀ ଗଣ

କୋଳେ ଧରନ୍ତି ଜଣେଜଣ

ସୋଦର ଅର୍ଥେ ପ୍ରଶ୍ନ କଲେ

ସର୍ବମଙ୍ଗଳ ପଚାରିଲେ

ଉତ୍ତମ ବିଧି ପୂଜାଦ୍ରବ୍ୟ

ସମୀପେ ଆଣି ଦେଲେ ସର୍ବ

ରତ୍ନ ଆସନ ବେଗେ ଆଣି

ସେ ପ୍ରଜାପତିର ଘରଣୀ

ସତୀ ସମୀପେ ଆଣିଦେଲେ

ତା ଦେଖି ସତୀ କୋପ କଲେ

ପିତାର ଅନାଦର ଦେଖି

ଭୟେ କମ୍ପଇ ଅଶ୍ରୁମୁଖୀ

ଯଜ୍ଞେ ନ ଦେଖି ସ୍ୱାମୀଭାଗ

ମନେ ବସିଲା ମହାରାଗ

ଈଶ୍ୱର ପଣ ନ ଗଣିଲା

ଅବହେଳିତ କର୍ମ କଲା

ସଭାରେ ଯେତେ ଲୋକ ଥିଲେ

ସତୀକୁ କେହି ନ ଗଣିଲେ

ପିତା ଅବଜ୍ଞା କର୍ମ ଦେଖି

କୋପେ କମ୍ପଇ ଅଶ୍ରୁମୁଖୀ

ନିଜ ଶରୀର ମହା ତେଜେ

ନିବାସ ଭୁତଗଣ ମାଝେ

ପିତାର ଅନାଦର ଜାଣି

କୋପେ ବୋଇଲେ ଉଚ୍ଚେ ବାଣୀ

ଦେବ୍ୟୁବାଚ

କୋପେ କମ୍ପଇ ତାର ଦେହୀ

କହଇ ପିତା ମୁଖ ଚାହିଁ

ଯାହାର ପ୍ରାୟ ଇହଲୋକେ

ନ ଦେଖି ଆତ୍ମା ଅତିରେକେ

ସ୍ୱାମୀ ମୋହର ସର୍ବପ୍ରିୟ

ଜଗତ ମଧ୍ୟେ ଯେତେ ଦେହ

ଯେ ରୁଦ୍ର ସର୍ବ ଆତ୍ମା ହୋଇ

ମିତ୍ର ବଇରି ତାଙ୍କ ନାହିଁ

ଯେ ସେ ଅଶେଷ ଜନ ଗୁରୁ

ତାହାଙ୍କୁ ତୁହି ନିନ୍ଦା କରୁ

ଦେଖ ଏ ସଂସାର ବେଭାରେ

ଯେ ସାଧୁଜନେ ହିଂସାକରେ

ଅନେକ ଦୋଷ କରିଥିଲେ

ସାଧବେ ନ ଧରନ୍ତି ଭଲେ

ସାଧୁଜନଙ୍କ ପ୍ରାୟ ହୋଇ

ରୁଦ୍ର ବିଷୟେ କୋପ ବହି

ଯେଣୁ ବୋଲାଉ ପ୍ରଜାପତି

ସେ ଗର୍ବେ ନିନ୍ଦୁ ପଶୁପତି

ଏ ନୁହେଁ ମହାତ୍ମାଙ୍କ କର୍ମ

ଗର୍ବେ ହୋଇଲୁ ମତିଭ୍ରମ

ଯେ ବେନି ଅକ୍ଷର ଉଚ୍ଚାରେ

ମନରେ ଶିବ ନାମ ଧରେ

ଜପଇ ଯେବେ ହୃଦଗତେ

ପାପ ନ ରହେ ତାର ଗାତ୍ରେ

ଯାହାର ନାମ ଏ ଜଗତେ

ସର୍ବ ମଙ୍ଗଳ ବହୁମତେ

ତୋର ଜୀବନ ପାପସିନ୍ଧୂ

ଅଶିବ ହୋଇ ଶିବ ନିନ୍ଦୁ

ତୋହର ଜନ୍ମ ମୋର ଦେହୀ

ହୋଇଲା ପୂର୍ବ ପାପ ବହି

ସ୍ୱାମୀ ନିନ୍ଦନ ଦୁଃଖ ସହି

ଏ ଦେହ ନ ଧରିବି ମୁହିଁ

ପୂର୍ବର ପାପ ଯେ ନ ସ୍ମରେ

ତା ପ୍ରତିକାର ଯେ ନ କରେ

ଦିନ ବଞ୍ଚଇ ଦୁଃଖ ସୁଖେ

ଅନ୍ତେ ସେ ପଡଇ ନରକେ

ମୈତ୍ରେୟ ଉବାଚ

ଏମନ୍ତ ଦକ୍ଷ ଆଗେ କହି

କୁଣ୍ତ ଉତ୍ତର ଦିଗେ ଯାଇ

ଯୋଗ ଧାରଣା ଆଗମନେ

ବସିଲେ ନିଶ୍ଚଳ ଆସନେ

ସ୍ୱାମୀର ଅପମାନ ଅର୍ଥେ

ପିତା ଅନାଦର ନିମନ୍ତେ

ପୀତ ବସନ ପରିଧାନ

ସୁଜଳେ କରି ଆଚମନ

ହୃଦରେ କଳ୍ପି ମହାଶୂନ୍ୟ

ପବନ ମୂଳ ଲିଙ୍ଗସ୍ଥାନ

ନାଭି କମଳେ ସୁନିଶ୍ଚଳେ

ପ୍ରାଣ ଧାରଣ ଯୋଗବଳେ

ସମାନ ପ୍ରାଣ ତାର ଦେହୀ

ଏ ତିନି ପ୍ରାଣ ଉର୍ଦ୍ଦ୍ୱେନେଇ

ହୃଦୟ ପ୍ରାଣ ସଙ୍ଗେ ଥୋଇ

କଣ୍ଠ ଲଲାଟ ଚକ୍ର ଦେଇ

ଭୂମଧ୍ୟେ ସ୍ଥାପି ଅନୁମାନେ

ଯୋଚିଲା ବ୍ରହ୍ମରନ୍ଧ୍ର ସ୍ଥାନେ

ସ୍ୱାମୀଠାରେ ସେ ଧ୍ୟାନ କରି

ଯୋଗ ଅନଳେ ଜ୍ଞାନ ଭରି

ମୁର୍ଦ୍ଧନୀ ଭେଦି ତତକ୍ଷଣ

ଶୂନ୍ୟେ ମିଳିଲା ଦଶପ୍ରାଣ

ସତୀ ମରଣ କର୍ମ ଚାହିଁ

ଦେବେ ଯେତେକ ଥିଲେ ରହି

ଭୂମି ଗମନେ ଯେବା ଥିଲେ

ହା ହା ଶବଦ ଉଚ୍ଚେ କଲେ

ଦେଖ ଏ ଦେବ ଦେବନାରୀ

କି ଅପମାନେ କୋପ କରି

ପ୍ରାଣ ଛାଡିଲା ଯଜ୍ଞଘରେ

ପିତାର ମାନ କୋପଭରେ

ଦେଖ ଏ ଦକ୍ଷ ପ୍ରଜାପତି

ଗର୍ବେ ଆଚରିଲା ଅନୀତି

ପ୍ରଜାଙ୍କ ପତି ଏ ବୋଲାଇ

ଅନ୍ୟାୟ କଲା ଗର୍ବ ବହି

ନିଜ ଦୁହିତାର ବଚନେ

ଯତ୍ନ ନ କଲା କୋପମନେ

ଏ ନୁହେଁ କାହାର ବେଭାର

ଅଧର୍ମ କଲା ଗରୁତର

ଏମନ୍ତ ବାକ୍ୟ କହୁ ଜନେ

ସତୀର ପ୍ରାଣ ଅବସାନେ

ସତୀ ମରଣ କଥା ଶୁଣି

ନନ୍ଦିକେଶ୍ୱର ବୀରମଣି

ରୁଦ୍ରଗଣଙ୍କୁ ସଙ୍ଗେ ନେଇ

ବେଗେ ଧାଇଁଲା ରୋଷ ହୋଇ

ବିବିଧ ଶସ୍ତ୍ର ଧରି କରେ

ମିଳିଲା ଦକ୍ଷ ଯଜ୍ଞ ଘରେ

ତାହାକୁ ଦେବୀ ଭୃଗୁ ମୁନି

ଘୃତ ଆହୁତି କରେ ଘେନି

ଯଜ୍ଞଘ୍ନ ନାଶି ଯଜୁମନ୍ତ୍ରେ

କଳ୍ପିଲା ଅଭିଚାର ତନ୍ତ୍ରେ

ଆହୁତି ଦ୍ୟନ୍ତି ଅଗ୍ନିକୁଣ୍ତେ

ଅନଳ ଧୂମ୍ରବର୍ଣ୍ଣ ପିଣ୍ତେ

ମନ୍ତ୍ର ମନ୍ତ୍ରିତ ସୋମ ପାଇ

ପ୍ରଚଣ୍ତ ରୂପେ କୋପ ବହି

ରୁଦ୍ରହା ବୋଲି ଦେବଗଣ

ଅନଳୁ ଉଠିଲେ ତକ୍ଷଣ

ଅନଳ କାଷ୍ଠ ଘେନି କରେ

ଶତସହସ୍ର କୋପଭରେ

ଶବଦେ ଦଶଦିଗ ପୂରି

ଧାଇଁଲେ ଘୋରନାଦ କରି

ଶବଦେ କମ୍ପଇ ମେଦିନୀ

ତା ଦେଖି ବେଗେ ଦେବ ମୁନି

ବେଗେ ଧାଇଁଲେ ଶୂନ୍ୟମାର୍ଗେ

କହିଲେ ସଦାଶିବ ଆଗେ

ସତୀ ମରଣ କଥା ଆଦି

କହିଲେ ସକଳ ସମ୍ପାଦି

ସେ ବ୍ରହ୍ମ ମୁନିଙ୍କ ଚରଣେ

ଆତ୍ମାର ନିସ୍ତାର କାରଣେ

କୃଷ୍ଣ ବିଷୟ ଭାଗବତ

କହିଲେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ସତୀମରଣେ ନାମ

ଚତୁର୍ଥୋଽଧ୍ୟାୟଃ װ

•••

 

ପଞ୍ଚମ ଅଧ୍ୟାୟ

 

ମୈତ୍ରେୟ ଉବାଚ

ନାରଦ ବାକ୍ୟେ କୋପମାନେ

ରୁଦ୍ର ଉଠିଲେ ସାବଧାନେ

ଅଇଲେ ରୁଦ୍ରଗଣ ଘେନି

ଚଳନ୍ତେ କମ୍ପଇ ମେଦିନୀ

ଦକ୍ଷର ଯଜ୍ଞ ନାଶଅର୍ଥେ

କୋପ ବସିଲା ରୁଦ୍ର ଚିତ୍ତେ

ସକଳ ପାରିଷଦଗଣେ

ନାନା ଅୟୁଧ ତୀକ୍ଷ୍‌ଣ ବାଣେ

ଅତି ଅସଂଖ୍ୟ କୋପ କରି

ଧାଇଁଲେ ଘୋର ନାଦ କରି

ରୁଦ୍ର ବଚନେ କୋପ ଦେଖି

ବିବୁଧେ ତ୍ରିଦଶ ଉପେକ୍ଷି

କମ୍ପିଲେ ରୁଦ୍ର ବୋଲ ଶୁଣି

ମହାପ୍ରଳୟ ପ୍ରାୟେ ଜାଣି

କୋପେ କାମୁଡି ଓଷ୍ଠ ପାଟି

ପ୍ରଚଣ୍ତ ଦିଶଇ ଭ୍ରୂକୁଟି

ଜଟା ଉପାଡ଼ି କ୍ରୋଧଭରେ

ଭୂମିରେ ପକାଇ ସତ୍ୱରେ

ଜଟା କଳପେ ଅଗ୍ନି ଜଳେ

ଦେଖି କମ୍ପିଲେ ଦିଗପାଳେ

ରୁଦ୍ରର ଜଟାଭାର ମଧ୍ୟେ

ପରୁଷେ ଉଠେ ଘୋରନାଦେ

ହସେ ଗଭୀର ଘୋର ସ୍ୱନେ

ରୁଦ୍ରଗଣଙ୍କ ଅବଧାନେ

କୋପେ ଅଧର ସେ କାମୁଡ଼ି

ରୁଦ୍ରଙ୍କୁ କହେ କରଯୋଡ଼ି

ସହସ୍ରବାହୁ ମେଘସ୍ୱନେ

ଅନଳ ଜଳଇ ନୟନେ

କୋଟିଏ ସୂର୍ଯ୍ୟ ତେଜ ଯେହ୍ନେ

ଦେଖି ପଳାନ୍ତି ସର୍ବଜନେ

କରାଳଦଂଷ୍ଟ୍ର ଶୋହେ ତୁଣ୍ତେ

ଅଗ୍ନି ଜଳଇ ଶିଖାଖଣ୍ତେ

ନାନା ଆୟୁଧ ଦିଶେ କରେ

ମୁଣ୍ତମାଳ ଯେ ଲମ୍ବେ ଉରେ

ରୁଦ୍ରଙ୍କୁ ଚାହିଁ କରଯୋଡି

କହଇ ଅଧର କାମୁଡି

କହ ତୁ କି କରିବି ମୁହିଁ

ରୁଦ୍ର କହନ୍ତି ତାକୁ ଚାହିଁ

ତୁ ମୋର ଗଣଙ୍କ ଈଶ୍ୱର

ତୁ ଏବେ ମୋର ବୋଲକର

ଦକ୍ଷର ପ୍ରାଣ ଯଜ୍ଞ ସଙ୍ଗେ

ବିନାଶ କର ରଣରଙ୍ଗେ

ତୁ ମୋର ଅଂଶେ ଆତ୍ମା ରୂପୀ

ସହସ୍ରଭୁଜ ଶୂନ୍ୟେ ବ୍ୟାପୀ

ଦକ୍ଷର ଯଜ୍ଞ ନାଶ କର

ଏହାର ପ୍ରାଣ ବେଗେ ହର

ଏମନ୍ତ ରୁଦ୍ର ଆଜ୍ଞା ପାଇ

କୋପେ କମ୍ପିଲା ତାର ଦେହୀ

ଜଳଇ ଅତି କୋପାନଳେ

ନମିଲା ରୁଦ୍ର ପାଦତଳେ

ସ୍ୱଭାବେ ରୁଦ୍ର ଆତ୍ମା ସେହି

ତାର ମହିମା କେ ଜାଣଇ

ଗର୍ଜଇ ଭୟଙ୍କର ନାଦେ

ବେଗେ ଧାମଇଁ ବେନିପାଦେ

ଶୂଳ ବୁଲାଇ ଦକ୍ଷକରେ

ନୂପୁର ବାଜଇ ପୟରେ

ଧାମଇ ପବନହୁଁ ବେଗେ

ରୁଦ୍ର କୋପେ ଉତ୍ତର ଦିଗେ

ଶବଦେ ଦଶଦିଗ ପୂରେ

ଧୂଳି ଉଡଇ ପାଦଭରେ

ବିପ୍ରେ ଯେ ଥିଲେ ଯଜ୍ଞଶାଳେ

ଧୂଳି ଦେଖନ୍ତି ଅନ୍ତରାଳେ

ଉତ୍ତର ଦିଗେ ରେଣୁ ଦେଖି

ଉଠିଲେ ସୁଯଜ୍ଞ ଉପେକ୍ଷି

ଉତ୍ତର ଦିଗକୁ ଅନାଇ

କହନ୍ତି ଏକୁ ଆରେ ଚାହିଁ

ଦେଖ ଦିବସେ ଘୋରତମ

ଦିଗ ନ ଦିଶେ ବାତ ଭ୍ରମ

ଏମନ୍ତ ଦେବ ବିପ୍ରନାରୀ

ଦେଖନ୍ତି ହସ୍ତେହସ୍ତ ଧରି

କହନ୍ତି କି ଏ ତମ ଘୋର

ଦିଶଇ ଅତି ଭୟଙ୍କର

ପ୍ରଚଣ୍ତ ବହଇ ପବନ

ତମେ ଆଚ୍ଛାଦିଲା ଗଗନ

ଗୋରୁ ଚରଣ ଧୂଳି ନୁହେଁ

କିଏ ତାମସ କାହୁଁ ହୁଏ

ଆଜ କି ପ୍ରଳୟ ହୋଇବ

ବାମ କି ହୋଇଲା ଦଇବ

ପ୍ରସୂତି ଆଦି ବାମା ଯେତେ

ଉଠି ଚାହାନ୍ତି ଦୁଃଖଚିତ୍ତେ

ଶ୍ରୀ ଶୁକ ଉବାଚ

ଏମନ୍ତ ଶୁଣ ନରନାଥ

ଅଦ୍ଭୁତ ରୁଦ୍ରର ଚରିତ

ପ୍ରଚଣ୍ଡ ମଣ୍ଡଳ ଆକାରେ

ତୀକ୍ଷଣ ଶୂଳ ଧରି କରେ

ରୁଦ୍ର ଧାଇଁଲେ ଅତିବେଗେ

ଦେଖି ପଳାନ୍ତି ଦିଗଭାଗେ

ସହସ୍ର ହସ୍ତ ଉର୍ଦ୍ଧ୍ୱେ କରି

ନଟଙ୍କ ପ୍ରାୟେ ବେଶ ଧରି

ଚଣ୍ତାଟ୍ଟ‌ହାସ୍ୟ ଶୋହେ ତୁଣ୍ତେ

ଯେହ୍ନେ ବିଜୁଳି ମେଘଖଣ୍ତେ

ଅସଂଖ୍ୟ ତେଜ ଯୋଗବଳ

ଦିଶଇ ଭ୍ରୂକୁଟି କୁଟିଳ

କରାଳଦଂଷ୍ଟ୍ର ଶୋହେ ତୁଣ୍ତେ

ଯେହ୍ନେ ବିଜୁଳି ମେଘଖଣ୍ତେ

ଦକ୍ଷକୁ ଚାହିଁ ସଭାଜନେ

କହନ୍ତି ଅତି ଦୁଃଖ ମନେ

ଦେଖ ଏହାର କର୍ମଫଳ

ଆଜତ ନାଶିଲୁ ସକଳ

ଉତ୍ପାତ ଭୟେ ଦୁଃଖମନେ

ଭୟେ ଲୁଚିଲେ ସର୍ବଜନେ

କେ କହୁ ଜନଙ୍କ ବିକଳ

ତକ୍ଷଣେ ମିଳି ରୁଦ୍ରବଳ

ନାନା ଆୟୁଧ ଘେନିକରେ

ବେଢ଼ିଲେ ବେଗେ ଯଜ୍ଞଘରେ

ପୀତ ପିଙ୍ଗଳ ଦିଶେ ବର୍ଣ୍ଣ

ସକଳ କୁମାର ଆନନ

ଶବଦେ ଗଗନ ଉଛୁଳେ

ବେଗେ ମିଳିଲେ ଯଜ୍ଞଘରେ

କେହି ଭାଙ୍ଗିଲେ ଗୃହବାସ

ପତ୍ନୀ ଭୁବନ ଅବଶେଷ

କେ ପାକଶାଳେ ପ୍ରବେଶନ୍ତି

କେ ଯଜ୍ଞ ପାତ୍ରକୁ ଲୁଟନ୍ତି

କେ ଯଜ୍ଞକୁଣ୍ତରେ ମିଳନ୍ତି

ମୂତ୍ରପୁରୀଷ ଉତ୍ସର୍ଗନ୍ତି

କେ ବହୁ ଘୋରନାଦ କଲେ

ଯଜ୍ଞ ମେଖଳା ବେଦୀ ତୁଲେ

ଭାଙ୍ଗିଲେ ଅତି କୋପଭରେ

ଶୂଳ ବୁଲାଇ ଦକ୍ଷକରେ

କେ ଧାଏଁ ମୁନିଙ୍କ ଉପରେ

ତର୍ଜନ କରି କୋପଭରେ

ନାରୀଗଣଙ୍କ ମଧ୍ୟେ ମିଶି

ରାହୁ ସଙ୍ଗତେ ଯେହ୍ନେ ଶଶୀ

ଦେବେ ପଳାନ୍ତି ତାହା ଦେଖି

ଯଜ୍ଞର ବିଭାଗ ଉପେକ୍ଷି

ତାହାଙ୍କୁ ରୁଦ୍ରଗଣେ ଧରି

ଭୃଗୁ ସମେତେ ବନ୍ଦୀ କରି

ଭୃଗୁକୁ ମଣିମାନ ବାନ୍ଧେ

ତା ଦେଖି ପ୍ରଜାପତି କାନ୍ଦେ

ଦକ୍ଷକୁ ବୀରଭଦ୍ର ଧରି

ଅସୁର ପ୍ରାୟେ ବନ୍ଦୀକରି

ରଣେ ରିପୁଗଣଙ୍କୁ ଧରେ

ଓଷ୍ଠ କାମୁଡ଼ି କୋପଭରେ

ଭୃଗୁକୁ ଧରି ନନ୍ଦୀଶ୍ୱର

ହୁଙ୍କାର ନାଦ ମହାଘୋର

ସେ ଯଜ୍ଞେ ଯେତେ ଜନ ଥିଲେ

ଋତ୍ୱିଜ ଋଷି ବିପ୍ରତୁଲେ

ରୁଦ୍ର ଦେବତା ତେଜ ଦେଖି

ଭାଜିଲେ ଯଜ୍ଞକୁ ଉପେକ୍ଷି

ଭୃଗୁ ଯେ ଯଜ୍ଞ ହୋମକରି

ଘୃତ କ୍ଷେପନ୍ତି ଶ୍ରୁବ ଧରି

ତାହାଙ୍କ କେଶ ବାମ ହସ୍ତେ

ରୋଷେ ଧରିଲେ ବିଶ୍ୱନାଥେ

ତାହାଙ୍କ ଦାଢି ଦକ୍ଷକରେ

ରୁଦ୍ର ଉପାଡେ କୋପଭରେ

ସଭାରେ ପଦ୍ମଯୋନି ବଳା

ଯେ ଦାଢି ଦେଖାଇ କହିଲା

ଉପାଡି ଭୃଗୁ ଲମ୍ବଦାଢି

ଦକ୍ଷିଣେ ଭୂମିତଳେ ପାଡି

ଚକ୍ଷୁ ଉପାଡି ନଖଅଗ୍ରେ

ପୂର୍ବର ଶାପେ ବଇରାଗେ

ମଣି ଯେ ଶାପ ଦେଲା କାଳେ

ଅପମାନିତ କୋପାନଳେ

ଦନ୍ତ ଦେଖାଇ କରି ହସେ

ସେ କଥା ସ୍ମରି ମହାରୋଷେ

ମୁଷ୍ଟି ପ୍ରହାରି ବାମକରେ

ଦନ୍ତ ଝାଡିଲେ କୋପଭରେ

ଦକ୍ଷର ହୃଦେ କର ଭିଡି

ରୁଦ୍ର ଯେ ଅଧର କାମୋଡି

ଭୂମିରେ ପାତିଲେ ଉତ୍ତାନେ

କେ ତାହା କହିବ ବଚନେ

ଅଜୟ ଏହାର ଶରୀର

ଦେଖି ବିସ୍ମିତ ଶୂଳଧର

ଅକ୍ଷୟ ଭାଳି ତାର ଗତି

ବିସ୍ମୟେ ଭାଳି ପଶୁପତି

ତୀକ୍ଷ୍‌ଣ ଖଡଗେ ଛେଦି ଶିର

ଈଶ୍ୱର ହୋଇଲା ବାହାର

ଶିର ପଡିଲା ଅଗ୍ନିକୁଣ୍ତେ

କୂଳେ ରହିଲା ମୃତପିଣ୍ତେ

ପିଶାଚଗଣ ଘେନି ସଙ୍ଗେ

ରୁଦ୍ର ନାଚନ୍ତି ରଣରଙ୍ଗେ

ଦକ୍ଷ ସମ୍ପଦ ନାଶକରି

ଦକ୍ଷିଣ କରେ ଶୂଳଧରି

ଶଙ୍କର ହୋଇଲେ ବାହାର

ଦେଖି କମ୍ପିଲେ ସୁର ନର

ରୁଦ୍ରଙ୍କ ଚରଣ ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞ ଭଗ୍ନେ

ନାମ ପଞ୍ଚମୋଽଧ୍ୟାୟଃ װ

•••

 

ଷଷ୍ଠ ଅଧ୍ୟାୟ

 

ମୈତ୍ରେୟ ଉବାଚ

ରୁଦ୍ରର ଦେଖି ଘୋର ରଣ

ଭୟେ ଭାଜିଲେ ଦେବଗଣ

ଶୂଳ ପଟ୍ଟୀଶ କୁନ୍ତ ଶର

ନିସ୍ତିଂଶ ଗଦା ମୁଦୁଗର

ଏ ଶସ୍ତ୍ର ଛାଡ଼ି ସର୍ବ ଅଙ୍ଗେ

ଭୟେ ଭାଜିଲେ ଦଶଦିଗେ

ଭୟେ ସକଳ ଏକମେଳେ

ଗମିଲେ ଗଗନ ମଣ୍ତଳେ

ଛନ୍ନ ବ୍ୟାକୁଳ ମନ ଦୁଃଖେ

ବେଗେ ମିଳିଲେ ବ୍ରହ୍ମଲୋକେ

ବ୍ରହ୍ମା ଚରଣ ତଳେ ପଡି

ଦେବେ କହିଲେ କରଯୋଡି

ବ୍ରହ୍ମା ଯେ ବିଷ୍ଣୁଙ୍କ ସହିତେ

ଏକଥା ଜାଣନ୍ତି ସମସ୍ତେ

ଦକ୍ଷ ଯଜ୍ଞର ଏ ଘଟଣା

ହୋଇବା ଜାଣି ବିଡ଼ମ୍ୱନା

ସେହି ହେତୁରୁ ଦୁଇଜଣ

ଯଜ୍ଞକୁ ନ କଲେ ଗମନ

ଏକଥା ଦେବଗଣୁଁ ଶୁଣି

ବ୍ରହ୍ମା କହନ୍ତି ପରିମାଣି

ବ୍ରହ୍ମା ଉବାଚ

ହେ ଦେବଗଣ ଶୁଣ ଏହା

ଅପରାଧର ଯେଉଁ କ୍ରିୟା

ବଳିଷ୍ଠ ଲୋକେ ଅପରାଧ

କରିବା ନୁହଇଟି ସାଧ୍ୟ

କଲେ ଯେ ପ୍ରାଣ ରକ୍ଷା ନୁହେ

ଅଥବା ଅମଙ୍ଗଳ ହୁଏ

ଶିବଙ୍କୁ ଭାଗ ଯେ ନଦେଲା

ତାହାଙ୍କଠାରେ ଦୋଷୀ ହେଲା

ସେହି ହେତୁରୁ ଶିବ କୋହେ

କହୁଛୁ ଏକଇ ଉପାୟେ

ସମସ୍ତେ ଯାଇ ତା ଚରଣ

ପଡ଼ିଣ କରାଅ ପ୍ରସନ୍ନ

ତାହାଙ୍କ ନାମ ଆଶୁତୋଷ

ଅବଶ୍ୟ ହେବେ ସେ ସନ୍ତୋଷ

ସାମାନ୍ୟ ଲୋକ ସେ ନୁହଁନ୍ତି

କୋପେ ସମସ୍ତ ସେ ଦହନ୍ତି

ଯଜ୍ଞରୁ ଉଦ୍ଧାରିବା ପାଇଁ

ତାକୁ ପ୍ରାର୍ଥନା କର ଯାଇ

ଆମ୍ଭେ ସକଳ ତାଙ୍କ ତତ୍ତ୍ୱ

ନ ଜାଣୁ ଏହିଟି ନିଶ୍ଚିତ

କିପରି ତାହାଙ୍କ ନିକଟ

ପ୍ରାର୍ଥନା ପାଇଁ ହେବୁ ଭେଟ

ମୈତ୍ରେୟ ଉବାଚ

ଏହିପରି ସେ ପଦ୍ମଯୋନି

ସକଳ ଦେବ ସଙ୍ଗେ ଘେନି

ଦକ୍ଷର ଯଜ୍ଞଶାଳେ ମିଳି

ଦେଖନ୍ତି ବ୍ରହ୍ମା ବନମାଳୀ

ଯଜ୍ଞ ବିନାଶି କୋପଭରେ

ରୁଦ୍ର ଯେ ଗଲେ ନିଜ ପୁରେ

ସ୍ୱଭାବେ ତେଜ ଅପ୍ରମିତ

ଅନ୍ତେ ଜଗତ କରେ ଗ୍ରସ୍ତ

ତାହାର ତେଜବଳ ତଥ୍ୟ

କେ ତାହା ବର୍ଣ୍ଣନେ ସମର୍ଥ

ତାହାରେ ଅପରାଧ କରି

କେ ଅବା ଥିବେ ଦେହ ଧରି

ଏବେ ସକଳ ଦେବେ ଶୁଣ

କେ ଜାଣେ ଈଶ୍ୱର ପ୍ରମାଣ

ଚାଲ ସକଳ ସୁର ଦେବା

ଏବେ ହୋ କପିଳାସ ଯିବା

ରୁଦ୍ର ଚରଣେ ନମସ୍କାର

ସ୍ତୋତ୍ରେ ସନ୍ତୋଷ ଦେବହର

ଈଶ୍ୱର ଚରଣ କମଳେ

ଶରଣ ପଶ ଏକମେଳେ

ମୋହର ବୋଲ ଏବେ କର

ଅନ୍ୟଥା ନାହିଁଟି ନିସ୍ତାର

ଯେ ଅନ୍ତଃକାଳେ ଅଣ୍ତକୋଷ

ନିମିଷ ମାତ୍ରେ କରେ ଗ୍ରାସ

ତାର ଚରଣେ ନ ସେବିଲେ

କେବା ସଂସାରେ ଥିବ ଭଲେ

ବିଶେଷେ ପତ୍ନୀର ବିୟୋଗେ

ସ୍ୱଭାବେ ତମଗୁଣ ରାଗେ

କଳ୍ପିଲା ଘୋରରଣ ରଙ୍ଗେ

ଦକ୍ଷର ଯଜ୍ଞଅର୍ଥ ଭଙ୍ଗେ

କେବା ମିଳିବ ତାର ଆଗେ

ମନ ତାହାର ବଇରାଗେ

ଯାର ମହିମା ବିଚାରଣେ

ମୋ ଆଦି ସର୍ବ ଦେବଗଣେ

ଏ ଯଜ୍ଞେ ଆଦି ଯେତେ ମୁନି

ସଙ୍ଗତେ ବେଦତ‌ତ୍ତ୍ୱ ଘେନି

କେ ଜାଣି ପାରିବ ପ୍ରମାଣ

ଯେ ଦ୍ୱିତୀଦେବ ନାରାୟଣ

ଏବେ ସକଳେ ଚାଲଯିବା

ସେ ରୁଦ୍ର ଚରଣେ ପଡ଼ିବା

ସ୍ତୁତି କରିବା ନାନାମତେ

ଯେମନ୍ତେ ଦୟା କରେ ଚିତ୍ତେ

ଏମନ୍ତ ହରି ପଦ୍ମଯୋନି

ସକଳ ଦେବଗଣ ଘେନି

ଅଗ୍ରେ ଚଳନ୍ତି ନାରାୟଣ

ଯକ୍ଷ କିନ୍ନର ଋଷିଗଣ

ସିଦ୍ଧ ଚାରଣ ପିତୃ ତୁଲେ

ସର୍ବେ ଚଳିଲେ ବ୍ରହ୍ମା ବୋଲେ

ଈଶ୍ୱର ଦରଶନ ଆଶେ

ମିଳିଲେ କପିଳାସ ଦେଶେ

ସେ ବନେ ବସେ ସଦାଶିବ

ତାହା ମହିମା କେ କହିବ

ବୃକ୍ଷ ଔଷଧ ତପୋବନ୍ତେ

ଯେ ଯୋଗସିଦ୍ଧ ଯୋଗୀପଥେ

ଯକ୍ଷ କିନ୍ନର ବିଦ୍ୟାଧର

ଗନ୍ଧର୍ବ ମୁନି ଅପସର

ସର୍ବେ ପଶନ୍ତି ସିଦ୍ଧବନେ

ତରୁ କ୍ରୋଟରେ ଯୋଗଧ୍ୟାନେ

ଅଶେଷ ମଣି ରତ୍ନରେଖେ

ଶୃଙ୍ଗ ବିରାଜେ ଗିରିଶିଖେ

ଦେହେ ବିରାଜେ ନାନା ଧାତୁ

କିଏ ଆନନ୍ଦ ରୂପ ହେତୁ

ବିରାଜେ ନାନା କୁଞ୍ଜଲତା

କେ ତା ବର୍ଣ୍ଣନେ ସାମରଥା

ଆନନ୍ଦେ ମହେଶ୍ୱର ବେଶେ

କ୍ରୀଡନ୍ତି ନାନା ପଶୁରସେ

ଅନେକ କନ୍ଦର ଗମ୍ଭୀରା

ବହନ୍ତି ପ୍ରସ୍ରବଣ ଧାରା

ରମଣବେଳେ ନାରୀଗଣେ

ରମନ୍ତି ଯେ ଯାହା ରମଣେ

କୋକିଳ କେକୀନାଦ ବାଣୀ

ଯେସନେ ମନୋହର ଶୁଣି

କୋମଳ କଣ୍ଠେ ପଶୁଗଣେ

ନାଦ କରନ୍ତି ଘୋରବନେ

ମତ୍ତ ମାତଙ୍ଗ ବହୁମେଳେ

ଗର୍ଜନ୍ତି ହ୍ରଦ ନଦୀଜଳେ

ମନ୍ଦାର ପାରିଜାତ ଦ୍ରୁମେ

ସରଳ କୋବିଦାର ବନେ

ତମାଳ ଶାଳ ତାଳବନ

କ୍ରମୁକ ସ୍ୱବାର ଅସନ

ଆମ୍ୱ କଦମ୍ବ ନାଗେଶ୍ୱର

ପୁନ୍ନାଗ ରମ୍ଭା କରବୀର

କୁମୂଦ ଉତ୍ପଳ କହ୍ଲାର

ପାଟଳି ଶୋକ ଗନ୍ଧସାର

ବକୁଳ କୁନ୍ଦ କୁରୁବକ

ସୁବର୍ଣ୍ଣ ବର୍ଣ୍ଣ ଶତରେକ

ଚିର ବେଣୁକ ଜାତିଯୁଥ

ମାଧବୀ କନିଅର ବେତ

ପନସ ଉଦୁମ୍ୱର ପ୍ଳକ୍ଷ

ବଟ ତିନ୍ଦୁକ ବହୁଦ୍ରକ୍ଷ

ଅଗସ୍ତି ପୁନ୍ନାଗ ଚମ୍ପକ

ଜମ୍ଭୁ ଖଜିର ସଫରିକ

କାଶୁରୀ ଆମ୍ରାତକ ବନ

ଦେଖନ୍ତେ ମୋହେ ପ୍ରାଣୀମନ

ବୃକ୍ଷେ ଅଛନ୍ତି ନାନାବର୍ଣ୍ଣେ

ଶୋଭନ କପିଳାସ ସ୍ଥାନେ

ଗମ୍ଭୀର ନାଦ କୋଳାହଳ

କ୍ରୀଡ଼ନ୍ତି ନାନା ଜୀବକୁଳ

ମୃଗ ବାନର କ୍ରୋଟ ଯୂଥ

ସିଂହ ଭଲ୍ଲୁକ ସମଯତ୍ର

ଗବୟ ବ୍ୟାଘ୍ର ଋକ୍ଷଦଳ

ଗୋରୁ ମହିଷ ଶଶାକୁଳ

ଅନ୍ୟ ଯେ ମୃଗନାଭ ଆଦି

ବସନ୍ତି ବାମ ଦକ୍ଷ ଭେଦି

ସୁନ୍ଦର ଶୋହେ ରମ୍ୟବନ

ଦେଖନ୍ତେ ମୋହେ ପ୍ରାଣୀମନ

ନଦୀ ଯେ ନଦ୍ୟାଶୟ ବେନି

ସ୍ୱଭାବେ ପୂଣ୍ୟତର ପ୍ରାଣୀ

ଏମନ୍ତେ ବିଶ୍ୱନାଥ ବନ

ଦେଖି ସାନନ୍ଦ ଦେବଗଣ

ମନେ ବିସ୍ମୟ ପାଇ ବେଗେ

ଦେବେ ଦେଖନ୍ତି ଚଉଦିଗେ

ତାର ଉତ୍ତର କୂଳେ ଯାଇ

ଅଳକାପୁରୀକୁ ଅନାଇଁ

ସୁଗନ୍ଧ ନାମ ବନ ଯହିଁ

ହେମ ପଙ୍କଜ ବିରାଜଇ

ନନ୍ଦା ଅଳକନନ୍ଦା ନଦୀ

ବହନ୍ତି ବାମ ଦକ୍ଷଭେଦି

ବିଷ୍ଣୁ ଚରଣ ରଜ ଲାଗି

ସେ ନଦୀ ସ୍ୱଭାବେ ସୌଭାଗୀ

ସେ ନଦୀ ଜଳେ ସୁରନାରୀ

ରମନ୍ତି ନାନା କ୍ରୀଡାକରି

କୁଚ କୁଙ୍କମ ଜଳେ ମିଶେ

ସ୍ୱଭାବେ ସୁପିଚ୍ଛିଳ ଦିଶେ

କରିଣୀ ତୁଲେ ହସ୍ତୀବଳ

ନିତ୍ୟ ପିବନ୍ତି ଯାର ଜଳ

ସେ ନଦୀତୀରେ ଉପଗତ

ରତ୍ନବିମାନ ଯୂଥ ଯୂଥ

ପୁଣ୍ୟ ଜନିତ ପରିମଳ

ତେଣୁ ପୂରିତ ଗଙ୍ଗାଜଳ

ତଡ଼ିତ ଯେହ୍ନେ ନୀଳ ମେଘେ

ସୁଶୋଭା କାନ୍ତି ଦଶଦିଗେ

ଏମନ୍ତେ କୁବେର ନଗରୀ

ସୁଗନ୍ଧ ବନ ଆଦିକରି

ଯେ ବୃକ୍ଷ କାମଧେନୁ ପ୍ରାୟେ

ଫଳ ପଲ୍ଲବମାନ ଶୋହେ

କୋମଳ କଣ୍ଠ ନାଦ ପକ୍ଷୀ

ଭୃଙ୍ଗ ଶବଦ ଯହିଁ ଅଛି

ଜଳେ ଚରନ୍ତି ପକ୍ଷୀଗଣେ

କ୍ରୀଡା କରନ୍ତି ପଦ୍ମବନେ

ହରି ଚରଣେ ବାୟୁ ସଙ୍ଗେ

ମତ୍ତ ମାତଙ୍ଗ ରଣରଙ୍ଗେ

ବୈଦୁର୍ଯ୍ୟମଣି କୂପ ସ୍ଥାନେ

ନିବିଡ଼ ବନ୍ଧନ ସୋପାନେ

ସ୍ୱଭାବେ ଉତ୍ପଳ ମାର୍ଜନୀ

ବିରାଜେ ମନ୍ଦଗୁଣ ଘେନି

ଯେ ବନେ ଜନ୍ମ ବଟବୃକ୍ଷ

ଯହିଁ କିନ୍ନରଗଣ ରକ୍ଷ

ଶତେ ଯୋଜନ ଉଚ୍ଚ ବହେ

ସୁନ୍ଦର ରୂପଜନ ମୋହେ

ଏ ବୃକ୍ଷ ଛାୟା ଦେହେ ଲାଗି

ପ୍ରାଣୀଏ ହ୍ୱନ୍ତି ସୁଖଭାଗୀ

ଏମନ୍ତ ସର୍ବ ଦେବମାନେ

ମିଳିଲେ ଈଶ୍ୱରଙ୍କ ସ୍ଥାନେ

ଦେଖନ୍ତି ବଟବୃକ୍ଷ ମୂଳେ

ନିବନ୍ଧ ଆସନ ନିଶ୍ଚଳେ

ସନକ ଆଦି ସପ୍ତମୁନି

ସଙ୍ଗେ ଅନେକ ଶିଷ୍ୟ ଘେନି

ଗୁହ୍ୟକ ରକ୍ଷକ ଅନେକ

ସେ ଭକ୍ତିଯୋଗ ଉପାସକ

ବିଦ୍ୟା ତପସ୍ୟା ଯୋଗ ଆଦି

ସକଳେ ଖଟନ୍ତି ସବିଧି

ବିଶ୍ୱ ସୁହୃଦ ଯା ମହିମା

ସର୍ବ ମଙ୍ଗଳ ଏକ ସୀମା

ସେ ପୁଣି ଅଭିଷିକ୍ତ ଅଙ୍ଗେ

ଯାର ଶରୀର ସିଦ୍ଧ ଲିଙ୍ଗେ

ଜଟା ଅର୍ପଣେ ଭସ୍ମଦଣ୍ତ

ଯଥା ରଚିତ ଇନ୍ଦୁଖଣ୍ତ

କୁଶ ଦୁଦୁରା ମଧ୍ୟେ ବସେ

ପରମବ୍ରହ୍ମ ଯେ ପ୍ରକାଶେ

ନାରଦ ମୁଖ ଚାହିଁ ଧୀରେ

ବଚନ କହନ୍ତି ସୁସ୍ୱରେ

ଦକ୍ଷିଣ ଜାନୁର ଉପରେ

ବାମ ଚରଣ ସ୍ଥାପି ଧୀରେ

ଚାହାନ୍ତି ବେନି ବାହୁବଳେ

ଅରୁଣ ବର୍ଣ୍ଣ ବେନି ଡୋଳେ

ସ୍ୱଭାବେ ତର୍କମୁଦ୍ରା କରି

ଯେ ରୂପେ ସଂସାର ସଂହରି

ନିଶ୍ଚଳ ସମାଧି ଧାରଣ

ଦେଖିଲେ ସର୍ବ ଦେବଗଣ

ସର୍ବ ଋଷିଙ୍କ ସଙ୍ଗମେଳେ

ଇନ୍ଦ୍ରାଦି ଦଶଦିଗପାଳେ

ବ୍ରହ୍ମା ସହିତେ ସର୍ବଜନ

ଚାହିଁଲେ ରୁଦ୍ରଙ୍କ ବଦନ

ଜୟ ଶବଦ କରି ତୁଣ୍ତେ

ରୁଦ୍ର ଚରଣେ ନମି ମୁଣ୍ତେ

ଯେ ହରି ମନୁଙ୍କର ମନୁ

ଭକ୍ତ ଚରଣ କାମଧେନୁ

ତାର ଚରଣ ତଳେ ଯାଇ

ସକଳେ ଶିରେ ହସ୍ତ ଦେଇ

ନମିଲେ ଈଶ୍ୱର ଚରଣେ

ଦେବ କିନ୍ନର ଋଷିଗଣେ

ଆନନ୍ଦେ ବ୍ରହ୍ମା ନାରାୟଣ

ନମିଲେ ରୁଦ୍ରଙ୍କ ଚରଣ

ସ୍ୱଭାବେ ମନ୍ଦ ମନ୍ଦ ହସି

ଅମୃତ ବାକ୍ୟେ ମନ ତୋଷି

ବ୍ରହ୍ମା କହନ୍ତି କରଯୋଡି

ଚରଣେ ପୁନଃ ପୁନଃ ପଡି

ବ୍ରହ୍ମୋବାଚ

ତୁ ନାଥ ଜଗତ ଈଶ୍ୱର

ସଂସାର ତୋର ଖେଳଘର

ତୁ ଏ ଜଗତ ବୀଜ ଯୋନି

ସୃଷ୍ଟି ସଂହାରୁ ମାୟା ଘେନି

ତୁ ନାଥ ଜଗତ ଈଶ୍ୱର

ନିର୍ଲ୍ଲେପ ବ୍ରହ୍ମ ନିରାକାର

ତୁ ଶିବ ଶକ୍ତିରୂପ ଧରି

ସଂସାର ଖେଳଘର କରି

ସୃଜି ପାଳିଣ କରୁ ଅନ୍ତ

ବିଶ୍ୱ ସଂସାରେ ବିଶ୍ୱନାଥ

କ୍ରୀଡା ବିହାର ମାୟାଧରି

ତୁ ଖେଳୁ ମାୟାଭାବ କରି

ସେ କାହିଁ ସମ୍ପାଦିବ ତୋତେ

ତେଣୁ ଭ୍ରମନ୍ତି ଏ ଜଗତେ

ଧର୍ମାର୍ଥ କାମ ଯହିଁ ଝରେ

ଯେ ଯଜ୍ଞ ଧେନୁ ରୂପ ଧରେ

ତୁ ଯାହା ଅର୍ଜିଛୁ ଜଗତେ

ସଂସାର ଭ୍ରମଣ ନିମନ୍ତେ

ସେ ମାୟା ସଂସାର ବନ୍ଧନେ

ଯନ୍ତ୍ରିତ ହୋଇ ମହାଜନେ

କଳ୍ପନ୍ତି ନାନାକର୍ମ ବିଧି

ତୁମ୍ଭେ ତ ସକଳ ପ୍ରସିଦ୍ଧି

ସର୍ବ ମଙ୍ଗଳ କର୍ମ ଫଳ

ତୁ ସେ ଅନାଦି ଆଦିମୂଳ

ଅମଙ୍ଗଳ କୃତ ତୁ ହେଉ

ଧର୍ମକୁ ସର୍ବକାଳେ ବହୁ

ସେ ସାଧୁଜନେ କର୍ମକରି

ଭାବ ପ୍ରଭାବ ମୋଦ ଭରି

ସେ ଫଳ ତୋର ପାଦେ ଦ୍ୟନ୍ତି

ମାୟା ପଟଳୁ ତରିଯାନ୍ତି

ଯେ ଲୋଭବଶେ ତାହା ଚିନ୍ତି

ପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି

ତୋତେ ନ ଜାଣି ପ୍ରଜାପତି

ଦୁର୍ମତି ଲଭିଲା ଦୁର୍ଗତି

ଆମ୍ଭର ଭକ୍ତି ଚିତ୍ତେ ଧର

ଏହାକୁ ପ୍ରତିକାର କର

ଏ ପ୍ରାଣୀ ଯଜ୍ଞଶାଳେ ମଲା

ସଂସାରେ ଯଶ ତୋ ରହିଲା

ଏବେ ମୋହାର ବୋଲ କର

ଏହାର ଯଜ୍ଞ ତୁ ଉଦ୍ଧର

ଏ ଯଜ୍ଞେ ତୋ ଭାଗ ନ କଲେ

ଏଣୁ ଜୀବନ ଥାଉଁ ମଲେ

ଏହାକୁ ଦଣ୍ତ ଏ ଉଚିତ

ଯେଣୁ ନିନ୍ଦିଲେ ବିଶ୍ୱନାଥ

ଏବେ ତୁ ଏହାକୁ ବଞ୍ଚାଅ

ଭୃଗୁଙ୍କୁ ଚକ୍ଷୁ ଦାନ ଦିଅ

ଭୃଗୁର ଦାଢ଼ି ଏବେ ରୋପ

ସୁଷମ ଦନ୍ତ ପାଟି ସ୍ଥାପ

ତୋହର ଶସ୍ତ୍ର ବରଷଣେ

ଭୟେ ଭାଜିଲେ ଦେବଗଣେ

ତୋ ତ୍ରାସେ ଛିନ୍ନଭିନ୍ନ ହୋଇ

ପଳାଇ ଗଲେ ଯହିଁ ତହିଁ

ଋତ୍ୱିଜଗଣେ ସେହି ମତ

ତାହାଙ୍କୁ ରଖ ବିଶ୍ୱନାଥ

ଯଜ୍ଞେ ତୋ ରୁଦ୍ର ଭାଗତୋଷେ

ସାଧିବା ମନ୍ତ୍ର ଉପଦେଶେ

ଏମନ୍ତ କହି ପଦ୍ମଯୋନି

ମିଳିଲେ ଦେବଗଣ ଘେନି

ସେ ରୁଦ୍ର ଚରଣ ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ରୁଦ୍ର କୋପପ୍ରଶମନେ

ନାମ ଷଷ୍ଠୋଽଧ୍ୟାୟଃ ।

•••

 

ସପ୍ତମ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ବ୍ରହ୍ମା ବୋଲ ଶୁଣି

ହସି କହନ୍ତି ଶୂଳପାଣି

ହେ ବ୍ରହ୍ମା ମୋର ବୋଲ ଶୁଣ

ବାଳକ କି ବର୍ଣ୍ଣିବା ଗୁଣ

ବାଳକ ମତେ ଏହା ସହି

ଆନ ସହିବ ଏହା କାହିଁ

ଦେଖ ଏ କର୍ମ କଲା ଯେତେ

କେ ସହିପାରେ ଏ ଜଗତେ

ଏଣୁ ଏ ତୋହର ସନ୍ତତି

ବୋଲାଇ ଦକ୍ଷ ପ୍ରଜାପତି

ଯେ ଦେବ ମାୟାରେ ମୋହିତ

ତାହାକୁ ଏ ଦଣ୍ତ ଉଚିତ

ଏବେ ସକଳ ଦେବେ ଯାଅ

ମୋହର ଆଜ୍ଞା ଶିରେ ବହ

ଦକ୍ଷର ମୁଣ୍ଡ ଅଗ୍ନି କୁଣ୍ତେ

ଭସ୍ମ ହୋଇଲା ଅତିଚାଣ୍ତେ

ଛାଗଳ ଶିର ତାର କନ୍ଧେ

ବସାଇ ମନ୍ତ୍ର ଅନୁବନ୍ଧେ

ଭୃଗୁର ଏକଚକ୍ଷୁ ରହୁ

ମୋର ମହିମା ଶିରେ ବହୁ

ଯଜ୍ଞର ଭାଗ ସେ ଭୁଞ୍ଜିବ

ନିରତେ ସେବୁ ସଦାଶିବ

ପୂଜିବ ତାର ଯଜ୍ଞମାନ

ଏକ ପାଟିରେ ତା ଦଶନ

ଦେବେ ପାଇବେ ନିଜ ରୂପ

ଯାହାର ପୂର୍ବେ ଯେ ସ୍ୱରୂପ

ଅଶ୍ୱିନୀକୁମାରଙ୍କ ବାହୁ

ହସ୍ତେ ସର୍ବଦା କାଳେ ଥାଉ

ପୁଣି ସହସ୍ର ବାହୁ ବଳେ

ସର୍ବଦା ଖଟୁ କର୍ମବଳେ

ଭୃଗୁରପାଟି ଏକ ଖଣ୍ଡେ

ସର୍ବଦା ରହୁ ତାର ତୁଣ୍ଡେ

ଏମନ୍ତେ ରୁଦ୍ର ବାକ୍ୟ ଶୁଣି

ସକଳେ ସାଧୁ ସାଧୁ ଭଣି

ଇନ୍ଦ୍ର ସହିତେ ଦେବଗଣ

ବ୍ରହ୍ମା ବିରଞ୍ଚି ନାରାୟଣ

ଦକ୍ଷର ଯଜ୍ଞଶାଳେ ମିଳି

ବସିଲେ ବ୍ରହ୍ମା ବନମାଳୀ

ରୁଦ୍ରଙ୍କୁ ବସାଇ ଆସନେ

ତକ୍ଷଣେ ଶିବର ବଚନେ

ଦକ୍ଷର ଶିରେ ଛାଗ ଶିର

ମନ୍ତ୍ରେ ବସାଇଲେ ଶଙ୍କର

ତକ୍ଷଣେ ପ୍ରଜାପତି ଅଙ୍ଗେ

ଜୀବ ପଶିଲା ପ୍ରାଣ ସଙ୍ଗେ

ଆନନ୍ଦେ ରୁଦ୍ର ପାଦେ ପଡ଼ି

ତକ୍ଷଣେ ବେନିକର ଯୋଡ଼ି

ଯେସନେ ସ୍ୱପ୍ନ ପ୍ରାଣୀମାନେ

ଉଠନ୍ତି ନିଦ୍ରା ଅବସାନେ

ଚକ୍ଷୁ ଘଷଇ ବେନି ହସ୍ତେ

ଶିବଙ୍କୁ ଦେଖିଲା ଅଗ୍ରତେ

ରୁଦ୍ର ଚାହାଁନ୍ତେ ତା ଶରୀର

ତକ୍ଷଣେ ହୋଇଲା ସୁନ୍ଦର

ଶରଦ ଚନ୍ଦ୍ର ପ୍ରାୟେ ଦିଶେ

ରୁଦ୍ରଙ୍କୁ ଚାହିଁ ମନ ତୋଷେ

ସ୍ତୁତି କରଣେ ଶକ୍ୟ ନୁହେଁ

କଣ୍ଠ କୁଣ୍ଠିତ ବାଣୀ କହେ

ଚଞ୍ଚଳ ମନ ସ୍ଥିର କରି

ସତୀ ମରଣ କଥା ସ୍ମରି

ନିର୍ମଳ ଚିତ୍ତେ ପ୍ରଜାପତି

ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି

ଦକ୍ଷଉବାଚ

ଭୋ ନାଥ ଶୁଣ ବିଶ୍ୱଦେହ ।

ତୁ ମୋତେ କଲୁ ଅନୁଗ୍ରହ

ମୁଁ ଯେ ହୋଇଲି ଜ୍ଞାନହତ

ମୋତେ ତ ତୋ ଦଣ୍ଡ ଉଚିତ

ତୋତେ ନିନ୍ଦିଲି ଗର୍ବ ବହି

ମୋର କୁଶଳ ଆଉ ନାହିଁ

ଅଭୟ ତୋର ପାଦପଦ୍ମ

ମୁଁ ତହିଁ କଲି ଅପରାଧ

ବ୍ରାହ୍ମଣ ତୋର ମୁଖୁ ଜାତ

ସାଧନ୍ତି ବିଦ୍ୟା ତପୋବନ୍ତ

ତାଙ୍କ ବିପତ୍ତି ତୁମ୍ଭେ ରଖ

ଯେସନେ ପଶୁଙ୍କ ପାଳକ

ମୋହର ସଭାମଧ୍ୟେ ତୋତେ

ନିନ୍ଦା ଯେ କଲି ମୂଢ଼ ଚିତ୍ତେ

ପ୍ରହାର କଲି ଦୁଷ୍ଟ ଚିତ୍ତେ

ନିନ୍ଦିତ ବାକ୍ୟଗଣ ତୋତେ

ସେ ଫଳ ପାଇଲି ପ୍ରତ୍ୟକ୍ଷେ

ଏ ଋଷିଗଣଙ୍କ ସମକ୍ଷେ

ମୈତ୍ରେୟ ଉବାଚ

ଏମନ୍ତେ ରୁଦ୍ରେ ସ୍ତୁତି କରି

ପୁଣି ଋତ୍ୱିଜ ଯଜ୍ଞେ ବରି

ବିଷ୍ଣୁ ସନ୍ତୋଷ ବିପ୍ରଗଣେ

ଦ୍ୱାବିଂଶ କଳ୍ପିତ ବରଣେ

ପୂଜିଲେ ମନ୍ତ୍ରର ବିଶ୍ୱାସେ

ଯେ ପୁରାତନ ଇତିହାସେ

ସ୍ୱଭାବେ ଗରୁଡ଼ ଆସନେ

ସକଳେ ବସି ଶୁଦ୍ଧମନେ

ଅଗ୍ନି ପୂଜିତ ତପୋଧନେ

ଅନଳ ରୂପେ ଜନାର୍ଦ୍ଦନେ

ସାକ୍ଷାତେ ହୋଇଲେ ପ୍ରସନ୍ନ

ପ୍ରସନ୍ନ ପାଇ ତପୋଧନ

ତେଜେ ବିରାଜେ ଦଶଦିଶ

ଅନଳ ହୋଇଲେ ପ୍ରକାଶ

ଶ୍ୟାମ ହିରଣ୍ୟ ତନୁବର୍ଣ୍ଣ

ନିଶ୍ଚଳ ଗରୁଡ଼ ଆସନ

କିରୀଟି ରବି ତେଜ ଗଞ୍ଜେ

ମର୍କତ କୁଣ୍ତଳ ବିରାଜେ

ଶଙ୍ଖ କମଳ ଚକ୍ର ଗଦା

 

ଶ୍ରୀଭୁଜେ ଶୋହେ ଯାର ସଦା

ଏ ଅଷ୍ଟଭୁଜେ ଅନୁପମ

ରୂପେ ଗଞ୍ଜଇ କୋଟି କାମ

ବିଶ୍ୱ ମଙ୍ଗଳ ରୂପସାର

ହୃଦେ ଲମ୍ବଇ ରତ୍ନହାର

ଉପରେ ଶୋହେ ଶ୍ୱେତଛତ୍ର

ଦିଶଇ କି ଶୁକ୍ଳ ଜୀମୁତ

ଏମନ୍ତ ବିଷ୍ଣୁ ରୂପ ଚାହିଁ

ସକଳେ ଶିରେ କର ଦେଇ

ଉଠିଲେ ପଦ୍ମଯୋନି ହର

ଉର୍ଦ୍ଧ୍ୱେ କରିଣ ନିଜ କର

ପ୍ରଣାମ କରି ଜଣେ ଜଣେ

ବନ୍ଦିଲେ ବିଷ୍ଣୁଙ୍କ ଚରଣେ

ବିଷ୍ଣୁର ତେଜେ ଦଶଦିଶ

ସକଳେ ଲଭିଲେ ସନ୍ତୋଷ

କର ଅଞ୍ଜଳି ଶିରେ ଦେଇ

ସ୍ତୁତି କରନ୍ତି ବିଷ୍ଣୁ ଚାହିଁ

ଦକ୍ଷ ମିଲିଲା ଅର୍ଘ୍ୟ ଘେନି

ଥିଲେ ଅଶେଷ ବ୍ରହ୍ମମୁନି

ସୁନନ୍ଦ ଆଦି ପାରିଷଦେ

ମିଳିଲେ ଜୟ ଜୟ ନାଦେ

ଦକ୍ଷ ଯେ ଶିରେ କରଯୋଡି

କହଇ ବିଷ୍ଣୁ ପାଦେ ପଡି

ଦକ୍ଷ ଉବାଚ

ତୁ ନାଥ ଶୁଦ୍ଧ ଚଇତନ

ନିର୍ମଳ ନିତ୍ୟ ନିରଞ୍ଜନ

ଚିହ୍ନିତ ଏ ବଡ଼ ନିର୍ଭୟେ

ଏ ପୂର୍ଣ୍ଣ ତୋର ବିଶ୍ୱଦେହେ

କେ ତୋତେ ଜାଣିବେ ସଂସାରେ

ତୁ ଥାଉ ମାୟା ଅତି ଦୂରେ

ଋଷିରୁବାଚ

ଭୋ ନାଥ ରୁଦ୍ରଶାପେ ଆମ୍ଭେ

ବୁଡିଲୁ ମାୟା ଅତି ଦମ୍ଭେ

ନିରତେ କର୍ମ ବଶହୋଇ

ତୋ ଭାବେ ଆତ୍ମଜ୍ଞାନ ନାହିଁ

ଏ ଯଜ୍ଞ ଧର୍ମର ଲକ୍ଷଣ

ଅଶେଷ ପରମ କାରଣ

ଏ ତୋର ରୂପ ଭାବଗ୍ରାହୀ

ଆମ୍ଭେ ଜାଣିବୁ ଅବା କାହିଁ

 

 

 

 

ସଦସ୍ୟାଉଚୁଃ

ତକ୍ଷଣେ ସବୁଲୋକେ ଉଠି

ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି

ଭୋ ନାଥ ତୋର ମାୟାବଳେ

ଏ ଜୀବ ଆତ୍ମା ଏ ଶୟଳେ

ନିରତେ ଚିନ୍ତେ ଆତ୍ମାସୁଖ

ଏଣୁ ଭଜନ୍ତି ସର୍ବଦୁଃଖ

ରୁଦ୍ରଉବାଚ

ତୋର ଚରଣେ ଭଗବାନ

ଆଶିଷ ଫଳେ ମୁନିଜନ

ଅଖିଳ କାମେ ଅନାସକ୍ତ

ଆଦରେ ପୂଜନ୍ତି ନିରତ

ସେ ପାଦପଦ୍ମ ଶିରେ ଧରି

ତମେ ମୁଁ ଜଗତ ସଂହାରି

ବର୍ତ୍ତଇ ତୋ ଚରଣ ଆଶେ

ନିରତେ ଉମା ଘନି ପାଶେ

ଭୃଗୁରୁବାଚ

ଭୋ ନାଥ ତୋ ମାୟା ଗହନେ

ବ୍ରହ୍ମାଦି ସର୍ବ ମୁନିଜନେ

ନିନ୍ଦିତ ପ୍ରାୟ ତମ ଶାନ୍ତି

ତୋର ମହିମା ନ ଜାଣନ୍ତି

ତୁ ଏବେ ରଖ ଆମ୍ଭ ମନ

ତୋର ଚରଣେ କରି ଲୀନ

ବ୍ରହ୍ମା ଉବାଚ

ଯେ ତୋତେ ନାନା ରୂପେ ଦେଖି

ପଦାର୍ଥ ଗୁଣ ଭେଦ ରଖି

ଜ୍ଞାନ ସଙ୍ଗତେ ଆତ୍ମାମତେ

ଆଶ୍ରୟ କରି ଏ ଜଗତେ

ମାୟାର ବଳେ ଜ୍ଞାନ ଥାଇ

ତୋତେ ଜାଣିବ ଅବା କାହିଁ

ଇନ୍ଦ୍ର ଉବାଚ

ହେ ବିଶ୍ୱଭାବନ ମୁରାରି

ତୁ ଯେ ଆନନ୍ଦ ବପୁଧାରୀ

ସକଳ ପ୍ରାଣୀ ମନୋହର

ଭୋ ନାଥ ତୋହର ଶରୀର

ଏ ଯେ ତୋହର ଅଷ୍ଟକର

ଏ ଦିଗପାଳଙ୍କ ଶରୀର

ପତ୍ନ୍ୟୁବାଚ

ଏ ଯଜ୍ଞ ପ୍ରଜା ତୋର ଅର୍ଥେ

ଏ ପ୍ରଜାପତି ଏ ଜଗତେ

କେବଳ ବିଧାତାର ବଳେ

ତୁ ନାଥ ପଶି ଯଜ୍ଞଶାଳେ

ଦକ୍ଷକୁ ଦେଲୁ କର୍ମଫଳ ।

ତୁ ନାଥ ପରମ ମଙ୍ଗଳ

ଏବେ ପବିତ୍ର ମୋ ଭୁବନ

କଳ୍ପିଲା ତୋର ଦରଶନ

ଋଷୟଃଉଚୁଃ

ଭୋ ନାଥ ତୋର ବିଚେଷ୍ଟିତ

ବିଶ୍ୱ ସଂସାରେ ବିପରୀତ

ଈଶ୍ୱର ମାୟାର ବିଭୂତି

ଯା ବଳେ ଦେବେ ଭ୍ରମିଯାନ୍ତି

ସିଦ୍ଧାଉଚୁଃ

ତୋ କଥା ସୁଧା ତରଙ୍ଗିଣୀ

ସୁଶୀଳ ଜଳ ପ୍ରାୟେ ମଣି

ମନ ବାରଣ ତୃଷାକାଳେ

ପ୍ରବେଶ ହୋଇ ଶୀତଜଳେ

ନ ପୁଣ ସ୍ମରେ ଦାବାନଳ

ତୋର ପ୍ରସନ୍ନେ ଆଦିମୂଳ

 

 

 

 

ଦକ୍ଷପତ୍ନ୍ୟୁବାଚ

ଭୋ ନାଥ ତୋର ଆଗମନ

ଆନନ୍ଦ କଲା ଆମ୍ଭ ମନ

ତୁ ଲକ୍ଷ୍ମୀକାନ୍ତ ସୁଧାନିଧି

ସକଳ ସମ୍ପଦ ପ୍ରସିଦ୍ଧି

ତୋ ବିନୁ ଏ ଯେ ଯଜ୍ଞଘର

ତୋ ନାମ ବିଶେଷ ସୁନ୍ଦର

କି ଅବା ଦେବା ପଟାନ୍ତର

କବନ୍ଧ ପ୍ରାୟ ଛିନ୍ନଶିର

ଲୋକପାଳା ଉଚୁଃ

ଆମ୍ଭର ଦୃଷ୍ଟଗ୍ରହ ଦୋଷେ ।

ତୋତେ ଦେଖିବୁ କାହିଁ ଦୃଶ୍ୟେ

ତୁ ସତ୍ତ୍ୱେ ପଞ୍ଚଭୂତେ ବସୁ

ତୁ ମାୟା ସ୍ୱରୂପ ପ୍ରକାଶୁ

ଯୋଗେଶ୍ୱରା ଉଚୁଃ

ଭୋ ନାଥ ତୋର ଦରଶନେ

ଆମ୍ଭେ ଯେ ଦୃଢ କଲୁ ମନେ

ଅଷ୍ଟାଙ୍ଗମତେ ଯୋଗ ସାଧି

ଲଭିବାପାଇଁ ଅଷ୍ଟନିଧି

ସେ ପୁଣି ତୋର ମାୟା ବଳେ

କେମନ୍ତେ ଧରିବୁ ନିଶ୍ଚଳେ

ତୁ ନାଥ ଯେବେ କଲୁ ଦୟା

ତେବେ ବଞ୍ଚିବୁ ତୋର ମାୟା

ଜଗତ ସ୍ଥିତ ଦେହବନ୍ତ

ତ୍ରିଗୁଣେ କଲୁ ଆତଯାତ

ନିର୍ଲ୍ଲେପ ଗୁଣେ ସର୍ବବ୍ୟାପୀ

ତୁ ନାଥ ନିରଞ୍ଜନ ରୂପୀ

ବ୍ରହ୍ମୋବାଚ

ସତ୍ତ୍ୱ ଗୁଣକୁ ଅବଲମ୍ୱୀ

ଧର୍ମାଦି କରୁଛ ସମ୍ପାଦି

ନିର୍ଗୁଣ ଅଟ ଯେ ଆପଣ

ତୁମ୍ଭଙ୍କୁ କରୁଛି ପ୍ରମାଣ

ଅଗ୍ନିରୁବାଚ

ଯାହାର ତେଜବଳ ମୁହିଁ

ଅନଳ ରୂପେ ଯଜ୍ଞେ ରହି

ଘୃତ ଆହୁତି ପଞ୍ଚବିଧେ

ମନ୍ତ୍ର ନିବେଦିତ ସମିଧେ

ତୁ ଯଜ୍ଞରୂପୀ ଦାମୋଦର

ନିରତେ ମୋର ନମସ୍କାର ।

ଦେବାଉଚୁଃ

ତୁ ନାଥ ପୂର୍ବ ପାପହରି

ପ୍ରଳୟେ ମୀନ ରୂପ ଧରି

ସର୍ବ ସଂହାରି ବିଶ୍ୱରୂପେ

ଶୟନ ନାଗମୟ କଳ୍ପେ

ଆମ୍ଭେ ଯେ ତୋର ନିଜ ଭୃତ୍ୟ

ଏ କଥା ଜଗତେ ବିଖ୍ୟାତ

ଆମ୍ଭଙ୍କୁ ସଙ୍କଟ ପଡ଼ିଲେ

ତୁ ନାଥ ରକ୍ଷାକରୁ ଭଲେ

ଗନ୍ଧର୍ବାଉଚୁଃ

ମରୀଚି ଆଦି ପ୍ରଜାପତି

ବ୍ରହ୍ମା ଇନ୍ଦ୍ରାଦି ତୋର ସ୍ଥିତି

ବ୍ରହ୍ମାଣ୍ଡ କ୍ରୀଡ଼ାଭାଣ୍ଡ ତୋର

ହେ ପ୍ରଭୁ ତୋତେ ନମସ୍କାର

ବିଦ୍ୟାଧରଉଚୁଃ

ତୁମର ମାୟାବଳେ ପ୍ରାଣୀ

ମମତା ଇତି ପରିମାଣି

ଉତ୍ପଥଗାମି ଇନ୍ଦ୍ରିଗଣେ

ଏ ନିତ୍ୟ ଭଜେ କରଷଣେ

ତୋ କଥା ଅମୃତ ନ ସେବେ

ଏଣୁ ପଡଇ ଭବାର୍ଣ୍ଣବେ

ବ୍ରାହ୍ମଣାଉଚୁଃ

ତୁ ନାଥ ଯଜ୍ଞ ଅଗ୍ନି ସୋମ

ତୁ ନିତ୍ୟାଚାର ବିଧିକର୍ମ

ସମିଧ ପାତ୍ର କୁ ଋତ୍ୱିଜ

ଯଜ୍ଞାଦି ଯଜମାନ ଦ୍ୱିଜ

ତୁ ସ୍ୱାହା ସ୍ୱଧା ଯଜ୍ଞ ପଶୁ

ତୁ ଯଜ୍ଞ ପୁରୁଷ ପ୍ରକାଶୁ

ଦନ୍ତେ ଉଦ୍ଧାରୁ ଏ ଧରଣୀ

ସଂଗ୍ରାମେ ହିରଣ୍ୟାକ୍ଷ ଜିଣି

ଧରଣୀ ସ୍ଥାପି ମହାଜଳେ

ଯେଣୁ ଏ ରହିଲା ନିଶ୍ଚଳେ

ଏହା ଉପରେ ଲୋକ ସ୍ୱର୍ଗ ।

ଏଣୁ ତୋ ରୂପ ଉପବର୍ଗ

ସକଳ କର୍ମ ସାକ୍ଷୀ ତୁହି

ଭୋ ନାଥ ରଖ ଭାବଗ୍ରାହୀ

ଯାହାର ନାମ ଉଚ୍ଚାରଣ

କରଇ ବିଘ୍ନ କରଷଣ

ମୈତ୍ରେୟ ଉବାଚ

ଏମନ୍ତ ଦେବଗଣ ସ୍ତୁତି

ଶୁଣି ସନ୍ତୋଷ ଯଜ୍ଞପତି

ଦକ୍ଷକୁ ଚାହିଁ ଚକ୍ରପାଣି

ମେଘ ଗମ୍ଭୀର ମଞ୍ଜୁବାଣୀ

ଶ୍ରୀଭଗବାନୁବାଚ

ମୁଁ ବ୍ରହ୍ମା ହରରୂପ ଧରି

ଏ ବିଶ୍ୱ ସୃଷ୍ଟି ପାଳି ହରି

ଏଣୁ ମୋହର ତିନିଗୁଣ

ସଂସାର ପରମ କାରଣ

ନିର୍ଲ୍ଲେପ ନିରଞ୍ଜନ ମୁହିଁ

ସକଳ ଭୂତେ ମୁଁ ବସଇ

ଯାହାକୁ ଯେବା ଶିକ୍ଷାଦେଇ

ପ୍ରାଣୀ ଛାଡିବ ତାହା କାହିଁ

ସକଳ କର୍ମ ମୋ ଗୋଚର ।

ଅଜ୍ଞାନୀ ଜନେ ମୁହିଁ ଦୂର

ଦେଖ ଏ ଦେହ ମଧ୍ୟଗତେ

ଶିର ଚରଣ କର ଯେତେ

ଏହାକୁ ଭିନ୍ନ ପ୍ରାୟ ମଣେ

ଆତ୍ମାର ଗତି ନ ପ୍ରମାଣେ

ଯାହାର ନିର୍ମଳ ବିବେକ

ବାହ୍ୟ ଅନ୍ତରେ ଦେଖେ ଏକ

ଦୂରେ ରହଇ ଆତ୍ମା ଭ୍ରାନ୍ତି ।

ସେ ପ୍ରାଣୀ ଲଭେ ଆତ୍ମା ଶାନ୍ତି

ମୈତ୍ରେୟ ଉବାଚ

ଏ କଥା ବିଷ୍ଣୁ ମୁଖୁ ଶୁଣି

ଅମୃତ ପ୍ରାୟ ମଞ୍ଜୁବାଣୀ

ହରିଙ୍କି ଯଜ୍ଞେ ପୂଜା କଲା

ଯେଣୁ ତାହାର ଭାଗ୍ୟ ଥିଲା

ଋଷି-ଦେବତା ପୂଜା କରି

ରୁଦ୍ରଙ୍କୁ ରୁଦ୍ର ଭାବେ ବରି

ଯଜ୍ଞର ଶେଷଭାଗ ଦେଲା

ସେ ଅବଭୃଥେ ସ୍ନାନ କଲା

ଦକ୍ଷ ରହିଲା ଯଜ୍ଞ ଘରେ

ଦେବେ ଚଳିଲେ ନିଜପୁରେ

ଶ୍ରୀ ଶୁକ ଉବାଚ

ଏବେ ହୋ ଶୁଣ କୁରୁବୀର

ସତୀ ଯେ ଛାଡିଲା ଶରୀର

ସେ ପୁଣି ହିମବନ୍ତ ଘରେ

ଜନ୍ମିଲା ମେନକା ଉଦରେ

ପୁଣି ସେ ରୁଦ୍ରଙ୍କୁ ବରିଲା

ଅମ୍ବିକା ହିମଗିରିବାଳା

ଏମନ୍ତେ ରୁଦ୍ରର ଚରିତ

ଯେମନ୍ତେ ଦକ୍ଷଯଜ୍ଞ ହତ

ଉଦ୍ଧବ ମୁଖୁ ମୁହିଁ ଶୁଣି

ତୋତେ କହିଲି ପରିମାଣି

ଏଣୁ ଏ ବିଷ୍ଣୁର ଚରିତ

ଭକ୍ତ ତାରଣ ଭାଗବତ

କହଇ ଦାସ ଜଗନ୍ନାଥ

ଭକ୍ତଜନଙ୍କର ସହିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଯଜ୍ଞ ପୁରୁଷ ପ୍ରସନ୍ନେ

ନାମ ସପ୍ତମୋଽଧ୍ୟାୟଃ ।

•••

 

Unknown

ଅଷ୍ଟମ ଅଧ୍ୟାୟ

 

ଧ୍ରୁବ ଚରିତ

(ରାଗ-କଳଶା)

ନମାମି ଅମ୍ବିକା ସୁତ ଚରଣ ପଙ୍କଜ

ସର୍ବ ଦେବଙ୍କ ମଧ୍ୟେ ଯା ନାମ ବିଘ୍ନରାଜ

ଅମ୍ୱରୀଷ ଗିରି ସମୁଦ୍ରର କଳେବର

କିରୀଟ କୁଣ୍ତଳ କଣ୍ଠେ ହାର ମନୋହର

ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜଚାରି

ଅକ୍ଷୟ ଅମୃତ ତୃଣ ପାଶାଙ୍କୁଶଧାରୀ

ଯାହାର ପ୍ରସନ୍ନ ବଳେ ଜଡ଼ ବୁଦ୍ଧି ତୁଟେ

ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ

ମୋର ଚିତ୍ତେ ପ୍ରସନ୍ନ ହୁଅ ହେ ଲମ୍ବୋଦର

କହେ ଭାଗବତ ବାଣୀ ସଂସାରରେ ସାର

ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତ

କହିବି ଚତୁର୍ଥ ସ୍କନ୍ଧେ ଧ୍ରୁବର ଚରିତ

ସପତ ବରଷ ପୁତ୍ର ଘୋର ତପ କଲା

ମାତୃ ସପତ୍ନୀର ବାକ୍ୟେ ହରିଙ୍କୁ ଭଜିଲା

ପିତା ଜାନୁଆରୋହଣ ଭଙ୍ଗ ଦୋଷ ମନେ

ସପ୍ତଋଷି ଉର୍ଦ୍ଧ୍ୱେ ଯାଇ ବସିଲା ଗଗନେ

ଯାର ଘୋର ତପ ଦେଖି ଭୃଗୁ ମନ ତୋଷେ

ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ

ଜନନୀ ସହିତେ ଧ୍ରୁବ ଗମଇ ଆକାଶେ

ଦରଶନ ମାତ୍ରେ ତ୍ରିକାଳର ପାପ ନାଶେ

ଅଧିକ ଆୟୁଷ ଲଭେ ତ୍ରୟୋଦଶ ସମା

ଯାର ଭାବ ନ ଲଭନ୍ତି ଇନ୍ଦ୍ର ହର ବ୍ରହ୍ମା

ତାହାର ଚରିତ ଯେ ଶୁଣନ୍ତି ସାବଧାନେ

ସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ

ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ

କହିବି ପ୍ରସନ୍ନ ହୁଅ ମୋତେ ଗଣନାଥ

ପୁଣ୍ୟକ୍ଷେତ୍ର ବନେ ସରସ୍ୱତୀ ତଟେ ରହି

ମୈତ୍ରେୟ ମୁନି ବିଦୁରର ଆଗେ କହି

ଦୁର୍ଗତିତାରଣ ପୁଣ୍ୟେ ଭୀଷ୍ମ ନିବାରଣ

କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ

ମୈତ୍ରେୟ ଉବାଚ

ସର୍ବଶାସ୍ତ୍ର ଜାଣି ଯେ କହଇ ନାନାମତେ

ଧ୍ରୁବର ଚରିତ ବିଷ୍ଣୁ ଭକ୍ତ ଜନ ହିତେ

ମଇତ୍ରେୟ ଆଗେ ପରାଶର ମୁନି କହି

ବିଷ୍ଣୁ ଜନହିତେ ବଇଷ୍ଣବ ଭାବ ବହି

ପରମହଂସ ବିମାନେ ବୈକୁଣ୍ଠ ଯାଆନ୍ତେ

ବୈଷ୍ଣବ ଅଗ୍ରଣୀ ଶିବକୁମାର ଅଗ୍ରତେ

ବିଷ୍ଣୁ ଦୂତେ ହରିକଥା କହିଛନ୍ତି ଯାହା

ଭାଷା ପ୍ରବନ୍ଧରେ ମୁହିଁ ପ୍ରକାଶିବି ତାହା

ସାବଧାନେ ଦୃଢଚିତ୍ତେ କର ଏଥେ ଭାବ

ଏ ଦୃଢ ବୋଇତେ ଭବ ବାରିଧି ତରିବ

ବିଷ୍ଣୁର ଆଦେଶେ ସୃଷ୍ଟି କାଳେ ପଦ୍ମଯୋନି

ମୈଥୁନ ପ୍ରକାରେ ସେହି ଶିବଶକ୍ତି ଘେନି

ନିଜ କଳେବର ବ୍ରହ୍ମା ବେନିଖଣ୍ତ କଲେ

ସ୍ୱାୟମ୍ଭୂବ ମନୁ ଶତରୂପା ପ୍ରକାଶିଲେ

ମୈଥୁନ ବନ୍ଧେ ଉପୁଜାଇଲେ ପୁତ୍ର ବେନି

ସୃଷ୍ଟି ଅଂଶ ହେତୁ ତିନି କନ୍ୟା ସଙ୍ଗେ ଘେନି

ପ୍ରିୟବ୍ରତ ଉତ୍ତାନପାଦ ନାମ ଆଦ୍ୟର

ସୁଗୁଣ ସୁରୂପ ରୂପେ ମୋହେ ତିନିପୁର

କନ୍ୟା ଏକ ତହୁଁ ପ୍ରଜାପତିର ସମ୍ଭୂତ

ଯେଣୁ ବ୍ରହ୍ମା ଭିଆଇ ସର୍ଜିଲା ଏ ଜଗତ

ସୃଷ୍ଟି ପୂର୍ବେ ଆନ ରୂପେ ବେନି ସହୋଦର

ପ୍ରଜାବର୍ଗ ସଞ୍ଚିଲେ ସେ ଅନେକ ପ୍ରକାର

ଉତ୍ତାନପାଦର ସେ ହୋଇଲେ ପତ୍ନୀ ବେନି

ସୁରୁଚି ସୁନୀତି ଯେ ସୁନ୍ଦର ଗୁଣ ଘେନି

ସେ ବେନି ପତ୍ନୀଙ୍କ ମଧ୍ୟେ ସୁରୁଚି ସୁପ୍ରିୟା

ଉତ୍ତାନପାଦର ଚିତ୍ତେ ତାରେ ବଡ଼ ଦୟା

ତାହାର ଉଦରେ ଯେଉଁ ବେନି ପୁତ୍ର ହୁଏ

ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ

ତାର ବଡପ୍ରିୟ ଉତ୍ତାନପାଦ ରାଜା

ଭୂଷଣ ବସନ ଆଦି କରେ ତାଙ୍କୁ ପୂଜା

ନିତ୍ୟେ ପ୍ରିୟବତୀ ସେ ନିମିଷେ ନ ଛାଡ଼ଇ

ପତ୍ନୀ ସୁତ ଭାବେ ସ୍ୱଗୌରବ ଭାବ ବହି

ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ

ରୂପ ଗୁଣେ ସୁନ୍ଦର ମୋହିତ କୋଟିକାମ

ବେନି ସୁତ ବେନି ଧାତ୍ରୀ ଘେନିଥାନ୍ତି ନିତ୍ୟେ

ପିତାର ସମୀପେ ଦ୍ୟନ୍ତି ରାଜସେବା ମତେ

ଏକଦିନେ ସୁରୁବି ଉତ୍ତମ କର ଧରି

ନୃପତି ସମୀପେ ମିଳେ ପ୍ରିୟଭାବ ଭରି

ଉତ୍ତମକୁ କୋଳେଦେଇ ରହିଲା ଅନ୍ତରେ

ନୃପତି ସଭାର ମଧ୍ୟେ ପ୍ରିୟଭାବ ଭରେ

ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ

ରାଜାର ସମୀପେ ପ୍ରେମ ପୁତ୍ର ଭାବ ରଙ୍ଗେ

ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲା

ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା

ତାହା ଦେଖି କୋପ ଚିତ୍ତେ ସୁରୁଚି

କହଇ ଦୁର୍ଭଗା ତନୟେ ତୋ ବଦନେ ଲାଜ ନାହିଁ

ଆରୋହଣ କରି ଲୋଡ଼ୁ ନୃପ ସିଂହାସନେ

ଯେ ଆସନ ସୁପୂଜିତ ଏ ତିନି ଭୁବନେ

ପୂର୍ବ ତପଫଳେ ଦେଖ ଉତ୍ତମ କୁମର

ନୃପବୀର୍ଯ୍ୟେ ଉପୁଜିଲା ମୋହର ଉଦର

ଏ ଯେ ନୃପ ସିଂହାସନେ ବସିବାକୁ ଏକ

ଏ କଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ

ବିଷ୍ଣୁରେ କଠୋର ତପ ପୂର୍ବେ ଯେ କରଇ

ତପବଳେ ଲଭେ ସେ ଦୁର୍ଲ୍ଲଭ ନରଦେହୀ

ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ

କହଇ ବାଳକ ପୁତ୍ର ଶୁଣ ଏକଚିତ୍ତେ

ଯେଉଁ ତପେ ବସନ୍ତି ଯେ ଏ ରାଜା ଆସନେ

କୋଟି ତପେ ପାଇଛନ୍ତି ତାହା ରାଜାମାନେ

ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ

ତେଣୁ ଅଭାଗିନୀ ଗର୍ଭେ ଉପୁଜିଲୁ ତୁହି

ଏହି ଅନୁମାନେ ତୋର ଅଳ୍ପ ପୁଣ୍ୟ ଜାଣ

ଶୁଭାଶୁଭ ଫଳ ଅନୁମାନ ଏ ପ୍ରମାଣ

ରାଜାରକୁମର ପଣେ ଏ ଜନ୍ମେ ତୋହର

ନାନାସୁଖ ଭୋଗେ ତୋର ନାହିଁ ଅଧିକାର

ଦେଖ ଏ କୁମର ମୋର ଗର୍ଭେ ଜାତ ହୋଇ

ଏ ନୃପ ସିଂହାସନକୁ ଯୋଗ୍ୟ ଏ ଅଟଇ

ନୃପାସନେ ବସିବାକୁ ଚିତ୍ତ ଯେବେ ତୋର

କିମ୍ପା ଜନ୍ମ ନ ଲଭିଲୁ ମୋହର ଗର୍ଭର

ଏମନ୍ତ ସଭାର ମଧ୍ୟେ ସୁରୁଚିବଚନ

ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ

ଅନ୍ତର୍ଗତେ କମ୍ପଇ ତାହାର ନିଜଦେହୀ

ଅଧୋ ମୁଖେ ରହିଲା ଭୂମିକୁ ଦୃଷ୍ଟି ଦେଇ

ଅନୁଚିତ ଉଚିତ ନ କହେ ନୃପମଣି

ସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ

ତାହାର ଗୌରବେ ଯେ ଯନ୍ତ୍ରିତ ଚିତ୍ତ ହୋଇ

ସଭାମଧ୍ୟେ ଏକବାକ୍ୟ ନ ପାରଇ କହି

ଏମନ୍ତେ ନୃପତି ଗୁଣ ଦେଖି ଧୃବ ମନେ

ଧାତ୍ରୀ ସଙ୍ଗେନୃପ ସୂନୁ ଗମିଲେ ଭୁବନେ

ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ

ସର୍ପ ପ୍ରାୟ ପୁଣ ପୁଣ ଛାଡଇ ନିଃଶ୍ୱାସ

ମାତାର ସନ୍ନିଧେ ଧ୍ରୁବ ନିଜପୁରେ ଯାଇ

ଅଶ୍ରୁ ବହେ ଲୋଚନୁ କମ୍ପଇ ନିଜଦେହୀ

ଅଶ୍ରୁକଣ୍ଠ କୁଣ୍ଠିତ ବଚନ ଗଦଗଦ

ନ ସ୍ଫୁରଇ ବାକ୍ୟ ମୁଖୁ ଦୁଃଖ ମନେ ଖେଦ

ଏମନ୍ତ ପୁତ୍ର ବଦନ ସୁନୀତି ଅନାଇ

ଛନ୍ନଚିତ୍ତେ ପଚାରିଲେ ଧାତ୍ରୀ ମୁଖ ଚାହିଁ

ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେ

କିମ୍ପା ଏ ରୋଦନକରେ ଅତି ମନସ୍ତାପେ

ମାତାର ବଚନ ଶୁଣି ନୃପତି ନନ୍ଦନ

ଉର୍ଦ୍ଧ୍ୱମୁଖେ ଚାହିଁ କହେ ବିକଳ ବଦନ

ଜନନୀ ଜାଣିଲେ ପୁତ୍ର ଅପମାନ ପାଇ

ପିତାର ସମୀପେ କିବା ଅପମାନ ବହି

ମୁଖଲକ୍ଷ୍ମୀ ଏହାରତ ନ ଦିଶେ ସୁ୍ନ୍ଦର

ଅତିଦୁଃଖେବୁଡିଲା ଯେ ମୋହର କୁମର

ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି

ମୁର୍ଦ୍ଧନି ଆଘ୍ରାଣ କରି ନିଃଶ୍ୱାସ ସଂହରି

ଅତି ମ୍ଳାନ ମୁଖ ଦେଖି ପୁନଃ ପୁନଃ କୋଳେ

ଉଦରେ ଲଗାଇ ପୁଚ୍ଛେ ଅତି ସ୍ନେହଭରେ

ମୁଖେ ଜଳସିଞ୍ଚି ସେ ବଦନୁ ପୋଛେ ଲୁହ

କିମ୍ପା ତୁ ରୋଦନ କରୁ ବେଗେ ବତ୍ସ କହ

ରାଜାର କୁମର ତୁ ଦୁର୍ଲ୍ଲଭ ପ୍ରାଣୀଙ୍କର

ସ୍ୱଭାବେ ସୁନ୍ଦର ଗୁଣ ନିତି ମନୋହର

ତୋତେ ଶୋକ ଦେବାକୁ କେ ଅଛଇ ଜଗତେ

କିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ

ମାତାର ବଚନ ଶୁଣି ଧ୍ରୁବ ଦୁଃଖମନେ

ନିଃଶ୍ୱାସ କୁଣ୍ଠିତ ଅଶ୍ରୁ କଣ୍ଠ ପୂର୍ଣ୍ଣମନେ

ଶୁଣ ଗୋ ଜନନୀ କହୁ ତୋହର ଅଗ୍ରତେ

ରାଜ ମହାଦେଈ ତୁମ୍ଭେ ବୋଲାଅ କେମନ୍ତେ

ସୁରୁଚି ପ୍ରାୟେ ତୁମ୍ଭଙ୍କୁ ଜାଣନ୍ତି ଜଗତେ

ସେ ରାଜାରେ ପ୍ରିୟା ତୁମ୍ଭେ ଦୁର୍ଭାଗୀ କେମନ୍ତେ

କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ

ମୁଁ ଅଧମ ମାତା ସତ ମୋତେ କହ

ନୃପ ସିଂହାସନେ ବସିବାକୁ ବେନି ଭାଇ

ସେ କିମ୍ପା ହୋଇଲା ଯୋଗ୍ୟ ମୋତେ ଭୋଗ ନାହିଁ

ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ

ତୋର ପୁଅ ହୋଇ ମୁହିଁ ଅଧମ କେମନ୍ତେ

ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା

ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା

ଏମନ୍ତ ପୁତ୍ର ବଚନ ଶୁଣିଣ ସୁନୀତି

ପୁତ୍ରର ବିଚାର ପ୍ରଶ୍ନେ ଦୃଢ଼ତର ମତି

ସ୍ତବଧେ ରହି ନିଃଶ୍ୱାସ ଛାଡେ ଧୀରେ ଧୀରେ

ଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ

ସ୍ୱଭାବେ ରାଜନୀତି ସେ କହେ ପୁତ୍ରେ ଚାହିଁ

କହିବି ସକଳ ମନୁ ଦୁଃଖ ଛାଡ଼ ତୁହି

ଜାଣିଲି ନୃପ ସମୀପେ ଅପମାନ କଥା

ଶୁଣ ରେ ସାଧୁ ନନ୍ଦନ ଛାଡି ମନୁ ବ୍ୟଥା

ତୁ ଯେତେ କହିଲୁ ବାବୁ ଏ ଦତ୍ୟ ପ୍ରତ୍ୟକ୍ଷେ

ସୁରୁଚି ବଚନ ଶୁଣି ନୃପବର ପକ୍ଷେ

ସୁରୁଚି ସୌଭଗୀ ସେହି ରାଜ ପାଟରାଣୀ

ସର୍ବ ରାଜ୍ୟପତ୍ନୀଙ୍କ ଉପରେ ଶିରୋମଣି

ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା

ତପ ବଳେ ସ୍ୱାମୀର ସେ ସୁହାଗୀ ହୋଇଲା

ଜାଣିଲି ନିଶ୍ଚୟ ମୋର ପୂର୍ବ ତପ ନାହିଁ

ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ

ପୂର୍ବେ ତୋର ଭାଇ ଯେ ଉତ୍ତମ ତପ କଲା

ତପବଳେ ନୃପ ସିଂହାସନରେ ବସିଲା

ସୁରୁଚି ସୁଭାଗୀ ତପବଳେ ରାଜରାଣୀ

ସର୍ବ ପତ୍ନୀ ମଧ୍ୟେ ସେ ବୋଲାଇ ଇଷ୍ଟରାଣୀ

ଉତ୍ତମ ଉତ୍ତମ ପୁତ୍ର ପୁଣ୍ୟ ତା ଉଦର

ଜନ୍ମିଲା ଉତ୍ତମ ସିଂହାସନେ ଅଧିକାର

ଶୁଣ ହେ କୁମରମଣି ସ୍ଥିର କରି ମନ

ସାବଧାନ ହୋଇ ଶୁଣ ମୋହର ବଚନ

ଯେବା ଭାଗ୍ୟେ ପୂର୍ବଜନ୍ମେ ନାନା ତପ କରି

ନାନାରୂପେ ଭୋଗ ଭୂଞ୍ଜେ ନାନା ଦେହ ଧରି

ଚନ୍ଦ୍ର ଜ୍ୟୋତି ପାଟଛତ୍ର ଚାମର ସମେତେ

ନୃପ ସିଂହାସନେ ବସେ ବାଦ୍ୟନାଦ ଗୀତେ

ସିନ୍ଦୂରେ ମଣ୍ତିତ ଶିର ରାଜବୃନ୍ଦ ମେଳେ

ମନୋଗାମୀ ତୁରଙ୍ଗମ ଚତୁରଙ୍ଗ ବଳେ

ଅନାଦି ବ୍ୟାଧି ଜୀବନେ ଜୟ ଶିତସିମା

ଉତ୍ତମ ସୁଜନେ ତାର ସୁଚିତ୍ତ ମହିମା

ଶୁଭ ରାଜ୍ୟେ ରାଜପଦ ଲଭେ ଅକଣ୍ଟକ

ରାଜା ଯଶ ଗୁଣେ ପୁରେ ଇହ ପରଲୋକ

ହରି ହର ଚରଣେ ସେବଇ ନିତ୍ୟ ନିତ୍ୟ

ଦୁଃଖୀଜନଙ୍କରେ ଦୟା ବହେ ହୃଦଗତ

ନିର୍ମଳ ପବିତ୍ର ଜ୍ଞାନ ନିତ୍ୟ ଯାର ଚିତ୍ତେ

ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧ ଚିତ୍ତେ

ରିପୁ ରାଜ ବର୍ଗ ଜୟ ସତ୍ୟଗୁଣେ ମତି

କାରୁଣ୍ୟ ସମ୍ପନ୍ନ ଦୃଷ୍ଟି ବାଣୀ ଶୁଦ୍ଧାକୃତି

ସର୍ବଦା ନିଶ୍ଚଳେ ସଦଗୁରୁ ପାଦେ ଭକ୍ତି

ସର୍ବଦା ସୁଖ ଯେ ଜାତ ସଂଯୋଗରେ ଶକ୍ତି

ଉପାସନା ମନ ରୁଚି ଅଭୟ ବଚନ

ସଭା ମଧ୍ୟେ ସୁପଣ୍ତିତ ଅତି ବିଦ୍ୟମାନ

ପ୍ରଜାନ୍ତ ତାରଣ ମଧ୍ୟେ ଅତି ବୀରପଣ

ଇହ ପରଲୋକେ ହୁଏ ସୁଯଶ ସ୍ମରଣ

ବନ୍ଧୁ ବର୍ଗେ ଧୀର ପଣେ ଅନୁବ୍ରତ ରହେ

ବାଣିଜ୍ୟେ ଚତୁର ଭାବ ବାକ୍ୟେ ମନ ମୋହେ

ଯୋଷିତ ପ୍ରୟୋଗ ମୃଦୁବଚନ ଭାଷିତ

ବ୍ରାହ୍ମଣ ବିଷୟେ ଚିତ୍ତ ଭଜେ ସବିନୀତ

ସ୍ୱଧର୍ମେ ଜୀବନେ ପୋଷେ ନିଜ ବୃତ୍ତି ରହି

ବୁଦ୍ଧଙ୍କର ଭାବେ ସେ ସା‌ତ୍ତ୍ୱିକେ ମନଦେଇ

ଭାଗୀରଥି ତୀରେ ବାସ ସୁତୀର୍ଥେ ମରଣ

ଅର୍ଥୀ ଭୋଗୀଗଣେ ମୁଖ୍ୟ ଅତିଥି ତୋଷଣ

ବନ୍ଧୁଜନ ତୁଲେ ଭୋଗ କରେ ସମତୁଲେ

ଦାନଦକ୍ଷେ ଦିବସ ଯାହାର ଯାଇ ଭଲେ

ନିଜ ବିଦ୍ୟା ବ୍ୟସନେ ବର୍ତ୍ତଇ ନିରନ୍ତରେ

ନିତ୍ୟେ ସେବାକରେ ତାତ ଜନନୀ ପୟରେ

ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ

ସ୍ୱର୍ଗ ଅପବର୍ଗ ବୁଦ୍ଧି ସର୍ବଗୁଣ ବହେ

ନିତ୍ୟ ମିଳେ ସାଧୁସଙ୍ଗ ମିତ୍ର ସର୍ବଭୂତେ

ଇତିହାସ ପୁରାଣାଦି ଶୁଣେ ଶୁଦ୍ଧଚିତ୍ତେ

ବିପଦର କାଳେ ଧୀରଚିତ୍ତ ହୋଇ ରହେ

ସମ୍ପଦ ଆଗମେ ଧୀରଗାତ୍ରେ ବୁଦ୍ଧି ବହେ

ବିଦ୍ୟା ପଢ଼ି ଗଭୀର ସାଗର ପ୍ରାୟ ରହେ

ପାତ୍ରେ ଦାନ ସମ୍ପଦେ ଉଦାସ ଭାବ ବହେ

ଯଶ ଧର୍ମ ସଞ୍ଚିବାରେ ନିତ୍ୟ କରେ ମତି

ସ୍ୱର୍ଗ ମୋକ୍ଷ ଶୁଦ୍ଧଫଳ ସ୍ୱଭାବେ ଯେ କୀର୍ତ୍ତି

ସାଧୁ ସଙ୍ଗମେଳ ଦୃଢ଼ ନିତ୍ୟ କରେ ଆଶା

ପିତୃ ମାତୃ ପ୍ରାୟେ ଜୀବ ଯେବେ କରେ ବାଞ୍ଛା

ଇତିହାସ ବାଣୀ ଯେହୁ ପୁରାଣ ଶ୍ରବଣେ

ଉତ୍କଣ୍ଠ ସ୍ୱଭାବ ନିତ୍ୟ ବହେ ଅନୁକ୍ଷଣେ

ବିପଦ ଆଗମେ ଯେ ଆପଣେ ବଞ୍ଚେ ଦିନ

ସମ୍ପଦର କାଳେ ଭାଷେ ମଧୁର ବଚନ

ଗଭୀର ବଚନ କହେ ବଚନ ବିକାଶେ

ଉତ୍ତମ ଉଦାର ବୁଦ୍ଧି ପ୍ରାୟେ ଉପଦେଶେ

ଶମ ଦମ ମହତ ଯେ ଶରୀରେ ଧରଇ

ଏତେ ଗୁଣ ବହେ ଯାର ପୂର୍ବଭାଗ୍ୟ ଥାଇ

ଏଣୁ ପୂର୍ବେ ତୋହର ମୋହର ତପ ନାହିଁ

ଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ

ମାନ ଅପମାନ ଯେ ଫଳଇ କର୍ମବଳେ

ଏହା ଜାଣି ପ୍ରାଣୀ ଚିତ୍ତ ନ ରହେ ନିଶ୍ଚଳେ

ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ

ବିଧାତାର ବଳେ କର୍ମ ଅନ୍ୟଥା ନୁହଇ

ଏଣୁ ତୁ ନ କରି ଶୋକ କର୍ମକୁ ଆଦର

ମୋହର ବଚନେ ପୁତ୍ର କୋପ ତୁ ସଂହର

ଏମନ୍ତ ମାତାର ବାକ୍ୟ ସାବଧାନେ ଶୁଣି

ଧ୍ରୁବ ହିଁ ପଣ୍ଡିତ ବାକ୍ୟ ମନେ ମନେ ଗୁଣି

ଜନନୀ ବଦନ ଚାହିଁ ବେନି କରଯୋଡି

କହେ ସୁପ୍ରମୋଦ ବାକ୍ୟ ମାତା ପାଦେ ପଡି

ଧ୍ରୁବଉବାଚ

କହଇ ମଧୁର ବାଣୀ ଜନନୀ ଗୋ ଶୁଣ

ମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ

ପବିତ୍ର ମନୁ ବଂଶରେ ଜନ୍ମ ଯେ ମୋହର

ଉତ୍ତାନପାଦର ବୀର୍ଯ୍ୟେ ତୋହର ଉଦର

ତୁ ଯେ ବୋଲୁ ତପେ ସର୍ବ ସମ୍ପଦ କାରଣ

ତେଣୁ କହୁଅଛି ତୁହି ସ୍ଥିର ମନେ ଶୁଣ

ସଂସାର ଦୁର୍ଲ୍ଲଭ ପଦ ଯଦି ତପେ ପାଇ

ନିଗମ ଦୁର୍ଗମ ବନେ ସାଧିବଇଁ ମୁହିଁ

ଏକମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧ ଚିତ୍ତେ

ଆଶୀର୍ବାଦ ଦିଅ ତପ ସାଧଇ ଯେମନ୍ତେ

ଏମନ୍ତ ନିଷ୍ଠାର ବାଣୀ ଶୁଣି ପୁତ୍ରମୁଖେ

ସୁନୀତି କପାଳେ କର ଦେଇ ମନଦୁଃଖେ

ଏମନ୍ତେ ଧ୍ରୁବର ବାଣୀ ଦୃଢ଼ ଶୁଣି ମାତା

ପୁତ୍ରମୁଖ ଚାହିଁ ମନେ କଲା ଗୁରୁ ଚିନ୍ତା

ବୋଲଇ ମୋହର ଗର୍ଭୁ ଜାତ ଏ କୁମର

ରାଜାର ଆତ୍ମା ସମ୍ଭୂତେ ତେଜେ ପରଖର

କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ ଚରିତ

ତପବଳ ଶ୍ରବଣେ ଦ୍ରବିଲା ଅନ୍ତର୍ଗତ

ତେଜ ବିରାଜଇ ଦେହେ ତପନ ପରାୟେ

ଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ

ଏ କେବେହେଁ ନ ରହିବ ମୋହର ବଚନେ

ନ ଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ

ତାହାର ସୁନ୍ଦର ମୁଖ ନ ଦେଖି ସମ୍ମୁଖେ

ନିମିଷ କୋଟିଏ ଯୁଗ ହୋଇବ ପ୍ରତ୍ୟକ୍ଷେ

କି ବୁଦ୍ଧି ଉପାୟ କରି କେମନ୍ତେ ରଖିବି

ଦୁର୍ଗମ ସଙ୍କଟୁ ଏବେ କେମନ୍ତେ ବଞ୍ଚିବି

ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ

କହଇ ସୁନୀତି ମନ ଦୁଃଖେ ଖେଦ ବହି

ଶୁଣ ପୁତ୍ର ସାବଧାନେ ମୋହର ବଚନ

କେବଳ ଅଟୁ ତୁ ପୁତ୍ର ରାଜାର ନନ୍ଦନ

ତୋତେ ଆଜ୍ଞା ଦେବାରେ ମୋହର ଶକ୍ତି ନାହିଁ

ତୁତ ସପ୍ତ ବର୍ଷ ସୁକୁମାର ତୋର ଦେହୀ

ତଥାପି କହିବି ଶୁଣ ସାବଧାନ ଚିତ୍ତେ

ରାଜାର ଭୁବନେ ଅଛି ସପତ୍ନୀ ଆୟତ୍ତେ

ତାର ବାକ୍ୟ ନିର୍ଘାତେ ମୋହର ଚିତ୍ତ ଦହେ

ଗିରିରୁ ସ୍ରବିଲା ପ୍ରାୟ ଅଶ୍ରୁଧାରା ବହେ

ଏବେ ତୋର ବନଗତି ଶୁଣି ମୋର ମନ

ଅଧିକେ ସ୍ରବଇ ଯେ ଲୋତକ ମୋ ନୟନ

ନଦୀପ୍ରାୟ ବହେବାରି କେବେହେଁ ନ ରହେ

କହ ପୁତ୍ର ଏବେ ମୁଁ କି କରିବି ଉପାୟେ

ସ୍ୱଭାବେ ମୁଁ ଏକ ପୁତ୍ରୀ ରାଜାର ଭବନେ

ପ୍ରାଣ ଦେହ ଧରଇ ତୋହର ଦରଶନେ

ମୋହର ତୁ ଅନ୍ଧଯଷ୍ଟି ତୋର ପଛେଥାଇ

ବାଡ଼ି ହସ୍ତୁ ଗଲେ ଅନ୍ଧ କେମନ୍ତେ ବଞ୍ଚଇ

ପୁତ୍ରଜନ୍ମ ନୋହିଲାରୁ ମୋର ମନେ ବ୍ୟଥା

ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା

କୁଚ୍ଛ ଚାନ୍ଦ୍ରାୟଣ ଉପାସିଣ ବ୍ରତ କଲି

ସେ ତପ ସାଧନ୍ତେ ପୁତ୍ର ତୋତେ ମୁଁ ପାଇଲି

ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ

ସମୁଦ୍ରେ ତରଙ୍ଗ ପ୍ରାୟ ଉଲ୍ଲୋଳ ନୟନ

ଆନନ୍ଦେ ପୟ ଯେ ପୂରେ ମୋର ବେନି ସ୍ତନ

ଗଳିତ ହୁଅଇ ଦେଖି ତୋହର ବଦନ

ତୋର ମୁଖ ନ ଦେଖି ମୋହର ଅଙ୍ଗତାପେ

ତକ୍ଷଣେ ଶୀତଳ ହୋଏ ମିଳିଲେ ସମୀପେ

ମୋହର ହୃଦରେ ତୁ ନିଦ୍ରିତ ସ୍ତନ୍ୟପାନେ

ବସ୍ତ୍ର ଆରୋହିତ ଦୁଗ୍‍ଧବୋଧିତ ବଦନେ

ତୋହର ଶୀତଳ ବାକ୍ୟ କର୍ଣ୍ଣେ ଶୁଭେ ଯେବେ

ସପତ୍ନୀର ବାକ୍ୟ ତାପ ହୃଦରେ ନ ବାଧେ

ବିଳମ୍ବ ତୋହର ନିଦ୍ରା ଦେଖି ମୋର ଚିତ୍ତ

ପଦ୍ମ ଯେହ୍ନେ ଚାହୁଁ ଥାଇ ସୂର୍ଯ୍ୟର ଉଦିତ

ବାଳକଙ୍କ ସଙ୍ଗେ କ୍ରୀଡ଼ା କରିବାର ଅର୍ଥେ

ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ

ତୋହର ବିଳମ୍ବେ ହୃଦେ ବେନି ସ୍ତନ ମୋର

ଉନ୍ମୁଖେ ଝରଇ ଯେହ୍ନେ ମେଘ ଜଳଧାର

ତୁ ମୋର ତପସ୍ୟା ଅର୍ଥେ ଯେବେ ଯିବୁ ହଟେ

ମୋର ପଞ୍ଚପ୍ରାଣ ଯେ ମିଳିବ କଣ୍ଠତଟେ

ଅତି ତାପେ ତାପିବି ଯେ ତୋହର ଗମନେ

ଏକାନ୍ତ କୁମରମଣି ଜନନୀ ବଚନେ

ବିଷ୍ଣୁର ପୟରେ ହୃଦେ କରି ନମସ୍କାର

ମଙ୍ଗଳ ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର

ଜନନୀର ମନ ଯେ ପୁତ୍ରର ପଛେ ଗଲା

ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା

ବାଳକ ବାଳ ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ

ଅନୁକୂଳ ପବନ ବହିଲା ଅକସ୍ମାତେ

ପବନେ ଚଳିତ ବନଲତା ତରୁଗଣ

ହସ୍ତ ପ୍ରସାରିଲା ପ୍ରାୟ କରନ୍ତି କଲ୍ୟାଣ

କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରି

ଜନନୀ ଚରଣ ବେନି ହୃଦଗତେ ଧରି

ଭୂମିକି ଅନାଇ ଯେ ଅନେକ ଦୂର ଗଲା

ଗହନ କାନନ ରାଜପଥ ନ ଜାଣିଲା

ନ ଭକ୍ଷିଣ ତୃଷିତ ବାଧିତ ଦୁଃଖମନେ

ବୃକ୍ଷ ମୂଳେ ବସିଲା ଆଦିତ୍ୟ ଅବସାନେ

ବାଳକ ଭାବଇ ମନେ ଦଶଦିଗ ଚାହିଁ

କାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ

ବେନି ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ

ବଣଜନ୍ତୁ ଭୟେ ଧ୍ରୁବ ପୁଣିହିଁ ଅନାଇ

ତା’ର ପୂର୍ବ ତପବଳେ ସେ ଘୋର କାନନେ

ସାୟଂକାଳେ ସମୀପେ ମିଳିଲେ ମୁନିମାନେ

ପର୍ବତ କାନନେ ଦ୍ରୁମ ଜଳ ଅଗ୍ନିପଥେ

ବାଳବୃଦ୍ଧ ବନିତା ଦୁର୍ବଳ ବ୍ୟାଧିଗ୍ରସ୍ତେ

ପୂର୍ବ ଭାଗ୍ୟଥିଲେ ପ୍ରାଣୀ ଦୁସ୍ତରୁ ତରନ୍ତି

ଭାଗ୍ୟହୀନେ ଗୃହେ ଯତ୍ନ କରନ୍ତେ ମରନ୍ତି

ଦେଖ ତାର ଭାଗ୍ୟବଳ ସପ୍ତଋଷି ଗଣେ

ସମୀପେ ମିଳିଲେ ଆସି ଭୟଙ୍କର ବନେ

ରାଜାର କୁମର ଅବା କାହିଁ ବନବାସ

ଦୈବର ଘଟନ ଦେଖ ଧର୍ମର ବିଶ୍ୱାସ

ଏଣୁ ନିଜ କର୍ମକୁ କରିବ ନମସ୍କାର

ଯାହାର ଉପରେ ନାହିଁ ପ୍ରଭୁ ଅଧିକାର

ଯାହାର ଯେ ଶୁଭାଶୁଭ ପୁଣ୍ୟଫଳ ଥାଇ

ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ

ଭବିଷ୍ୟତ ରଜ୍ଜୁବନ୍ଧେ କରି ଆକର୍ଷଣ

ନାନାସ୍ଥାନେ କରୁଥାଇ ଭବିଷ୍ୟ କାରଣ

ଶରୀର ସମ୍ପଦ ବିତ୍ତ ବିବିଧ ଚେଷ୍ଟିତ

ତେଜୋବଳ ଉଦ୍ୟମ ସେ ସହାୟ ପ୍ରମଥ

ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇ

ପୂର୍ବେ ନ ଅର୍ଜିଲେ ଲାଭ ନ ପାଇଟି କାହିଁ

ଚକ୍ଷୁ ମଳି ଚାହାନ୍ତେ ଦେଖିଲା ମୁନିଗଣ

ତେଜ ବିରାଜଇ ଯେହ୍ନେ ସୂର୍ଯ୍ୟର କିରଣ

ଭାଗ୍ୟ ଜାତ ଆକ୍ରୋଶେ ମିଳିଲେ ସର୍ବମୁନି

ଲଲାଟେ ତିଳକ ଦଣ୍ଡ ପ୍ରଭା କରେ ଘେନି

କୃଷ୍ଣାଜିନ ପରିଧାନ ପବିତ୍ର ଉତ୍ତରୀ

ଉନ୍ମୀଳ ଲୋଚନ ଅକ୍ଷସୂତ୍ର ଦଣ୍ଡଧାରୀ

ଅକସ୍ମାତେ ମିଳିଲେ ଅଗାଧ କ୍ଷୀରନିଧି

ଆଦିମାତା ଜାଣି ଜ୍ଞାନଗୁଣେ ଯେ ପ୍ରସିଦ୍ଧି

ଅମୃତ ବଚନ କି ବଦନେ ବରଷନ୍ତି

କ୍ଷୀରନିଧି ମଧ୍ୟେ ହ୍ରାସ ପ୍ରାୟ ସେ ଦିଶନ୍ତି

ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖି

ସଂଭ୍ରମ ଚିତ୍ତେ ଉଠିଲା ଆସନ ଉପେକ୍ଷି

କପାଳେ କର ସଂପୁଟ ଦେଇ ଦୃଢ଼ ମନେ

ମୁନିଙ୍କି ପ୍ରଣାମ କଲା ହରଷ ବଦନେ

ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡି

କହଇ କୋମଳ ବାଣୀ ବିନୟ ଆଚରି

ଉତ୍ତାନପାଦ ବୀର୍ଯ୍ୟରେ ସୁନୀତି ଉଦରେ

ଶରୀର ବହିଲି ମୁହିଁ ଏ ଘୋର ସଂସାରେ

ଧ୍ରୁବ ନାମ ବୋଲାଇ ଅଧ୍ରୁବ ନାମ ମୋର

ନିର୍ମଳ ମାନସେ ମୁହିଁ ମନ୍ଦିରୁ ବାହାର

ଅନାଥ ହୋଇ ମିଳିଲି ଏ ଘୋର କାନନେ

ସନାଥ ହୋଇଲି ଏବେ ତୁମ୍ଭ ଦରଶନେ

ନିରାଶ ଶରୀର ମୋର ଏଣେ କାର୍ଯ୍ୟ ନାହିଁ

ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ

ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ ରାଶି

ଏବେ କଲି ଚିତ୍ତ ନୃପ ସିଂହାସନେ ବସି

ଏଣୁ ମୁଁ ନିରାଶ ଚିତ୍ତେ ପଶିଲି ବନସ୍ତେ

ସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ

ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେ

ତା’ର ମୁଖ ଚାହିଁ ସେ କହନ୍ତି ଜଣେ ଜଣେ

ସ୍ୱଭାବେ ମଧୁରାକୃତି ଦେଖି ତା ବଦନ

ସୁଧାରୁ ଅଧିକ କହେ ମଧୁର ବଚନ

ଅତି ଦୟାଚିତ୍ତେ ବସି ଧ୍ରୁବର ସମୀପେ

ଦୟା ଚିତ୍ତେ ମୁନିଏ ବୋଲନ୍ତି ଏକେ ଏକେ

ଋଷିରୁବାଚ

ଆହେ ବାଳ ବିଶାଳାକ୍ଷ ମହାରାଜ ସୁତ

ବିଚାରି ନ ପାରିଲୁ ତୋହର ଅନ୍ତର୍ଗତ

ନିବେଦନ କାରଣ ଆମ୍ଭର ଆଗେ କହ

ତୋର ବାକ୍ୟେ ଆମ୍ଭଙ୍କୁହିଁ ଲାଗିଲା ସନ୍ଦେହ

ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁ

ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି

ଅଧି ବ୍ୟାଧି ନ ଦେଖୁତ ତୋହର ଶରୀରେ

ନିବେଦ୍ୟ କାରଣ କହ ଆମ୍ଭର ଆଗରେ

ଯୁବାକାଳେ ଭୋଗ ଯେବେ ନ ପାଆନ୍ତି ନରେ

ସ୍ୱଭାବେ ବୈରାଗ୍ୟ ଜନ୍ମ ହୁଅଇ ଶରୀରେ

ସପ୍ତଦ୍ୱୀପ ମଧ୍ୟରେ ତୁ କୁମର ସ୍ୱଭାବେ

କି କାରଣେ କାନନେ ପଶିଲୁ ବାଳଭାବେ

ଯୁବାନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ

ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ

ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନ

ଗଦ ଗଦ ବାକ୍ୟେ କହେ ନୃପତି ନନ୍ଦନ

ଶୁଣ ହେ ସକଳ ବ୍ରହ୍ମ ମୁନିଗଣ ଧୀରେ

ନିବେଦ୍ୟ କାରଣ କହେ ତୁମ୍ଭର ଛାମୁରେ

ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା

ମୋର ଧାତ୍ରୀ ପିତା ଆଗେ ନେଇ ବସାଇଲା

ପିତାଙ୍କ ଚରଣେ ମୁହିଁ ନମସ୍କାର କରି

ଉଭା ହୋଇଅଛି ମୁଁ ଧାତ୍ରୀର ବସ୍ତ୍ର ଧରି

ମୋର ଭାଇ ଉତ୍ତମକୁ ଦେଖି ପିତା କୋଳେ

ମୁହିଁ ଧରିବାକୁ ଯାଇ ଧଇଲି ଅଞ୍ଚଳେ

ତାହା ଦେଖିଣ ସୁରୁଚି ମୋ ମାତା ସପତ୍ନୀ

ଅନେକ ଭର୍ତ୍ସନା କଲା ସଉତୁଣୀ ଘେନି

ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ

ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ

ଅଭାଗିନୀ ଗର୍ଭୁ ହେଲା ଜନମ ତୋହର

ଦେଖ ଅତି ଭାଗ୍ୟବନ୍ତ ମୋହର କୁମର

ଏ ଗର୍ଭେ ଜନ୍ମିଲେ ନୃପ ସିଂହାସନ ପାଇ

ମୋର ଗର୍ଭେ କିମ୍ପା ଜନ୍ମି ନ ଲଭିଲୁ ତୁହି

ତୋହର ମାତାର ପୂର୍ବେ କିଛି ପୁଣ୍ୟ ନାହିଁ

ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ

ଦୁର୍ଭାଗୀର ପୁତ୍ର ହୋଇ ନୃପ ସିଂହାସନେ

ତୋର ପୁଣ୍ୟ ନାହିଁ ଏବେ ବସିବୁ କେସନେ

ଏମନ୍ତ ପ୍ରକାରେ ମୋର ମାତା ନିନ୍ଦା କଲା

ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା

ମୁଁ କାନ୍ଦି କହିଲି ନିଜ ଜନନୀ ଅଗ୍ରତେ

ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ

ବୋଇଲେ ସଂସାରେ ସାର ତପସ୍ୟା କରିଣ

ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର ଧାରଣ

ନୃପ ସିଂହାସନେ ଯେବେ ବାଞ୍ଛା ଅଛି ତୋର

ଏବେ ନରଦେହେ ପୁତ୍ର ତପ ସିଦ୍ଧ କର

ଏମନ୍ତ ଜନନୀ ମୁଖୁଁ ପାଇ ଉପଦେଶ ପାଇ

ତପସାଧେ ଘୋରବନେ ପ୍ରବେଶ ହେଲଇଁ

ନିବେଦନ କାରଣ କହିଲି ତୁମ୍ଭ ଆଗେ

ପଶି ବନେ ଭାଳଇ ମୁଁ ବାଳକ ସ୍ୱଭାବେ

ଏମନ୍ତ ଧ୍ରୁବର ବାକ୍ୟ ମୁନିଗଣ ଶୁଣି

ଅନ୍ୟୋନ୍ୟରେ ଚାହିଁ ସେ କହନ୍ତି ମନେ ଗୁଣି

ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର

ପୁଣି ଧ୍ରୁବ ମୁଖ ଚାହିଁ କହନ୍ତି ମଧୁର

ଆମ୍ଭର କି ସାଧ୍ୟ କର୍ମ ତୋର ଉପକାର

ନିର୍ଣ୍ଣୟ କରିଣ କହ ଆମ୍ଭର ଆଗର

ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେ

ଭ୍ରାନ୍ତି ଛାଡିକରି କହ ଆମ୍ଭର ଅଗ୍ରତେ

ଶୁଣିମା ଭୋ ମୁନିଜନେ ମୋର ମନୋରଥ

ପିତାର ଦୁର୍ଲ୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ

ପିତାର ସମୀପେ ବସେ ନୃପ ସିଂହାସନେ

ତାହାକୁ ମୋହର କିଛି ଆନ ନାହିଁ ମନେ

ତୁମ୍ଭେ ମୋତେ ସାହା ହୁଅ ଏ ଘୋର କାନନେ

ଉପଦେଶ କୁହ ମୁନି ନିସ୍ତାରେ ଯେସନେ

ଶରୀର ବାଳକ ମୋର ବୁଦ୍ଧି ବାଳ ନୁହେଁ

କହିଲି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ

ମୋର ମନ କହେ ତୁମ୍ଭେ ଶୁଣ ମୁନିଗଣେ

ଯେବେ ଅଭିମାନେ ମୁଁ ପଶିଲି ଘୋରବନେ

ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ

ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୁହଇ

ତ୍ରିଲୋକ ଉପରେ ସର୍ବବନ୍ଦିତ ଯେ ସ୍ଥାନ

ତହିଁ ବସିବି ନିଶ୍ଚିନ୍ତେ କଳ୍ପଇ ମୋ ମନ

ମୋର ପିତୃ ପିତାମହ ଯାହା ନ ପାଇଲେ

କଳ୍ପ କଳ୍ପାନ୍ତରେ ଯାହା ନ ପାଇବେ ଭଲେ

ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ

ତହିଁର ଉପାୟ ମୋତେ କହ ଭାବ ବହି

ଧନ ରାଜ୍ୟ ଭୋଗ ମୋର ପ୍ରୟୋଜନ ନାହିଁ

ଏତେ କହି ମୁନିଙ୍କ ଚରଣେ ପ୍ରଣମଇଁ

ଧ୍ରୁବର ବଚନ ଶୁଣି ସର୍ବ ମୁନିଗଣେ

ଅନ୍ୟୋନ୍ୟରେ ମିଳି ସେ କହନ୍ତି ତୋଷମନେ

ମରୀଚି ଉବାଚ

ଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେ

ଯେ ସର୍ବବେଦ ପୁରାଣ ଶାସ୍ତ୍ର ଅନୁଭବେ

ବିଷ୍ଣୁର ଚରଣେ ସେବା ଯେ କରେ ନିଶ୍ଚୟେ

ଇହ ପରଲୋକେ ସେ ବାଞ୍ଛିତ ଫଳ ପାଏ

ଅନ୍ୟ ଦେବଙ୍କର ବର ଅନୁଭବେ ସରେ

ବିଷ୍ଣୁର ପ୍ରସନ୍ନେ ଭୋଗ ଭୁଞ୍ଜେ ନିରନ୍ତରେ

ଅତ୍ରି ଉବାଚ

ଅତ୍ରି କହେ ଶୁଣ ବାବୁ ସୁନୀତି କୁମର

ନାରାୟଣ ସନ୍ତୋଷେ ନିର୍ମଳ ତପ କର

ସେ ନାରାୟଣ ପ୍ରଭୁ ଯାହାକୁ ତୋଷ ହୋଇ

ମନର ବାଞ୍ଛାରୁ ସେ ଅଧିକେ ଫଳ ପାଇ

ଅକ୍ଷୟ ସ୍ଥାନରେ ତୁ ହୋ ପାଅ ଅଧିକାର

ବିଘ୍ନକରି ନ ପାରନ୍ତି ଶିବ ସିଦ୍ଧ ସୁର

ଏ ସତ୍ୟ ବଚନ ମୋର କର ହରି ଧ୍ୟାନ

ଅଳ୍ପଦିନେ ଲଭିବୁ ଅକ୍ଷୟ ଦିବ୍ୟ ସ୍ଥାନ

ଅଙ୍ଗିରା ଉବାଚ

ଅଙ୍ଗିରା କହନ୍ତି ଶୁଣ ନୃପତି କୁମର

ଭାବେଶ ଗୋବିନ୍ଦଙ୍କ ଚରଣେ ଆଶ୍ରେ କର

ବିଶ୍ୱ ବାହ୍ୟାଭ୍ୟନ୍ତରରେ ଯାହାର ନିବାସ

ଆତ୍ମାରୂପେ ସର୍ବଭୂତେ ଯାହରା ଆବାସ

ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର

ସର୍ବଭାବେ ବିଷ୍ଣୁର ଚରଣେ ଆଶ୍ରା କର

ପୁଲହ ଉବାଚ

ପରଂବ୍ରହ୍ମ ପରଂଧାମ ପରାପର ନାହିଁ

ବିଶ୍ୱ ବାହ୍ୟ ଅଭ୍ୟନ୍ତରେ ଯାର ବିଶ୍ୱଦେହୀ

ସେ ହରି ଚରଣେ ଆଶ୍ରେ କର ଦୃଢ଼ ଚିତ୍ତେ

ତ୍ରୈଲୋକ୍ୟ ଦୁର୍ଲଭ ସ୍ଥାନ ଲଭିବୁ ଯେମନ୍ତେ

କ୍ରତୁ ଉବାଚ

କ୍ରତୁ କହେ ଶୁଣ ବୀର ମୋହର ବଚନ

ଯେ ଯଜ୍ଞ ପୁରୁଷ ଭୁଞ୍ଜେ ଏ ତିନି ଭୁବନ

ତାହାର ପ୍ରସନ୍ନେ ସେ ଦୁର୍ଲ୍ଲଭ ଲଭେ ପ୍ରାଣୀ

ମୁଁ ଏହା ଜାଣଇ ସର୍ବ ଶାସ୍ତ୍ର ପରମାଣି

ପୌଲସ୍ତ୍ୟ ଉବାଚ

ପୌଲସ୍ତ୍ୟ କହନ୍ତି ଧ୍ରୁବ ଶୁଣ ଏକ ଚିତ୍ତେ

ଇନ୍ଦ୍ରାଦି ଦୁର୍ଲ୍ଲଭ ସ୍ଥାନ ଲଭିବୁ ଯେମନ୍ତେ

ଘୋର ତପେ ବିଷ୍ଣୁର ଚରଣେ ଆଶ୍ରେ କର

ଦୁର୍ଲଭ ଆସନେ ବସି ଭୁଞ୍ଜ ଭୋଗ ସାର

ବଶିଷ୍ଠ ଉବାଚ

ବଶିଷ୍ଠ କହନ୍ତି ଶୁଣ ନୃପତି ନନ୍ଦନ

ତପୋବଳେ ବାସୁଦେବ କର ଦୃଢ଼େ ଧ୍ୟାନ

ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧର

ତାହାର ପ୍ରସନ୍ନେ କି ଦୁର୍ଲ୍ଲଭ ଅଗୋଚର

ଧ୍ରୁବ ଉବାଚ

ଶୁଣି ବେନିକର ଧ୍ରୁବ ଶିରେ ଦେଇ ତୋଷେ

ପୁନଃ ପୁନଃ ପ୍ରଣମିଲା ଭକ୍ତିର ବିଶ୍ୱାସେ

ତୁମ୍ଭ ଉପଦେଶେ ଯେବେ ହରିଙ୍କୁ ଭଜିବି

ଉପାୟ କହିବା ମୋତେ କେମନ୍ତେ ପାଇବି

ସାଂଖ୍ୟଯୋଗେ କିବା ଜପ ତପ ମନ୍ତ୍ରଧ୍ୟାନେ

ପ୍ରାଣାୟାମ ବଳେ କିବା ନିଶ୍ଚଳ ଆସନେ

କେମନ୍ତେ ପାଇବି ଅଳ୍ପଦିନେ ତପ କରି

ସ୍ୱଭାବେ ବାଳକ ମୁହିଁ ଦୁଃଖୀ ଦୁରାଚାରୀ

ଯେ ଆରାଧନେ ଭଜିବି ହରିଙ୍କ ଚରଣ

ପ୍ରସନ୍ନ ବଦନେ ମୋତେ କହ ମୁନିଗଣ

ଋଷିଗଣ ଏମନ୍ତ ବାଳକ ବାକ୍ୟ ଶୁଣି

ସପ୍ତ ଋଷିଗଣେ ଏକଚିତ୍ତେ ପରିମାଣି

ଋଷୟ ଉଚୁଃ

କହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର

ଯେଉଁ ଆରାଧନେ ଭବୁଁ ନିସ୍ତରନ୍ତି ନର

ପ୍ରତ୍ୟାହାର ବିଷୟ ବଳେ ସେ ଇନ୍ଦ୍ରିଗଣ

ବାହାର ଭିତରେ ମନେ କରନ୍ତି ଗମନ

ଇନ୍ଦ୍ରିଙ୍କ ବିଷୟ ମନ ନିଶ୍ଚଳେ ନିରୋଧି

ଗୁରୁବାକ୍ୟ ସାଧନ ବିଧାନ ଏ ପ୍ରସିଦ୍ଧି

ଜାଗ୍ରତ ସ୍ୱପ୍ନ ମଧ୍ୟେ ତୁରୀୟ ଭୂମିସ୍ଥାନେ

ପଞ୍ଚପ୍ରାଣ ନିରୋଧନ କର ତ‌ତ୍ତ୍ୱଜ୍ଞାନେ

ବାହ୍ୟ ଅନ୍ତେ ଜଳ ଘଟେ ଗଗନ ଯେସନେ

ସେହି ଭାବେ ସର୍ବ ଘଟେ ଦେଖି ଦିବ୍ୟଜ୍ଞାନେ

ନାଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗୁଳେ

ପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ

ଦ୍ୱାଦଶ ପାଖୁଡ଼ା ମଧ୍ୟେ ଷଡ଼ ଯେ କେଶର

ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ଦିଶେ ମଣ୍ତଳ ଆକାର

ତାର ମଧ୍ୟେ ଧ୍ୟାନକରି ଚିନ୍ତ ଦିବ୍ୟରୂପ

ସର୍ବ ଭୂତାଶ୍ରୟ ଯେ ପୁରୁଷୋତ୍ତମ କଳ୍ପ

ସେହି ସ୍ଥାନେ ବସ ତୁ ଆସନ ଦୃଢ଼କରି

ନାରାୟଣ ମନ୍ତ୍ର ଯେ ଜପ ତୁ ହୃଦେ ଧରି

ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୂବ ମନୁ

ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ

ସାଧୁଜନେ ଏହିଭାବେ କର ଦୃଢ଼ଚିତ୍ତ

ସଂସାର ନିସ୍ତାରେ କହେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତେ

ଅଷ୍ଟମୋଽଧ୍ୟାୟଃ ।

•••

 

ନବମ ଅଧ୍ୟାୟ

 

ସୁତ ଉବାଚ

ଘୋରବନେ ରାତ୍ରକାଳେ ଯାନ୍ତି ମୁନିଜନେ

ଅନ୍ତରୀକ୍ଷ ବାଣୀ ତାଙ୍କୁ ଶୁଭିଲା ଗଗନେ

ମଧୁବନ କାଳିନ୍ଦୀ ଦକ୍ଷିଣ ତଟେ ରହି

ନିଶ୍ଚଳ ଆସନେ ତପ ସାଧ୍ୟ କର ତୁହି

ଅନ୍ତରୀକ୍ଷ ବଚନ ଶୁଣିଲା ଯହୁଁ ଚିତ୍ତେ

ତକ୍ଷଣେ ନମିଲା ସେ ମୁନିଙ୍କ ପାଦଗତେ

କୃତକୃତ୍ୟ ହୋଇ ଯେ ବାଳକ ଅରକ୍ଷିତ

ସେ ବନୁ ଚଳିଲା ଦୃଢ଼ଚିତ୍ତେ ଦୂର ପଥ

ମନ ସଙ୍ଗମେଳେ ଯେ ଯମୁନା ତଟେ ଯାଇ

ଅନ୍ତରୀକ୍ଷ ବାଣୀ ଚିନ୍ତେ ଗଗନକୁ ଚାହିଁ

ମଧୁ ନାମେ ଦୈତ୍ୟ ଅଧିଷ୍ଠିତ ପୂର୍ବେ ଥିଲା

ସେ କାରଣୁ ମଧୁବନ ନାମ ସେ ପାଇଲା

ବିଷ୍ଣୁ ସମ ଧାମ ସେ ବୋଲାଇ ଯୁଗେ ଯୁଗେ

ତାର ପୁତ୍ର ଲବଣ ଯେ ଥିଲା ବନ ଭାଗେ

ଶତ୍ରୁଘନ ରୂପେ ତାକୁ ମାରି ଚକ୍ରଧର

ଗ୍ରାମେ ବସାଇଲେ ନାମ ମଥୁରା ନଗର

ସର୍ବପାପ ହରଇ ଯମୁନା ଜଳେ ଯହିଁ

ତାର ତୀରେ ବସିଲା ନିଶ୍ଚଳେ ଧ୍ରୁବ ଯାଇ

ମୁନିଙ୍କର ଉପଦେଶ ସୁମରେ ନିଶ୍ଚଳେ

ଯମୁନାର ତୀରେ ସେ କଦମ୍ୱ ତରୁତଳେ

ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲା

ହରି ଅନୁଗ୍ରହେ ମନ ନିଶ୍ଚଳେ ରହିଲା

ଅଶେଷ ଦେବ ଈଶ୍ୱର ବିଷ୍ଣୁ ତା ହୃଦୟେ

ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ

ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେ

ସର୍ବଗତେ ସର୍ବଭାବେ ସର୍ବ ଜୀବମୟେ

ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରି

ବିଷ୍ଣୁର ଚରଣେ ଚିତ୍ତେ ଅତି ଦୃଢ଼େ ଧରି

ମନେ ବିଚାରଇ ଏ ଆସନେ କାର୍ଯ୍ୟନାହିଁ

ଊର୍ଦ୍ଧ୍ୱ‌ ମୁଖେ ଊର୍ଦ୍ଧ୍ୱବାହୁ ତପ ସାଧିବଇଁ

ଏମନ୍ତ ବିଚାରି ସେ ଆସନୁ ଉତୁରିଲା

ଦକ୍ଷିଣ ଚରଣ ସେ ମେଦିନୀପୃଷ୍ଠେ ଦେଲା

ସମସ୍ତ ଧରିତ୍ରୀ କମ୍ପେ ଧ୍ରୁବ ପାଦଭରେ

ବନଗିରି ଜଳଧି ସହିତେ ଯା ଶରୀରେ

ବାମ ପାଦଭରେ ଊର୍ଦ୍ଧ୍ୱେ ନମିଲା ଧରଣୀ

ପୁଣି ଧ୍ରୁବ ଦ୍ୱିତୀୟ ଚରଣ ସ୍ଥାପେ ଆଣି

ବାମପାଦ ଅଙ୍ଗୁଷ୍ଠି ଅଗ୍ରରେ ଭାର ଦେଇ

ବାମ ଜାନୁ ଉପରେ ଦକ୍ଷିଣପାଦ ଥୋଇ

ପାଦ ଅଙ୍ଗୁଷ୍ଠିରେ ଧ୍ରୁବ ନିଶ୍ଚଳେ ରହିଲା

ଧ୍ରୁବର ଚରଣ ଭରେ ଅବନୀ କମ୍ପିଲା

ପର୍ବତ ଆଦି ଯେ ବନ ଜଳଧି ସହିତେ

କମ୍ପଇ ଧରଣୀ ରମ୍ଭାବୃକ୍ଷ ଯେହ୍ନେ ବାତେ

ଦଶଦିଶ କମ୍ପିଲା କମ୍ପିଲେ ଦିଗପାଳେ

ବିଚାରିଲେ ଧ୍ରୁବର ତପସ୍ୟା ଭଙ୍ଗ ଫଳେ

ତେବେ ନିଜ ଅଧିକାରେ ରହିବା ସକଳେ

ଯଦ୍ୟପି ଏହାର ତପ ରହିବ ନିଶ୍ଚଳ

ଚତୁର୍ଦ୍ଦଶ ଲୋକ ଯହି ଏହାରେ କମ୍ପିଲେ

ଧ୍ରୁବ ତପ ଭଗ୍ନ ଯିବ କି ଉପାୟ କଲେ

ମହାଘୋର ତପ କରେ ସୁନୀତିର ବାଳେ

ଦେବଙ୍କର ମାନସ କମ୍ପିଲା ଅନ୍ତରାଳେ

ଯମ ଆଦି ଦେବଗଣ ପରମ ଆକୁଳେ

ଇନ୍ଦ୍ରର ସଙ୍ଗତେ ବସି ଭାଳିଲେ ସକଳେ

ଏମନ୍ତ ବିଚାରି ଦେବେ ରହିଲେ ଚକିତେ

ଧ୍ରୁବର ନିଶ୍ଚଳ ତପ ବିଷ୍ଣୁ ପାଦଗତେ

ପରଂବ୍ରହ୍ମ ଅନାମୟ ବାସୁଦେବ ଯନ୍ତ୍ରେ

ଆଗମ ନିଗମ ପଥ ଯଥା ତନ୍ତ୍ର ମନ୍ତ୍ରେ

ବାସୁଦେବ ପ୍ରାୟ ସେ ଯେ ଜଗତ ଦେଖଇ

ଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ସହି

ସର୍ବଘଟେ ସର୍ବଭାବେ ଦେଖେ ହରି ରୂପ

ସର୍ବଦିଗେ ଅନଳ ପବନ ସର୍ବଘଟ

ବନଗିରି କନ୍ଦରେ ଯେତେକ ପଶୁଯୂଥ

ବରୁଣ ଭୁବନେ ଜଳଜନ୍ତୁ ଯେ ସମସ୍ତ

ଅଶ୍ୱ ଗଜ ସହିତେ ରାଜନ ପୁରେ ଯେତେ

ବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ

ପାତାଳେ ଅନନ୍ତ ରୂପ ଗଗନେ ଅନନ୍ତ

ଏକରୂପେ ରୂପଭେଦ କେ କରିବ ଅନ୍ତ

ଜୀବଙ୍କର ଦେହେ ନିତ୍ୟ ଯେ ଦେବ ବସନ୍ତି

ତାର ନିଜ ଦେହରେ ଦେବଙ୍କର ବସତି

ବିଶ୍ୱବ୍ୟାପୀ ଧାତାର ଗୋଚର ଅର୍ଥେ ଯେହୁ

ଏଣୁ ବ୍ୟାପୀ ଅଛିଦ୍ର ମହିମା କେହୁ କହୁ

ଏହି ଅର୍ଥେ ମନ ଯାର ବିଷ୍ଣୁ ଉଚ୍ଚାରନ୍ତି

ସର୍ବଭୂତେ ରହିଛନ୍ତି କେହି ନ ଜାଣନ୍ତି

ସର୍ବଜନ୍ତୁ ହୃଦଗତେ ରବି ପ୍ରାୟ ଦିଶେ

ଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷୀକେଶ ଘୋଷେ

ଯାହାର ଯେ ଭକ୍ତଜନ ପ୍ରଳୟେ ନ ମିଶେ

ଏଣୁ ଏ ଅଚ୍ୟୁତ ନାମ ସର୍ବଦେବେ ଘୋଷେ

ଚରାଚର ବିଶ୍ୱଭାବ ହୋଇ ସେ ବିନାଶେ

ଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ

ଧ୍ରୁବର ଲୋଚନ ବିଷ୍ଣୁ ପାଦେ ଲୀନ ଗଲା

କର୍ଣ୍ଣଯୁଗ ବିଷ୍ଣୁର ଶବଦେ ଆଶ୍ରେ କଲା

ବଚନ ରିହିଲା ବିଷ୍ଣୁ ଚରିତ ବର୍ଣ୍ଣନେ

ବିଷ୍ଣୁ ପାଦପଦ୍ମ ଗନ୍ଧ ନାସାରନ୍ଧ୍ର ଜାଣେ

ହସ୍ତ ବେନି ସେ ଭାବେ ଯେ ହୋଇଲେ ଅର୍ପିତ

ପଦ ବେନି ଗୋବିନ୍ଦ ଭୁବନେ ଉପଗତ

କର୍ମେନ୍ଦ୍ରିୟ ରମିଲା ପରମବ୍ରହ୍ମ ରସେ

ଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ

ଶଦ୍ଦ ସ୍ପର୍ଶ ରସ ରୂପ ଗନ୍ଧ ଆଦି ଯେତେ

ବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ

ବାକ୍ୟ ପାଣି ପାଦ ଲିଙ୍ଗ ମୂଳାଧାର ଆଦି

ନିଶ୍ଚଳେ ରହିଲା ଧ୍ରୁବଯୋଗର ସନ୍ନିଧି

ତାର ଘୋରତପ ତେଜେ ସର୍ବ ତପ ଲୀନ

ଅଗ୍ନି ସୁଧାକର ବାୟୁ ଆକାଶ ତପନ

ଧ୍ରୁବର ଉପରେ ଧରା ହୁଏ ରସାଗତ

ତପ ଯଜ୍ଞ ଶରାସନେ ଉଦିତ ସମସ୍ତ

ନିର୍ମଳ ଶୀତଳ ସ୍ୱାଦ ରସ ଯେ ବହନ୍ତି

ସୁଗୁପ୍ତେ ସମୀର ବହେ ଶଦ୍ଦଦ୍ୱାରେ ଚିନ୍ତି

ଯେତେ ରୂପ ପୁଣ ଯେତେ ସୁନ୍ଦର ତ୍ରୈଲୋକ୍ୟେ

ସର୍ବ ଲୀନ ହୋଇଲେ ସୁନୀତି ପୁତ୍ର ପାଖେ

ସମୀର ବହଇ ଯେ ଧ୍ରୁବର ଦେହେ ଲାଗି

ସେ ବାୟୁର ସ୍ପର୍ଶେ ସର୍ବଦିଗ ସୁଖଭାଗୀ

ଅଶେଷ ଶବଦ ଘେନି ଗଗନେ ନିଶ୍ଚଳେ

ଆଶ୍ରେକରି ରହିଲେ ଧ୍ରୁବର କର୍ଣ୍ଣମୂଳେ

ଧ୍ରୁବ ତପ ଦେଖି ଯେ ପବନ ବିଚାରଇ

ମୋର ଲୋକ ତପବଳେ ସଂହରିବ ଏହି

ଏହାର ତପସ୍ୟା ବଳେ ମୁହିଁ କ୍ଷମ ନୁହେଁ

ଏଣୁକରି ଧ୍ରୁବ ଅଙ୍ଗେ ଶୀତ ଉଷ୍ଣେ ବହେ

ଅପସରାଗଣେ ଚାହିଁ ପାରିବୁ ସମାଧି

ଏହିପରି ଭାବନା ସେ କରଇ ଆରାଧି

କାମ କ୍ରୋଧ ଅଛନ୍ତି ଯେ ଆମ୍ଭରି ସଙ୍ଗତେ

କେହି ନ ପାରିବେ ପଶି ଏ ବାଳକ ଚିତ୍ତେ

ଏମନ୍ତେ ସମସ୍ତ ଦେବ ଇନ୍ଦ୍ର ମୁଖ ଚାହିଁ

କହନ୍ତି ସଂଭ୍ରମ ଚିତ୍ତେ ଶିରେ କର ଦେଇ

କି ବୁଦ୍ଧି କରିବା ଏବେ ଶୁଣ ଦେବରାୟ

ଧ୍ରୁବର ତପସ୍ୟା ଭଗ୍ନେ କି ଅଛି ଉପାୟ

ମୁହୂର୍ତ୍ତେ ରହିଲା ଇନ୍ଦ୍ର ଦେବବାକ୍ୟ ଶୁଣି

ତପଭଗ୍ନ ନିମନ୍ତେ ଉପାୟ ମନେ ଗୁଣି

ବୋଇଲେ ସ୍ୱଭାବେ ଏ ବାଳକ ଦେହ ଧରେ

ଭୟଙ୍କର ଭୂତଗଣ ଦେଖି ଅବା ଡରେ

ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି

ଅନ୍ୟ କିଛି ପ୍ରକାରେ ଏହାର ନାହିଁ ଭ୍ରାନ୍ତି

ଆସୁରୀ ମାୟାରେ ଯେବେ ଭଗ୍ନ କରିପାର

ନିଶ୍ଚିନ୍ତେ ଭୁଞ୍ଜିବ ତୁମ୍ଭେ ଯେଝା ଅଧିକାର

ଅନ୍ୟଥା ଉପାୟ ନାହିଁ ସେ ତପର ଭଗ୍ନେ

ଧ୍ରୁବର ତପସ୍ୟା ଯେବେ ଭଗ୍ନ ପ୍ରୟୋଜନେ

ଇନ୍ଦ୍ରର ସଙ୍ଗତେ ଦେବେ ଏମନ୍ତ ବିଚାରି

ଭୂତଗଣେ ଧାଇଁଲେ ଭୀଷଣ ରୂପ ଧରି

ଭଲ୍ଲୁକ ଆକାର ଉଷ୍ଟ୍ର ଖରରୂପ ଧରି

ଲମ୍ବଗ୍ରୀବା ଶିରୋଽଧବ ବଦନ ବିସ୍ତାରି

ଭୂଜ ଦଣ୍ଡାଘାତେ ତରୁ ଭଗ୍ନ ସେ କରନ୍ତି

ଅତି ବେଗବନ୍ତେ ଧ୍ରୁବ ନିକଟେ ମିଳନ୍ତି

ବୃଷଭ ଆକାର ତୀକ୍ଷ୍‌ଣ ଶୃଙ୍ଗେ ଭୂ ବିଦାରି

ମନୋଜବେ ଧାମନ୍ତି ଉନ୍ନତ୍ତ ରୂପ ଧରି

ସର୍ବରୂପ ଧରି ଫଣା ଉଭାରନ୍ତି ବଳେ

ବେନି କଳେ ବେନି ଜିହ୍ୱା ବିଜୁଳି ଚଞ୍ଚଳେ

ଉଦ୍‌ଗାରନ୍ତି ବିଷକଣା ଜଳଦୃଷ୍ଟି ପ୍ରାୟେ

ଏରୂପେ ଧ୍ରୂବ ସମୀପେ ମିଳିଲେ ଥୋକାଏ

ମହିଷ ଆକାରେ ଗିରିଶୃଙ୍ଗ ଅଗ୍ରେ ଧରି

ଉପାଡ଼ନ୍ତି କୋପଭରେ ଲାଙ୍ଗୁଡ଼ ଉଭାରି

ଭୂତଗଣ ଧାମନ୍ତି ବିସ୍ତାରି ମହାକାୟ

ବେନିପାଦ ଦିଶଇ ଖର୍ଜୁର ବୃକ୍ଷ ପ୍ରାୟ

ମୁଖ ବିସ୍ତାରନ୍ତି କିବା ଭାକ୍ଷିବେ ଗଗନ

ନାସା ଅଗ୍ରେ ବହଇ ଅଣଚାଶ ପବନ

ଭଲ୍ଲୁକ ଆକାରେ ପୁଣି ଫୁ ଫୁ ନାଦକରି

ହୃଦୟ କମ୍ପନେ ଧ୍ରୁବ ନିକଟରେ ମିଳି

ଯକ୍ଷିଣୀ ମିଳିଲା ଯେ ହୁଙ୍କାର ନାଦ କରି

ରୋଦନ କରଇ ଶିଶୁ ବେନି ପାଦ ଧରି

ଧ୍ରୁବର ନିକଟେ ଅତି କୋପେ ସେ ମିଳିଲା

ମୃଣାଳ ପ୍ରାୟେକ ଶିଶୁ ମୁଣ୍ତ ଚୋବାଇଲା

ଅଧର ବିସ୍ତାରି ସେ ରୁଧିର ପାନକରି

ଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ

ସୁଲଳିତ ପ୍ରାଣ ତୋର ଶୁଣରେ କୁମର

ସନ୍ତୋଷେ ରୁଧିର ପାନ କରିବି ତୋହର

ମୃଣାଳ ପ୍ରାୟେକ ଅସ୍ଥି କରିବି ଆହାର

ଦଣ୍ତେ ଯେବେ ରହିପାରୁ ମୋହର ଆଗର

ଏମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେ

ଧ୍ରୁବ ଚାରିପାଖେ ଶୁଷ୍କ କାଷ୍ଠ ରୁଣ୍ତ କଲେ

ଦାବାଗ୍ନି ଲଗାଇ ସେ ବିଞ୍ଚନ୍ତେ କରପତ୍ର

ବୃଷ୍ଟିପ୍ରାୟ ଅଗ୍ନିକଣା ପଡେ ଧ୍ରୁବ ଗାତ୍ର

ମଣ୍ତପ ଅପୂର୍ଣ୍ଣାକାରେ ବୃକ୍ଷ ଉପାଡ଼ନ୍ତି

ଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି

ଗଗନେ କ୍ଷେପନ୍ତି ତରୁଲତା କୋଟି କୋଟି

ଅନ୍ୟାନ୍ୟ ତୃଣ ଘେନିଣ ଧାମନ୍ତି ତରାଟି

ଶତ ଶତ ଶୃଗାଳ ଶବଦ ଶୁଭେ ଶୁନ୍ୟେ

ଧ୍ରୁବ ପାଶେ ମିଳନ୍ତି ସେ କୁପିତ ବଦନେ

ପୁଣି ଏକ ରାକ୍ଷସୀ ସୁନୀତି ରୂପଧରି

ଧ୍ରୁବର ସମୀପେ ବସେ ମାତୃମାୟା କରି

ହା ହା ପୁତ୍ର ବୋଲି ବେନି କର ହୃଦେ ତାଡି

କେଶବାସ ଅସମ୍ଭାଳ ପୁଣ ପୁଣ ପଡି

ବହୁ ମାୟା ବିନିର୍ମିତ ଚାଟୁବାକ୍ୟେ କହେ

ଜନନୀ ବାଳକ ମଧ୍ୟେ କେହୁ ବା ତା ସହେ

ଅତ୍ୟନ୍ତ କାରୁଣ୍ୟ ପୁତ୍ରସ୍ନେହେ ସେ ରୋଦନ

ପୁଣି ସ୍ଥିରକରି ଚାହେଁ ଧ୍ରୁବର ବଦନ

ତୁହି ଏକ ପୁତ୍ର ମୋର ସଙ୍ଗେ କେହି ନାହିଁ

କେବଳ ତୋହର ଧ୍ୟାନେ ପ୍ରାଣ ମୁଁ ରଖଇ

ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁ

ତୋର ବନ ଗମନେ ଅଜ୍ଞାନ ମୋର ଦେହୀ

ତୋର ବିନୁ ମରଣ ନିକଟେ ମୋର ମିଳେ

କାଳସର୍ପ ପ୍ରାୟେ ମୋତେ ନିତ୍ୟେ ନିତ୍ୟେ ଜାଳେ

ତୋହର ଉଦ୍ଦେଶ୍ୟେ ମୁଁ ଅନେକ ଗ୍ରାମ ପୁରେ

ଖୋଜି ନ ପାଇଲି ବଳା ଅନେକ ପ୍ରକାରେ

ବନ ଗିରି ପାଟଣା ଅନେକ ପୁରେ ଖୋଜି

ପ୍ରାଣରକ୍ଷା କରଇ ଉଦକ ପତ୍ର ଭୁଞ୍ଜି

ଯେଉଁଦିନୁ ମୋର ପୁରୁ ହୋଇଲୁ ବାହାର

ନିତ୍ୟ ଶବଦ ଉଛୁଳେ କଣ୍ଠେ ହାହାକାର

ଯେତେଦିନ ତୋହର ବିହୁନେ ଥିଲି ମୁହିଁ

ସପତ୍ନୀର ବାଣୀ ମୁହିଁ ସହି ନ ପାରଇ

ଦାବାଗ୍ନି ବନକୁ ଯେହ୍ନେ ଦହେ ଗ୍ରୀଷ୍ମକାଳେ

ସପତ୍ନୀ ବଚନାନଳ ଦହେ ଅତି ବଳେ

ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛି

ଶୟନ ଭୋଜନମାନ ନ କରଇ କିଛି

ତପର ଯୋଗିନୀ ଯୋଗ ପ୍ରାୟେ କରି ଧ୍ୟାନ

ସ୍ୱପ୍ନରେ ହିଁ ନ ଦେଖଇ ତୋହର ବଦନ

ତୋହର ବଦନ ମୁହିଁ ପ୍ରତିକ୍ଷଣେ ଦେଖି

ତୋର ମୁଖ ଧ୍ୟାନେ ମୋର ସ୍ରବେ ବେନି ଆଖି

ଅନେକ ପ୍ରକାରେ ମାତୃ ବଚନହିଁ ଶୁଣି

ସମାଧି ସଂଯୋଗେ ଧ୍ରୁବ ମନେ ମନେ ଗୁଣି

ବିଚାରଇ ଜନନୀ ଏ ନୁହଇ ମୋହର

ସର୍ବଥା ଜାଣଇ ଏ ଆସୁରୀ ମାୟା ଘୋର

ଏମନ୍ତ ବିଚାରି ମନେ ନିଶ୍ଚଳେ ରହିଲା

ରଖ ହେ ଗୋବିନ୍ଦ ବୋଲି ଶରଣ ପଶିଲା

ଏମନ୍ତ ଅସୁରୀ ମାୟା ଇନ୍ଦ୍ରର ବଚନେ

ଯେତେ ମାୟା ପ୍ରକାଶିଲେ ଧ୍ରୁବ ସନ୍ନିଧାନେ

ଧ୍ରୁବ ତପଭଙ୍ଗେ କେହି ସମର୍ଥ ନୋହିଲେ

ବିଷ୍ଣୁଚକ୍ର ତେଜ ଧ୍ରୁବ ନିକଟେ ଦେଖିଲେ

ସକଳେ ଭାଜିଲେ ତେଜ ଦେଖି ଧ୍ରୁବ ଦେହେ

ନିଶି ଅନ୍ଧକାର ଯେହ୍ନେ ତପନ ଉଦୟେ

ସର୍ବଭୂତ ବଳ ଧ୍ରୁବ ଚରଣେ ନମିଲେ

ବ୍ୟର୍ଥ ମନୋରଥେ ନିଜମନ୍ଦିରେ ମିଳିଲେ

ଇନ୍ଦ୍ରଆଦି ଦିଗପାଳେ ଭୂତବଳ ଭଗ୍ନେ

ପୁଣି ବିଚାରନ୍ତି ବସି ବିଘ୍ନ ଅନୁମାନେ

ବିଚରି ନ ପାରି ଦୁଃଖ ମନେ ଦେବଗଣେ

ଶରଣ ପଶିଲେ ଯାଇ ବ୍ରହ୍ମାଙ୍କ ଚରଣେ

ପିତାମହ ଚରଣେ ମନିଲେ ଦେବଗଣ

ଦେଖି ବ୍ରହ୍ମା ପଚାରିଲେ ଆଗମ କାରଣ

ଧାତାର ବଚନ ଶୁଣି ଶିରେ କର ଯୋଡି

ଦେବଗଣେ କହନ୍ତେ ଚରଣ ତଳେ ପଡି

ଉତ୍ତାନପାଦର ପୁତ୍ର ଧ୍ରୁବ ତପତେଜେ

ଧରଣୀ କମ୍ପିଲା ଗିରି ସମୁଦ୍ର ସମେତେ

ଆମ୍ଭେ ରହି ନ ପାରୁଲୁ ଗଗନ ମଣ୍ତଳେ

ତାର ତପେ କମ୍ପିଲେ ସକଳ ଦିଗପାଳେ

ତ୍ରୈଲୋକ୍ୟେ ସକଳେ କେହି ନ ପାରିଲୁ ରହି

ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ

ଏମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣି

ଊର୍ଦ୍ଧମୁଖେ କ୍ଷଣକେ କହିଲେ କୁଶପାଣି

ଧ୍ରୁବ ତପ ଦେଖି କିମ୍ପାଭାଳ ଦେବଗଣ

ହରଷେ କହନ୍ତି ଧ୍ରୁବ ତପର କାରଣ

ବ୍ରହ୍ମୋବାଚ

କହନ୍ତି ଚତୁରାନନ ଶୁଣ ଦେବଗଣେ

ଯେ ନିମନ୍ତେ ଧ୍ରୁବ ତପ କରେ ଘୋରବନେ

ଘୋର ତପ ବଳେ ତାକୁ ବିଷ୍ଣୁ ବର ଦେବେ

ତ୍ରୈଲୋକ୍ୟ ଉପରେ ଧ୍ରୁବପୁରେ ବସାଇବେ

ତୁମ୍ଭ ଅଧିକାର ପ୍ରୟୋଜନ ନାହିଁ ତାର

ନିଶ୍ଚିନ୍ତେ ଗମନ କର ଦେବେ ନିଜ ପୁର

ବିଷ୍ଣୁ ଭକ୍ତି ପ୍ରାଣୀ ବିଷ୍ଣୁ ପ୍ରାୟେ ଦେଖେ ସର୍ବ

କେବେହେଁ ତପର ବଳେ ନ କରେ ସେ ଗର୍ବ

କେବେହେ ପରକୁ ପୀଡ଼ା ନ କରଇ ଚିତ୍ତେ

ନିରନ୍ତରେ ରହେ ସର୍ବ ଜନଙ୍କର ହିତେ

ବିଷ୍ଣୁଙ୍କ ଆଦେଶେ ଧ୍ରୁବ ଆସନେ ବସିବ

ତୁମ୍ଭ ଦିଗପାଳ ପଦ ନିଶ୍ଚଳେ ସ୍ଥାପିବ

ଏମନ୍ତେ ବ୍ରହ୍ମାର ବାକ୍ୟ ଶୁଣି ସାବଧାନେ

ନିଜ ପୁରେ ଦେବତାଏ ଗଲେ ତୋଷ ମନେ

ଶୁକ କହେ ଶୁଣ ପରୀକ୍ଷିତ ନୃପମଣି

ଧ୍ରୁବ ତପେ ତାରେ ଦୟା କଲେ ଚକ୍ରପାଣି

ଗରୁଡ଼ ଆସନେ ବସି ଚତୁର୍ଭୁଜ ରୂପେ

କାତିନ୍ଦୀ ତଟେ ମିଳିଲେ ଧ୍ରୁବର ସମୀପେ

ଅମୃତ ବରଷେ କିବା ମଧୁବନ ବନେ

ଧ୍ରୁବକୁ ଅନାଇ ହରି ପ୍ରସନ୍ନ ବଦନେ

ତପ ତେଜ ଶାନ୍ତିକର ଅମୃତ ବଚନେ

ତପ ଶାନ୍ତି କଲା ଧ୍ରୁବ ବିଷ୍ଣୁ ଦରଶନେ

ଶ୍ରୀଭଗବାନୁବାଚ

ବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେ

ତପୀଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ

ବାଳକ ବୟସ ତୋର ଅତି ସୁକୁମାର

କାହିଁ ଘୋର ତପବନେ ସାଧନେ କଠୋର

ଏମନ୍ତ ବଚନ ବିଷ୍ଣୁ ତହୁଁ ଶୁଣି ଧ୍ରୁବ

କଠୋର ସମାଧି ଛାଡି ବହେ ମୃଦୁଭାବ

ଅମୃତ ସମାନେ ବିଷ୍ଣୁ ବଚନ ଶୁଣିଲା

ଉନ୍ମୀଳ ଲୋଚନେ ଉର୍ଦ୍ଧ୍ୱ‌ ମୁଖେ ଅନାଇଲା

ଇନ୍ଦ୍ର ନୀଳମଣି ପ୍ରାୟ ଗଗନେ ପ୍ରକାଶେ

ନୀଳୋତ୍ପଳ ସମୁହ କି ଦିଶେ ଦଶଦିଶେ

ଗଗନ ମଣ୍ତଳ ସରୋବର ପ୍ରାୟ ହୋଇ

ଲକ୍ଷ୍ମୀଦେବୀ କଟାକ୍ଷେ କି ଜଗତ ମୋହଇ

ପୁତ୍ର ଦୁଃଖ ଦେଖି ଯେହ୍ନେ ପିତା ଦୟାକରେ

ଧ୍ରୁବକୁ ଧଇଲେ କୋଳେ ତୋଳି ବେନି କରେ

ଧୂଳିରେ ଧୂସର ତନୁ ଝାଡ଼ି ସ୍ନେହଭରେ

ବାମଭୁଜେ ଆଲିଙ୍ଗନ ପୁଲକ ଶରୀରେ

କୃଷ୍ଣ କର ଲାଗି ଧ୍ରୁବ ତପଦୁଃଖ ଗଲା

କୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ ପ୍ରକାଶିଲା

ସେ ହରି ଚରଣ ଯୁଗ ହୃଦେ କରି ଧ୍ୟାନ

ବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ବିଷ୍ଣୁ ପ୍ରସନ୍ନେ

ନାମ ନବମୋଽଧ୍ୟାୟଃ ।

•••

 

ଦଶମ ଅଧ୍ୟାୟ

 

ବିଷ୍ଣୁର ଚରଣେ ଧ୍ରୁବ କରି ଧୀରମତି

ଶ୍ରୀକୃଷ୍ଣ ଚରଣେ ମୁହିଁ ଆରମ୍ଭିଲି ସ୍ତୁତି

ହିରଣ୍ମୟ ବ୍ରହ୍ମା ଯା ଶରୀରୁ ଜାତ ହୋଇ

ସର୍ବ ସୃଷ୍ଟି ବିଧାନ କରଇ ଆଜ୍ଞା ବହି

ଏଣୁ ସେ ହିରଣ୍ୟରେତ ସୁହିରଣ୍ୟ ଦାତା

ନମସ୍ତେ ହିରଣ୍ୟରୂପ ସୃଷ୍ଟି ପିତାମାତା

ହିରଣ୍ୟକ ରୂପ ତୋର ସୃଷ୍ଟି ସଂହାରଣେ

ମହାପ୍ରଭୁଙ୍କର ଆତ୍ମା ବହୁ ତୁ କାରଣେ

ଏଣୁ ଭୂତଙ୍କର ଗତି ପତି ରୂପ ହୋଇ

କ୍ଷିତିକୃତେ ବିଷ୍ଣୁ ଗର୍ଭେ ବିଷ୍ଣୁ ରୂପ ତୁହି

ସୃଷ୍ଟି ସଂହାରଣେ କୃଷ୍ଣରୂପ ଯେ ତୋହର

ମହାଭାରା ସହି ବିଷ୍ଣୁ କୂର୍ମରୂପ ଧର

ଅସୁର ଅରଣ୍ୟେ ମହାଦାବାଗ୍ନି ସ୍ୱରୂପ

ଦୈତ୍ୟ ତମଚ୍ଛେଦନ କୁଠାର ବହୁ ଦର୍ପ

ଶାରଙ୍ଗ ଧନୁ ଧରିଣ ରିପୁବଳ ନାଶି

କୌମୋଦକୀ ଗଦା ତେଜେ ଦୈତ୍ୟବଳ ଧ୍ୱଂସି

ମହାଦୈତ୍ୟ ନାଶନେ ସେ ନନ୍ଦକ ଧାରଣ

ନମୋ ଲକ୍ଷ୍ମୀପତେ ଦୈତ୍ୟଙ୍କର ନିସୂଦନ

ବାସୁଦେବ ନମସ୍ତୁଭ୍ୟଂ ଦେବକୀ ନନ୍ଦନ

ପ୍ରଦ୍ୟୁମ୍ନାଦି ଅନିରୁଦ୍ଧ ଅବ୍ୟକ୍ତ କାରଣ

କଂସ କେଶୀ ଚାଣୁର ପୂତନା ଦର୍ପହାରୀ

ନିଗୁଡ଼ ବନ୍ଧନୁ ପିତାମାତାଙ୍କୁ ଉଦ୍ଧାରି

ଦାମୋଦର ହୃଷୀକେଶ ଗୋବିନ୍ଦ ଅଚ୍ୟୁତ

ହେ ମାଧବ ଅନନ୍ତ ଦୈତ୍ୟଙ୍କ ପ୍ରାଣହତ

ନାରାୟଣ ନରକ ନାଶନ ପାପହାରୀ

ବାମନାୟ ନମୋସ୍ତୁଭ୍ୟଂ ନମୋ ନରହରି

ଅନନ୍ତାୟ ଅନନ୍ତଶୟନ ବନମାଳୀ

ରୁକ୍ମିଣୀବଲ୍ଲଭ ରୁକ୍ମ ଗର୍ବ ଦେଇ ଦଳି

ଶିଶୁପାଳ ପ୍ରାଣହତ ଅସୁର ଦଳନ

ଦାନବାନ୍ତକ ଶ୍ରୀକୃଷ୍ଣ ଜୟ ନାରାୟଣ

ମୁକୁନ୍ଦ ପରମାନନ୍ଦ ଜୟ ନନ୍ଦବାଳ

ନମସ୍ତେ ପୁଣ୍ତରୀକାକ୍ଷ ଦନୁଜେନ୍ଦ୍ର କାଳ

ନମସ୍ତେ ଗୋପାଳ ରୂପ ବେଣୁ ବାଦ୍ୟକାରୀ

ରାମ ରଘୁନାଥ ଯେ ରାବଣ ପ୍ରାଣହାରୀ

ବଳେ ବଳଭଦ୍ର ନାମ ବଳାରାତି ପ୍ରିୟ

ବଳିଯଜ୍ଞ ଭଞ୍ଜନ ଯେ ଭକ୍ତଜନୋଦୟ

ରଣପ୍ରିୟ ହିରଣ୍ୟକଶିପୁ ବିଦାରଣ

ନମୋ ବ୍ରହ୍ମଣ୍ୟ ଦେବାୟ ରକ୍ଷ ଗୋ ବ୍ରାହ୍ମଣ

ସତ୍ୟଯୁଗେ ବ୍ରହ୍ମରୂପ ଧରୁ ଅନ୍ତରୀକ୍ଷେ

ସକଳ ଜଗତଜୀବ ପାଳୁ ତୁ ପ୍ରତ୍ୟକ୍ଷେ

ସହସ୍ର ଶିରରେ ନମୋ ସହସ୍ର ବଦନ

ସହସ୍ର ବାହୁ ନାସିକା ସହସ୍ର ଶ୍ରବଣ

ବିଷ୍ଣୁର ଶ୍ରବଣ ନମୋ ଗରୁଡ଼ ବାହନ

ବିଶ୍ୱକ୍‌ସେନ ନମୋ ଜଗନ୍ନାଥ ଜନାର୍ଦ୍ଦନ

ତ୍ରିବିକ୍ରମ ସତ୍ୟ ନମୋନମଃ ସତ୍ୟପ୍ରିୟ

ଅନେକ ପ୍ରକାରେ ଧ୍ରୁବ କରେ ସ୍ତୁତିଚୟ

ବହୁ ସ୍ତୁତିକରି ଧ୍ରୁବ ମଉନ ରହିଲା

ନିଶ୍ଚଳେ ଗୋବିନ୍ଦ ପାଦେ ଚିତ୍ତ ସମର୍ପିଲା

ଏମନ୍ତ ତା ଭକ୍ତିଭାବ ଗୋବିନ୍ଦ ଜାଣିଲେ

ଗରୁଡ଼ୁ ଉତ୍ତୁରି ଧ୍ରୁବ ସମୀପେ ମିଳିଲେ

ଧ୍ରୁବକୁ ଲଗାଇ ହୃଦେ କମଳାରମଣ

ଜଳଦ ଗମ୍ଭୀର ବାକ୍ୟେ ପ୍ରଭୁ ନାରାୟଣ

ଶ୍ରୀଭଗବାନୁବାଚ

ଶୁଣ ହେ ବାଳକ ମୁଁ ଜାଣଇ ତୁମ୍ଭ ମନ

ଘୋର ତପ କଲ ତୁମ୍ଭ ଜନନୀ ବୋଲେଣ

ତୋହର ମନବାଞ୍ଚା ତ ଜାଣଇ ମୁଁ ଭଲେ

ଧ୍ରୁବଲୋକେ ବସାଇବି ଜନନୀର ତୁଲେ

ଧ୍ରୁବଲୋକେ ଅଧିକାର ତୋହର ହୋଇଲା

କୋଟି କଳ୍ପାନ୍ତରେ ଯାହା କେହି ନ ପାଇଲା

ତୋର ପିତୃ ପିତାମହ ଅଗୋଚର ସ୍ଥାନ

ସେ ପଦକୁ ଭୁଞ୍ଜି ନିତ୍ୟେ ବସତୁ ଆସନ

ସ୍ୱର୍ଗଲୋକ ଉର୍ଦ୍ଧ୍ୱ ଗତେ ମର୍ତ୍ତ୍ୟଲୋକ ତଳେ

ତ୍ରୈଲୋକ୍ୟ ପ୍ରଳୟ କାଳେ ନ ଜଳେ ଅନଳେ

ଶିଶୁମ୍ନାର ଚକ୍ରେ ବସ ଧ୍ରୁବ ଅଧିକାରେ

ଯେ ଚକ୍ର ଭ୍ରମରେ ଭ୍ରମେ ଶଶୀ ଦିବାକରେ

ଗ୍ରହ ରକ୍ଷ ଋଷି ଯୋଗୀ ପବନ ସହିତେ

ଧ୍ୟାନ ନିବନ୍ଧନେ ଛନ୍ତି ସମୀରଣ ଯନ୍ତ୍ରେ

ସେହି ସ୍ଥାନେ ବସ ଗ୍ରହ ଚକ୍ରେ ତୁ ପ୍ରତ୍ୟକ୍ଷେ

ଉଚ୍ଚେ ରହି ମନୋରଥ ପୂର୍ଣ୍ଣ କଳ୍ପ ସଂଖ୍ୟେ

ପୂର୍ବେ ମହାଦେବ ବରେ ସେ ସ୍ଥାନ ମୋହର

ମୁହିଁ ଦେଲି ଧ୍ରୁବ ତୁ ନିଶ୍ଚୟ ଭୋଗ କର

ମନୁ ଯାହା ନ ପାଇଲା କେ ଅନ୍ୟ ମାନବେ

ଜନନୀ ସହିତେ ଚଳ ସୁଖ ଭୁଞ୍ଜ ଏବେ

ପୂର୍ବେ ତୁହି ବ୍ରହ୍ମପୁତ୍ର ରାଜପୁତ୍ର ସଙ୍ଗେ

ମାତୃ ବୋଲ ଶୁଣି ଚିତ୍ତ କଳ୍ପି ଅଛୁ ଭୋଗେ

ଏ ପୁଣ୍ୟ ସ୍ୱଭାବେ ରାଜକୁଳେ ହୋଇ ଜନ୍ମ

ଏବେ ତପ ବଳେ ଭୁଞ୍ଜ ସମ୍ପାଦିଲା କର୍ମ

ଶୁଣ ଅବହତି ଚିତ୍ତେ ମୁଁ କହିଲି ତୋତେ

ତପସ୍ଥାନେ ରହି ସ୍ତୁତି କଲୁ ଯେତେ ମୋତେ

ସର୍ବ ସ୍ତୋତ୍ରମାନଙ୍କର ରାଜା ଏ ପ୍ରତ୍ୟକ୍ଷେ

ଯେ ନର ଏ ସ୍ତୁତି କରେ ମୋହର ସମ୍ମୁଖେ

ତ୍ରିସନ୍ଧ୍ୟା ପଢ଼ନ୍ତି ଯେବା ଏହା ଇଷ୍ଟ କରି

ତ୍ରିବିଧ ପାତକ ମୁଖୁଁ ବେଗେ ଯାନ୍ତି ତରି

ତାହାର ଭୁବନୁ ଲକ୍ଷ୍ମୀ କେବେହେଁ ନ ତେଜେ

ଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ

ଏ ତୋହର ସ୍ତୁତି ପୁଣ୍ୟ ପାପବିନାଶିନୀ

ବ୍ରହ୍ମହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି

ଶ୍ରଦ୍ଧାଯୁକ୍ତେ ମୋର ଭାବେ ନିତ୍ୟ ଯେବା ପଢ଼େ

ସୁଖେ ମୋହ ଜଳୁ ତରେ କେବେହେଁ ନ ବୁଡ଼େ

ଏମନ୍ତ ପ୍ରସନ୍ନେ କହି ପ୍ରଭୁ ଚକ୍ରଧର

ସନ୍ତୋଷେ ଧ୍ରୁବକୁ ଚାହିଁ ଧରି ବେନିକର

କହନ୍ତି ମନୁର ବଂଶେ ଜନ୍ମ ତୋ ଶରୀର

ନର ନାରାୟଣ ଦେବତାଙ୍କୁ ଅଗୋଚର

ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗ

ଆଧି ବ୍ୟାଧି ବର୍ଜିତ ଜୀବ ତୁ ସତ୍ୟଯୁଗ

ଶରୀର ଅନ୍ତରେ ଧ୍ରୁବଲୋକେ ବସ ତୁହି

କଳ୍ପସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ନେଇ

ଏମନ୍ତ ଧ୍ରୁବକୁ ବର ଦେଇ ଜନାର୍ଦ୍ଦନ

ଗରୁଡ଼ ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ

ବିଷ୍ଣୁବର ପାଇ ସେ ଉତ୍ତାନପାଦ ବଳା

ଦିବ୍ୟରୂପ ନିଜେ ଧରି ସଦନେ ଗମିଲା

ଜନନୀ ଚରଣେ ସେବା କଲା ଅନୁକ୍ଷଣେ

ଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ

ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇ

ଧ୍ରୁବର ମହିମା ଅବା କେ ପାରିବ କହି

ଏମନ୍ତ ବିଦୁର ଆଗେ ମଇତ୍ରେୟ ମୁନି

କହିଲେ ଧ୍ରୁବର କଥା ହରିଭାବ ଘେନି

ବିଷ୍ଣୁପଦୀ ତୀରେ ରହି ପରୀକ୍ଷିତ ଆଗେ

ଭାବଭକ୍ତି ଯୋଗେ ସେ କହିଲେ ଅନୁରାଗେ

ସାନନ୍ଦ ମନେ କହିଲେ ବ୍ୟାସଙ୍କର ଶିଷ୍ୟ

ସେ ଚରିତ କଥା ଯେ ପବିତ୍ର ପୁଣ୍ୟ ରସ

ସାଧୁଜନ ହିତେ ମୁହିଁ କଲଇଁ ପ୍ରକାଶ

ଭାଗବତେ କହେ ବିପ୍ର ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ତପସ୍ୟାଚରଣେ

ଭଗବାନ ପ୍ରସନ୍ନେ ନାମ ଦଶମୋଽଧ୍ୟାୟଃ ।

•••

 

ଏକାଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନେ

ଧ୍ରୁବ ସମୀପେ ବୃନ୍ଦାବନେ

ପ୍ରସନ୍ନେ କମଳା ରମଣ

କହିଲେ ଧ୍ରୁବ ଏବେ ଶୁଣ

ତୋ ଜନ୍ମ ସ୍ୱାୟମ୍ଭୂବ ଘରେ

ଉତ୍ତାନପାଦର ବୀର୍ଯ୍ୟରେ

ଦେବେ ବାଞ୍ଛନ୍ତି ସ୍ୱର୍ଗେ ଯାହା

ତୁ ତା ଲଭିବୁ ପୁଣ୍ୟଦେହା

ତୁ ଏବେ ନିଜ ପୁରେ ଚଳ

ଚିତ୍ତେ ଆରାଧି ମୋର ବୋଲ

ମାତୃ ସପତ୍ନୀର ବଚନେ

ବସିବୁ ନୃପ ସିଂହାସନେ

ତୋହର ପରମ ଆୟୁଷ

ଛତିଷ ସହସ୍ର ବରଷ

ନିରୋଗ ଦେହେ ଭୋଗ ଭୁଞ୍ଜି

ସ୍ୱଦେହେ ରିପୁବଳ ଗଞ୍ଜି

ଉତ୍ତମ ତୋର ସାନଭ୍ରାତ

ବନେ ହୋଇବ ପ୍ରାଣେ ହତ

ମୃଗୟା ଯିବ ଘୋରବନେ

ମିଳିବ କୁବେର ଭୁବନେ

ପୁଣ୍ୟଜନଙ୍କ ସଙ୍ଗେ ମିଳି

ଯୁଦ୍ଧେ ହାରିବ ମହାବଳୀ

ତହିଁ ହୋଇବ ପ୍ରାଣେ ହତ

ତା ଶୁଣି ତାର ନିଜ ମାତ

ସେ ପୁତ୍ର ଶୋକର ବିକଳେ

ବନେ ମରିବ ଦାବାନଳେ

ତୁ ମୋତେ ଯଜ୍ଞେ କରି ପୂଜା

ଦେବଙ୍କୁ ଦେଇ ବଳିଭୋଜା

ବିପ୍ରଙ୍କୁ କରି ତୋଷମନ

ଗୁରୁ ଦକ୍ଷିଣା ଅନ୍ନ ଧନ

ବିପ୍ରଙ୍କ କଲ୍ୟାଣର ଫଳେ

ମୋତେ ସ୍ମରିବୁ ଅନ୍ତଃକାଳେ

ମୋହର ଧ୍ୟାନେ ସ୍ୱର୍ଗପଥେ

ଗମିବୁ ଜନନୀ ସହିତେ

ସପ୍ତଋଷିଙ୍କ ଉର୍ଦ୍ଧ୍ୱ ପଥେ

ଜନନୀ ସଙ୍ଗେ ଦିବ୍ୟରଥେ

ବସିବୁ ଶିଶୁମ୍ନାର ପଛେ

ଉତ୍ତର ଦିଗକୁ ପ୍ରତ୍ୟକ୍ଷେ

ଏମନ୍ତ କହି ଭଗବାନ

ବନେ ହୋଇଲେ ଅନ୍ତର୍ଦ୍ଧାନ

ବିଷ୍ଣୁ ନ ଦେଖି ବୃନ୍ଦାବନେ

ଧ୍ରୁବ ଭାଳଇ ମନ ଛନ୍ନେ

ଦେଖ ଅଭାଗ୍ୟ କର୍ମ ମୋର

ତପେ ତୋଷିଲି ଚକ୍ରଧର

ଜନନୀ ସପତ୍ନୀର ଛଳେ

ମୋକ୍ଷ ନ ମାଗି ବିଷ୍ଣୁ ତୁଲେ

ଲଭିଲି ଧ୍ରୁବ ଅଧିକାର

ଦେଖ ଅଭାଗ୍ୟ କର୍ମ ମୋର

ଏମନ୍ତ ମନେ ବିଚାରିଲା

ତକ୍ଷଣେ ନିଜପୁରେ ଗଲା

ବିଦୁର ଉବାଚ

ଯେ ହରି ପରମ ଦୁର୍ଲ୍ଲଭ

ଲଭି ନ ପାରେ ବ୍ରହ୍ମା ଶିବ

ସେ ହରି ତହୁଁ ବର ପାଇ

ତାର ମାୟାରେ ମନ ଦେଇ

ଆତ୍ମାର ଗତି ନ ମାଗିଲା

ମୋତେ ତ ସନ୍ଦେହ ଲାଗିଲା

ମୈତ୍ରେୟ ଉବାଚ

ମାତୃ ସପତ୍ନୀ ବାକ୍ୟ ଶରେ

ମର୍ମ ଭେଦିଲା ତା ହୃଦରେ

ମୁକ୍ତି ନ ଇଚ୍ଛି ବିଷ୍ଣୁ ତୋଷେ

ପଛେ ତାପିଲା ଦୁଃଖତ୍ରାସେ

ଧ୍ରୁବ ଉବାଚ

ସନନ୍ଦ ଆଦି ଯୋଗୀଜନେ

ଅଷ୍ଟାଙ୍ଗ ଯୋଗ ଅଭ୍ୟାସନେ

ଯେ ପଦ ଲଭି ନ ପାରନ୍ତି

ନିଶ୍ଚଳ ମନେ ଧ୍ୟାନେ ଚିନ୍ତି

ସେ ପଦ ହସ୍ତୁ ପକାଇଲି

ଦେଖ ଅଭାଗ୍ୟ କର୍ମ କଲି

କଳ୍ପ ପାଦପ ଛାୟା ତେଜି

ନିରାଶ ପଥେ ଚକ୍ଷୁ ବୁଜି

ଧୋଇଲି ତୃଷାର୍ତ୍ତେ ବଦନ

ଧିକ ଏ ମୋହର ଜୀବନ

ଏମନ୍ତ ମନ ଦୁଃଖକରି

ଧ୍ରୁବ ଚଳିଲା ନିଜପୁରୀ

ପଥେ ଧ୍ରୁବଙ୍କୁ ଦେଖି ଜନେ

ବେଗେ ଚଳିଲେ ସୁଖମନେ

କେତେକ ଜନେ ବେଗେ ଧାଇଁ

କହିଲେ ରାଜା ଆଗେ ଯାଇ

ଅପ୍ରାପ୍ତ ପ୍ରାପ୍ତ ପ୍ରାୟ ମଣି

ସଂଭ୍ରମ ଚିତ୍ତେ ନୃପମଣି

ତକ୍ଷଣେ ଆସନୁ ଉଠିଲା

ଆନନ୍ଦ ସାଗରେ ବୁଡ଼ିଲା

କାନ୍ଦଇ କଣ୍ଠ ଗଦଗଦେ

ତକ୍ଷଣେ ମିଳିଲେ ନାରଦେ

ସଂଭ୍ରମେ ରାଜା ମୁଖ ଚାହିଁ

ଧ୍ରୁବ ଆସନ୍ତା କଥା କହି

ଶୁଣି ସନ୍ତୋଷେ ନୃପବର

ମୁନିଙ୍କ କଣ୍ଠେ ଦେଲା ହାର

ସୁବର୍ଣ୍ଣ ପରିଚ୍ଛଦ ରଥେ

ବେଗେ ମିଳିଲା ରାଜପଥେ

ସଙ୍ଗେ ବ୍ରାହ୍ମଣ କୁଳବୃଦ୍ଧେ

ଜ୍ଞାତିଏ ସୁହୃଦ ବାନ୍ଧବେ

ଅମାତ୍ୟ ମନ୍ତ୍ରୀଗଣ ଯେତେ

ଧାଇଁଲେ ବାଦ୍ୟନାଦ ଗୀତେ

ସୁରୁଚି ସୁନୀତି ସହିତେ

ନାନା ଅଳଙ୍କାର ସମେତେ

ସୁବର୍ଣ୍ଣ ବିମାନେ ଆରୋହି

ଉତ୍ତମ ପୁତ୍ର ସଙ୍ଗେ ନେଇ

ଧ୍ରୁବକୁ ଦେଖି ଉପବନେ

ଆନନ୍ଦେ ସବାଷ୍ପ ଲୋଚନେ

ପୁତ୍ରକୁ ଆଲିଙ୍ଗନ କଲା

ଯେଣୁ ଅନେକ ପୁଣ୍ୟ ଥିଲା

ଏ ଧ୍ରୁବ ବିଷ୍ଣୁ ଅଙ୍ଗ ସଙ୍ଗେ

ଅଶେଷ ତୀର୍ଥ ଯାର ଅଙ୍ଗେ

ଆଘ୍ରାଣ କରି ଶିରଦେଶେ

ହୃଦେ ଲଗାଇ ଅତି ତୋଷେ

ମୁଣ୍ଡେ ସିଞ୍ଚିଲା ଅଶ୍ରୁ ବାରି

ହୃଦୟେ ପୁନଃ ପୁନଃ କରି

ପିତା ଚରଣେ ଧ୍ରୁବ ନମି

ବାଳକ ଭାବେ ପଥଶ୍ରମୀ

ସୁରୁଚି ସୁନୀତିର ପାଦେ

ଧ୍ରୁବ ପ୍ରଣମଇ ଆନନ୍ଦେ

ସୁରୁଚି ଧ୍ରୁବ ଧରି କରେ

ଚୁମ୍ବନ ଦେଲା ସୁଖ ଭୋଳେ

ସୁନୀତି ପୁତ୍ର କୋଳେ ଧରି

ହୃଦରୁ ବହେ କ୍ଷୀରବାରି

ଜନେ କହନ୍ତି ହା ହା ବାଣୀ

ଧ୍ରୁବକୁ ଘେନି ନୃପମଣି

ମିଳିଲା ନିଜପୁରେ ଆସି

ଜନେ ସୁମନେ ପରଶଂସି

ଧ୍ରୁବ ପ୍ରବେଶ ପୁରଜନେ

ସାନନ୍ଦେ ଯେ ଯାହା ଭୁବନେ

ଉତ୍ସବେ ଅନେକ ପ୍ରକାରେ

ପ୍ରଦୀପ ପୂର୍ଣ୍ଣକୁମ୍ଭ ଦ୍ୱାରେ

ପାଚେରୀ ଅଟ୍ଟାଳୀ ସମେତେ

ଚିତ୍ର ପ୍ରତିମା ରତ୍ନ କାନ୍ଥେ

ତୋରଣ ଲମ୍ବେ ସର୍ବଦ୍ୱାରେ

ଚନ୍ଦନ ଛେରା ନିରନ୍ତରେ

ସ୍ୱଭାବେ ପ୍ରିୟବ୍ରତ ପୁର

କି ଅବା ଦେବା ପଟାନ୍ତର

ସକଳ ପୁରଙ୍ଗନା ସଙ୍ଗେ

ଧ୍ରୁବକୁ ଦେଖି ପୁରମାର୍ଗେ

ଦୂର୍ବା ଅକ୍ଷତ ପୁଷ୍ପ ଆଣି

ଗନ୍ଧ ଚନ୍ଦନ ବାସପାଣି

ଅକ୍ଷତ ଦେଇ ଧ୍ରୁବ ମୁଣ୍ତେ

ଜୟ ଶବଦ କଲେ ତୁଣ୍ତେ

ଏମନ୍ତ ମଙ୍ଗଳ ଉତ୍ସବେ

ସକଳ ଜନ ପ୍ରିୟଭାବେ

ଧ୍ରୁବ ପ୍ରବେଶ ନିଜପୁର

କି ଅବା ଦେବା ପଟାନ୍ତର

ପୁରେ ପ୍ରବେଶ ରାଜସୁତ

ଦେଖି ସକଳେ କୃତକୃତ୍ୟ

ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ଫୁରେ

ମଙ୍ଗଳ ନାଦେ ଗୀତ ପୁରେ

ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ

ଅଶେଷ ଲକ୍ଷ୍ମୀ ଯାର ଅଙ୍ଗେ

ସେ ଧ୍ରୁବ ଚରଣ କମଳେ

ସୁଜନେ ଚିନ୍ତ ଧ୍ୟାନବଳେ

ଯାର ସ୍ମରଣେ ପାପ ନାଶେ

ନିର୍ମଳ ଜ୍ଞାନ ଯେ ପ୍ରକାଶେ

ଚତୁର୍ଥସ୍କନ୍ଧେ ଭାଗବତ

କହିଲା ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ନିଜ ଗୃହ ପ୍ରବେଶେ ନାମ

ଏକାଦଶୋଽଧ୍ୟାୟଃ ।

•••

 

Unknown

ଦ୍ୱାଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ବିଦୁର କୃଷ୍ଣକଥା

ଯେଣେ ଖଣ୍ତିବ ଭବବ୍ୟଥା

ଉତ୍ତାନପାଦ ଧ୍ରୁବ ଦେଖି

ସଫଳ କଲା ବେନି ଆଖି

ନିଜ ଶରୀର ବୃଦ୍ଧ ଚାହିଁ

ବାନ୍ଧବେ ସୁହୃଦ ବସାଇ

ସ୍ୱଭାବେ ଅଟେ ମହାତେଜା

ରାଜ୍ୟେ ପୁ୍ତ୍ରକୁ କଲେ ରାଜା

ସ୍ୱଭାବେ ବିଷ୍ଣୁ ତେଜ ବଳେ

ଭାବେ ନମନ୍ତି ଦିଗପାଳେ

ଏ ଭୂମିସ୍ଥଳେ ଯେତେ ରାଜା

ଧ୍ରୁବ ଚରଣେ କଲେ ପୂଜା

ସେ ଶିଶୁମାର ପ୍ରଜାପତି

ତାର ଦୁହିତା ହେମବତୀ

ରୂପେ କମଳା ସମ ସରି

ବିବାହେ କନ୍ୟା ଧ୍ରୁବ ଚରି

ଅଶେଷ ଅଳଙ୍କାର ଶୋଭା

ସେ କନ୍ୟା ଧ୍ରୁବେ ଦେଲା ବିଭା

ସେ କନ୍ୟା ଗର୍ଭେ ପୁତ୍ର ଦେଇ

କଳ୍ପ ବତ୍ସର ବେନି ଭାଇ

ତୃତୀୟେ କନ୍ୟା ହିତା ନାମ

ରୂପେ ଗଞ୍ଜଇ ସୂର୍ଯ୍ୟ ସୋମ

ସ୍ୱଭାବେ ସମୀରଣ ସୁତା

ସୁଗୁଣା ସୁନ୍ଦରୀ ସୁନୀତା

ତାର ଉଦରେ ଧ୍ରୁବ ବୀର୍ଯ୍ୟେ

ପୁତ୍ରେ ଜନ୍ମିଲା ମହାତେଜେ

ଉତ୍କଳ ନାମେ ସେ କୁମର

ସ୍ୱଭାବେ ମହା ଯୋଗେଶ୍ୱର

ଧ୍ରୁବର କନିଷ୍ଠ ଉତ୍ତମ

ରୂପେ ଭୁବନେ ନାହିଁ ସମ

ସ୍ୱଭାବେ ବୟସେ କିଶୋର

ବିଭା ନ କଲେ ନୃପବର

ସେ ଏକଦିନେ ଅଶ୍ୱେ ବସି

ମୃଗୟା କରେ ବନେ ପଶି

ମିଳିଲା କୁବେର ଭୁବନେ

ତାହାକୁ ଦେଖି ଗୃହ୍ୟଜନେ

ବଳେ ରୁନ୍ଧିଳେ ଯୁଦ୍ଧ କରି

ଅଶ୍ୱ ଘେନିଲେ ତାକୁ ମାରି

ତା ଶୁଣି ତାହାର ଜନନୀ

ବିକଳେ ପୁତ୍ର କଷ୍ଟ ଘେନି

ବନ ଅନଳେ ଦେହ ଦେଲା

ପୁତ୍ର ବିୟୋଗେ ଦୁଃଖେ ମଲା

ସେ କଥା ଶୁଣି ଧ୍ରୁବ ଶୋକେ

କମ୍ପିଲା ମାତୃ ଭ୍ରାତୃ ଦୁଃଖେ

ଜୟନ୍ତ ନାମେ ରଥେ ବସି

ସ୍ୱଭାବେ ଶୋହେ ରୂପରାଶି

ଶୋକ ଅନଳେ କୋପଭରେ

କଠୋର ଧନୁ ଧରି କରେ

କୁବେର କାନନେ ମିଳିଲା

ଉଦ୍ଦଣ୍ତେ ଶଙ୍ଖ ନାଦ କଲା

ଯେ ବନେ ରୁଦ୍ର ଅନୁଚରେ

ବସନ୍ତି ନଦୀ ବନଘୋରେ

ହେମ ପର୍ବତ ଦ୍ରୋଣ ମଧ୍ୟେ

ଗୁହ୍ୟକ ଦିଶନ୍ତି ଆନନ୍ଦେ

ସେବନେ ବଳେ ପଶି ଧ୍ରୁବ

ଉଦ୍ଦଣ୍ତେ କଲା ଶଙ୍ଖରବ

ଶବଦେ ପୁରିଲା ଆକାଶେ

ଗୁହ୍ୟକ ଗଣ ମହାରୋଷେ

ଧାଇଁଲେ ନାନା ଶସ୍ତ୍ର ଧରି

ଚଳନ୍ତେ କମ୍ପେ ବସୁନ୍ଧରୀ

ଗୁହ୍ୟକଗଣେ ଧ୍ରୁବେ ଚାହିଁ

ନିଜ କୋଦଣ୍ତେ ଗୁଣ ଦେଇ

ଆକର୍ଣ୍ଣ ପର୍ଯ୍ୟନ୍ତେ ଟାଣିଣ

ବିନ୍ଧିଲେ ତିନି ତିନି ବାଣ

ଧ୍ରୁବର ତୀକ୍ଷ୍‌ଣ ବାଣ ଚଳେ

ପଡିଲା ଗୁହ୍ୟକ କପାଳେ

ଗୁହ୍ୟକଗଣ ଦେଖି ତ୍ରାସେ

ରଣେ ଭାଜିଳେ ବନଦେଶେ

ଅଦ୍ଭୁତ କର୍ମ ଦେଖି ତାର

ବିଷ୍ଣୁର ତେଜେ ବଳୀୟାର

କହନ୍ତି ଧନ୍ୟ ଧନ୍ୟ ବାଣୀ

ଅନନ୍ଦେ ଦେବଲୋକେ ଶୁଣି

ସେ ବାଣୀ ଶୁଣି ଗୁହ୍ୟକଗଣେ

ପୁଣି ମିଳିଲେ ଘୋରରଣେ

ପାଦ ମାରନ୍ତେ ଅହି ଯେହ୍ନେ

ଧ୍ରୁବକୁ ଦେଖି କୋପମନେ

ଧ୍ରୁବର ରଥ ଆଗେ ରୁନ୍ଧି

ଦ୍ୱିଗୁଣ ତୀକ୍ଷ୍‌ଣ ବାଣ ବିନ୍ଧି

ପରିଘ ଆୟୁଧ ଆୟୁଧେ

ପଶେ ତୋମରେ ଶରଯୁଦ୍ଧେ

ଶକ୍ତି ରୁଷ୍ଟି ଭୂଷଣ୍ତ ବାଣ

ବେଗେ ବିନ୍ଧିଲେ ଗୁରୁଟାଣ

କୋପେ ବିନ୍ଧିଲେ ଅତି ରୁଷ୍ଟେ

ରଥୀ ସାରଥି ଅଶ୍ୱ ପୃଷ୍ଠେ

ଅୟତ୍ତ ତ୍ରୟୋଦଶ ମିଳି

ଶବଦେ ବ୍ରହ୍ମାଣ୍ତ ଉଛୁଳି

ବେଢ଼ିଲେ ଅତି ଅଣାୟତ୍ତ

ଛନ୍ନେ ନ ଦିଶେ ଧ୍ରୁବ ରଥ

ଗଗନେ ମିଳି ଦେବଲୋକେ

କହନ୍ତି ଏକକୁ ଆରକେ

ଶୁଭଇ ହାହାକାର ବାଣୀ

ଦେବେ କହନ୍ତି ତାହା ଶୁଣି

ଦେଖ ଏ ମନୁବଂଶ ସୁତ

ପ୍ରଚଣ୍ତେ ଯେସନେ ଆଦିତ୍ୟ

ଗୁହ୍ୟକ ସମୁଦ୍ରେ ବୁଡ଼ିଲା

ଧ୍ରୁବ ନିଶ୍ଚୟେ ନାଶଗଲା

ଗର୍ଜନ୍ତି ଯାତୁଧାନଗଣେ

ଧ୍ରୁବ ଯେ ଶୁଣି ତା ଶ୍ରବଣେ

ସାରଥି ଚାହିଁ ପୁଣ୍ୟ ଦେହା

ବୋଇଲା ଉର୍ଦ୍ଧ୍ୱେ ରଥ ବାହା

ଶୁଣି ସାରଥି ଅତି ବେଗେ

ରଥ ବାହିଲା ଶୂନ୍ୟମାର୍ଗେ

ଅନ୍ଧାର ନାଶି ସୂର୍ଯ୍ୟ ଯେହ୍ନେ

ତେମନ୍ତେ ଦିଶଇ ଗଗନେ

ଗଗନେ ରହି ମନୁସୁତ

ବାଣ ବରଷେ ଅପ୍ରମିତେ

ଗୁହ୍ୟକ ବାଣବୃଷ୍ଟି ନାଶେ

ନିହାର ଯେହ୍ନେ ଚଣ୍ତତ୍ରାସେ

ପବନ ଯୋଗେ ମେଘ ଯେହ୍ନେ

ନିର୍ଜନେ ଉଡ଼ନ୍ତି ଗଗନେ

ଗୁହ୍ୟକଗଣ ନାଶ କରି

ପୁଣି ବିନ୍ଧିଲେ ରୋଷଭରି

ଧ୍ରୁବ ନାରାଚ ତୀକ୍ଷ୍‍ଣ ମୁନେ

ପଡ଼ିଲେ ଗୁହ୍ୟକର ସୈନ୍ୟେ

ଗୁହ୍ୟକ ଦେହେ ବାଣ ପଡି

ଶୁଭେ କି ମେଘ ଘଡିଘଡି

ସର୍ବେ ପଡିଲେ ଭୂମିଗତେ

ପର୍ବତ ଯେହ୍ନେ ବଜ୍ରାଘାତେ

ଶିରେ ଭେଦିଲା ଭଲ୍ଲ ଶସ୍ତ୍ର

ବାଣ ବିନ୍ଧନ୍ତି ନିଜ ଗାତ୍ର

ମୁଣ୍ଡେ ପଡିଲେ ଭୂମିସ୍ଥଳ

ବିରାଜେ କିରୀଟ କୁଣ୍ତଳ

ହୃଦେ ବିରାଜେ ହେମହାର

ବିରାଜେ ମୁଷ୍ଟିକ କେୟୂର

ଶସ୍ତ୍ର ସମୂହେ ଶଯ୍ୟାକରି

ବେଗେ ଶୋଇଲେ ପ୍ରାଣହାରି

ଯେବା ବଞ୍ଚିଣ ଗଲେ ରଣେ

ଭୟେ ଲୁଚିଲେ ଘୋରବନେ

ସିଂହର ତ୍ରାସେ ଯେହ୍ନେ ମୃଗେ

ଭୟେ ପଳାନ୍ତି ଦଶଦିଗେ

ଧ୍ରୁବ ଯେ ଦଶଦିଗ ଚାହିଁ

ଦେଖଇ ରଣେ କେହି ନାହିଁ

କହେ ସାରଥି ମୁଖ ଚାହିଁ

ଏ ପୁରେ ପଶ ରଥ ବାହି

ଦହନ କରିବି ଅନଳେ

ଯେବା ଅଛନ୍ତି ଗୁହ୍ୟବଳେ

ସର୍ବ ମାରିବି ଭ୍ରାତୃଛଳେ

ତୁ ଏବେ ରଥ ବାହା ବଳେ

ଏମନ୍ତ ଧ୍ରୁବ ବାକ୍ୟ ଶୁଣି

ସାରଥି କହେ ମନେ ଗୁଣି

ଗୃହ୍ୟକ ମାୟାର ପ୍ରମାଣେ

ଏମନ୍ତ ଘୋରନାଦ ଶୁଣେ

ପ୍ରଳୟ କାଳେ ସିନ୍ଧୁ ଯେହ୍ନେ

ଲହରୀ ଉଛୁଳେ ଗଗନେ

ପୁଣି ଦେଖଇ ଚାରିଦିଗେ

ଧୂଳି ଉଡଇ ଶୂନ୍ୟମାର୍ଗେ

ତକ୍ଷଣେ ଘୋରନାଦ କରି

ମେଘ ସମୂହେ ଶୂନ୍ୟେ ପୁରି

ବିଜୁଳି ପ୍ରାୟ ବର୍ଣ୍ଣ ଦିଶେ

ବଜ୍ର ଶବଦ ସଙ୍ଗେ ମିଶେ

ଉଲୁକା ପଡେ କୋଟି କୋଟି

ରୁଧିର ସଙ୍ଗେ ଶିଳା ବୃଷ୍ଟି

ମୁତ୍ର ପୁରୀଷ ରେତ ତୁଲେ

ଦୁର୍ଗନ୍ଧେ ଧରଣୀ ପୁରିଲେ

କବନ୍ଧ ପଡିଲେ ଆକାଶୁ

ଦିଗେ ପୁରିଲେ ଘୋରପାଂଶୁ

ନିର୍ଘାତେ ଗଗନୁ ପଡନ୍ତି

ଗଦା ପରିଘ ପନ୍ତି ପନ୍ତି

ମୂଷଳ ସଙ୍ଗେ ବଜ୍ର ପଡି

ଘୋର ଶବଦ ଘଡଘଡି

ସର୍ପେ ଧାମନ୍ତି ଫୁ ଫୁ କରି

ଅନଳ ପ୍ରାୟ ଚକ୍ଷୁ ଧରି

ଗର୍ଜେ ଧାମନ୍ତି ଶୁଣ୍ଢ ତୋଳି

ସିଂହ ଶାର୍ଦ୍ଦୁଳ ସଙ୍ଗେ ମିଳି

ତକ୍ଷଣେ ସିନ୍ଧୁ ଉଛୁଳିଲା

ଲହରୀ ଗଗନେ ମିଳିଲା

ଭୂମି ପଡ଼ିଲା ମହାଜଳେ

ପ୍ରଚଣ୍ତ ପବନେ ଉଲ୍ଲୋଳେ

କଳ୍ପାନ୍ତେ ଘୋର ନାଦ ଯେହ୍ନେ

ଶବଦ ପୂରିଲା ଗଗନେ

ଏମନ୍ତେ ନାନା ମାୟା କରି

ଗୁହ୍ୟକ ସଂଗ୍ରାମ ଆବୋରି

ମିଳିଲେ ନାନା ଶସ୍ତ୍ର ଘେନି

ଶବଦେ କମ୍ପିଲା ମେଦିନୀ

ଧ୍ରୁବ ଉପରେ ମାୟା କରି

ଗୁହ୍ୟକ ସର୍ଜିଲେ ଆବୋରି

ଗୁହ୍ୟକ ମାୟା ଦେଖି ବେଗେ

ମୁନି ମିଳିଲେ ଧ୍ରୁବ ଆଗେ

କଲ୍ୟାଣ ହସ୍ତେ ଅଗ୍ରତେ ହିଁ

କହନ୍ତି ଧ୍ରୁବ ମୁଖ ଚାହିଁ

ମୁନୟଉଚୁଃ

ଶୁଣ ହେ ଉତ୍ତାନ କୁମର

ତୋତେ ପ୍ରସନ୍ନ ଚକ୍ରଧର

ଯେ ହରି ଭବଭୟ ନାଶେ

ଆମ୍ଭେ ତ ଦେଖିଲୁ ତୋ ପାଶେ

ଯେ ନାମ ଗାଇ ଅନ୍ତଃକାଳେ

ମୃତ୍ୟୁ ତରନ୍ତି ପ୍ରାଣୀ ହେଳେ

ସେ ହରି ପାଦ ତୁ ସୁମର

ଗୁହ୍ୟକ ମାୟାକୁ ସଂହର

ଏମନ୍ତ ମୁନି ବାକ୍ୟବଳେ

ରଥ ତୋଳିଣ ଅନ୍ତରାଳେ

ସୁଜନେ ଶୁଣ ହରିକଥା

ହରି ନ ସହେ ଭୃତ୍ୟ ବ୍ୟଥା

ସେ ହରି ନାମ ହୃଦେ ଚିନ୍ତ

କହଇ ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଗୁହ୍ୟକ ମାୟାଯୁଦ୍ଧ କରଣେ

ନାମ ଦ୍ୱାଦଶୋଽଧ୍ୟାୟଃ ।

•••

 

ତ୍ରୟୋଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ମୁନି ବାକ୍ୟ ଶୁଣି

ଧ୍ରୁବ ଆନନ୍ଦ ମନେ ଗୁଣି

ସୁମନେ ଆଚମନ କରି

ଅସ୍ତ୍ର ନାରାୟଣ ସୁମରି

ସନ୍ଧାନ ଧନୁହୁଳେ କଲା

ତା ଦେଖି ମାୟା ଭସ୍ମ ଗଲା

ଗୁହ୍ୟକ ହୋଇଲେ ଅଦୃଶ୍ୟ

ଦିଶିଲା ଧରଣୀ ଆକାଶ

ଦିନ ଉଦୟେ କ୍ଲେଶ ଯେହ୍ନେ

ଦେବେ ଦେଖନ୍ତି ରହି ଶୂନ୍ୟେ

ଧ୍ରୁବ ଓଟାରି ଧନୁର୍ଗୁଣ

ଯୋଚି ସୁବର୍ଣ୍ଣପୁଙ୍ଖ ବାଣ

ବାଣର ପକ୍ଷ କଳହଂସ

ଦେଖି କମ୍ପିଲେ ଦଶଦିଶ

ଏମନ୍ତେ ତୀକ୍ଷ୍‌ଣ ବାଣ ଭେଦି

ଗୁହ୍ୟକ ମାୟାମାନ ଛେଦି

ବିବସ୍ତ୍ର ହୋଇ ଅନାୟତ୍ତେ

ଧାଇଁଲେ ଶସ୍ତ୍ର ଘେନି ହସ୍ତେ

ଯେସନେ ସର୍ପେ ଫଣାଧରି

ଗରୁଡ଼େ ଥାନ୍ତି କୋପଭରି

ତାହାଙ୍କୁ ଦେଖି ରଣକ୍ଷେତ୍ରେ

ନାରାଚ ଗୁଣ ଧରି ହସ୍ତେ

ବିନ୍ଧନ୍ତି ଗୁହ୍ୟକ ଶରୀରେ

ଭେଦିଲା ବାହୁ ଉର ଶିରେ

ତକ୍ଷଣେ ଗଲେ ଛିନ୍ନ ଭିନ୍ନେ

ସଂଗ୍ରାମେ ଶମନ ଭୁବନେ

ଗୁହ୍ୟକ ବଳ ନାଶ ଦେଖି

ମନୁ ଯେ ଭୁବନ ଉପେକ୍ଷି

ଉତ୍ତମ ଚିତ୍ରରଥେ ବସି

ମିଳିଲେ ରଣମଧ୍ୟେ ଆସି

ସଙ୍ଗେ ଅଛନ୍ତି ମୁନିଜନେ

ଧ୍ରୁବକୁ ଦେଖି ତୋଷମନେ

ଗୁହ୍ୟକଗଣେ ଦୟା ବହି

କହନ୍ତି ଧ୍ରୁବ ମୁଖ ଚାହିଁ

ମନୁ ଉବାଚ

ଭୋ ବତ୍ସ ଛାଡ଼ ମନୁ ରୋଷ

ଶୁଣ ତୁ ମୋର ଉପଦେଶ

ଏ ରୋଷ ଘୋର ତପହର

ଏ ନୋହେ ଉତ୍ତମ ବେଭାର

ଯେ ରୋଷ ବଶେ ଜ୍ଞାନ ହାରି

ନିର୍ଦ୍ଧୋଷ ଜନ ଯୁଦ୍ଧେ ମାରି

ଏ ଆମ୍ଭ କୁଳଧର୍ମ ନୋହେ

ସାଧୁଙ୍କ ମଧ୍ୟେ ଦୋଷ ବହେ

ଏକଇ ପ୍ରାଣୀ ଅପରାଧେ

ଏହାଙ୍କୁ ମାର କିମ୍ପା ଯୁଦ୍ଧେ

ତୁ ଭ୍ରାତୁ ବଧେ ଛଳ ବହି

ସାଧୁଙ୍କ ମାର୍ଗ ଏ ନୁହଇ

ବିଷ୍ଣୁର ଭାବ ଯାର ଦେହେ

ପ୍ରାଣୀଙ୍କି ଦୟା ହୃଦେ ବହେ

ସମତ୍ୱ ସର୍ବଭୂତେ ଦେଖେ

ତାହାକୁ ନାରାୟଣ ରଖେ

ହରି ପ୍ରସନ୍ନେ ପ୍ରାଣୀ ଦେହେ

ପୁରୁଷ ପ୍ରକୃତି ନ ବହେ

ନ ଲାଗେ ତ୍ରିଗୁଣ ବନ୍ଧନ

ଅନ୍ତେ ଲଭଇ ନିରଞ୍ଜନ

ତୁ ହରିଭକ୍ତ ଶିରୋମଣି

ସର୍ବ ସମ୍ମତେ ତୋତେ ଗଣି

ସାଧୁଜନଙ୍କ ବ୍ରତ କରି

କେ ପାରେ ଅଧର୍ମ ଆଚରି

ଯେ ପ୍ରାଣୀ ଆତ୍ମଭାବେ ସୁଖେ

ହରିଙ୍କି ସର୍ବଭୂତେ ଦେଖେ

ବିଷ୍ଣୁର ଭକ୍ତି ହୃଦେ ଭରି

ଦୟା ତିତିକ୍ଷା ଜୀବେ କରି

ଏମନ୍ତ ଭାବେ ଯାର ମନ

ତାହାକୁ ରଖେ ଭଗବାନ

ହରି ପ୍ରସନ୍ନେ ପ୍ରାଣୀଙ୍କର

ପ୍ରବୃତ୍ତି ବନ୍ଧ ହୁଏ ଦୂର

ଜୀବ ବନ୍ଧନୁ ମୋକ୍ଷ ହୋଇ

ନିର୍ବାଣ ପଦେ ପଶେ ଯାଇ

ଏ ପଞ୍ଚଭୂତ ଦେହ ବହି

ସ୍ତିରୀ ପୁରୁଷ ରୂପ ହୋଇ

ଏ ବେନିସଙ୍ଗ ଏକବେଳେ

ରଜ ସଙ୍ଗେ ବୀର୍ଯ୍ୟ ନିଶ୍ଚଳେ

ଏମନ୍ତେ ସୃଷ୍ଟି ସ୍ଥିତି ନାଶେ

ତ୍ରିଗୁଣ ମାୟାରେ ପ୍ରକାଶେ

ତହିଁ ନିମିତ୍ତ ମାତ୍ର ରହେ

ଜୀବ ପରମ ରୂପ ବହେ

ତାହାର ଦେହ ଏ ଜଗତେ

ଦିଶଇ ଲୋକ ଭ୍ରମଗତେ

ଏଣେ ସେ ହରି କାଳରୂପୀ

ନିଜ ମାୟାରେ ବିଶ୍ୱବ୍ୟାପି

ପ୍ରବାହେ ଯେହ୍ନେ ବୃକ୍ଷରାଶି

ଜଳ ପବନେ ଯାନ୍ତି ଭାସି

ଏମନ୍ତ କାଳଶ୍ରେଷ୍ଠ ବଳେ

ପ୍ରାଣୀ ଭାସନ୍ତି ଅବହେଳେ

ବିପକ୍ଷ ସପକ୍ଷ ଏ ଦୁଇ

ଯାର ସ୍ୱଭାବ ନ ଘଟଇ

ରାଜାଏ ଯାହାର ଆୟତ୍ତେ

ସମେ ବସନ୍ତି ଏ ଜଗତେ

ଧୂଳି ଯେସନେ ବାୟୁ ବଳେ

ଉଡି ଭ୍ରମନ୍ତି ଅନ୍ତରାଳେ

ଜନ୍ମ ଆୟୁଧ ହାନି ଲାଭ

ଏ ଦୁଇ କାହାର ସ୍ୱଭାବ

କେହୁ କହନ୍ତି ଏ ଜଗତ

ସ୍ୱଭାବେ କର୍ମର ଆୟତ୍ତ

ଅବିଦ୍ୟା କାଳ ସଙ୍ଗେ ଜଡ଼ି

ଘୋର ଅନ୍ଧାରେ ପ୍ରାଣୀ ପଡ଼ି

ବାୟୁ ଭ୍ରମଣେ କାଳ ବଳେ

କଲ୍ଲୋଳ ଯେହ୍ନେ ସିନ୍ଧୁଜଳେ

ଅବ୍ୟକ୍ତ ଅପ୍ରମେୟ ସୀମା

କେ ଜାଣିପାରେ ତା ମହିମା

ଏଣୁ ତୋ ଭ୍ରାତାର ମରଣ

ଗୁହ୍ୟକେ ନୁହନ୍ତି କାରଣ

ବିଧାତା ବଳେ ସେ ପ୍ରମାଣ

ଏ କଥା ନିଶ୍ଚୟ କାରଣ

ଏଣୁ ଏ କାଳ ମଧ୍ୟେ ଥାଇ

ଦେବେ ପୂଜନ୍ତି ବଳି ଦେଇ

ନାସା ଭେଦିତ ଗାବ ଯେହ୍ନେ

ଭ୍ରମନ୍ତି ଦାମିନୀ ବନ୍ଧନେ

ଜନନୀ ସପତ୍ନୀ ବଚନେ

ମର୍ମ ଭେଦିତ ତୋର ମନେ

ବନେ ପଶିଲୁ ତପ ଆଶେ

ସ୍ୱଭାବେ ତୁ ପାଞ୍ଚ ବରଷେ

ବିଷ୍ଣୁ ଆରାଧି ତପବଳେ

ବସିଲୁ ଗଗନ ମଣ୍ତଳେ

ତ୍ରିକଳ୍ପ ମଧ୍ୟେ ପାଦଗତେ

ବସିବୁ କଳ୍ପ ପରିଯନ୍ତେ

ସମାଧି ବସି ମୋହପାଶ

ଛେଦିଲୁ ଭବବନ୍ଧ ତ୍ରାସ

ଏବେ ତୋହର ତପ ତେଜ

ସୁମତି ଚିତ୍ତେ ପୁତ୍ର ଭଜ

ସମେ ସକଳ ବ୍ୟାଧି କ୍ଷୟେ

ଅମାୟା ଯେହ୍ନେ ପୁଣ୍ୟ ଦେହେ

ଯାହାକୁ ଦେଖି ପ୍ରାଣୀ ଡରେ

ସେ ପ୍ରାଣୀ ଜୀବ ଥାଉଁ ମରେ

ଈଶ୍ୱର ମିତ୍ର ଏ କୁବେର

ଏହାକୁ ଅବଜ୍ଞା ତୋହର

ଏହାର ପୁଣ୍ୟଜନ ମାରି

ଅନ୍ୟାୟ ପଥକୁ ଆବୋରି

ଏବେ ଏହାରେ ପ୍ରୀତି କର

ସର୍ବ କୁଶଳ ହେବ ତୋର

ଏମନ୍ତେ ସ୍ୱାୟମ୍ବୂବ ମନୁ

ପ୍ରବୋଧ କଲେ ପୁତ୍ର ତନୁ

ଧ୍ରୁବକୁ ଆଲିଙ୍ଗନ କଲେ

ମୁନିଙ୍କ ସଙ୍ଗେ ପୁରେ ଗଲେ

ସେ ମୁନି ଚରଣାରବିନ୍ଦେ

ସୁଜନେ ନମିବ ଆନନ୍ଦେ

ଚତୁର୍ଥସ୍କନ୍ଧେ ଭାଗବତେ

ହରି ମହିମା ଶୁଣ ଚିତ୍ତେ

ସୁଜନ ଜନେ ଏଣେ ରସ

କହିଲେ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତେ ନାମ ତ୍ରୟୋଦଶୋଽଧ୍ୟାୟଃ ।

•••

 

ଚତୁର୍ଦ୍ଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଧ୍ରୁବର କୋପ ଯହୁଁ ଗଲା

କୁବେର ଭୁବନେ ଜାଣିଲା

ତକ୍ଷଣେ ନିଜ ଗଣ ତୁଲେ

ଧ୍ରୁବ ସମୀପେ ଆସି ମିଳେ

ଅଞ୍ଜଳି କରି ବେନି ପାଣି

ଧ୍ରୁବଙ୍କୁ କହେ ମଞ୍ଜୁବାଣୀ

ଧନଦ ଉବାଚ

ଶୁଣ ହେ କ୍ଷତ୍ରୀ ଚୂଡ଼ାମଣି

ତୋର ମହିମା ଆମ୍ଭେ ଶୁଣି

ମିଳିଲି ତୋହର ସମୀପେ

ଗୁହ୍ୟ କିନ୍ନର ଘେନି ସୁଖେ

ତୁ ଯେଣୁ ପିତାମହ ବୋଲେ

କୋପ ଛାଡ଼ିଲୁ ରିପୁ ତୁଲେ

ଭ୍ରାତା ମରଣେ କୋପ ବହି

ଗୁହ୍ୟକ ବିନାଶିଲୁ ତୁହି

କେହି କାହାର ହନ୍ତା ନୋହେ

ପ୍ରାଣୀ ଜୀବନ କାଳ ଦହେ

ଏ ଜୀବ ଅହଙ୍କାର ବହି

ଆତ୍ମାକୁ ବୋଲେ ତୁହି ମୁହିଁ

ଏ ନୋହେ ଜ୍ଞାନୀଙ୍କର ମତ

ଯାହାକୁ ପ୍ରସନ୍ନ ଅନନ୍ତ

ସଂସାରେ ଦେଖେ ସ୍ୱପ୍ନ ପ୍ରାୟେ

ସେ ମୋହ ନୋହେ ବିପର୍ଯ୍ୟୟେ

ତୋର ମଙ୍ଗଳ ହେଉ ନିତ୍ୟେ

ଗୃହେ ତୁ ଚଳ ଶୁଦ୍ଧ ଚିତ୍ତେ

ହରି ଚରଣେ ସେବା କର

ସଂସାରୁ ଆତ୍ମକୁ ଉଦ୍ଧର

ତୋତେ ମୋ ହୃଦ ଅନୁରାଗ

ଯେ ତୋର ଇଚ୍ଛା ବର ମାଗ

ହରିଙ୍କୁ ହୃଦେ ପରିମାଣୁ

ତୁ ବଡ଼ ଯୋଗୀ ଅଟୁ ଯେଣୁ

ଏମନ୍ତେ କୁବେର ବଚନେ

ଧ୍ରୁବ ବିଚାରେ ତୋଷ ମନେ

ମୈତ୍ରେୟ ଉବାଚ

କହଇ ହରି ପାଦଗତେ

ମୋହର ମନ ଥାଉ ନିତ୍ୟେ

ଅନ୍ୟ କଳ୍ପନା ନାହିଁ ମୋର

ଯାର ପ୍ରସନ୍ନେ ଭବୁ ପାର

କହେ କୁବେର ଧ୍ରୁବେ ଚାହିଁ

ଏ ବର ଲଭ ଧ୍ରୁବ ତୁହି

ଏମନ୍ତ କହି ଧ୍ରୁବପାଶେ

କୁବେର ଗମିଲା ଆକାଶେ

ଏବେ ହୋ ଶୁଣ ମହୀପତି

ଧ୍ରୁବର ଅର୍ଜିଲା ବିଭୂତି

କୁବେର ଭୁବନୁ ସନ୍ତୋଷେ

ଧ୍ରୁବ ଗମିଲା ନିଜ ଦେଶେ

ନିଜ ଭୁବନେ ଧ୍ରୁବ ଯାଇ

ଋତ୍ୱିଜ ପୁରୋହିତ ରାଇ

ସଂକଳ୍ପ କଲା ବେଦମତେ

ପୂଜିଲା ବିଷ୍ଣୁ ପାଦଗତେ

ସ୍ୱଭାବେ ସମ୍ପଦ ସମ୍ପାଦି

ଅଣିମା ଆଦି ଅଷ୍ଟନିଧି

ସର୍ବ ସମ୍ପଦ ଭୋଗ କଲା

ଗୃହେ ଉତ୍ତାନପାଦ ବଳା

ପ୍ରଜାଏ ଧ୍ରୁବର ରାଜତ୍ୱେ

ଆନନ୍ଦେ ବଞ୍ଚିଲେ ଜଗତେ

ସ୍ୱଭାବେ ଧ୍ରୁବ ଧର୍ମଶୀଳ

ସୁସାଧୁ ବ୍ରାହ୍ମଣ ବତ୍ସଳ

କୃଷ୍ଣଙ୍କୁ ପିତୃଭାବେ ଜାଣି

ସୁଖ ଦୁଃଖକୁ ସେ ନ ଗଣି

ଆନନ୍ଦ ମନେ ଭୋଗ ପୂଜା

ଧ୍ରୁବ ସପ୍ତଦ୍ୱୀପରେ ରାଜା

ଛତିଶ ସହସ୍ର ବରଷ

ସ୍ୱଭାବ ପରମ ଆୟୁଷ

ଆନନ୍ଦ ମନେ ଭୋଗ କଲା

ଭୂମିମଣ୍ତଳେ ମନୁବଳା

ସୁବର୍ଣ୍ଣ ବର୍ଣ୍ଣ ଶୁଦ୍ଧ ଦେହେ

ପୁଣ୍ୟ ଉଦୟ ଅଘ କ୍ଷୟେ

ତୃତୀୟ ଅଘ କ୍ଷୟ କରି

ପୁତ୍ରକୁ ଅଧିରାଜ୍ୟେ ବରି

ନୃପ ଆସନେ ବସାଇଲା

ସ୍ୱଭାବେ ଅଭିଷେକ କଲା

ଆତ୍ମା ସମ୍ପଦ ଆଦି ଯେତେ

ସ୍ୱପ୍ନର ପ୍ରାୟ ମଣି ଚିତ୍ତେ

ବିଷ୍ଣୁର ମାୟାବଳ ଜାଣି

ଗନ୍ଧର୍ବପୁର ପ୍ରାୟ ମଣି

ସର୍ବ ସମ୍ପଦ ପରିହରି

ସଞ୍ଜମେ ଆତ୍ମା ବଶ କରି

ତପସ୍ୟା ପାଇଁ ସେ ଚଳିଲା

ବଦରୀ ବନେ ସେ ମିଳିଲା

ବିଷ୍ଣୁର ସ୍ଥୂଳରୂପେ ମନ

ସଞ୍ଜମ ବଳେ କରି ଧ୍ୟାନ

ତୀକ୍ଷ୍‍ଣ ରୂପାଲିଙ୍ଗନ କଲା

ନିର୍ମଳ ଜ୍ୟୋତି ପ୍ରକାଶିଲା

ତହୁଁ ସେ ଭେଦ ଶୂନ୍ୟହେଲା

ସ୍ଥୂଳର ଧ୍ୟାନ ସେ ଛାଡ଼ିଲା

ଏହି ପ୍ରକାରେ ଧ୍ରୁବ ନିତି

ହରିଙ୍କ ପ୍ରତି କଲା ଭକ୍ତି

ଅଶ୍ରୁ ତା ନୟନୁ ବହିଲା

ତହିଁରେ ଅଭିଷିକ୍ତ ହେଲା

ତା ଦେହ ଆନନ୍ଦେ ବୁଡ଼ିଲା

ସର୍ବାଙ୍ଗ ପୁଲକ ହୋଇଲା

ନିଜକୁ ଜାଣି ନ ପାରିଲା

ଜ୍ଞାନ ସାଗରେ ବୁଡ଼ିଗଲା

ଅଳପ ସମୟ ଅନ୍ତରେ

ବିମାନ ଦେଖେ ଆକାଶରେ

ତେଜେ ଦଶଦିଶ ବିରାଜେ

ବିଷ୍ଣୁଙ୍କୁ ଦେଖିଲା ସମାଜେ

ଅଖଣ୍ଡ ସୁଧାକର ଯେହ୍ନେ

ହରିଙ୍କୁ ଦେଖିଲା ଗଗନେ

ରଥେ ଦେଖିଲା ବେନି ସୁତ

ନିନ୍ଦନ୍ତି ଶଶାଙ୍କ ଆଦିତ୍ୟ

କିଶୋର ଶ୍ୟାମ ତନୁବର୍ଣ୍ଣ

ଦିଶଇ ଅରୁଣ ଲୋଚନ

ଶୋହେ ସୁନ୍ଦର ଭୁଜଚାରି

ବିଷ୍ଣୁ ଆୟୁଧ ଛନ୍ତି ଧରି

ଅଙ୍ଗଦ କିରୀଟ କୁଣ୍ତଳ

ହୃଦେ ଲମ୍ବଇ ବନମାଳ

ରତ୍ନ ମେଖଳା କଟିମାଝେ

ମକର କୁଣ୍ଡଳ ବିରାଜେ

ଧ୍ରୁବ ନିକଟେ ଯାଇ ମିଳି

ଗଗନୁ ଖସେ କି ବିଜୁଳି

ତୁଣ୍ତେ ଗୋବିନ୍ଦ ନାମ ଗାଇ

କପାଳେ ବେନି କର ଦେଇ

ନମିଲେ ଧ୍ରୁବ ପାଦତଳେ

ରୋମ ପୁଲକ ଅଶ୍ରୁଜଳେ

ଶୌନକ ଆଦି ମୁନି ଯେତେ

ତକ୍ଷଣେ ମିଳିଲେ ସମସ୍ତେ

କୃଷ୍ଣର ନାମ ମୁଖେ ଗାଇ

କହନ୍ତି ଧ୍ରୁବ ମୁଖ ଚାହିଁ

ସୁନନ୍ଦାନନ୍ଦ ଉବାଚ

ଶୁଣ ଉତ୍ତାନପାଦ ସୁତ

ସଂସାରେ ତୁ ଯେ ଭାଗ୍ୟବନ୍ତ

ତୁ ଶିଶୁ ପଞ୍ଚମ ବରଷ

ତପେ ତୋଷିଲୁ ହୃଷୀକେଶ

ଏବେ ଗୋବିନ୍ଦ ଆଜ୍ଞା ଶିରେ

ଘେନି ମିଳିଲୁ ତୋ ଛାମୁରେ

ଧ୍ରୁବ ପଦକୁ ନେବୁ ତୋତେ

ଦେଖ କାଞ୍ଚନ ଦିବ୍ୟ ରଥେ

ଦୁର୍ଲ୍ଲଭ ବିଷ୍ଣୁ ପଦ ତୁହି

ବଳେ ଲଭିଲୁ ତପବହି

ଏ ଶିଶୁମ୍ନାର ଚକ୍ରତଳେ

ଚନ୍ଦ୍ର ଆଦିତ୍ୟ ତାରାମେଳେ

ନିରତେ ଭ୍ରମନ୍ତି ଦକ୍ଷିଣେ

ପବନ ରଜ୍ଜୁ ଆକର୍ଷଣେ

ଯେ ପଦ ତୋର ପିତୃଜନ

ପ୍ରବେଶ ନୋହିଲେ ଭାଜନ

କେ ଆନ ତାହା ଲଭିପାରେ

ଅନିତ୍ୟ ସଂସାର ସାଗରେ

ଅଶେଷ ଜଗତ ବନ୍ଦନ

ବିଷ୍ଣୁ ପରମପଦ ସ୍ଥାନ

ଏଣୁ ଏ ଉତ୍ତମ ବିମାନ

ତୋତେ ପେଷିଲେ ଭଗବାନ

ତୁ ଏବେ ବସ ସ୍ଥିର ମନେ

ବିମାନ ବାହିବୁ ଗଗନେ

ଏମନ୍ତେ ବିଷ୍ଣୁ ଦୂତ ବାଣୀ

ଆନନ୍ଦ ମନେ ଧ୍ରୁବ ଶୁଣି

ତକ୍ଷଣେ ଅଭିଷେକ କଲା

ମୁନିଙ୍କ ଚରଣେ ନମିଲା

ମୁନି ଜନଙ୍କ ଆଶୀର୍ବାଦେ

ଜୟ ମଙ୍ଗଳ ବେଦନାଦେ

ବିମାନେ ପ୍ରଦକ୍ଷିଣ କରି

ବିଷ୍ଣୁ ଦୂତଙ୍କୁ ଆଶ୍ରେକରି

ହିରଣ୍ୟମୟ ରୂପ ଧରେ

ସ୍ୱତେଜେ ଦଶଦିଗ ପୂରେ

ଗଗନେ ଚତୁର୍ବିଧ ବାଦ୍ୟେ

ଦିଗ ପୂରିଲା ଗୀତ ନାଦେ

ପୁଷ୍ପ ବରଷନ୍ତି ହରଷେ

ବିବୁଧେ ଦେଖନ୍ତି ଆକାଶେ

ଧ୍ରୁବ ସ୍ୱର୍ଗକୁ ଯିବାବେଳେ

ଜନନୀ ପଡ଼ିଲା ମନରେ

ଦୁଃଖିନୀ ଅଟେ ମୋ ଜନନୀ

କାହିଁ ରହିଲେ ସେହୁ ପୁଣି

ତାହାଙ୍କୁ ଛାଡ଼ି କି ପ୍ରକାରେ

ଯିବି ମୁଁ ଏବେ ବିଷ୍ଣୁ ପୁରେ

ଦୂତେ ବୁଝିଲେ ଧ୍ରୁବ ଭାବ

ମାତାଙ୍କୁ ଦେଖାଇଲେ ଜବ

ସୁନୀତି ଜନନୀ ସମେତେ

ବସିଲେ ରତ୍ନମୟ ରଥେ

ଧ୍ରୁବଙ୍କୁ ଦେଖି ପ୍ରଶଂସନ୍ତି

କେବା ଆନନ୍ଦେ କରେ ସ୍ତୁତି

ଏମନ୍ତେ ପୁଷ୍ପବୃଷ୍ଟି ପଥେ

ଗ୍ରହଙ୍କୁ ଦେଖିଲେ ଅଗ୍ରତେ

ତ୍ରୈଲୋକ୍ୟ ଜିଣି ଦିବ୍ୟଜନେ

ମୁନିଙ୍କୁ ଦେଖିଲା ବିମାନେ

ମୁନିଙ୍କୁ ଦେଖି ସେହି ରଥେ

ବିଜୟ କଲା ବିଷ୍ଣୁ ପଥେ

ଯେ ପ୍ରାଣୀ ସନ୍ଥ ସମଦୃଶ

ଅଶେଷ ଜନଙ୍କ ବିଶ୍ୱାସ

ଶ୍ରୀହରି ପାଦେ ଚିତ୍ତ ଯାର

ସନ୍ତୋଷ ସମ ସାଧୁ ଧୀର

ସେ ପ୍ରାଣୀ ସେ ପୁରେ ପଶନ୍ତି

ମାୟା ବନ୍ଧନୁ ସେ ତରନ୍ତି

ଏଣୁ ଉତ୍ତାନପାଦ ସୁତ

ବିଷ୍ଣୁର ପରମ ଭକତ

ତ୍ରିଲୋକରମ୍ୟ ମଣି ସ୍ଥାନେ

ବସିଲା ନିଶ୍ଚଳ ଆସନେ

ଗମ୍ଭୀର ବେଗେ କାଳଚକ୍ର

ବଜ୍ର ରସନା ଅତିରେକ

ଗ୍ରହ ନକ୍ଷତ୍ର ତାରାଗଣେ

ଭ୍ରମନ୍ତି ମେଧି ଆକର୍ଷଣେ

ତାର ମହିମା ଯଶ ଘୋଷି

ବିଶ୍ୱାସ ବାଦେ ବ୍ରହ୍ମରାଶି

ପ୍ରଚେତାଗଣେ ଆଗେ ଥାଇ

ନୃତ୍ୟ କରନ୍ତି ବୀଣା ବାଇ

ମାତୃ ସପତ୍ନୀ ବାକ୍ୟଯନ୍ତ୍ରେ

ବନରେ ପଶିଲେ ଯେମନ୍ତେ

ଯେମନ୍ତେ ହରିଙ୍କୁ ତୋଷିଲା

ଜନନୀ ସଙ୍ଗେ ସ୍ୱର୍ଗେଗଲା

ମୈତ୍ରେୟ ଉବାଚ

ଶୁଣ ହେ ବ୍ୟାସଙ୍କ କୁମର

ତୁ ସାଧୁଜନ ମଧ୍ୟେ ବର

ତୁ ଯେଣୁ ପଚାରିଲୁ ମୋତେ

ଧ୍ରୁବ ଚରିତ ଭାଗବତେ

ଉତ୍ତାନପାଦ ଧ୍ରୁବ ବାଣୀ

ଯେ ଏହା ଏକ ମନେ ଶୁଣି

ଶୁଣି କହନ୍ତି ସାଧୁ କୁଳେ

ବସନ୍ତି ବୈଷ୍ଣବ ମଣ୍ତଳେ

ଯଶ ଆୟୁଷ ଧନ ମାନ

ସ୍ୱର୍ଗ ନିବାସ ସ୍ୱସ୍ତ୍ୟୟନ

ବିଘ୍ନ ସମୂହେ ନାହିଁ ଭ୍ରାନ୍ତି

ସକଳ କ୍ଳେଶୁ ନିସ୍ତରନ୍ତି

ବିପ୍ର ସମୀପେ ପ୍ରାତଃକାଳେ

ଗୋବିନ୍ଦ ଭକ୍ତି ଭାବବଳେ

ପୌର୍ଣ୍ଣମୀ ଅମାବାସ୍ୟା ଦିନେ

ଦ୍ୱାଦଶୀ ଶ୍ରବଣା ବିଧାନେ

ଦିବସ କ୍ଷୟ ବ୍ୟତିପାତେ

ସଂକ୍ରାନ୍ତି ଅର୍କବାର ଯୁକ୍ତେ

ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତି

ଅଥବା ଶ୍ରବଣେ ଶୁଣନ୍ତି

ଜ୍ଞାନେ ସନ୍ତୋଷ ପ୍ରାଣୀଙ୍କର

ଚତୁର ଭାବ ନୁହେଁ ଦୂର

ସକାମେ ଜଡ଼େ ଚିତ୍ତ ଯେବେ

ଶୁଣନ୍ତି ସୁତ ଧନ ଲାଭେ

କୁଳେ ସୁପୁତ୍ର ହୁଏ ଜାତ

ଶୁଣି ଧ୍ରୁବର ଚରିତ

ସଂସାର ଜନ ହିତେ ଗୀତ

କହିଲା ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଧ୍ରୁବଲୋକ ଗମନେ

ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।

•••

 

ପଞ୍ଚଦଶ ଅଧ୍ୟାୟ

 

ସୁତଉବାଚ

ମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେ

ଆନନ୍ଦ ବିଦୁରର ମନେ

ଧ୍ରୁବ ଯେ ଜନନୀ ସମେତେ

ନିଶ୍ଚିନ୍ତେ କଳ୍ପେ ପରିଯନ୍ତେ

ବସିଲା ଯାଇ ଧ୍ରୁବପଦେ

ଜ୍ୟୋତିଷ୍କଗଣ ଚକ୍ର ମଧ୍ୟେ

ବିଦୁର ଉବାଚ

ମୈତ୍ରେୟ ପାଦେ କର ଦେଇ

ଆନନ୍ଦେ ବିଦୁର ପୁଚ୍ଛଇ

ଭୋ ମୁନି ପ୍ରଚେତା ବଦନେ

ଧ୍ରୁବ ଯେ ଗଲା ନିଜସ୍ଥାନେ

କେବଣ ବଂଶେ କିବା ଜାତି

କାହାର ପୁତ୍ର ସେ ବୋଲାନ୍ତି

ପୂର୍ବେ ନାରଦର ବଚନେ

ଯଜ୍ଞ ଆରମ୍ଭ କେଉଁ ଜନେ

ହରିଙ୍କି କ୍ରିୟାଯୋଗେ ପାଇ

ଭବୁ ତରିଲେ ଦଶଭାଇ

ଯେ ଧର୍ମ ପାଳି ପ୍ରଚେତସ

ଯଜ୍ଞରେ ବିଷ୍ଣୁ କରି ତୋଷ

ସେ କଥା କହ ମୁନି ମୋତେ

ସଂସାରୁ ତରିବି ଯେମନ୍ତେ

ମୈତ୍ରେୟ ଉବାଚ

ଧ୍ରୁବର ପୁତ୍ର ଗୁଣଧାମ

ଜ୍ୟେଷ୍ଠ ଉତ୍କଳ ତାର ନାମ

ତାହାକୁ ଅଧିରାଜ୍ୟେ ସ୍ଥାପି

ଧ୍ରୁବ ଯେ ଗଲା ଶୂନ୍ୟେ ବ୍ୟାପି

ସେ ବସି ରାଜାର ଆସନେ

ଉତ୍ତମ ରତ୍ନ ସିଂହାସନେ

ସୁଖ ନ ଲଭି ଦୁଃଖ ମନେ

ପିତାର ଯାତ୍ରା ଶୁଣି କର୍ଣ୍ଣେ

ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ

ସମଦରଶୀ ବୁଦ୍ଧି ଘେନି

ଦେଖଇ ସର୍ବଭୂତେ ହରି

ସ୍ଥାବର ଜଙ୍ଗମାଦି କରି

ଏମନ୍ତ ପଦ ବୋଧରସେ

ଗୁଣ ପ୍ରବାହେ ସେ ନ ମିଶେ

ଜଡ଼ାନ୍ଧ ଯୋଗୀଙ୍କର ପ୍ରାୟେ

ଭସ୍ମ ଭୂଷିତ ଶୁଦ୍ଧ ଦେହେ

ବୁଲାଇ ନାନା ମାର୍ଗେ ରୁଚି

କେ ପାରେ ତାର ଗୁଣ ଲେଖି

ଏମନ୍ତ ତାର ଗୁଣ ଦେଖି

ବନ୍ଧୁ ବାନ୍ଧବେ ମନେ ଦୁଃଖୀ

ମନ୍ତ୍ରୀ ଅମାତ୍ୟମାନେ ମିଳି

ରାଜ୍ୟ ରକ୍ଷଣେ ନିତ୍ୟେ ଭାଳି

ବତ୍ସର ତା ଅନୁଜ ନାମ

ସୁନ୍ଦର ସର୍ବ ଗୁଣ ଧାମ

ତାହାର କୁଶଳ ବିଚାରି

ସ୍ୱରାଜେ ଅଭିଷେକ କରି

ସ୍ଥାପିଲେ ନୃପତି ଆସନେ

ଏମନ୍ତେ ଗଲା କେତେଦିନେ

ସୁବିଥୀ ନାମେ ପତ୍ନୀ ତାର

ଯୋଷିତ ଗଣେ ସେ ଗଭୀର

ତାର ଉଦରେ ପୁତ୍ର ଜାତ

ହୋଇଲେ ଗୁଣେ ଅପ୍ରମିତ

ପୁଷ୍ପାର୍ଣ୍ଣ ତୀଷ୍ମକେତୁ ନାମ

ଈଶ ଉର୍ଜ୍ଜ ଯେ ଅନୁପମ

ବସୁ ଜୟ ଯେ ଷଟ ସୁତେ

ଗୁଣେ ବିଖ୍ୟାତ ଏ ଜଗତେ

ପ୍ରଭା ଦୋଷା ଯେ ବେନି ନାରୀ

ପୁଷ୍ପାର୍ଣ୍ଣ ତୁଲେ ବିଭାକରି

ସେ ପ୍ରଭା ଗର୍ଭେ ତିନି ସୁତ

ହୋଇଲେ ଜଗତେ ବିଖ୍ୟାତ

ପ୍ରାତଃ ମଧ୍ୟାହ୍ନେ ସାୟଂକାଳ

ସ୍ୱଭାବେ ତେଜେ ଅନର୍ଗଳ

ପ୍ରଦୋଷ ଅର୍ଦ୍ଧରାତ୍ର ବ୍ୟୁଷ୍ଟ

ଦୋଷାର ଗର୍ଭେ ତିନି ସୃଷ୍ଟ

ବ୍ୟୁଷ୍ଟର ପୁତ୍ର ଶୁଷ୍କଋଷି

ଏକ ଦୁହିତା ଶୁଭ୍ରକେଶୀ

ତାହାର ନାମ ସୁଚାରୁଣୀ

ଅବଳା ମଧ୍ୟ ଶିରୋମଣି

ରୁନ୍ଧୁଷମନ ତାର ଗର୍ଭେ

ଜନ୍ମ ହୋଇଲେ ସୃଷ୍ଟି ପୂର୍ବେ

ନଜ୍ୱଳା ଚକ୍ଷୁଷର ନାରୀ

ରୂପେ ସେ କମଳାକୁ ସରି

ତାର ଉଦରେ ଷଟ ସୁତେ

ହୋଇଲେ ବିଷ୍ଣୁ ତେଜଯୁକ୍ତେ

ନାମେ ସେ ପୁରୁଷ ପ୍ରକୃତ

ପଦ ସୁଶ୍ରୟ ଦୃଢ଼ବ୍ରତ

ସେ ଷଟ ପୁତ୍ର ଷଟ ଭାଇ

ଶୁଣ ତାହାଙ୍କ ନାମ କହି

ଅଗ୍ନି ସୋମକ ଅତିରାତ

ପ୍ରଦ୍ୟୁମ୍ନ ସମର ଉନ୍ନତ୍ତ

ଉନ୍ମୁତ୍ତ ଆଦି ଷଟସୁତ

ହୋଇଲେ ମନୁବଂଶେ ଖ୍ୟାତ

ଅଙ୍ଗ ସୁମନ ସ୍ୱାତି ତିନି

କ୍ରତୁ ଅଙ୍ଗିରାଚୟ ଘେନି

ସୁନିଥା ଯମର ଦୁହିତା

ଅଙ୍ଗିରା ପତ୍ନୀ ଯେ ସୁବ୍ରତା

ବେଣୁ ତାହାର ଗର୍ଭୁ ଜାତ

ଶୁଣ ହୋ ତାହାର ଚରିତ

ସେ ପୁଣି ମାତାମହ ଦୋଷେ

ଦୁଷ୍ଟ ହୋଇଲେ ମନୁବଂଶେ

ତାହାର ଦେଖି ଦୁଷ୍ଟପଣ

କୋପେ ଶାପିଲେ ମୁନିଗଣ

ପୁଣି ତାହାର ମୃତଗାତ୍ରେ

ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ

ଦକ୍ଷିଣ କରେ କୁଶବିଡ଼ି

ମନ୍ଥନ କଲେ ବେଦ ପଢ଼ି

ପ୍ରଜା ଅନାଥ ଅରାଜକେ

ଦୁଷ୍ଟ ପୀଡ଼ିତ ଅତିରେକେ

ତା ଦେହୁଁ ପୁଥୁ ନାମେ ହରି

ଜନ୍ମିଲେ ରାଜ ରୂପ ଧରି

ତା ଶୁଣି ସନ୍ତୋଷେ ବିଦୁର

ମୁନି ଚରଣେ ଦେଇ କର

ଲୋମ ପୁଲକ ତାର ଦେହୀ

ସ୍ୱଭାବେ କୃତକୃତ୍ୟ ହୋଇ

ବିଦୁର ଉବାଚ

ଯେ ଅଂଶେ ସାଧୁଶୀଳ ବୁଦ୍ଧି

ସର୍ବ ଲକ୍ଷଣ ଶ୍ରେଷ୍ଠ ନିଧି

ବ୍ରାହ୍ମଣ ପ୍ରଜା ରକ୍ଷାକାରି

ସେ ସର୍ବ ଧର୍ମେ ଅଧିକାରୀ

ଯେ ବେଣୁ ନାମେ ତାର ସୁତ

ଦୁଷ୍ଟ ହୋଇଲେ ସେ କେମନ୍ତ

ପ୍ରଜାଏ ରାଜା ଦୁଷ୍ଟ ପଣେ

ଭୟେ ପଶିଲେ ଘୋରବନେ

କିମ୍ପା ବ୍ରାହ୍ମଣ କୋପ କଲେ

ତାହାକୁ ବ୍ରହ୍ମଦଣ୍ତ ଦେଲେ

ସେ ବିପ୍ରବର ସର୍ବଜ୍ଞାତା

ଆଗମ ନିଗମ କରତା

ଏତେ ଅନ୍ୟାୟ କିମ୍ପା କଲେ

ରାଜାଙ୍କୁ ଘୋର ଶାପଦେଲେ

ରାଜାଙ୍କ ଶରୀର ନିଶ୍ଚଳେ

ବସନ୍ତି ସର୍ବଦିଗପାଳେ

ସେ ରାଜା ବିଷ୍ଣୁ ତେଜ ବହି

ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ

ଯମର ସୁତାସୁତ ଯେଣୁ

ଦୁଷ୍ଟ ହୋଇଲେ ଅବା ତେଣୁ

ଏ କଥା କହ ମୁନି ମୋତେ

ସଂଶୟ ନ ରହୁ ମୋ ଚିତ୍ତେ

ମୈତ୍ରେୟ ଉବାଚ

ଶୁଣ ହେ ବେଣୁ ଦୁଷ୍ଟପଣ

କହିବା ଦାନର ଲକ୍ଷଣ

ଅଙ୍ଗ ଯେ ଅଶ୍ୱମେଧ କଲା

ଉତ୍ତମ ଋଷିଙ୍କୁ ବରିଲା

ସକଳେ ମିଳି ବେଦ ନାଦେ

ଅନଳ ପୂଜିଲେ ସମିଧେ

ଯଜ୍ଞକୁଣ୍ତକୁ ବିପ୍ରେ ଚାହିଁ

ଦେଖିଲେ ଦେବଗଣେ ନାହିଁ

ଇନ୍ଦ୍ରାଦି ଦଶଦିଗ ପାଳେ

ଯଜ୍ଞରେ କେହି ନ ମିଳିଲେ

ଦେଖି ବିସ୍ମୟ ମୁନିଜନେ

ନିକଟେ ରାଇ ଯଜମାନେ

ବୋଇଲେ ରାଜା ମୁଖ ଚାହିଁ

ଏ ଯଜ୍ଞ କରୁ କିସପାଇଁ

ପବିତ୍ର ବସ୍ତୁ ଶୁଦ୍ଧ କରି

ଅନଳେ ନିଗମ ଉଚ୍ଚାରି

ଆମ୍ଭେ ସକଳେ ଧ୍ରୁବବ୍ରତା

ଦ୍ୱିଜ ସ୍ୱଭାବେ ଶୁଦ୍ଧଚେତା

ମନ୍ତ୍ର ଉଚ୍ଚାରି ଆମ୍ଭେ ତୁଣ୍ତେ

ଆହୁତି ଦେଲୁ ଯଜ୍ଞ କୁଣ୍ତେ

ଦେବେ ନଇଲେ କେଉଁଭାବେ

ତାର ପ୍ରସ୍ତାବ କହ ଏବେ

ସକଳ କର୍ମ ସାକ୍ଷୀ ଦେବେ

କିମ୍ପା ନଇଲେ ଯଜ୍ଞଭାଗେ

ମୈତ୍ରେୟ ଉବାଚ

ଅଙ୍ଗ ଯେ ବିପ୍ର ମୁଖୁଁ ଶୁଣି

ସ୍ୱଧର୍ମେ ବିପ୍ରେ ପରିମାଣ

ସଭା ଜନଙ୍କ ମୁଖ ଚାହିଁ

ଏ ଯଜ୍ଞ କଲୁ କିସ ପାଇଁ

ଅଙ୍ଗରାଜା ଉବାଚ

କି ମନ୍ଦ କର୍ମ ମୋର ଅଛି

ଭୋ ବିପ୍ର କହ ଧର୍ମ ଲେଖି

ଦେବେ ନଇଲେ ଯଜ୍ଞଭାଗେ

କାରଣ କହ ମୋର ଆଗେ

ଏମନ୍ତେ ରାଜା ମୁଖୁଁ ଶୁଣି

ସ୍ୱଧର୍ମେ ବିପ୍ର ପରିମାଣି

ମୁନିରୁବାଚ

ବୋଇଲେ ରାଜା ମୁଖ ଚାହିଁ

ତୋ ଦେହେ କିଛି ପାପ ନାହିଁ

ପୂର୍ବ ଅର୍ଜିତ କର୍ମଫଳେ

ସନ୍ତତି ନାହିଁ ତୋର କୁଳେ

ଅପୁତ୍ର ଦୋଷେ ଦେବଗଣେ

ନଇଲେ ଯଜ୍ଞ ନିମନ୍ତ୍ରଣେ

ତୁ ଏବେ ପୁତ୍ରଯଜ୍ଞ କର

ଯଜ୍ଞେ ଯଜ୍ଞପୁରୁଷ ବର

ତେବେ ସକଳ ଦେବଗଣ

ତୋ ଯଜ୍ଞେ ହୋଇବେ ବରଣ

ସେ ବିଷ୍ଣୁ ହବିର୍ଭାଗ ଖାଇ

ତୋହର ଯଜ୍ଞେ ତୋଷ ହୋଇ

ସେ ହରି ପୁତ୍ର ଦେବେ ତୋତେ

ସଂସାରୁ ତରିବୁ ଯେମନ୍ତେ

ମୈତ୍ରେୟ ଉବାଚ

ଏମନ୍ତେ ସଭାବାକ୍ୟ ଶୁଣି

ସେ ଅଙ୍ଗରାଜ ମନେ ଗୁଣି

ଯଜ୍ଞେ ଯଜ୍ଞପୁରୁଷ ତୁଣ୍ତେ

ଆହୁତି ଦେଲେ ହୋମ କୁଣ୍ତେ

ତକ୍ଷଣେ ହୋମକୁଣ୍ତୁ ଜାତ

ପୁରୁଷେ ହୋଇଲା ସମ୍ଭୂତ

ହୃଦେ ଲମ୍ବଇ ହେମ ହାର

କଟୀରେ ଶୋହେ ପୀତାମ୍ବର

ଶଙ୍ଖ କମଳ ଚତୁର୍ଭୁଜେ

କୋଟି କନ୍ଦର୍ପ ଜିଣି ରାଜେ

ସୁବର୍ଣ୍ଣ ପାତ୍ର କରେ ଧରି

ପୂରେ ଅମୃତମୟ କ୍ଷିରୀ

ବିପ୍ରଙ୍କ ବାକ୍ୟେ କ୍ଷିରୀପାତ୍ର

ଘେନିଣ ପୁରୁଷ ଅଦ୍ଭୁତ

ସେ ତେଜ ଗଞ୍ଜେ ଦିବ୍ୟକାନ୍ତି

ଘେନିଣ ବିପ୍ରେ କଲେ ନୀତି

ଷୋଡ଼ଶ ଉପଚାର ଯୁକ୍ତେ

ଯଜ୍ଞେ ପୂଜିଲେ ଜଗନ୍ନାଥେ

ବିଷ୍ଣୁଙ୍କୁ ପୂଜି ଯଜ୍ଞବାକ୍ୟେ

ବର କଳ୍ପିଲେ ଯଥାଯୁକ୍ତେ

ଯାଜ୍ଞିକ ମନ ଜାଣି ହରି

କହନ୍ତି ଶଙ୍ଖ ଚକ୍ରଧାରୀ

ଯଜ୍ଞପୁରୁଷ ଉବାଚ

ଶୁଣ ଉତ୍ତମ ବିପ୍ରଗଣେ

ଏ ରାଜା ସନ୍ତତି କାରଣେ

ମୋତେ ପୂଜିଲା ଯଜ୍ଞମତେ

ତୁମ୍ଭର କାମ ସାଧ୍ୟ ଅର୍ଥେ

ଅସ୍ତୁ ହୋଇବ ବାଞ୍ଛାଫଳ

ମୋ ଅବଶେଷ ଯେ ନିର୍ମାଲ୍ୟ

ଏହାକୁ ଦିଅ ରାଜା ହସ୍ତେ

ଆଘ୍ରାଣ କରି ନାସାଗ୍ରତେ

ପତ୍ନୀ ଭୁଞ୍ଜିବ ତାର ଯେବେ

ସୁପୁତ୍ର ହେବ ତାର ଗର୍ଭେ

ମୈତ୍ରେୟ ଉବାଚ

ଏମନ୍ତେ କହି ଜନାର୍ଦ୍ଦନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

ଯଜ୍ଞପୁରୁଷ ଆଜ୍ଞା ଘେନି

ବ୍ରାହ୍ମଣେ କଲେ ଜୟଧ୍ୱନି

ସୁବର୍ଣ୍ଣ ପାତ୍ର କରେ ଧରି

ପୁରେ ଅମୃତମୟ କ୍ଷିରୀ

ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର

କରେ ଘେନିଲେ ନୃପନାଥ

ଆଘ୍ରାଣ କରି ନାସାଦ୍ୱାରେ

ଦେଲେ ଯେ ନିଜପତ୍ନୀ କରେ

ସେ ପୁଂସବନ କ୍ଷିରୀ ଆଣି

ରହି ଭୁଞ୍ଜିଲା ତା ଘରଣୀ

ତକ୍ଷଣେ ପୁଂସବନ ଭାବେ

ପୁତ୍ର ରହିଲା ତାର ଗର୍ଭେ

ସେ ଗର୍ଭ ତାର ଉପଗତେ

କୁମରେ ଜନ୍ମିଲେ ଅଦ୍ଭୁତେ

ଦିନକୁ ଦିନ ସେ ବଢ଼ିଲା

ମାତାର ଅଂଶ ନ ଛାଡ଼ିଲା

ସ୍ୱଭାବେ ହୋଇ ଅଧାର୍ମିକ

କ୍ଷତ୍ରୀୟ ଭାବେ ଅବିବେକ

ନିରତେ ଧନୁଶର ଧରି

ବନେ ମୃଗୟା ନିତ୍ୟକରି

ତୁଲ୍ୟ ବୟସ ଶିଶୁ ମେଳେ

ଯେବେ ଖେଳଇ କୁତୁହଳେ

ତାହାଙ୍କୁ ଦୁଷ୍ଟପଣେ ଦୃଢ଼େ

ଚରଣେ ଚାପି ମୁଣ୍ତ ମୋଡ଼େ

ଏମନ୍ତେ ତାର ଦୁଷ୍ଟ ପଣ

ରାଜାର ଅଗ୍ରେ ପ୍ରଜାଜନ

ରୋଦନ କରି ଉଚ୍ଚ ତୁଣ୍ଡେ

କର ଅଞ୍ଜଳି ଦେଇ ମୁଣ୍ଡେ

କହନ୍ତି ବେଣୁ ଦୁଷ୍ଟ ପଣ

ରୋଦନ କରି ପ୍ରଜାଗଣ

ଏମନ୍ତେ ପୁତ୍ର ଗୁଣ ଶୁଣି

ବଳେ ପୁତ୍ରକୁ ଘରେ ଆଣି

ନାନା ପ୍ରକାରେ ଧର୍ମ କହି

ଅନେକ ମତରେ ବୁଝାଇ

ଶୁଣନ୍ତେ ନାନା କୋପ କରେ

ପିତାର ବଚନ ନ ଧରେ

ଦିନକୁ ଦିନ ଦୁଷ୍ଟ ପଣେ

କୋପ ବହିଲେ ପ୍ରଜାଗଣେ

ଅଙ୍ଗ ତାହାର କର୍ମ ଦେଖି

ଭାଳଇ ଅତି ଦୁଃଖେ ଦୁଃଖୀ

ସୁପୁତ୍ର କୁପୁତ୍ର ବିଚାରେ

ଚିତ୍ତ ନ ରହେ ତାର ଘରେ

ରଜନୀ ଅର୍ଦ୍ଧେ ନୃପବର

ମନ୍ଦିରୁ ହୋଇଲା ବାହାର

ବନେ ପଶିଲା ନରପତି

କେହି ନ ଜାଣେ ତାର ଗତି

ତାହାର ପାତ୍ର ମନ୍ତ୍ରୀଗଣେ

ଅନେକ ଖୋଜି ଘୋରବନେ

ନ ଦେଖି ନଗରେ ମିଳିଲେ

ଅନେକ ପ୍ରକାରେ ଭାଳିଲେ

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଅରାଜ୍ୟ କରଣେ

ବେଣୁଜନ୍ମନି ନାମ ପଞ୍ଚଦଶୋଽଧ୍ୟାୟଃ ।

•••

 

Unknown

ଷୋଡ଼ଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଭୃଗୁ ଅଙ୍ଗିରା ମୁନି ଯେତେ

ଋଷିଏ ମିଳିଲେ ସମସ୍ତେ

ଭାଳନ୍ତି ଅତି ମନଦୁଃଖେ

ପ୍ରଜା ରକ୍ଷଣ ଅରାଜକେ

କହନ୍ତି ଯେବେ ନାହିଁ ରାଜା

ଦୁଷ୍ଟେ ଲୁଟିବେ ଜନପ୍ରଜା

ଏମନ୍ତ ବିଚାରି ସମସ୍ତେ

ବେଣୁର ଜନନୀ ଅଗ୍ରତେ

ରାଜ୍ୟ ରକ୍ଷଣେ ଧର୍ମ କହି

ସକଳ ଜନେ ରୁଣ୍ତ ହୋଇ

ବିଚାର କରି ଅତିରେକେ

ବେଣୁକୁ ରାଜ ଅଭିଷେକେ

ନିଜ ଭୁବନେ କଲେ ରାଜା

ଯେଣେ ରକ୍ଷିତ ଜନପ୍ରଜା

ଦୁଷ୍ଟେ ଯେ ଥିଲେ ଦୁଷ୍ଟପଣେ

ଲୁଟିବେ ବୋଲି ପ୍ରଜାଗଣେ

ବେଣୁର ରାଜପଣ କର୍ଣ୍ଣେ

ଲୁଚିଲେ ଶୁଣି ଘୋରବନେ

ସୁପର୍ଣ୍ଣ ଡରେ ଯେହ୍ନେ ନାଗେ

ପଶିଲେ ଗିରି ଘୋରମାର୍ଗେ

ବେଣୁ ଯେ ରାଜ୍ୟେ ରାଜାହୋଇ

ରାଜ ସମ୍ପଦେ ଗର୍ବ ବହି

ସ୍ୱଭାବେ ଦୁଷ୍ଟ ଦୁରାଚାର

ଧର୍ମେ ନ କରଇ ବିଚାର

ଆତ୍ମାକୁ ସିଦ୍ଧ ପ୍ରାୟ ମଣେ

ଋଷିଙ୍କ ବଚନ ନ ଶୁଣି

ଲଭିଣ ଅଶେଷ ବିଭୂତି

ମାତିଲା ଯେହ୍ନେ ମତ୍ତହସ୍ତୀ

କାଞ୍ଚନ ରଥେ ବିଜେ କରି

ବୁଲନ୍ତେ କମ୍ପେ ବସୁନ୍ଧରୀ

ନିତ୍ୟେ ସେ ବିପ୍ରଙ୍କୁ ଅଣାଇ

କହଇ ମନେ ତୋଷ ବହି

ଶୁଣ ହେ ବିପ୍ରେ ମୋର ବାଣୀ

ମୁଁ ଏ ଜଗତେ ନୃପମଣି

ମୋହର ବଚନ ତୁମ୍ଭର

ସ୍ୱଭାବେ ପାଳିବା ବେଭାର

ଦେଖ ମୋହର ବେନି ଭୁଜ

ଅଷ୍ଟଦିଗପାଳଙ୍କ ତେଜ

ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ

ଦେଖ ମୋହର ବର୍ଣ୍ଣ ଚିହ୍ନ

ବ୍ରାହ୍ମଣ ଆଦି ଚାରିବର୍ଣ୍ଣ

ପାଶେ ବସାଇ ପ୍ରଜାଗଣ

ଆତ୍ମାକୁ ସିଦ୍ଧପ୍ରାୟ ମଣି

କହଇ ଅସମ୍ଭବ ବାଣୀ

ଶୁଣ ସକଳ ପ୍ରଜାଜନେ

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ

ମୋ ରାଜ୍ୟେ ଯଜ୍ଞ ନ କରିବ

ପିତୃ ଦେବତା ନ ପୂଜିବ

ଦାନ ନ ଦେବ ବିପ୍ର ହସ୍ତେ

ତୀର୍ଥ ନ ଯିବ ପାଦଗତେ

ସଂସାରେ ଧର୍ମ କର୍ମ ଯେତେ

ସକଳ ସମର୍ପିବ ମୋତେ

ମୋ ତହୁଁ ବଡ ନାହିଁ ଆନ

ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ

ମୋ ନାମ ଜପୁଥିବ ତୁଣ୍ତେ

ମୋତେ ପୂଜିବ ଅଗ୍ନିକୁଣ୍ତେ

ଯେ ମୋର ବାକ୍ୟ ନ କରିବ

ମୋ ରାଜ୍ୟେ ଦଣ୍ତେହେଁ ନ ଥିବ

ଜୀବନ ନାଶିବି ତାହାର

ସର୍ବ ସମ୍ପଦ କରି ଜୂର

ଏମନ୍ତ ପୁର ଗ୍ରାମ ଦେଶେ

ହସ୍ତୀର କନ୍ଧେ ଭେରୀ ଘୋଷେ

ଘୋଷଣା ଦେଲା ସର୍ବ ଦେଶେ

ଶୁଣି ସକଳ ଜନ ତ୍ରାସେ

ବେଣୁର ବାକ୍ୟ ଶିରେ କଲେ

ସକଳ ଧର୍ମ ଉପେକ୍ଷିଲେ

ଜପନ୍ତି ତାର ନାମ ନିତ୍ୟେ

ଭୟେ ଖଟନ୍ତି ପାଦଗତେ

ଏମନ୍ତେ ରାଜା ଦୁଷ୍ଟପଣ

ଦେଖି ଭାଳନ୍ତି ମୁନିଗଣ

କହନ୍ତି ଏକୁ ଆରେ ଚାହିଁ

ଏମନ୍ତ ଶୁଣିଲା ତ ନାହିଁ

ଭୂମିରେ ଯେତେ ରାଜା ଥିଲେ

ଏମନ୍ତ କେବା ପ୍ରକାଶିଲେ

ଯଜ୍ଞ ନ କଲେ ମେଘ ନାହିଁ

ବୃଷ୍ଟି ନ କଲେ ଅନ୍ନ କାହିଁ

ଏ ପଞ୍ଚଯଜ୍ଞ କ୍ରିୟା ଲୋପେ

ଅଧର୍ମେ ତ୍ରିଭୁବନ କମ୍ପେ

ଏ ଘୋର ସଙ୍କଟ ପଡ଼ିଲା

ଉଭୟ ଲୋକ ନାଶ ଗଲା

ଆମ୍ଭେ ଏହାକୁ ରାଜା କଲୁ

ସର୍ପକୁ କ୍ଷୀର ପିଆଇଲୁ

ସେ ଯେବେ ବଢ଼େ ଅତି ଘୋରେ

କ୍ଷୀରଦାତାର ପ୍ରାଣ ହରେ

ଆମ୍ଭେ ନ ବୁଝି କର୍ମ କଲୁ

ବେଣୁକୁ ରାଜପଣ ଦେଲୁ

ସର୍ପକୁ ଦେଲୁ କ୍ଷୀର ଗ୍ରାସ

ଆମ୍ଭେ ହୋଇଲୁ ଏବେ ନାଶ

ସୁନୀଥା ଗର୍ଭରୁ ଏ ସମ୍ଭୂତ

ସ୍ୱଭାବେ ଯମସୁତାସୁତ

ଆମ୍ଭେ ଏହାର ପାଶେ ଯିବା

ଧର୍ମ ବଚନ ବୁଝାଇବା

ଏ ଯେବେ ବୋଲ ନ କରିବ

ଅଧର୍ମ ଭାବେ ଏ ମରିବ

ଏତେ ବିଚାରି ବିପ୍ରଜନେ

ମିଳିଲେ ତେଣୁ ସନ୍ନିଧାନେ

କଲ୍ୟାଣ କରି ବେଦନାଦେ

ବୋଧିଲେ ସାମଗାନ ବାଦେ

ହେ ନୃପନାଥ ଶୁଣ ଧୀରେ

ଯାହା କହିବୁ ତୋ ଛାମୁରେ

ଯେଣେ ହୋଇବ ତୋର ଲାଭ

ଜଗତେ ଯଶକୀର୍ତ୍ତି ଥିବ

ମନ ବଚନ ଦେହଗତେ

ଯେ ପ୍ରାଣୀ ଥାନ୍ତି ଜନ ହିତେ

ଏ ବେନି ଲୋକ ସେ ଜିଣନ୍ତି

ନ କଲେ ଜୀବନ୍ତେ ମରନ୍ତି

ପ୍ରଜାଏ ଧର୍ମ ଆଚରିଲେ

ନୃପ ସମ୍ପଦ ବଢ଼େ ଭଲେ

ସେ ଧର୍ମ ଯେବେ ନାଶ ଯାଇ

ନୃପ ସମ୍ପଦ ଆଉ କାହିଁ

ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ

ଚୌର୍ଯ୍ୟାଦି ସର୍ବତୟ ହରେ

ସେ ରାଜା ଇହ ପରଲୋକେ

ଆନନ୍ଦ ମନେ ରହେ ସୁଖେ

ଯେ ରାଜ୍ୟ ରାଜ୍ୟପର ଦେଶେ

ବିଷ୍ଣୁଙ୍କୁ ପୂଜନ୍ତି ହରଷେ

ସେ ରାଜା ଯଜ୍ଞେ ପୂଜା ପାଇ

ବିଷ୍ଣୁ ସନ୍ତୋଷେ ଦୟା ବହି

ରାଜା ପରଜା ସୁଖ ବହେ

ଏ ଧର୍ମ ଚାରିବେଦ କହେ

ବିଷ୍ଣୁର ପାଦପଦ୍ମ ତଳେ

ଖଟନ୍ତି ସର୍ବଦିଗପାଳେ

ସେ ସର୍ବ ଯଜ୍ଞମୟ ହରି

ମନୁ ଦେବତା ଆଦି କରି

ସେହରି ଯଜ୍ଞେ ହେଲେ ତୋଷ

ସଂସାରେ ରହିବ ତୋ ଯଶ

ସର୍ବ ଦେବତା ତାର ଦେହେ

ବସନ୍ତି ସର୍ବ ଲୋମ ପ୍ରାୟେ

ସେ ସର୍ବ ବେଦମୟ ହରି

ତାଙ୍କ ଚରଣ ପୂଜା କରି

ଲଭିବୁ ସର୍ବ ଶୁଭ ଭଲେ

ଆମ୍ଭର ଧର୍ମ ବାକ୍ୟ କଲେ

ବେଣୁରୁବାଚ

ଋଷିଙ୍କ ବୋଲ ଶୁଣି କର୍ଣ୍ଣେ

ରାଜା ବୋଲଇ କୋପମନେ

ତୁମ୍ଭେ ସମସ୍ତେ ମୂର୍ଖ ଅଟ

ଅଧର୍ମ ଧର୍ମ ବୋଲି ଖଟ

ମୁଁ ଅଟେ ଅନ୍ନଦାତା ସ୍ୱାମୀ

ମୋତେ ନ ପୂଜ ମୂଢ଼ଗାମୀ

ନୃପ ସ୍ୱରୂପ ଈଶ ମୁହିଁ

ମୋତେ ନ ପୂଜ ଆଜ୍ଞା ବହି

ଏ ଅପରାଧେ ଇହଲୋକେ

ସୁଖ ନ ମିଳେ ଅନ୍ୟ ଲୋକେ

ଯଜ୍ଞପୁରୁଷ କେ ଅଟଇ

ମୋ ବିନୁଁ ଅନ୍ୟ କେହି ନାହିଁ

ଦେଖ ନୃପତି ଏ ଶରୀରେ

ଦେବେ ବସନ୍ତି ଅଧିକାରେ

ବିଷ୍ଣୁ ବିରଞ୍ଚି ମହେଶ୍ୱର

ଇନ୍ଦ୍ର ପବନ ଦିବାକର

ଯମରାଜନ ଧର୍ମଦାତା

ସୋମ ଧରଣୀ ଭସ୍ମକର୍ତ୍ତା

ଇନ୍ଦ୍ର ବରୁଣ ଆଦି ଯେତେ

ସର୍ବେ ବସନ୍ତି ନୃପ ଗାତ୍ରେ

ଯେ ବର ଶାପଦ୍ୟନ୍ତି ଲୋକେ

ନୃପ ଶରୀର ଏକେ ଏକେ

ଏ ଦେହେ ମହିମା ନ ଜାଣି

ଅଧର୍ମ ଧର୍ମ ପରିମାଣି

ଏଣୁ ତୁମ୍ଭର କର୍ମ ଯେତେ

ସେ ଧର୍ମେ ପୂଜା କର ମୋତେ

ମୋହର ଅଙ୍ଗେ ବନ୍ଦୀ କର

ଏ ଧର୍ମ ସ୍ୱକର୍ମ ତୁମ୍ଭର

ସୁଯଜ୍ଞ ଭୋଗ ମୋର ଦେହୀ

ମୋ ତହୁଁ ଅନ୍ୟ ଦେବ ନାହିଁ

ଏମନ୍ତ ବିପରୀତ ମତି

ଭଜିଲା ପାଷାଣ୍ଡଙ୍କ ଗତି

ମୁନିଙ୍କ ଅନୁରୋଧ ବାଣୀ

ନିଶ୍ଚେ ନ କଲା ନୃପମଣି

ସ୍ୱଭାବେ ଦୁଷ୍ଟ ଅନର୍ଗଳ

ଆତ୍ମାକୁ କଲା ଅମଙ୍ଗଳ

ଏମନ୍ତ ମୁନିଙ୍କ ବଚନେ

ଅବଜ୍ଞା କଲା ଦିନେ ଦିନେ

ଆତ୍ମା ପଣ୍ତିତ ମାନ୍ୟ କରେ

ମୁନିଙ୍କ ବଚନ ନ ଧରେ

ମୁନିଏ ଦିନେ ଦିନେ ଆସି

ଧର୍ମ କହନ୍ତି ପାଶେ ବସି

କେବେହେଁ ନ କଲା ବଚନ

ମୁନିଙ୍କୁ କଲା ଅପମାନ

ତାହାର ଅଧର୍ମ ବିଶ୍ୱାସେ

ମୁନିଏ ବୋଲନ୍ତି ଯେ ରୋଷେ

ବୋଲନ୍ତି ଏକୁ ଆରେ ଚାହିଁ

ଏହା ଜୀବନେ କାର୍ଯ୍ୟ ନାହିଁ

ଏହାର ଅଧର୍ମ ଆଚାରେ

ପ୍ରଜାଏ ନାଶିଲେ ସଂସାରେ

ଅସାଧୁ ବ୍ରତ ଏହା ଦେହା

ନୃପ ଆସନେ ଭୋଗ କାହିଁ

ଯେ ରାଜା ଲାଜ ଦୂର କରି

ଯଜ୍ଞେ ନିନ୍ଦନ୍ତି ନରହରି

କେ ତାହା ସହେ ଦେହ ବହି

ବେଣୁକୁ ରାଜପଣେ ଥୋଇ

ଏମନ୍ତେ ବେଣୁ ପାଶେ ରହି

ମୁନିଏ ମହାକୋପ ବହି

ହୁଙ୍କାର କରି ଦେବବାଣେ

ପ୍ରହାର କଲେ ତାର ପ୍ରାଣେ

ଅଚ୍ୟୁତ ନିନ୍ଦା ଫଳଥିଲା

ତକ୍ଷଣେ ଦେହୁଁ ପ୍ରାଣ ଗଲା

ବେଣୁକୁ ମାରି ମୁନିଜନେ

ଗଲେ ଯେ ଯାହା ଭୁବନେ

ସୁନୀଥା ପୁତ୍ରର ମରଣ

ଦେଖି କରଇ ବିଚାରଣ

ଅବଶ୍ୟ ଏହାର ଶରୀରେ

ପୁତ୍ର ଉପୁଜିଲେ ସଂସାରେ

ହୋଇବେ ପ୍ରଜାଜନେ ସୁଖୀ

ଏତେ ବିଚାରି ଅଶ୍ରୁମୁଖୀ

ତଇଳ ଦ୍ରୋଣୀ ମଧ୍ୟେ ଥୋଇ

ଦ୍ରୋଣୀରେ ଶରୀର ଜଳାଇ

ଏହି ସମୟେ ଏକ ଦିନେ

ସରଯୁ ଜଳେ ବିପ୍ରଜନେ

ନିଶ୍ଚିନ୍ତେ ପ୍ରାତଃସ୍ନାନକରି

ହୋମେ ପୂଜିଲେ ନରହରି

ବିଷ୍ଣୁର କଥା ଗୋଷ୍ଠୀ କଲେ

ଏମନ୍ତେ ଉତ୍ପାତ ଦେଖିଲେ

ଶୁଭଇ ଲୋକେ ମୁଖ ଘୋଷ

ଆନନ୍ଦେ ବାକ୍ୟ ଗୀତରସ

ପ୍ରଜାଏ ଅନାଥ ଆତୁରେ

ଭୟେ ପଳାନ୍ତି ଗିରିଘୋରେ

ମୁନି ଚାହାନ୍ତି ଚାରିଦିଗେ

ଧୂଳି ଉଡିଲା ବାୟୁଯୋଗେ

ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି

ଡାକନ୍ତି ମାର ମାର କରି

ତାଙ୍କ ଚରଣ ଧୂଳି ବେଗେ

ଆଚ୍ଛାଦି ଉଡେ ଦଶଦିଗେ

ଦୁଷ୍ଟେ ଲୁଟନ୍ତି ପ୍ରଜାଧନ

ଅଦ୍ଭୁତେ ଶୁଭେ ଘୋରସ୍ୱନ

ମୁନିଏ ପ୍ରଜାଦୁଃଖ ଦେଖି

ମନେ ହୋଇଲେ ଗୁରୁଦୁଃଖୀ

ବୋଲନ୍ତି କଲୁ ମନ୍ଦ କୃତ୍ୟ

ପ୍ରଜାଏ ହୋଇଲେ ଅନାଥ

ରାଜା ନ ଥିଲେ ପ୍ରଜା କାହିଁ

ଏମନ୍ତ ବୋଲି ଦୟାବହି

ବୋଲନ୍ତି ବ୍ରାହ୍ମଣ-ବେଭାରେ

ସଂସାରେ ପର-ଉପକାରେ

କ୍ଷୀରୁ ଯେସନେ ଭିନ୍ନ ଭାଣ୍ଡେ

ଯତ୍ନ କରନ୍ତି ଦଣ୍ଡେ ଦଣ୍ଡେ

କେବେହେଁ ନୋହେ ସେ ନିରୋଧ

ଏମନ୍ତ ମଣି ଶାସ୍ତ୍ର ବାଦ

ବୋଲନ୍ତି ଅଙ୍ଗରାଜା ବଂଶେ

ଧାର୍ମିକରାଜା ବିଷ୍ଣୁ ଅଂଶେ

ସେ ରାଜା ଗୋବିନ୍ଦ ଆଶ୍ରୟେ

ରାଜ୍ୟ ପାଳନେ ସ୍ନେହ ବହେ

ତାର ଜୀବନ ଏ ସଂସାରେ

ଜୀଅଇଁ ପର ଉପକାରେ

ଏତେ ବିଚାରି ବିପ୍ରବରେ

ପିଣ୍ଡ ମନ୍ଥିଲେ ବେଦସ୍ୱରେ

ବାହୁକ ନାମେ ନର ଅଂଶେ

ଅଦ୍ଭୁତେ ହୋଇଲା ପୁରୁଷେ

କେ କହୁ କୁଶଅଙ୍ଗ ତାର

ଅତି ଦୁର୍ବଳ ତା ଶରୀର

ଭ୍ରୁକୁଟି କୁଟିଳ ବଦନ

ଅରୁଣ ବିରାଜେ ଲୋଚନ

ବୃଦ୍ଧ ତରୁଣ ହୃଦୁନାଶ

ତାମ୍ରର ପ୍ରାୟ ମୁଣ୍ଡ କେଶ

ବିପ୍ରଙ୍କ ମୁଖକୁ ଅନାଇ

କହଇ କି କରିବି ମୁହିଁ

ତାହାର ରୂପ ଦେଖି ମନେ

ବିଚାର କଲେ ମୁନିଜନେ

ଦେଖ ଅଦ୍ଭୁତ ଏହା କାୟେ

ରାଜ ଆସନେ ଯୋଗ୍ୟ ନୁହେ

ଏହାକୁ ଆମ୍ଭେ ରାଜା କଲେ

ସଂସାର ନାଶିବ ଏ ଭଲେ

ଏମନ୍ତେ ବିପ୍ରେ ବିଚାରିଲେ

ନିଷାଦ ବୋଲି ଆଜ୍ଞା ଦେଲେ

ବୋଇଲେ ବନେ ହୁଅ ରାଜା

ଗିରି କାନନେ ତୋତେ ପ୍ରଜା

ନିଷାଦଗରେ ତାର ବଂଶେ

ବନେ ରହିଲେ ଗିରିଦେଶେ

ଯେ ବେଣୁ ଦେହେ ପାପ ଥିଲା

ନିଷାଦ ରୂପେ ବନେ ଗଲା

ନିର୍ମଳ ଦେଖି ବେଣୁ ଅଙ୍ଗେ

ପୁଣି ମନ୍ଥିଲେ ବାହୁଯୁଗେ

ନାରୀ ପୁରୁଷ ଏକମେଳେ

ଜନ୍ମିଲେ ବେଦମନ୍ତ୍ର ବଳେ

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ନିଷାଦ ଜନ୍ମ କଥନେ ବନେ

ରାଜ କରଣେ ନାମ ଷୋଡଶୋଽଧ୍ୟାୟଃ ।

•••

 

ସପ୍ତଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ସ୍ତିରୀ ପୁରୁଷ ଜନ୍ମ ଦେଖି

ବିଷ୍ଣୁର କଳା ଉପଲକ୍ଷି

ଆନନ୍ଦ ମନେ ମୁନିଗଣେ

ଭାବେ କହନ୍ତି ଜଣେ ଜଣେ

ଋଷୟ ଉଚୁଃ

ଦେଖ ଏ ପୁରୁଷ କାମିନୀ

ଅଶେଷ ଭୁବନ ପାବନୀ

ଦେଖ ଏ ମିଥୁନ ଲକ୍ଷଣ

ପ୍ରତ୍ୟକ୍ଷେ ଲକ୍ଷ୍ମୀନାରାୟଣ

ବେଣୁର ବଂଶ ଏ ରଖିବେ

ଆନନ୍ଦେ ଭୁବନ ପାଳିବେ

ଏହାକୁ ରାଜ୍ୟେ ରାଜା କରି

ଏ ସତୀ ରାଣୀ ରୂପେ ବରି

ପ୍ରଖ୍ୟାତ ଯଶକୀର୍ତ୍ତି ଯେଣୁ

ଏହାର ପୃଥୁ ନାମ ତେଣୁ

ଏ ଯେ ସୁନ୍ଦରୀ ଶୁଭ୍ରନେତ୍ରୀ

ମୌକ୍ତିକ ପ୍ରାୟ ଦନ୍ତପନ୍ତି

ସକଳ ଗୁଣେ ଏ ପ୍ରତ୍ୟକ୍ଷ

ସଂସାରେ ନାହିଁ ନାରୀ ଲକ୍ଷ

ରୂପେ ରୁଚିଲା ପୃଥୁ ଯେଣୁ

ଏହାର ଅର୍ଚ୍ଚି ନାମ ତେଣୁ

ଏ ରାଜା ବିଷ୍ଣୁ ଅଂଶେ ଜାତ

ହୋଇଲା ଜଗତେ ବିଖ୍ୟାତ

ଏ ରାଣୀ ଜାତ ରମ୍ଭା ରୂପେ

ଜନ୍ମ ହୋଇଲା ଜନହିତେ

 

 

 

 

 

 

 

 

ମୈତ୍ରେୟ ଉବାଚ

ଏତେ ବିଚାରି ଶୁଦ୍ଧ ମନେ

ସ୍ତୁତି କରନ୍ତି ବିପ୍ରଜନେ

ଗନ୍ଧର୍ବେ ଗୀତନାଦ କଲେ

ଦେବେ କୁସୁମ ବରଷିଲେ

ନୃତ୍ୟ କରନ୍ତି ଅପସରୀ

ଆନନ୍ଦେ ବାଦ୍ୟନାଦ କରି

ଶଙ୍ଖ ମୃଦଙ୍ଗ ତୁରୀନାଦେ

ଦେବେ ଦୁନ୍ଦୁଭି ବିଷ୍ଣୁପଦେ

ଦେବତା ଋଷି ପିତୃଜନେ

ମିଳିଲେ ହରଷିତ ମନେ

ଶଙ୍କର ପଦ୍ମଯୋନି ତୁଲେ

ବେଦ ଶବଦେ ସ୍ତୁତି କଲେ

ଦେଖିଲେ ବେଣୁ ପୁତ୍ର ହସ୍ତେ

ବିଷ୍ଣୁର ଚିହ୍ନ ପାଦଗତେ

ବିଷ୍ଣୁର ଅଂଶ ନିଶ୍ଚେ ଜାଣି

ବେଗେ ଆଣିଲେ ତୀର୍ଥପାଣି

ଯେ ଅଭିଷେକ ବସ୍ତୁମତେ

ପ୍ରଜାଏ ଆଣି ଯେଝାମତେ

ସମୁଦ୍ର ପର୍ବତ ଶରୀରେ

ମହୀ ଧାରଣା ଯଥାଚାରେ

ଗାବ ବିହଙ୍ଗ ମୃଗଯୂଥେ

ଧରଣୀ ଆଦି ପଞ୍ଚଭୂତେ

ସକଳେ ନାନା ଦ୍ରବ୍ୟଆଣି

ମୁନି ଆନନ୍ଦେ ବେଦ ଭଣି

ପୃଥୁକୁ ଅଭିଷେକ କଲେ

ମଙ୍ଗଳ ବେଦବାକ୍ୟ ତୁଲେ

ପୃଥୁକୁ କଲେ ମହାରାଜା

ସୁରେ ବିରାଜେ ଅତି ତେଜା

କୁବେର ଦେଖି ଶୁଦ୍ଧମନେ

ଦେଲା ସେ ସୁବର୍ଣ୍ଣ ଆସନେ

ବରୁଣ ଦେଲା ଛତ୍ର ଆଣି

ପ୍ରକାଶେ ଦିବ୍ୟ ରତ୍ନମଣି

ଯେ ଛତ୍ର ନାମ ସୁଧାଶ୍ରବା

ସଭାରେ ଦିଶେ ଶିରପ୍ରଭା

ଚାମର ସମୀରଣ ଦେଲା

ଧର୍ମ ଦେବତା କୀର୍ତ୍ତିମାଳା

ଇନ୍ଦ୍ର ମୁକୁଟ ଦେଲା ଶିରେ

ଶମନ ଦଣ୍ତ ଦେଲା କରେ

ବେଦ କବଚ ବ୍ରହ୍ମା ଦେଲେ

ଭାରତୀ ହାର ଲମ୍ବାଇଲେ

ଗୋବିନ୍ଦ ଚକ୍ର ଦେଲେ କରେ

କମଳ ବସେ ତାର ଉରେ

ସୁବର୍ଣ୍ଣ ଦଶଚନ୍ଦ୍ର ଯୁତେ

ରୁଦ୍ର ଖଡ଼ଗ ଦେଲେ ହସ୍ତେ

ଅମ୍ବିକା ଦେଲେ ଚର୍ମାମ୍ବର

ଅଙ୍କିତ ଶତେ ନିଶାଚର

ଅମୃତମୟ ଅଶ୍ୱ ଆଣି

ବିମାନ ଅର୍ଥେ ନିଶାମଣି

ପୃଥୁ ସମୀପେ ଆଣି ଦେଲେ

ସଙ୍ଗେ ତା ବିଶ୍ୱକର୍ମା ଥିଲେ

ବିମାନ ନାନା ରତ୍ନେ ସାଜି

ତହିଁ ଯୋଚିଲା ଯୁଦ୍ଧବାଜୀ

ଅନଳ ଆଣିଦେଲେ ଧନୁ

ରଶ୍ମି ନାରାଚ ଦେଲେ ଭାନୁ

ବେନି ପାଦୁକା ଯୋଗମୟୀ

ଚରଣ ତଳେ ଦେଲା ମହୀ

ଆକାଶ ଦେଲା ପୁଷ୍ପମାଳା

ଧୂପ ନିଯୋଗ ନିଯୋଗିଲା

ନୃତ୍ୟ ସୁଗୀତ ବାଦ୍ୟ ଯେତେ

ତ୍ରିଦଶ ଅନ୍ତର୍ଦ୍ଧାନ ମତେ

ମିଳି ସକଳ ମୁନିଗଣେ

ଆଶିଷ ଦେଲେ ଜଣେ ଜଣେ

ସମୁଦ୍ର ଦେଲା ଶଙ୍ଖ କରେ

ଯେ ନାଦ ଦଶଦିଗ ପୂରେ

ନଦୀ ସମୁଦ୍ର ଗିରି ଯେତେ

ଯେ ଯାହା ମତେ ଦ୍ରବ୍ୟ କେତେ

ଅନଳ କୁଣ୍ଡୁ ଜନ୍ମ ହୋଇ

ସୁତ ମାଗଧ ଭାଟ ଦୁଇ

ସ୍ତୁତି ନିମନ୍ତେ ଏକମେଳେ

ପୃଥୁର ସମୀପେ ମିଳିଲେ

ଆନନ୍ଦେ ତୋଳି ବେନି ହସ୍ତ

ସ୍ତୁତି କରନ୍ତି ଭବିଷ୍ୟତ

ତାଙ୍କର ସ୍ତୁତି ଶୁଣି କର୍ଣ୍ଣେ

ଅତ୍ୟନ୍ତ ମଧୁର ବଚନେ

ଆନନ୍ଦେ ନିକଟେ ବସାଇ

ପୃଥୁ କହଇ ଭାବ ବହି

ପୃଥୁରୁବାଚ

ଆହେ ମାଗଧ ସୁତ ଶୁଣ

ଭବିଷ୍ୟ ସ୍ତୁତି ଯେତେ ଗୁଣ

ରାଜନ ଧର୍ମର କାରଣ

ଏବେ କହିବା ସୁଖେ ପୁଣ

ମୋର କର୍ତ୍ତବ୍ୟ କର୍ମ ଯେତେ

ତୁମ୍ଭେ ଯେ କହ ଭବିଷ୍ୟତେ

ସେ କଥା ସତ୍ୟମତ ମୋର

ଏବେ ବିଷ୍ଣୁଙ୍କୁ ସ୍ତୁତିକର

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ବିଜୟେ

ନାମ ସପ୍ତଦଶୋଽଧ୍ୟାୟଃ

•••

 

ଅଷ୍ଟାଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ରାଜନ ସାବଧାନେ

ସୁତ ମାଗଧ ତୋଷମନେ

ମୁନିଙ୍କ ମତେ ସାଧୁବାଣୀ

ପୃଥୁ ବଦନ ଚାହିଁ ଭଣି

ସୁତ ମାଗଧାବୁଚତୁଃ

ଅମୃତମୟ ବାଣୀ କହି

କହନ୍ତି ପୃଥୁ ମୁଖ ଚାହିଁ

ଭୋ ନାଥ ତୋହର ମହିମା

କେ କହିପାରେ ଗୁଣସୀମା

ତୁ ଦେବ ଦେବ ବୀର୍ଯ୍ୟବଳେ

ଶରୀର ବହୁ ଏ ଶୟଳେ

ତେଣୁ ଶରୀର ତୋର ଜାତ

ଏ କଥା ଜାଣନ୍ତି ଜଗତ

ତଥାପି ତୋର ଗୁଣ ଯେତେ

ଭାବେ କହିବୁ ତୋ ଅଗ୍ରତେ

ତୁ ଧର୍ମ ଜ୍ଞାନୀଙ୍କର ସାର

ଯେ ଧର୍ମଲୋକ ଉପକାର

ଅଧର୍ମ ନାଶି ଧର୍ମ ପାଳୁ

ତୁ ଧର୍ମ ପରମ ଦୟାଳୁ

ଶରୀର ଧରି ସର୍ବକାଳେ

ସୁଧର୍ମ ରଖୁ ମହୀତଳେ

ସକଳ ଭୂତେ ସମେ ବସୁ

ସବିତା ରୂପେ ତୁ ପ୍ରକାଶୁ

ତୋର ମହିମା ଅଧ ଊର୍ଦ୍ଧ୍ୱେ

ପ୍ରକାଶ କଲେ ଶୂନ୍ୟମଧ୍ୟେ

ପ୍ରାଣୀଙ୍କ ମଧ୍ୟେ ତୁ ବରୁଣ

ଆରତ ଦୁଃଖ ନିବାରଣ

ଇନ୍ଦ୍ର ଯେସନେ ଛାଡ଼େ ବାରି

ଜନ ନିମନ୍ତେ ଦୟାକରି

ତୋହର ବଚନ ଅମୃତ

ଶୁଣି ନିସ୍ତରିବେ ଜଗତ

।।

ତୋର ବଚନ ଚାରୁହାସ

ଦେଖନ୍ତେ କରେ ଦୁଃଖ ନାଶ

ତୋହର କର୍ମ ବ୍ୟକ୍ତ ନୁହେଁ

ଯାହାଙ୍କ ମାୟା ଜନ ମୋହେ

ଏ ଯେ ଗଭୀର ମାୟାକାଳ

ତୋହର ଶ୍ରେଷ୍ଠ ଅନ୍ତରାଳ

ଅନନ୍ତ ମହିଁମା ତୋହର

ଅଶେଷ ଗୁଣଙ୍କ ସାଗର

ତୁ ଦୁରାଶୟ ଦୁର୍ବିକ୍ଷୟ

ସୁଦୁରମୟ ଆତ୍ମମୟ

ଜନ୍ତୁଙ୍କ ଅନ୍ତର ବାହାରେ

ତୋ ତହୁଁ କେବା ଅଛି ପରେ

ଅଧ୍ୟକ୍ଷ ହୋଇ ଉଦାସୀନ

ଶରୀରେ ଯେସନେ ପବନ

ଅଦୋଷୀ ଜନ ତୁ ନ ଦଣ୍ତୁ

ତୋର ସେବକ ଦୁଃଖ ଖଣ୍ଡୁ

ଅପ୍ରତିହତ ଚକ୍ର ତୋର

ତେଜେ ଯେସନେ ଦିବାକର

ନୟନ ଆତ୍ମା ବିଚେଷ୍ଟିତେ

ଆର୍ତ୍ତନାଶନ ତୁ ଜଗତେ

ସେ ରାଜା ପ୍ରଜା ମନରଞ୍ଜେ

ରାଜ୍ୟ ସମ୍ପଦ ସୁଖ ଭୁଞ୍ଜେ

ସତ୍ୟ ସନ୍ଧକ ଦୃଢ଼ ବ୍ରତ

ବିପ୍ର ସେବକ ବିଷ୍ଣୁ ଭକ୍ତ

ଶରଣ ସର୍ବ ପ୍ରାଣୀଙ୍କର

ଦୀନବତ୍ସଳ ମାନହର

ପର ରମଣୀ ମାତୃପ୍ରାୟେ

ନିଜ କାମିନୀ ନିଜ କାୟେ

ରାଜାକୁ ପିତୃପ୍ରାୟେ ଚିନ୍ତେ

ବିପ୍ରଙ୍କ ସେବା ଯାର ନିତ୍ୟେ

ପ୍ରାଣୀ ବସଇ ଆତ୍ମା ପ୍ରାୟେ

ଦୟା ବସଇ ଯାର ଦେହେ

ସୁହୃଦେ ଆନନ୍ଦେ ବର୍ଦ୍ଧନ

ବିମୁକ୍ତ ସଙ୍ଗେ ସଙ୍ଗ ଧ୍ୟାନ

ଅସାଧୁଗଣେ ଦଣ୍ତଧର

ସ୍ୱଭାବେ ଶରଣ ସୋଦର

ମେଦିନୀ ସ୍ତନୁ ପୟ ଦୁହିଁ

ଶସ୍ୟ ପୂରିବ ନାଥ ମହୀ

ଖିଳ ଅଖିଳ ବସୁନ୍ଧରୀ

ଧେନୁକ ଅଗ୍ରେ ସମସରି

ତ୍ରିଗୁଣ ବିଶ୍ୱନାଥ ତୁହି

ତୁ ଯେ ଆତ୍ମାର କଳା ବହି

ଅବିଦ୍ୟା ବିରଚିତ ଯେତେ

ତାହାକୁ ନିରର୍ଥକ ମତେ

ଭ୍ରମିବୁ ରଥେ ରଜ୍ଜୁ ଧରି

ଦିଗ ସମୁଦ୍ର ବନ ଗିରି

ଦକ୍ଷିଣାବର୍ତ୍ତ ସନ୍ନିଧାନେ

ଶୂନ୍ୟେ ଆଦିତ୍ୟ ରଥ ଯେହ୍ନେ

ଭୂମିରେ ଯେତେ ନୃପଗଣେ

ଭୟେ ପଶିବେ ଘୋର ବନେ

ମୃଗ ଯେସନେ ସିଂହ ଦେଖି

ପଳାଇ ବିପିନ ଉପେକ୍ଷି

କରିବୁ ଅଶ୍ୱମେଧ ଶତ

ତ୍ରିଦିବେ ଯେହ୍ନେ ସୁରନାଥ

ସ୍ୱଭାବେ ଅନ୍ତେ ଗଙ୍ଗା ଜଳେ

ସନତକୁମାରଙ୍କ ମେଳେ

ଭକତି କରି ବିଷ୍ଣୁପାଦେ

ଅନ୍ତେ ବସିବୁ ନିଜ ପଦେ

ତୋର ଚରିତ ଇହଲୋକେ

ପ୍ରାଣୀ ବିସ୍ତାର କରି ମୁଖେ

ଏ ପୃଥୁ ପରାକ୍ରମ ତୋର

ଦେବ ମାନବେ ଅଗୋଚର

ତୋର ମହିମା କର୍ଣ୍ଣେ ଶୁଣି

ତରିବେ ଭବଜଳୁଁ ପ୍ରାଣୀ

କହଇ ବିପ୍ର ଜଗନ୍ନାଥ

ପୃଥୁ ରାଜାର ଏ ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁ ରାଜା ଚରିତ

ସମ୍ୱାଦେ ନାମ ଅଷ୍ଟାଦଶୋଽଧ୍ୟାୟଃ ।

•••

 

ଊନବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ପୃଥୁରାଜା ବୋଲେ

ସୁତ ମାଗଧ ଏକତୁଲେ

ଭବିଷ୍ୟେ କଲେ ଯେତେ ସ୍ତୁତି

ଶୁଣି ସାନନ୍ଦ ନରପତି

ଆତ୍ମାର ଗୁଣ କର୍ମ ଶୁଣି

ସନ୍ତୋଷ ମନେ ନୃପମଣି

ବାଞ୍ଛିତ ସର୍ବସୁଖ ଦେଲା

ଅନେକ ମତେ ମାନ୍ୟ କଲା

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ

ଅମାତ୍ୟ ପୁରୋହିତ ଜନେ

ସକଳ ଜନପଦ ଆଣି

ସନ୍ତୋଷ କଲା ନୃପମଣି

ବିଦୁର ଉବାଚ

କେମନ୍ତେ ଗାଭୀରୂପ ଧରି

କ୍ଷୀର ସ୍ରବିଲା ବସୁନ୍ଧରୀ

ସ୍ୱଭାବେ ସେ ବହୁରୂପିଣୀ

କେବା ମହିମା ତାର ଜାଣି

ସ୍ୱଭାବେ ସେ ଅନନ୍ତରୂପୀ

ଜଗତ ଅଛି ଦେହେ ବ୍ୟାପି

ତାହାକୁ କେମନ୍ତେ ଦୁହିଁଲା

ଦୋହନେ କେ ବତ୍ସା ହୋଇଲା

ସ୍ୱଭାବେ ଶରୀର ବିଷମ

କେବା କାହାକୁ କଲା ସମ

କିମର୍ଥେ ଅଶ୍ୱମେଧ କଲା

କେମନ୍ତେ ବ୍ରହ୍ମଶାପ ଦେଲା

ଶୌନକ ନାରଦର ମେଳେ

ବ୍ରହ୍ମ ସମାଧି କେତେ କାଳେ

ପଶିଲା ନିଜ ତେଜ ବହି

ବ୍ରହ୍ମାର ତହୁଁ ଜ୍ଞାନପାଇ

କିମର୍ଥେ ପ୍ରଭୁ ନରହରି

ଜଗତେ ପୃଥୁ ରୂପ ଧରି

ସୁପୁଣ୍ୟ କଥା ବିଚାରିଲେ

ଯେ ଯଶ ଜଗତେ ରଖିଲେ

ସେ କଥା କହ ମୁନି ମୋତେ

ମୁଁ ତୋର ସେବକ ଉଚିତେ

ବିଷ୍ଣୁର କଥା ପୁଣ୍ୟସାର

ଯା ଶୁଣି ତରଇ ସଂସାର

କେମନ୍ତେ ପୃଥୁ ରୂପ ଧରି

ଦୋହନ କଲେ ବସୁନ୍ଧରୀ

ସୁତ ଉବାଚ

ଏମନ୍ତ ବିଦୁର ବଚନେ

ମୈତ୍ରେୟ ମୁନି ତୋଷମନେ

ପ୍ରଶଂସି ବିଦୁର ବଚନ

କହେ ପରାଶର ନନ୍ଦନ

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନେ

ପୃଥୁକୁ ମିଳି ବିପ୍ରଜନେ

ଜନ ପରଜା ଏକ ମେଳେ

ଆସନେ ଅଭିଷେକ କଲେ

ସକଳେ ମିଳି ଏକ ଦିନେ

କହିଲେ ପୃଥୁ ସନ୍ନିଧାନେ

ଜନ ଉବାଚ

କହନ୍ତି ଶିରେ କର ଦେଇ

କ୍ଷୁଧାରେ କମ୍ପେ ଆମ୍ଭ ଦେହୀ

କ୍ଷୁଧା ଅନଳେ ଦେହ ମନ

କହିଲେ ପୃଥୁ ସନ୍ନିଧାନ

ଏଥକୁ କର ତୁ କାରଣ

ତୋ ପାଦେ ପଶିଲୁ ଶରଣ

କ୍ଷୁଧା ନ ସହେ ଆମ୍ଭ ଦେହ

ଭୋ ନାଥ ଅନ୍ନଦାନ ଦିଅ

କ୍ଷୁଧା କରଇ ଆମ୍ଭ ପ୍ରାଣ

ଭୋ ନାଥ କର ପରିତ୍ରାଣ

ମୈତ୍ରେୟ ଉବାଚ

ଏମନ୍ତେ ପ୍ରଜାଙ୍କ ରୋଦନ

ଶୁଣି ଉଚ୍ଛନ୍ନ ପୃଥୁ ମନ

କହଇ ଧାନ୍ୟ କେ ହରିଲା

ତୁମ୍ଭଙ୍କୁ ଏତେ ଦୁଃଖ ଦେଲା

ଶୁଣି କହନ୍ତି ପ୍ରଜାଜନେ

ଶୁଣ ରାଜନ ସ୍ଥିର ମନେ

ତୋ ପିତା ଅରାଜକ କାଳେ

ଏ ଭୂମି ଗୋରୁରୂପେ ବଳେ

ରାତ୍ରେ ସକଳ ଶସ୍ୟ ଖାଇ

ଦିବସେ ସମୁଦ୍ରେ ଲୁଚଇ

ଆମ୍ଭର ଶସ୍ୟ ଖାଇ ବଳେ

ଭକ୍ଷିଲା କ୍ଷୁଧାର ଅନଳେ

ତାହାକୁ କେବେହେଁ ନ ଦେଖି

ଆମ୍ଭେ ହୋଇଲୁ ଏଣେ ଦୁଃଖୀ

ଏମନ୍ତେ ପ୍ରଜା ବାକ୍ୟ ଶୁଣି

ପୃଥୁ ବିଚାରେ ମନେ ଗୁଣି

ଭୂମିକୁ ମନେ ଧ୍ୟାନ କରି

ନିଜ କୋଦଣ୍ତ କରେ ଧରି

ବାଣ ନିବେଶି ତୀକ୍ଷ୍‌ଣ ମୁନେ

ତ୍ରିପୁରବାଦେ ରୁଦ୍ର ଯେହ୍ନେ

ଧରଣୀ ପୃଥୁ ତେଜ ଦେଖି

ଧାଇଁଲା ସମୁଦ୍ର ଉପେକ୍ଷି

ଭୟେ ଚାହଁଇ ଦଶଦିଶେ

ମୃଗ ଯେସନେ ସିଂହତ୍ରାସେ

ପୃଥୁ ଧାମଇଁ କୋପମନେ

ରୋଷିତ ଅରୁଣ ଲୋଚନେ

ଶର ସନ୍ଧାନ ଧନୁ କରେ

ଭୂମି କମ୍ପଇ ପାଦଭରେ

ଯେଣେ ପଳାଏ ବସୁନ୍ଧରୀ

ପୃଥୁ ଧାମଇଁ କୋପକରି

ଦିଗ ବିଦିଗ ଭୂମି ଶୂନ୍ୟେ

ରାଜା ଯେ ମିଳିଲେ ଗଗନେ

ପୃଷ୍ଠେ ଚାହାଁନ୍ତେ ପୃଥୁ ଦେଖି

କେବା ଅବନୀ ପ୍ରାଣ ରଖି

ଦେବୀର ଦେହେ ତ୍ରାସ ଲଭେ

ପ୍ରାଣୀ ଯେସନେ ମୃତ ଭାବେ

ଚଳି ନ ପାରି ଦୁଃଖ ମନେ

ମିଳିଲା ପୃଥୁ ସନ୍ନିଧାନେ

ଭୟେ କମ୍ପଇ ବସୁନ୍ଧରୀ

ପୃଥୁ ଚରଣେ ମାନ୍ୟକରି

କହଇ ମଧୁର ବଚନ

ଈଷତ ବିକଳ ବଦନ

ଧରଣ୍ୟୁବାଚ

ତୁ ମହାବିଶ୍ୱ ବ୍ରହ୍ମବେତ୍ତା

ଭୂତ ଭବିଷ୍ୟ କାଳଜ୍ଞାତା

ପ୍ରାଣୀ ରକ୍ଷଣେ ଜନ୍ମ ତୋର

ତୁ ନାଥ ଶରଣ ସୋଦର

କିମ୍ପା ଝିଙ୍ଗାସ ମୋତେ କର

ଅପ୍ରାଧୀ ନୁହଇ ତୁମ୍ଭର

ସ୍ତିରୀ ଗୋବଧ ମୋର ହେଲେ

କେମନ୍ତେ ସମ୍ପାଦିବୁ ଭଲେ

ଏକ ମରଣେ ବେନି ଦୋଷ

ସଂସାରେ ହେବ ଅପଯଶ

ସ୍ତ୍ରୀଲିଙ୍ଗ ଅପଚୟ କଲେ

ପଣ୍ତିତେ ନିନ୍ଦିବେଟି ଭଲେ

ତୁ ନାଥ କରୁଣାସାଗର

ଦୁଃଖୀ ଦରିଦ୍ରଙ୍କ ସୋଦର

ଦଦରା ନାବ ପ୍ରାୟେ ମୁହିଁ

ଏ ଭାରା ସହି ନ ପାରଇ

ମୋହର ମଲେ ଏ ଜଗତେ

ଏ ଭାର ରଖିବୁ କେମନ୍ତେ

ପୃଥୁରୁବାଚ

ଶୁଣ ଧରଣୀ ମୋ ଉତ୍ତର

ତୁ ମଲେ ଡର ନାହିଁ ମୋର

ମୋହର ଆଜ୍ଞା ଭାଙ୍ଗୁ ତୁହି

ତୋର ମରଣେ ଦୋଷ ନାହିଁ

ତାତ ମରଣେ ଅରାଜକେ

ସକଳ ଶସ୍ୟ ଭୁଞ୍ଜି ସୁଖେ

ଖାଇଲୁ ଗୋରୁ ରୂପେ ତୁହି

ସଂସାରେ ଶସ୍ୟ ବୀଜ ନାହିଁ

ଅନ୍ନ ନ ଥିଲେ ପ୍ରଜାଜନ

କେମନ୍ତେ ରଖିବେ ଜୀବନ

ପ୍ରଜା ନ ଥିଲେ ରାଜା କାହିଁ

ଏ ଘେନି ତୋତେ ମୁଁ ମାରଇ

ଦୁଷ୍ଟ ମାରଣେ ରାଜଧର୍ମ

ଏ ତ ସ୍ୱଭାବେ ରାଜକର୍ମ

ମୁଁ ଯେବେ ନ ମାରିବି ତୋତେ

ପ୍ରଜାଏ ବଞ୍ଚିବେ କେମନ୍ତେ

ବିଧାତା ସୃଷ୍ଟି କଲା ଯେତେ

ଅନ୍ନ ଜୀବନ ରକ୍ଷା ଅର୍ଥେ

ତୁ ମନ୍ଦ ବୁଦ୍ଧି ଦୁରାଶୟ

ମାୟା ଭିଆଣେ ବହୁ ଦେହ

ଏ ପ୍ରଜା ଆନନ୍ଦେ କେମନ୍ତେ

ବଞ୍ଚିବେ ଅନ୍ନ ଅପ୍ରାପତେ

ସେ ଦୁଃଖ ନିବାରିବି ମୁହିଁ

ମୋ ବାଣେ ତୋର ମାଂସ ଦେଇ

ନାରୀ ପୁରୁଷ ନପୁଂସକେ

ପୀଡିତ ହ୍ୱନ୍ତି ଯେବା ଲୋକେ

ତାହାଙ୍କୁ ରାଜା ନ ଦଣ୍ତିଲେ

ସେ କି ସଂସାରେ ଥିବେ ଭଲେ

ତାଙ୍କ ମାରଣେ ଦୋଷ ନାହିଁ

ସଂସାରେ ଧର୍ମକଥା ଏହି

ତୁ ମାୟା ଗୋରୁରୂପ ହୋଇ

ସକଳ ଶସ୍ୟ ବୀଜ ଖାଇ

ଅବଜ୍ଞା କଲୁ ଯେବେ ମୋତେ

ନିଶ୍ଚେ ଦଣ୍ତିବି ଆଜି ତୋତେ

ତୋର ଶରୀର ତୀକ୍ଷ୍‌ଣ ବାଣେ

କାଟିବି ମୁଁ ତିଳ ପ୍ରମାଣେ

ବାଣେ ତୋହର ପ୍ରାଣ ହରି

ମୁଁ ଏବେ ମାୟାଯୋଗ କରି

ବିସ୍ତାରି ମୋହର ଶରୀରେ

ଏ ପ୍ରଜା ରଖିବି ନିର୍ଭରେ

ଏମନ୍ତ କହି ହେଲେ କୋପ

ପୃଥ୍ୱୀକୁ ଦିଶିଲା ସ୍ୱରୂପ

ଏମନ୍ତେ ପୃଥୁ ରୂପ ଚାହିଁ

ଭୟେ କମ୍ପଇ ତାର ଦେହୀ

ପୃଥୁ ଚରଣେ ଶିର ଦେଇ

କହଇ ଅଶ୍ରୁମୁଖୀ ହୋଇ

ପୃଥିବ୍ୟୁବାଚ

ନମସ୍ତେ ପରମ ପୁରୁଷ

ଗୁଣ ପ୍ରକାଶେ ତୋର ଦୃଶ୍ୟ

ନିଜ ମାୟାରେ କ୍ଷୀଣ ହୋଇ

ସଂସାର ହିତେ ବହୁ ଦେହୀ

ସ୍ୱରୂପା ନଭେ ନବବୃତ୍ତି

ଦ୍ରବ୍ୟ କରଣ କ୍ରିୟା ରତି

ସକଳ କରୁ ମାୟା ବଶେ

ଭୂମି ଯେସନେ ଜଳଗ୍ରାସେ

ସର୍ଜି ପାଳିଣ କରେ ଅନ୍ତ

ଯେ ସ୍ୱୟଂ ପ୍ରକାଶେ ଜଗତ

ସେ ମୋତେ ମାରିବାର ସଧେ

ଧାମଇଁ ଉଦ୍ଧୃତ ଆୟୁଧେ

କେବା ରକ୍ଷକ ଅଛି ମୋର

ତୁ ନାଥ ନ କରୁ ବିଚାର

ତୁ ନିଜମାୟା ତର୍କବଳେ

ଜନ୍ତୁକୁ ସର୍ଜୁ ଯୋଗବଳେ

ତୁ ନାଥ ଧାର୍ମିକଙ୍କ ଗୁରୁ

କିମ୍ପା ନ ବୁଝି ମୋତେ ମାରୁ

ଅନ୍ନ ନ ପାଇ ପ୍ରଜା ଯେବେ

ତୋତେ କହିଲେ ଅନୁଭବେ

ତୁ ନାଥ ଜଗତ ଈଶ୍ୱର

ଏ ତୋତେ ନୁହେଁ ଅଗୋଚର

ତୁ ଆଦି ପଦ୍ମକଳ୍ପ ଆନ୍ତେ

ଶୂକର ରୂପେ ତୋଳି ଦନ୍ତେ

ମୋତେ ସ୍ଥାପିଲୁ ଜନ ହିତେ

ପୁଣି ସଂହାରିକୁ କେମନ୍ତେ

କହିଲି ଏବେ ତୋର ଇଚ୍ଛା

ଯେମନ୍ତ କର ତୋର ବାଞ୍ଛା

ତୁ ନାଥ ଜଗତ ଈଶ୍ୱର

ଏ ତୋତେ ନୁହେଁ ଅଗୋଚର

କହଇ ବିପ୍ର ଜଗନ୍ନାଥ

ସୁଜନ ହିତେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜ ପୃଥିବୀ ସମ୍ପାଦନେ

ନାମ ଊନବିଂଶୋଽଧ୍ୟାୟଃ ।

•••

 

Unknown

ବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ପୃଥୁ ମୁଖ ଚାହିଁ

ଭୟେ ଚରଣେ ଶିର ଦେଇ

କୁପିତ ପୁରୁଷ ବଚନେ

ସ୍ୱଭାବେ ଅରୁଣ ଲୋଚନେ

ଏମନ୍ତେ କରି ଦିବ୍ୟସ୍ତୁତି

ପୁଣି କହଇ ବସୁମତୀ

ଭୋ ନାଥ କୋପ ଛାଡ଼ ମୋତେ

ମୁହିଁ ଶରଣ ଗଲି ତୋତେ

ଯେ ଆତ୍ମା କାରଣ ବିଚାରି

ସଂସାର ସାର ବିଶ୍ୱ ହରି

ଚିତ୍ତେ ନ କଳ୍ପେ ଭିନ୍ନେ ଭିନ୍ନେ

ପୁଷ୍ପରୁ ମଧୁକର ଯେହ୍ନେ

ଯେ ସତ୍ୟ ଇହ ପରଲୋକେ

ସୁଯୋଗୀଜନ କହେ ମୁଖେ

ଉପାୟେ ସେ ଫଳ ଭୁଞ୍ଜନ୍ତି

ଉଭୟ ଲୋକେ ନାହିଁ ଭ୍ରାନ୍ତି

ଏହା ଯେ ନ କରନ୍ତି ଚିତ୍ତେ

ସେ ଯଶ ଲଭିବେ କେମନ୍ତେ

ବ୍ରହ୍ମା ଯେ ଥାଇ ମୋର ହିତେ

ଶସ୍ୟ ସାମଗ୍ରୀ କଲା ଯେତେ

ସେ ସର୍ବ ମୋର ଦେହେ ଥିଲା

ଏମନ୍ତେ ତୋର ପିତା ମଲା

ଚତୁର ରାଜ୍ୟେ ଅରାଜକେ

ଭବିଷ୍ୟ ଯଜ୍ଞ ରକ୍ଷା ଅର୍ଥେ

ଯେତେ ଔଷଧ ବୀଜ ଥିଲା

ଅରାଜ ଯୋଗେ ନାଶ ଗଲା

ରାଜା ବିଯୋଗ ସର୍ବ ଧର୍ମ

ଦୁଷ୍ଟେ ନାଶିଲା ମନ୍ଦ କର୍ମ

କ୍ଷଣ ବିରୋଧ ଦୁଃଖ ସହି

ଭକ୍ଷିଲି ଧେନୁ ରୂପ ହୋଇ

ସେ ସର୍ବ ଶସ୍ୟରସ ଯେତେ

କ୍ଷୀର ବର୍ଷନ୍ତି ମୋର ଗାତ୍ରେ

ଦୋହନ କର ତୁ ଜଗତେ

ଦୁଗ୍‌ଧ ସ୍ରବିବି ଧେନୁ ରୂପେ

କ୍ଷରିବି ସର୍ବ ଶସ୍ୟ ମୁହିଁ

ପ୍ରାଣୀ ଜୀବନ ଯେଣେ ରହି

ମୁଁ ସର୍ବ କାମଧେନୁ ରୂପେ

ସ୍ରବିବି ସର୍ବଜନ ମୁଖେ

ତୁ ଏବେ ମୋତେ ରକ୍ଷାକର

ଧନୁ ଆୟୁଧ ପରିହର

ସୁଷମ କରି ମୋର ଗାତ୍ରେ

ମୁହିଁ ଯେସନେ ଶସ୍ୟକ୍ଷେତ୍ରେ

ସମ ହୋଇଲେ ମୋ ଶରୀରେ

ଶସ୍ୟ ଉଠିବ ନିରନ୍ତରେ

ହୋଇବ ନାନାରୂପେ ଧାନ୍ୟ

ଜନ୍ତୁଏ କରିବେ ଅଶନ

ଏମନ୍ତେ ଧରଣୀ ବଚନ

ଶୁଣି ସନ୍ତୋଷ ପୃଥୁ ମନ

ମନୁକୁ ବତ୍ସାରୂପ କରି

ଭାବେ କହଇ ଦଣ୍ତଧାରୀ

ତୁ ଏବେ ସ୍ତନ୍ୟ ପାନ କର

ଯେମନ୍ତେ ସଞ୍ଚରଇ କ୍ଷୀର

ତକ୍ଷଣେ ପୃଥୁର ବଚନେ

ସେ ମନୁ ମୁଖ ଦେଲା ସ୍ତନେ

ପିବନ୍ତେ ସଞ୍ଚରଇ କ୍ଷୀର

ମେଘ ଯେସନେ ବୃଷ୍ଟିଧାର

ଚରଣେ ବାନ୍ଧି ବତ୍ସା ମନୁ

ପୃଥୁ ଦୁହିଁଲା କ୍ଷୀର ସ୍ତନୁ

କ୍ଷୀର ପୂରିଲା ବସୁନ୍ଧରୀ

ଯେସନେ ସିନ୍ଧୁର ଲହରୀ

ଗର୍ଭେ ଯେ ଶସ୍ୟମାନ ଥିଲା

କ୍ଷୀର ସଙ୍ଗତେ ସଞ୍ଚରିଲା

ଶସ୍ୟ ହୋଇଲା ଅପ୍ରମିତେ

ପ୍ରଜାଏ ନେଲେ ଯେଝାମତେ

ପୃଥୁ ଦୋହନ ଅନ୍ତେ ଦେବେ

ସର୍ବେ ଦୁହିଁଲେ ଯେଝାଭାବେ

ମିଳି ସକଳ ମୁନିଗଣ

ଆନନ୍ଦେ ହରଷିତ ମନ

ଗୁରୁଙ୍କୁ ବତ୍ସା ରୂପ କରି

ଯେ ଯାହା ମତେ ସ୍ତନ ଧରି

ଦୁହିଁଲେ ମୁଖଛନ୍ଦମୟ

ଯେ ଭାବେ ତୁଟଇ ସଂଶୟ

ପୁଣି ସକଳ ଦେବେ ଧରି

ଇନ୍ଦ୍ରକୁ ବତ୍ସାରୂପ କରି

ସର୍ବେ ଦୁହିଁଲେ ଯେଝାମତେ

ଅଶେଷ ଯଜ୍ଞକର୍ମ ଅର୍ଥେ

ସୁବର୍ଣ୍ଣମୟ ପାତ୍ର ଆଣି

ଆନନ୍ଦେ ଦୁହିଁଲେ ଧରଣୀ

ଦେବ ଦାନବ ପୁଣ ଧରି

ଗ୍ରହରାଜକୁ ବତ୍ସା କରି

ଦୁହିଁଲେ ଲୌହମୟ ପାତ୍ରେ

ଏଣୁ ସର୍ବ ସଞ୍ଚୟେ ଗାତ୍ରେ

ଗନ୍ଧର୍ବେ ଅପସରାଗଣେ

ବେଗେ ମିଳିଲେ ତତକ୍ଷଣେ

କମଳ ପାନପତ୍ର କରି

ଦୁହିଁଲେ ଭୂମି ସ୍ତନ ଧରି

ବିଶ୍ୱାବସୁଙ୍କୁ ବତ୍ସା କଲେ

ଗନ୍ଧର୍ବ ଦୁହିଁ ଏକତୁଲେ

ଶ୍ରାଦ୍ଧଦେବଙ୍କୁ ବତ୍ସା କରି

ପିତୃ ଯେ କବ୍ୟପାତ୍ର ଧରି

ପୟ ଦୁହିଁଲେ କବ୍ୟପାତ୍ରେ

ଯେଣେ ଅମୃତପୁରେ ଗାତ୍ରେ

ସିଦ୍ଧେ ମିଳିଲେ ନାନାରଙ୍ଗେ

କପିଳ ବତ୍ସା ଘେନି ସଙ୍ଗେ

ସଙ୍କଳ୍ପ କରି କ୍ଷୀର ଧାରେ

ଦୁହିଁଲେ ଜନ ଉପକାରେ

ପୁଣି ମିଳିଲେ ବିଦ୍ୟାଧରେ

ଯେ ଯାହା ପାତ୍ର ଧରି କରେ

ଆନନ୍ଦ ମନେ କ୍ଷୀର ଦୁହିଁ

ବସିଲେ ନିଜ ଭାବେ ଯାଇ

ପୁଣି ମିଳିଲେ ଶିବଜନେ

କ୍ଷୀର ଦୁହିଁଲେ ଯୋଗଧ୍ୟାନେ

ମାୟାବୀ ଗଣେ ପୁଣି ଆସି

ଧରଣୀ ସ୍ତନତଳେ ବସି

ଆନନ୍ଦ ପାତ୍ର କରି ମନେ

ସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନେ

ଯମ ନିୟମ ବତ୍ସା କରି

ଧରଣୀ ସ୍ତନ କରେ ଧରି

ଧରଣୀ କ୍ଷୀର ମାୟାପାତ୍ରେ

ସର୍ବେ ଦୁହିଁଲେ ଯେଝାମତେ

ମିଳିଲେ ଯକ୍ଷ ଋଷିଗଣେ

ଭୂତ ବେତାଳ ଯାତୁଧାନେ

ମୃତ୍ତିକା ପାତ୍ରେ କ୍ଷୀର ଦୁହିଁ

କ୍ଷୀର ରୁଧିର ମାଂସମୟୀ

ତକ୍ଷଣେ ସର୍ପଗଣେ ଆସି

ଧରଣୀ ସ୍ତନ ତଳେ ବସି

ତକ୍ଷକ ବତ୍ସା ରୂପ କରି

ଧରଣୀ ସ୍ତନ କରେ ଧରି

ବିଳକୁ ପାତ୍ର କରି ବେଗେ

ବିଷ ଦୁହିଁଲେ ସର୍ବନାଗେ

ପଶୁଏ ମିଳି ସ୍ତନତଳେ

ବୃଷକୁ ବତ୍ସା କରି ବଳେ

କ୍ଷୀର ଦୁହିଁଲେ ଯେଝା ସୁଖେ

ତକ୍ଷଣେ ଗ୍ରାସ କରି ମୁଖେ

ସିଂହ ସହିତେ ପଶୁଗଣେ

ଦୋହନ କଲେ ତତକ୍ଷଣେ

ତକ୍ଷଣେ ଯାତୁଧାନେ ଆସି

ଧରଣୀ ସ୍ତନ ତଳେ ବସି

ଶରୀର ପାତ୍ରେ ଗାବ ଦୁହିଁ

ଆନନ୍ଦ କଲେ ନିଜ ଦେହୀ

ପକ୍ଷୀର କ୍ଷୀରପାନ ଆଶେ

ମିଳିଲେ ଧରଣୀର ପାଶେ

ଖଗେନ୍ଦ୍ର ବତ୍ସା କରି ବେଗେ

ଦୋହନ କଲେ ଭୂମିଭାଗେ

ସକଳ ବୃକ୍ଷେ ଆଗୁ ସରି

ବଟବୃକ୍ଷକୁ ବତ୍ସାକରି

ସନ୍ତୋଷେ ଦୁହିଁ କ୍ଷୀରମୟେ

ଲତା ଯେସନେ ବୃକ୍ଷ ଦେହେ

ହିମବନ୍ତକୁ ବତ୍ସା କରି

କ୍ଷୀର ଦୁହିଁଲେ ସର୍ବ ଗିରି

ପୃଥୁ ଭବିତା ମହୀ ଶୋଭା

ସକଳମତେ କାମଦୁହାଁ

ଏମନ୍ତେ ପୃଥୁ ଆଦି ସର୍ବେ

କ୍ଷୀର ଦୁହିଁଲେ ଯେଝା ଭାବେ

ଯେତେକ ଲୋକ ମୁନି ଆଦି

ଦୁହିଁଲେ ଜୀବନ ସମ୍ପାଦି

ପୃଥୁ ଧରଣୀ ରୂପ ଚାହିଁ

ଆନନ୍ଦ ମନେ ବିଚାରଇ

ଏ ମୋର ପାଇଁ ଦୁଃଖ ସହି

ରୂପ ଧଇଲେ ଧେନୁ ହୋଇ

ଯେ ଯାହା ସୁଖେ ଦୁହିଁ ନେଲେ

ସର୍ବେ ତୋଷିଲା ମହୀସ୍ଥଳେ

ସକଳ ଲଭିଲେ ଜୀବନ

ଦେଖ ଏହାର ଦେହ ଧନ୍ୟ

ଏ ମୋର ଦୁହିତା ହୋଇବ

ଏଣେ ବିଚାରେ ସର୍ବ ଜୀବ

ଜୀବଙ୍କ ଜୀବ ଦାତା ଯେଣୁ

ଏହାର ପୃଥ୍ୱୀ ନାମ ତେଣୁ

ହୋଇବ ଏ ମୋର ପ୍ରମାଣ

ଏଣୁ ଏ ସଂସାର ଧାରଣ

ଏମନ୍ତେ ପୃଥୁ ହୋଇ ରାଜା

ସମେ ପାଳିଲେ ଜନପ୍ରଜା

ଭୂମି ଉପରେ ନାନା ଦେଶ

ସକଳ ସ୍ଥାପି ଉପ ଦେଶ

ଜନଙ୍କୁ ସ୍ଥାପି ପିତା ପ୍ରାୟେ

ସକଳେ ରହିଲେ ନିର୍ଭୟେ

ନିର୍ଭୟେ ରହିଲେ ସକଳେ

ଅଚଳେ ରହିଲେ ନିଶ୍ଚଳେ

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ଗୋରୂପୀ ପୃଥ୍ୱୀ

ଦୋହନେ ନାମ ବିଂଶୋଽଧ୍ୟାୟଃ ।

•••

 

ଏକବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏବେ ହୋ ଶୁଣ ବିଷ୍ଣୁ ଗାଥା

କହିବି ପୃଥୁ ଯଜ୍ଞ କଥା

ମିଳି ସକଳ ମୁନିଜନେ

ସନ୍ତୋଷେ ପୃଥୁ ସନ୍ନିଧାନେ

ଯଜ୍ଞ କରିଣ ଉଦବେଗେ

ସର୍ବ ସମ୍ଭାର ନାନାଭାବେ

ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ

ସୁପ୍ରାଚୀ ସରସ୍ୱତୀ ତୀର୍ଥେ

ଇନ୍ଦ୍ରାଦି ସର୍ବ ଦେବେ ଆସି

ଯଜ୍ଞ ଉତ୍ସବ ଘରେ ପଶି

ସେ ଯଜ୍ଞେ ଯଜ୍ଞପତି ହରି

ମନ୍ତ୍ର ଆଧାନେ ତାଙ୍କୁ ବରି

ଶଙ୍କର ପଦ୍ମଯୋନି ମୂଳେ

ମିଳି ସକଳ ଦିଗପାଳେ

ଗନ୍ଧର୍ବ ଅପସରାଗଣେ

ମୁନିନ୍ଦ୍ର ବେଦ ଉଚ୍ଚାରଣେ

ଆନନ୍ଦେ ନୃତ୍ୟ ଗୀତେ ସ୍ତୁତି

ସିଦ୍ଧ ଗୁହ୍ୟକ ପନ୍ତି ପନ୍ତି

ଦାନବ କିନ୍ନର ସକଳେ

ସେ ଯଜ୍ଞେ ମିଳିଲେ ଗହଳେ

ସେ ପୃଥୁରାଜ୍ୟେ ବସୁମତୀ

ବତ୍ସାସୁରରେ ପ୍ରିୟବତୀ

କାମଧେନୁର ପ୍ରାୟ ହୋଇ

ସର୍ବ ସମ୍ପଦ ଦେଲା ମହୀ

ନଦୀ ଯେ ଦୁଗ୍‍ଧ ରସ ଜଳେ

ସଧୀରେ ବହନ୍ତି କଲ୍ଲୋଳେ

ଘୃତ ସଂଯୋଗ ଦଧି ଅନ୍ନେ

ତୋଷେ ଭୁଞ୍ଜନ୍ତି ସର୍ବଜନେ

ସର୍ବ ବୃକ୍ଷରେ ମଧୁପନ୍ତି

ଜୀମୂତ ପ୍ରାୟ ବରଷନ୍ତି

ସମୁଦ୍ର ନାନା ରତ୍ନେ ପୂରି

ଗର୍ଜ୍ଜନ୍ତି ଉଲ୍ଲୋଳେ ଲହରୀ

ସର୍ବତ୍ର ତୋଷି ଦୁଗ୍‌ଧ ଅନ୍ନ

ଦେଇ ରଞ୍ଜିଲେ ପୃଥୁ ମନ

ଲୋକପାଳଙ୍କ ଲୋକ ତୁଲେ

ସର୍ବ ସମ୍ଭାର ଶସ୍ୟ ତୁଲେ

ଯଜ୍ଞ କରଣ ବିଷ୍ଣୁ ଅର୍ଥେ

ସର୍ବ ସମ୍ପାଦିଲେ ସମସ୍ତେ

ପୃଥୁର ଯଜ୍ଞାରମ୍ଭେ ଚାହିଁ

ବାସବ ମନେ ବିଚାରଇ

ଏ ପୃଥୁ ଶତତ୍ରତୁ କଲେ

ଲଭିବ ଇନ୍ଦ୍ରପଦ ଭଲେ

ମୋର ସମ୍ପଦ ଯିବ ନାଶ

ଏମନ୍ତ ବୋଲି ଛାଡେ ଶ୍ୱାସ

ଯଜ୍ଞର କିଛିଦିନ ଅନ୍ତେ

ଆତ୍ମାର ହିତ ଚିନ୍ତି ଚିତ୍ତେ

ଯଜ୍ଞ ପଶୁକୁ ହରିନେଲା

ନିଜ ଭୁବନେ ବିଜେ କଲା

ଆକାଶ ମାର୍ଗେ ଇନ୍ଦ୍ର ଗଲା

ପାଷଣ୍ତ ଧର୍ମ ଆଚରିଲା

ଧର୍ମେ ବିଭ୍ରମ ତାର ମନ

ସଭୟ ଚିତ୍ତେ ଛନ୍ନଛନ୍ନ

ଅତ୍ରି ଯେ ଥିଲେ ଯଜ୍ଞଶାଳେ

ଅଶ୍ୱର ହରଣ ଜାଣିଲେ

ପୃଥୁ ପୁତ୍ରକୁ ରାଇ ବେଗେ

ଇନ୍ଦ୍ରର କର୍ମ ତାଙ୍କ ଆଗେ

କହିଲେ ଅଶ୍ୱ ହର ବାଣୀ

ପୃଥୁ ନନ୍ଦନ ତାହା ଶୁଣି

ଧନୁକ ଶର ଘେନି ହସ୍ତେ

ବେଗେ ଧାଇଁଲା ଶୂନ୍ୟପଥେ

ଡାକଇ ରହ ରହ ବାଣୀ

ସଭୟେ ଇନ୍ଦ୍ର ତାହା ଶୁଣି

ନିଜ ଶରୀର ଛନ୍ନ କଲା

ଜଟିଳ ରୂପ ପ୍ରକାଶିଲା

ଭସ୍ମ ଭୂଷିତ ବେଶ ଚାହିଁ

ପୃଥୁ ନନ୍ଦନ ବିଚାରଇ

ଜଟିଳ ଭସ୍ମ ଏହା ଗାତ୍ରେ

ଏହାକୁ ମାରିବି କେମନ୍ତେ

ଏମନ୍ତ ମନେ ବିଚାରିଲା

ଇନ୍ଦ୍ରକୁ ବାଟ ନ ଛାଡିଲା

ତାର ରହିବା ପଥ ଦେଖି

ଅତ୍ରି ଯଜ୍ଞଶାଳ ଉପେକ୍ଷି

ଡାକଇ ମାର ମାର ବେଗେ

ତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ

ଭୟେ ଚାହିଁଲା ଦଶଦିଶେ

ସ୍ୱଭାବେ କେହି ନାହିଁ ପାଶେ

କହଇ ଇନ୍ଦ୍ର ବେଗେ ମାର

ସ୍ୱଭାବେ ଯଜ୍ଞ ଅଶ୍ୱଚୋର

ଏମନ୍ତ ଅତ୍ରିର ବଚନେ

ଜାଣି ଧାଇଁଲା କୋପମନେ

ଧାମଇଁ ଅତି କ୍ରୋଧ କରି

ହସ୍ତୀକି ଯେସନେ କେଶରୀ

ବାସବ ଦେଖି ତ୍ରାସ ମନେ

ଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନେ

ହୋଇଲା ଶୂନ୍ୟ ମଧ୍ୟେ ଯାଇ

ପୃଥୁ ନନ୍ଦନ ବିଚାରଇ

ପରଶୁ ଘେନି ମହାରୋଷେ

ଇନ୍ଦ୍ରକୁ ଚାହେଁ ଦଶଦିଶେ

ନ ଦେଖି ପୁଣି ଯଜ୍ଞସ୍ଥାନେ

ମିଳିଲା ଅତ୍ରି ସନ୍ନିଧାନେ

ତାହାକୁ ରଜ୍ଜୁ ହସ୍ତେ ଧରି

ଅତ୍ରି ଚରଣେ ନମସ୍କାରି

ତାର ଅଦ୍ଭୁତ କର୍ମ ଦେଖି

ମୁନିଏ ନାମ ଉପଲକ୍ଷି

ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମ

ଦେଲେ ସେ ବିଜିତାଶ୍ୱ ନାମ

ଏମନ୍ତେ ରଜନୀ ପ୍ରବେଶେ

ଇନ୍ଦ୍ର ଯେ ମିଳି ଯଜ୍ଞ ଦେଶେ

ବିଚାରି ଅନ୍ଧକାର ଛଳେ

ଅଶ୍ୱକୁ ପୁଣି ନେଲା ବଳେ

ଯଜ୍ଞର ଯୂପତଳେ ଛଳେ

ରହିଲା ସୁବର୍ଣ୍ଣ ରଜ୍ଜୁରେ

ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ

ତ୍ରାସେ ପଳାଇ ଇନ୍ଦ୍ର ବେଗେ

ଅତ୍ରି ପୃଥୁର ମୁଖ ଚାହିଁ

ବୋଲଇ ଅଶ୍ୱ ଆଣ ଯାଇ

ତା ଶୁଣି ହସ୍ତେ ଧନୁ ଧରି

ଧାଇଁଲା ଘୋର ନାଦ କରି

ଡାକଇ ରହ ରହ ବାଣୀ

ତାର ବଚନ ଇନ୍ଦ୍ର ଶୁଣି

ପଥେ ଅଶ୍ୱକୁ ଛାଡି ଛନ୍ନେ

ତକ୍ଷଣେ ଗଲା ଅନ୍ତର୍ଦ୍ଧାନେ

ପୁଣି ସେ ଅଶ୍ୱ ଧରି କରେ

ବେଗେ ମିଳିଲା ଦ୍ୱାରେ ଦ୍ୱାରେ

ପାଷଣ୍ତଜନ ସେହି ମତେ

ରୂପ ପ୍ରକାଶିଲେ ଜଗତେ

ପୃଥୁର ଯଜ୍ଞଘର ସ୍ଥାନେ

ଇନ୍ଦ୍ରର ଯେତେ ରୂପ ଛନ୍ନେ

ପାଷଣ୍ତ ସେହି ରୂପ ଚିନ୍ତି

ଅଧର୍ମ ଧର୍ମ ବିଚାରନ୍ତି

କେ ନଗ୍ନ ରକ୍ତପଟ ଧରେ

କେ ଭସ୍ମ ଭୂଷଣ ଶରୀରେ

ଅଧର୍ମ ମାର୍ଗ ଆଚରନ୍ତି

ଆତ୍ମାର ହିତ ନ କରନ୍ତି

ପାଷଣ୍ତମାର୍ଗେ ଥାଇ ନିତ୍ୟେ

ଦୂଷଣ ଦେଇ ବେଦପଥେ

ତାହାଙ୍କ ମତ ଯେ କରନ୍ତି

ଅନ୍ତେ ନରକେ ପ୍ରବେଶନ୍ତି

ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ

ଛନ୍ନେ ଧଇଲା ରୂପ ଯେତେ

ସେ ରୂପେ ପ୍ରକାଶି ପାଷାଣ୍ଡେ

ନିଗମ ନିନ୍ଦିଲେ ବ୍ରହ୍ମାଣ୍ଡେ

ସେ କଥା ଶୁଣି ପୃଥୁ କୋପେ

ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ

ଇନ୍ଦ୍ର ମାରଣେ କୋପ କରି

ନିଜ କୋଦଣ୍ତ କରେ ଧରି

କୋପନ୍ତେ ଅରୁଣ ନୟନ

ପ୍ରଚଣ୍ତ ବିରାଜେ ବଦନ

ପୃଥୁ ଗମନ ଦେଖି ରଣେ

ବେଗେ ଚଳିଲେ ବିପ୍ରଗଣେ

ଇନ୍ଦ୍ରର ହିତ ଚିତ୍ତେ ବହି

କହନ୍ତି ପୃଥୁ ମୁଖ ଚାହିଁ

ଶୁଣୁ ହେ ପୃଥୁ ଧର୍ମ କଥା

ଆଗମ ନିଗମ ଯେ ପ୍ରଥା

ଦେବଙ୍କ ଦେହେ ଇନ୍ଦ୍ର ତେଜେ

ସେ ତେଜେ ଦେବ ଯଜ୍ଞ ଭୁଞ୍ଜେ

ଏଣୁ ଇନ୍ଦ୍ରକୁ ଯାଗେ ବରି

ମନ୍ତ୍ରେ ଅନଳେ ହୋମକରି

ସୃଷ୍ଟି ପାଳନେ ଏ କାରଣ

ଏ ଭାବେ ସଂସାର ଧାରଣ

ଇନ୍ଦ୍ରରେ କୋପ ତୁ ସଂହର

ଆମ୍ଭର ବାକ୍ୟ ଚିତ୍ତେ ଧର

ଏମନ୍ତେ କହି ମୁନିଗଣେ

ବ୍ରହ୍ମା ମିଳିଲେ ତତକ୍ଷଣେ

ପୃଥୁ ବଦନ ଚାହିଁ ଧୀରେ

କହନ୍ତି ବଚନ ଗଭୀରେ

ବ୍ରହ୍ମୋବାଚ

ଏ ଇନ୍ଦ୍ରନାରାୟଣ ତନୁ

ଏହାକୁ କୋପ ଛାଡ ମନୁ

ଏହାର ଦେହେ ସର୍ବ ଦେବେ

ନିତ୍ୟେ ବସନ୍ତି ଯଜ୍ଞଭାବେ

ଆହୁତି ଯାର ମୁଖେ ଦେଇ

ତାହାକୁ କୋପ ନ ଯୋଗାଇ

ଏହାକୁ କୋପ ତୁ ନ କର

ଯଜ୍ଞପୁରୁଷ ଅର୍ଥେ ବର

ଏ ଧର୍ମ ପରମ କାରଣ

ଅଶେଷ ସୃଷ୍ଟିର ଧାରଣ

ଏ ଯଜ୍ଞ ଦ୍ରୋହକର୍ମ କଲା

ପାଷଣ୍ତ ପଥ ବିଚାରିଲା

ପାଷଣ୍ତ ଉଦ୍ଧାରିବା ଅର୍ଥେ

ତୋ ଅବତାର ଏ ଜଗତେ

ବେଣୁର ଦେହେ ଯେତେ ଦୋଷ

ତୋ ଜନ୍ମ କଲା ତାହା ନାଶ

ତୁ ଏବେ ମୋର ବୋଲକର

ପାଷଣ୍ତ ସୃଷ୍ଟିକି ଉଦ୍ଧର

ଏମନ୍ତ ବ୍ରହ୍ମାର ବଚନେ

ଇନ୍ଦ୍ରକୁ କୋପ ଛାଡି ମନେ

ଯୋଗେ ତୋଷିଲେ ସର୍ବଜନେ

ଅନ୍ନ ବସନ ଜଳଦାନେ

ସେ ବିପ୍ର ଜନେ ହୋଇ ତୋଷ

ପୃଥୁକୁ କରନ୍ତି ଆଶିଷ

 

 

 

 

ବ୍ରହ୍ମୋବାଚ

ତୋର ବଚନେ ସର୍ବଦେବେ

ତୋଷ ହୋଇଲେ ଯଜ୍ଞଭାବେ

ଏମନ୍ତ କହି ପଦ୍ମଯୋନି

ସଙ୍ଗେ ସକଳ ବିପ୍ର ଘେନି

ମୈତ୍ରେୟ ଉବାଚ

ତକ୍ଷଣେ ଗଲେ ନିଜ ସ୍ଥାନେ

ଶୁଣ ବିଦୁର ତୋଷମନେ

ପୃଥୁ ଯଜ୍ଞକୁ ଭଗବାନ

ଇନ୍ଦ୍ର ସହିତେ ଆଗମନ

କରି ପୂଜନ୍ତି ସେହି ହେଳେ

ରାଜାକୁ ଏପରି କହିଲେ

ଶ୍ରୀଭଗବାନୁବାଚ

ଇନ୍ଦ୍ର ତୁମ୍ଭର ବିଘ୍ନ କଲା

ଏବେ ସେ କ୍ଷମା ଯେ ଚାହିଁଲା

ଏହାକୁ କ୍ଷମା ଦିଅ ତୁମ୍ଭେ

ଶୁଣ ଯା କହୁଛ ପ୍ରସ୍ତାବେ

ସୁବୁଦ୍ଧି ସାଧୁ ଯେ ପ୍ରଧାନ

ହିଂସା ନ କରେ କଦାଚନ

ଏପରି ଜ୍ଞାନ ତାଙ୍କ ଅଛି

ଶରୀର ଆତ୍ମା ନୋହେ କିଛି

ପୁରୁଷମାନେ ତୁମ୍ଭ ତୁଲେ

ଦୈବୀ ମାୟାରେ ମୁଗ୍‍ଧହେଲେ

ବୃଦ୍ଧ ସେବା ଯେ ଦୀର୍ଘକାଳ

ହୁଅଇ ନିଶ୍ଚୟ ନିଷ୍ପଳ

ବିଦ୍ୱାନ ପୁରୁଷ ଦେହକୁ

ଅବିଦ୍ୟା କାମ୍ୟକର୍ମ ତାକୁ

ଆରବ୍‌ଧ ବୋଲି ଜାଣି ଭଲେ

ନୁହଁନ୍ତି ଆସକ୍ତ ତହିଁରେ

ଏହି ଯେ ଆତ୍ମା ଦେହୁ ଭିନ୍ନ

ଆତ୍ମା ଯେ ଏକଇ ନିର୍ଗୁଣ

ଆତ୍ମା ଯେ ଅଟେ ସର୍ବବ୍ୟାପୀ

ପୁଣି ସେ ଅଟେ ସାକ୍ଷୀ ରୂପୀ

ଏହା ଯେ ଜାଣଇ ନିଶ୍ଚୟ

ସେ କରେ ସଦା ଆତ୍ମାଲୟ

ନିଷ୍କାମ ଶ୍ରଦ୍ଧାନ୍ୱିତ ହୋଇ

ମୋର ଭଜନ ଯେ କରଇ

କ୍ରମ କ୍ରମରେ ତାର ମନ

ମୋଠାରେ ହୁଅଇ ପ୍ରସନ୍ନ

ମନ ପ୍ରସନ୍ନ ତାର ହେଲେ

ତତ୍ତ୍ୱଦର୍ଶୀ ସେ ହୁଏ ଭଲେ

ଏହି ଆତ୍ମାକୁ ଯେଉଁମାନେ

ଦେହ ଇନ୍ଦ୍ରିୟ କର୍ମଜ୍ଞାନେ

ମନର ଅଧ୍ୟକ୍ଷ ଜାଣନ୍ତି

ସକଳ ଦୁଃଖୁ ସେ ତରନ୍ତି

ଶୋକାଦି ଦ୍ୱାରା ସେହିମାନେ

ବ୍ୟଥିତ ନୁହନ୍ତି ଅଜ୍ଞାନେ

ହେ ରାଜା ତୁମ୍ଭେ ଜ୍ଞାନୀ ଅଟ

ସୁଖ ଦୁଃଖରେ ସମ ଅଟ

ସବୁରେ ସମ ବୁଦ୍ଧି ହୋଇ

ପ୍ରଜା ପାଳନ କର ତୁହି

ଏକାକୀ କି ରୂପେ ପାଳିବୁ

ଏ କଥା ମନେ ନ ଭାବିବୁ

ମୁଁ ତୋର ରାଜ୍ୟାଙ୍ଗ ପ୍ରସ୍ତୁତ

କରି ରଖିଛି ମନ୍ତ୍ରୀ ସାଥ

ତାହାଙ୍କ ସଙ୍ଗେ ମିଳି ତୁହି

ପ୍ରଜା ପାଳନ କର ଯାଇ

ପ୍ରଜାଏ ପୁଣ୍ୟ ଅନୁଷ୍ଠାନ

କଲେ ତହିଁର ଭାଗ ଜାଣ

ରାଜା ଯେ ପରଲୋକେ ପାନ୍ତି

ଷଷ୍ଠ ବିଭାଗ ନାହିଁ ଭ୍ରାନ୍ତି

ଯେ ରାଜା ପ୍ରଜାଙ୍କୁ ନ ପାଳେ

ତାହାର ପୁଣ୍ୟ ହରି ବଳେ

ପ୍ରଜାଏ ନିଅନ୍ତି ଯେ ଜାଣ

ଏଥିରେ ଅନ୍ୟଥା ନ ମଣ

ତୋର ଗୃହରେ ତୁ ଦେଖିବୁ

ଏଥିରେ ଆନ ନ ଭାବିବୁ

ଏଥିରେ ତୋର ମନ ଥିଲେ

ସିଦ୍ଧ ମହିଷ ଆଦି ତୁଲେ

ହେ ରାଜା ତୋର ସଦଗୁଣେ

ବଶ ହୋଇଛି ଏହିକ୍ଷଣେ

ଯେ ବରେ ତୋର ଇଛା ହୁଏ

ମାଗିଲେ ଦେବି ମୁଁ ନିଶ୍ଚୟେ

ଯଜ୍ଞ ତପସ୍ୟା ଯୋଗାଦିରେ

ପ୍ରାପ୍ୟ ମୁଁ ନୁହଇ ସଂସାରେ

ଯାହାର ଭେଦ ଜ୍ଞାନ ନାହିଁ

ତାହା ନିକଟେ ଥାଏ ମୁହିଁ

ମୈତ୍ରେୟ ଉବାଚ

ରାଜା ପ୍ରଭୁଙ୍କ ଆଜ୍ଞାମାନ

ମସ୍ତକେ କଲା ଯେ ଧାରଣ

ଇନ୍ଦ୍ରଦେବ ଯେ ଏ ସମୟେ

ଆପଣା ଦୋଷେ ଲଜ୍ଜାପାଏ

ରାଜାଙ୍କୁ କ୍ଷମା ସେ ମାଗିଲା

ତାହାଙ୍କ ଚରଣ ଛୁଇଁଲା

ପୃଥୁ ଯେ ତହିଁ ଆଲିଙ୍ଗନ

କରି ତୋଷିଲେ ଇନ୍ଦ୍ର ମନ

ଏ ଅନ୍ତେ ପ୍ରଭୁ ଭଗବାନ

ଉଦ୍ୟମ କଲେ ସେ ପ୍ରସ୍ଥାନ

କିନ୍ତୁ ପୃଥୁକୁ ବର ଦେବା

ଅଭିପ୍ରାୟରେ ହେଲେ ଉଭା

ଏ ଅବସରେ ପୃଥୁରାଜ

ବହୁ ପ୍ରକାରେ କଲା ପୂଜା

ଭକ୍ତି ସହିତ ସେ ଚରଣ

କମଳ କଲା ସେ ଧାରଣ

ସେ ପଦ୍ମପଳାଶ ଲୋଚନ

କୃପା ଯେ କଲେ ବରଷଣ

ପୃଥୁ ତାହାଙ୍କ ଦରଶନ

ସ୍ତବ କରଣେ କଲା ମନ

ଲୋଚନ ଅଶ୍ରୁରେ ପୂରଣ

ହେବାରୁ ନ କଲା ଦର୍ଶନ

ବାଷ୍ପରେ ଗଦଗଦ ହେଲା

ସ୍ତୁତି ସେ କରି ନ ପାରିଲା

ତୁଷ୍ଣୀ ଭାବରେ ରହି କରି

ଆଲିଙ୍ଗେ ପୃଥୁ ଯେ ଶ୍ରୀହରି

ଚକ୍ଷୁରୁ ଜଳ ପୋଛି କରି

ପୃଥୁ ଯେ ଚାହିଁଲା ଶ୍ରୀହରି

ଶ୍ରୀହରି ଆପଣା ଚରଣ

ସ୍ଥାପିଲେ ଭୂମିରେ ସେ ଜାଣ

ଗରୁଡ଼ ସ୍କନ୍ଧେ ହାତ ଦେଇ

ଉଭା ହୋଇଲେ ଭାବଗ୍ରାହୀ

ପୃଥୁରୁବାଚ

ହେ ଦେବଦେବଙ୍କର ଦେବ

ମୋତେ ଏ ଦୁଃଖୁଁ ନିସ୍ତାରିବ

ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ

ଭୋଗ ବିଳାସ ନ ମାଗିବ

ନାରକୀମାନଙ୍କର ଅଛି

ଏହା ମୁଁ ପ୍ରତ୍ୟକ୍ଷେ ଜାଣୁଛି

ହେ ପ୍ରଭୁ ଏହା ମୁଁ ମାଗଇ

ଦଶ ସହସ୍ର ସ୍ୱର୍ଣ୍ଣ ଦେଇ

ପୂରାଅ ମୋର ମନୋଭାବ

ଶୁଣିବି ତୁମ୍ଭର ପ୍ରସ୍ତାବ

ଯାହା ଶୁଣିଣ ଯୋଗୀ ଜନେ

ନିଶ୍ଚଳେ ଥାନ୍ତି ରାତ୍ରଦିନେ

ଯେ ମକରନ୍ଦ ପାନ କରି

ଏ ଭବ ସାଗରୁ ନିସ୍ତରି

ଶ୍ରୀଚରଣୁ ଯେ ମକରନ୍ଦ

ଦିଅ ହେ ପରମ ଆନନ୍ଦ

ଏହା ମୁଁ ମାଗୁଛି ଶ୍ରୀହରି

ଦିଅ ହେ ପ୍ରଭୁ ଦୟାକରି

ପୃଥୁର ସ୍ତୁତି ଶୁଣି କରି

କହନ୍ତି ବଚନ ବିସ୍ତାରି

ଶ୍ରୀଭଗବାନୁବାଚ

ଭକ୍ତି ନିମିତ୍ତ ଅଭିଳାଷ

ହୋଇଛି ତୋହର ନରେଶ

ତୋହର ବିଶେଷ ଭକତି

ରହିବ ନିଶ୍ଚେଁ ଆମ୍ଭପ୍ରତି

ପ୍ରବଳ ଭାଗ୍ୟରୁଟି ଜାଣ

ଏପରି ବୁଦ୍ଧି ହେଲା ଶୁଣ

ଏହି ବୁଦ୍ଧିରେ ମହାଯତି

ମୋର ମାୟାରୁ ତରିଯାନ୍ତି

ମୋର ଆଜ୍ଞାକୁ ପାଳୁଥିଲେ

ତୋର ମଙ୍ଗଳ ହେବ ଭଲେ

ମୈତ୍ରେୟ ଉବାଚ

ଏହି ପ୍ରକାରେ ମହାବାହୁ

ଆନନ୍ଦେ ପ୍ରକାଶିଲେ ତହୁଁ

ପୃଥୁ ତାହାଙ୍କୁ ପୂଜା କଲା

ଦେବତା ଋଷି ଆଦି ମେଳା

ଋତ୍ୱିଜ ପାର୍ଷଦ ସହିତେ

ଯଜ୍ଞକୁ ଆସିଥିଲେ ଯେତେ

ଯଥା ଯୋଗ୍ୟରେ ପୂଜା କଲା

ସବୁ ଦେବଙ୍କୁ ସନ୍ତୋଷିଲା

ଶ୍ରୀହରି ଗମନର କାଳେ

ଋତ୍ୱିଜ ମନକୁ ହରିଲେ

ଯହୁଁ ଚଳିଲେ ଭଗବାନ

ପୃଥୁ ଚଳିଲା ନିଜଧାମ

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ଯଜ୍ଞକରଣେ

ନାମ ଏକବିଂଶୋଽଧ୍ୟାୟଃ ।

•••

 

ଦ୍ୱାବିଂଶ ଅଧ୍ୟାୟ

 

ଏ ଅନ୍ତେ ଶୁଣ ହେ ବିଦୁର

ସେ ପୃଥୁ ଦେବ ରାଜେଶ୍ୱର

ସେ କ୍ଷେତ୍ରେ ଯେତେ ପ୍ରଜାଗଣ

ପିତୃ ଦେବ ଋଷି ବ୍ରାହ୍ମଣ

ପୃଥୁଙ୍କ ଗୁଣ ବଖାଣନ୍ତି

ସେ ସର୍ବେ ହରିଙ୍କୁ ପୂଜନ୍ତି

ଏମନ୍ତେ କେତେ କାଳାନ୍ତରେ

ବିଜୟ କଲେ ମୁନିବରେ

ସେ ସିଦ୍ଧଗଣ ମଧ୍ୟେ ସାର

ବିଶେଷେ ବ୍ରହ୍ମାଙ୍କ କୁମର

ତପ ସାଧନେ ବିରାଜନ୍ତି

ସୂର୍ଯ୍ୟ କିରଣ ପ୍ରାୟେ ଜ୍ୟୋତି

ଆକାଶେ ଦେଖିଲେ ରାଜନ

କାନ୍ତିରୁ କଲେ ଅନୁମାନ

ସେ ସର୍ବସିଦ୍ଧ ସନକାଦି

ବିଷ୍ଣୁର ଭକ୍ତ ବ୍ରହ୍ମବାଦୀ

ନିଶ୍ଚେ ଜାଣିଲେ ଅନୁମାନେ

ଉଠିଲେ ସର୍ବ ଶିଷ୍ୟଗଣେ

ତାଙ୍କ ଦର୍ଶନେ ନୃପରାଣ

ଉଦ୍ଧ୍ୱର୍କୁ କଲା ସେ ବଦନ

ଯେହ୍ନେ ଜୀବନ ପ୍ରାଣ ପାଇ

ସହସା ଉଠିଲେ ଝସାଇ

ସଦସ୍ୟ ଆଦି ଯେତେ ଥିଲେ

ସତ୍ୱରେ ସକଳେ ଉଠିଲେ

ଯେସନେ ଗନ୍ଧାଦି ଗୁଣକୁ

ଜୀବନ ଗମଇ ଉର୍ଦ୍ଧ୍ୱକୁ

ତେସନେ ନୃପ ହେଲେ ଉଭା

ପ୍ରବେଶ ହେଲେ ସେହି ସଭା

ଆନନ୍ଦେ ପୃଥୁ ନୃପପଣି

ପ୍ରଣାମ କଲେ ଶିର ଘେନି

ସୁଗନ୍ଧ ଶୀତଜଳ ଦେଇ

ପଦକମଳ ଦେଲେ ଧୋଇ

ଦିବ୍ୟ ଆସନେ ବସାଇଲେ

ସୁବୁଦ୍ଧି ବେଭାରେ ପୂଜିଲେ

ତାହାଙ୍କ ଚରଣ ସଲିଳେ

ଅଳକ ବନ୍ଧ ସମାର୍ଜିଲେ

ଯେ ପ୍ରାଣୀ ହୁଏ ଶୀଳବନ୍ତ

ତାହାଙ୍କ ଚରିତ ଏମନ୍ତ

ଛାଡି ନୃପତି ଅଭିମାନ

ଆନନ୍ଦେ କଲେ ବହୁ ମାନ୍ୟ

ହାଟକ ଆସନେ ବସାଇ

ପାଦ ଉଦକ ଶିରେ ଦେଇ

ସେ ଭବ ଅଗ୍ରଜନ୍ମା ଯେଣୁ

ରାଜନ ମାନ୍ୟ କଲେ ତେଣୁ

ଭାବେ ପ୍ରତୋଷି ତାଙ୍କ ମନ

ରାଜା ଯେ କହନ୍ତି ବଚନ

ଆଜ ମୋ ପୂର୍ବ ଭାଗ୍ୟଫଳ

ଜୀବନ ହୋଇଲା ସୁଫଳ

ଦୁର୍ଲ୍ଲଭ ଦେଖିଲି ତୁମ୍ଭଙ୍କୁ

ଖୋଜି ନ ପାନ୍ତି ଯୋଗୀ ଯାକୁ

ଅବ୍ୟକ୍ତ ଗତି ଯେ ତୁମ୍ଭର

ଭ୍ରମଣେ ଚତୁର୍ଦ୍ଦଶ ପୁର

ଅଭାଗ୍ୟବନ୍ତ ପ୍ରାଣୀ ସେହି

ତୁମ୍ଭ ଦର୍ଶନେ ଯୋଗ୍ୟ ନୋହି

ଏ ଆତ୍ମା ପୁରୁଷ ଯେସନେ

ସକଳେ ଦେଖଇ ଚେତନେ

ତାହାକୁ ନ ଦେଖନ୍ତି କେହି

ଏ ବିଶ୍ୱ ହେତୁ ଭୂତଦେହୀ

ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି

ଧନ୍ୟ ମୋ ଜୀବନ ମଣିଲି

ନିର୍ଦ୍ଧନ ଗୃହେ ଯେହ୍ନେ ଧନ

ଅଣ ଆଭ୍ୟାସେ ଲଭେ ପୁଣ୍ୟ

ତେହ୍ନେ ଯେ ମଣିଲି ଅଭୁତ

ମୋ ଭାଗ୍ୟେ ତୁମ୍ଭେ ଉପଗତ

ଯା ଗୃହେ ଅତିଥି ଆଗତ

ଭାବେ ପୂଜିବ ଶୁଦ୍ଧଚିତ୍ତ

ବିଭବେ ପୂଜି ବହୁମତେ

କାୟ ବଚନ ଶୁଦ୍ଧଚିତ୍ତେ

ବିଭବହୀନେ ଯେବା ଜନ

ପୁଛିବ ଯେ ବିଧି ବିଧାନ

ଭୂମି ଉଦକ ତୃଣାସନେ

ଦେଇ ପୂଜିବ ସାଧୁଜନେ

ଏ ବିଧି ଯେବା ନ ପୂଜନ୍ତି

ସେ ବ୍ୟର୍ଥେ ଜୀବନେ ମରନ୍ତି

ବ୍ୟାଳ ଆଳୟ ଦ୍ରୁମେ ଯେହ୍ନେ

ତା ଗୃହ ଭୟଙ୍କର ତେହ୍ନେ

ଯା ଗୃହଗତେ ଯେ ଅତିଥି

ସୁଖେ ଚରଣ ନ ଧୁଅନ୍ତି

ତାର ଜୀବନେ କି କାରଣ

ବ୍ୟର୍ଥ ଆୟୁଷ ଯଶୋଗୁଣ

ଯେ ଭକ୍ତଜନଙ୍କୁ ନ ସେବେ

ତା ସୁଖ ସର୍ବ କି କି ଲଭେ

ଭୋ ମୁନି ତୁମ୍ଭ ଆଗମନ

ମଙ୍ଗଳ ମଣିଲି ଜୀବନ

ତାହାଙ୍କ ବ୍ରତ ବିଧିଆଦି

ତରନ୍ତି ଅନ୍ୟ ମୋକ୍ଷ୍ୟବାଦୀ

ଯେ ବାଳ ବୟସୁ ତରନ୍ତି

ସେ ଯେବେ ମୋକ୍ଷ୍ୟମାର୍ଗେ ଯାନ୍ତି

ଏ ବାଳ ପୌଗଣ୍ତ କିଶୋର

ଯେ ଧରେ ଦୃଢ଼ ନିଷ୍ଠାପର

ସେ ଯେବେ ମୋକ୍ଷମାର୍ଗେ ଯାନ୍ତି

ଏ ବିଷ୍ଣୁ ମାୟାରୁ ତରନ୍ତି

ଇନ୍ଦ୍ରିୟମାନଙ୍କ ବିଷୟ

ନ ଛାଡ଼େ ଯାହାର ହୃଦୟ

ସେ କେବେ ସୁଖ ନ ଲଭନ୍ତି

ସ୍ୱକର୍ମ ବନ୍ଧେ ବନ୍ଦୀ ହ୍ୱନ୍ତି

ଏ ଘୋର ସଂସାରେ ପଡ଼ିଣ

ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ

ଭୋ ମୁନିଗଣେ ତୁମ୍ଭେ ଜ୍ଞାନୀ

ଆତ୍ମାରାମଙ୍କ ମଧ୍ୟେ ମାନୀ

ଏଣୁ ଯେ ତୁମ୍ଭ ମାନଙ୍କରେ

କୁଶଳ ପ୍ରଶ୍ନ ନ ପଚାରେ

ଯାହାଙ୍କ ମତି ଗତିମାନେ

କୁଶଳ କଷଣ ନ ଘେନେ

ଏମନ୍ତ ଶୁଣି ସେ ବିଦୁର

ସେ ପୃଥୁବାକ୍ୟ ସୁମଧୁର

ଶ୍ରବଣେ ତୋଷ ହେଲେ ମୁନି

ସାଧୁ ସମ୍ମତ ବାକ୍ୟ ମାନି

ହରଷେ କହନ୍ତି ମଧୁର

ଶୁଣ ହେ ପୃଥୁ ନୃପବର

ସଂସାରେ ସାଧୁଲୋକ ଯେହି

ତାଙ୍କ ମହିମା ସିନା ଏହି

ବିଷୟ ସୁଖ ନ ଘେନନ୍ତି

ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି

ତୁମ୍ଭେ ଯେ ପଣ୍ତିତ କୁଶଳ

ଏଣୁ ଉତ୍ତମ ପଚାରିଲ

ସୁସାଧୁ ଜନଙ୍କ ସଙ୍ଗତ

ଉଭୟ ଲୋକ ସେ ବିଦିତ

ଏଣୁ ସାଧୁଙ୍କ ସମ୍ଭାଷଣ

ସୁପୁଣ୍ୟ ମଙ୍ଗଳ କାରଣ

ଅଶେଷ ଜୀବ ହିତ କରେ

ଏହା ପଚାରିଲେ ବେଭାରେ

ସୁଶାନ୍ତି ଆମ୍ଭ ମନ ହେଲା

ତୁମ୍ଭ ଦର୍ଶନେ ଦୁଃଖଗଲା

ଶୁଣ ସୁମନେ ନୃପବର

କହିବା ଏଥି ପ୍ରତିକାର

ଯେ ମୋକ୍ଷ ସାଧନ ପୁଚ୍ଛିଲ

ଅଶେଷ ଜୀବର ଯେ ଭଲ

ତ୍ରିବିଧ କୃଷ୍ଣ ଉପାସନ

ରଜ ସା‌ତ୍ତ୍ୱିକ ତମୋଗୁଣ

ତାମସ ଭକ୍ତିର କାରଣ

କହିବା ଏବେ ନୃପ ଶୁଣ

ସେ କୃଷ୍ଣ ଚରଣ କମଳେ

ଯେ ନାମ ସଙ୍କୀର୍ତ୍ତନ ବଳେ

ତହିଁ ଯାହାର ହୁଏ ଭୀତ

ସେ ହୀନ କପଟ ଭକତ

ତାହାର ଅନ୍ତର ମଳିନ

କାମ କଷ୍ଟ ଏ ହୋଇ କ୍ଷୀଣ

ତାମସ ଭକ୍ତ ବୋଲି ତାରେ

ନ ତରେ ଏ ଭବସାଗରେ

କୃଷ୍ଣ ଭଜନେ ହୁଏ ରତି

ଆତ୍ମାକୁ ବିଶୁଦ୍ଧ କରନ୍ତି

ଯେ ନିଷ୍ଠା ଶାସ୍ତ୍ରମାର୍ଗେ କହେ

ନିଶ୍ଚୟ ବୁଝ ନରରାୟେ

ଏଟି ନିର୍ମଳ ଜ୍ଞାନ ହେତୁ

ଭବସାଗର ପାର ସେତୁ

ଚିତ୍ତ ବିଶୁଦ୍ଧ ଯାର ନାହିଁ

ତାର ବୈରାଗ୍ୟ ଜ୍ଞାନ କାହିଁ

ହରି ଚରଣେ ସେବା ରତି

ବୈରାଗ୍ୟ ନିଶ୍ଚଳ ଭକତି

ଏଟି କୈବଲ୍ୟ ସୁସାଧନ

ନିଶ୍ଚୟ ବୁଝ ତୁ ରାଜନ

ବୈରାଗୁଁ ହୁଏ ଏ ଅସଙ୍ଗ

ତହୁଁ ଜନ୍ମଇ ଭକ୍ତି ଅଙ୍ଗ

ଏ ବେନି ଆତ୍ମା ଭେଟ କାହିଁ

ତେଣୁ ତା ସଙ୍ଗ ଦେହ ବହି

ସେ ବ୍ରହ୍ମ ନିର୍ଗୁଣ ନିର୍ମଳ

ବ୍ୟାପିଛି ଅଶେଷ ସଂସାର

ଭକ୍ତି ବୈରାଗ୍ୟ ତାକୁ ପାଇ

ଏ ବନେ ଜୀବ ଭ୍ରମୁଥାଇ

ସେ ବ୍ରହ୍ମେ ରତ ଏ କାଳର

ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର

ହରି ଚରଣେ ଯେବେ ଭାବେ

ଅସଙ୍ଗ ଭକ୍ତି ହୁଏ ତେବେ

ଯୋଗରେ ନିଷ୍ଠା ଥାଇ ଯାର

ପୁଚ୍ଛଇ ଶାସ୍ତ୍ରମାର୍ଗ ସାର

ଯୋଗୀନ୍ଦ୍ର ଗଣେ ସେବା କଲେ

ସେ ଗତି ଲଭେ ବ୍ରହ୍ମ ତୁଲେ

କି ଅବା ହରି ସଂକୀର୍ତ୍ତନ

ଶୁଣି ଶ୍ରବଣେ କଲେ ଧ୍ୟାନ

ଅସଙ୍ଗ ରତି ହୁଏ ତେବେ

ସାଧି ପାରିଲେ ସାଧ୍ୟ ଯେବେ

ଶୁଣ ରାଜନ କୃଷ୍ଣଲୟେ

ତ୍ରିବିଧ ପ୍ରକାରେ ଯେ ହୁଏ

ଏ ମାର୍ଗେ ଯେ ସାଧ୍ୟ କରନ୍ତି

ବ୍ରହ୍ମ ନିର୍ବାଣେ ହୁଏ ଗତି

ଅର୍ଥ ବାଞ୍ଛିତ ମନ ଯାର

ତାମସେ ବଞ୍ଚେ ସେହୁ ନର

ଯେ ପ୍ରାଣୀ ଇନ୍ଦ୍ରିଭାବେ ବଶ

ତାହାକୁ ବୋଲିଟି ରାଜସ

ଏହାକୁ ନ କରିବ ଗୋଷ୍ଠୀ

ତହିଁ ନ ଦେବ ମନ ଦୃଷ୍ଟି

ଏମାନେ ଯେବା ଭଲ ପାନ୍ତି

ସେ ଅର୍ଥ କାମହିଁ ବାଞ୍ଛନ୍ତି

ଏଣୁ କୁସଙ୍ଗ ଭାବ ତେଜି

ଯେ ପ୍ରାଣୀ ଆତ୍ମଲାଭ ଖୋଜି

ନିଃସଙ୍ଗ ବିଜନେ ବସଇ

ସେ ତେବେ ଆତ୍ମାକୁ ଭେଟଇ

ଏ ରୂପେ ହୁଏ ବ୍ରହ୍ମେ ରତି

ଶୁଣ ସୁମନେ ହେ ନୃପତି

ଅପରେ ଯେ ସାଧ୍ୟ କହିବା

ଯାହାର ନାହିଁ ଭକ୍ତି ସେବା

ହରି ଚରଣେ ଭକ୍ତି ନୋହି

ତାହାର ବ୍ରହ୍ମେ ରତି କାହିଁ

ଯେ ହରିଗୁଣ ସୁଧାପାନ

ସେ ବିନେ ବ୍ରହ୍ମେ ନୁହେଁ ଜ୍ଞାନ

ଅହିଂସା ଧର୍ମେ ଯେବା ଥାନ୍ତି

ଏ ବ୍ରହ୍ମଜ୍ଞାନ ସେ ଲଭନ୍ତି

ପରମ ବ୍ରହ୍ମଚର୍ଯ୍ୟ ବିଧି

ତପସ୍ୟା ଶମ ଦମାରାଧି

ଆପଣା ହିତ ଅନୁଧ୍ୟାନେ

ନିପୁଣ ହୁଏ ବ୍ରହ୍ମଜ୍ଞାନେ

ସେ ହରି ପରମ ପୁରୁଷ

ଯାହାର ଚରିତ ପୀୟୁଷ

ସେ ସୁଧାପାନ ଯେବେ କରେ

ସେ ତେଜେ ବ୍ରହ୍ମଜ୍ଞାନ ବରେ

ଯମ ନିୟମ କାମ ହୀନେ

ଏ ଆଦି ସାଧିବ ନିର୍ଗୁଣେ

ପାପାଦି ଧର୍ମ ବିଧର୍ମରେ

ନିନ୍ଦା ସ୍ତବନ ସଜ୍ଜିତରେ

ପରମ ଧର୍ମ ଏ ବିଚାର

ନିର୍ମଳ ବାହ୍ୟ ଅଭ୍ୟନ୍ତର

ଶୀତୋଷ୍ଣ ଦୁଃଖ ସୁଖ ସହେ

ସେ ତେବେ ବ୍ରହ୍ମଜ୍ଞାନ ବହେ

ସେ ବ୍ରହ୍ମ ଯାର ନିଷ୍ଠାବ୍ରତ

ଯେବା ତା ହୁଏ ଦୃଢ଼ମତ

ଶ୍ରୀହରି ଭକ୍ତ ଯେବା ଜନ

ଏ ସର୍ବ ତାଙ୍କର ଭୂଷଣ

ତେଣୁ ବଢ଼ଇ ତାର ଭକ୍ତି

ସେ ତେବେ ଲଭଇ ମୁକତି

ସେ ବ୍ରହ୍ମ ଅଟେ ସଦା ସତ

ଅନାତ୍ମା ନିର୍ଗୁଣ ଅନନ୍ତ

ତହିଁ ଯାହାର ରତି ହୁଏ

ସେ ଜୀବ ବଦ୍ଧ ନୁହେଁ ମୋହେ

ସେ ବ୍ରହ୍ମେ ଯାର ନିଷ୍ଠା ରତି

ଯେବେ ତା ହୁଏ ଦୃଢ଼ମତି

ସଦଗୁରୁ ସେବା ଯେ କରେ

ସେ ତେବେ ଜ୍ଞାନମାର୍ଗ ଧରେ

ଜ୍ଞାନ ବୈରାଗ୍ୟ ଯୋଗବଳେ

ଏ ଜୀବ କୋପ ଦହେ ହେଳେ

ଏ ପଞ୍ଚଭୂତରେ ହୃଦୟ

ଜୀବର ହୋଇଛି ଆଳୟ

ଜ୍ଞାନ ଅନଳ ହେଲେ ଜାତ

ତେବେ ସେ ହୁଏ ଭସ୍ମୀଭୂତ

ଏ ଜୀବ କୋପ ଯେବେ ଯାଇ

ତେବେ ସେ ବ୍ରହ୍ମଜ୍ଞାନ ପାଇ

ଅନଳ ପ୍ରକାଶିଲେ ଯେହ୍ନେ

ସମିଧ ହୁଏ ଦଗ୍‌ଧମାନେ

ତେସନେ ଏ ଲିଙ୍ଗ ଶରୀର

ଜ୍ଞାନ ନ ରହେ ନୃପବର

ଏମନ୍ତ ଜ୍ଞାନ ଉଦେ ଯାର

ହୁଅଇ ଭବସିନ୍ଧୁ ପାର

ଉପାଧି ବାସନା ଅଶେଷ

ଜ୍ଞାନ ଅନଳେ ହୁଏ ଧ୍ୱଂସ

ଉପାଧି ଅନ୍ତେ ନୃପରାୟେ

ତାର ଗୁଣାଦି ହୋନ୍ତି ଲୟେ

ବିନଷ୍ଟ ହୁଏ ଅଭିମାନ

ଆପଣା କର୍ତ୍ତା ଆଦି ଜ୍ଞାନ

ଜନ୍ମଇ ନିଜ ଭାବେ ରତି

ଏ ପରାପରେ ନୋହେ ଗତି

ସେ ପୁଣି ଅନ୍ତର ବାହାରେ

ଏ ଦୁଃଖ ସୁଖ ନ ବିଚାରେ

ବାହାରେ ନ ଦିଶଇ କିଛି

ଘଟାଦି ବସ୍ତୁ ଯେବା ଲକ୍ଷି

ଏଥକୁ ପ୍ରତିଲକ୍ଷ୍ୟ ଦେବା

ଭୋ ନୃପ ଦେଖାଇ କହିବା

ଦୁଷ୍ଟ ଦୁଷ୍କର ହୀନବୁଦ୍ଧି

ଏହାଙ୍କ ହେତୁ ମନ ଶୁଦ୍ଧି

ଯେ ଆତ୍ମା ଏ ମୋହର ପର

ଏ ଭେଦ କରେ ଅହଙ୍କାର

ଭେଦ କରନ୍ତା ଯେବେ ମଲା

ତାର ଅଜ୍ଞାନ କ୍ଷୟ ଗଲା

ଶେଷେ ଅଜ୍ଞାନ ସର୍ବ ଏକ

ଭୋ ନୃପ ବିଚାର ବିବେକ

ଯେସନେ ଶୟନ ସ୍ୱପନେ

ମିଥ୍ୟା ବିଳାପ ଦେଖେ ମନେ

ଆପଣେ ହୋଇଥାଇ ରାଜା

ସମତ୍ୱେ ଦେଖେ ଜନପ୍ରଜା

ସୈନ୍ୟ ସାମନ୍ତ ରଥ ଗଜ

ସତ୍ୟ ପ୍ରତୀପେ ମଣେ ତେଜ

ସେ ପୁଣି ସ୍ୱପ୍ନ ଅବସାନେ

ସକଳ ମିଥ୍ୟା କରି ମଣେ

ରାଜସମ୍ପଦ ଭୋଗ ଯେତେ

ଶୋଚନା ନ କରଇ ଚିତ୍ତେ

ତକ୍ଷଣେ ଜ୍ଞାନ ଉପୁଜିଲେ

ଏ ସର୍ବ ନାଶଯାନ୍ତି ଭଲେ

ଏ ଆତ୍ମା ଦେଖନ୍ତା ପୁରୁଷ

ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ

ଏ ବେନି ପର ଅହଂକାରେ

ଏ ଭେଦ ବ୍ୟବସ୍ଥା ବିଚାରେ

ଯାବତ ଉପାଧି ଅଛଇ

ତାବତ ଭେଦ ବୁଦ୍ଧି ଥାଇ

ଉପାଧି ଅନ୍ତେ ସର୍ବ ନାଶେ

ତେବେ ସେ ଆତ୍ମା ପରକାଶେ

ଏ ଆତ୍ମା ପରମ ପୁରୁଷ

ଯାହାର ନାହିଁ ଗୁଣ ଦୋଷ

ଉପାଧି ଭେଦ ଭିନ୍ନେ ଦୃଶ୍ୟେ

ତା ବିନା ଏକାଗ୍ରେ ପ୍ରକାଶେ

ଯେବେ ଦର୍ପଣ ଜଳାଦିରେ

ଆପଣା ପ୍ରତିବିମ୍ବ ଧରେ

ଏ ବେନି ଯେସନେ ଦିଶନ୍ତି

ଆପଣା ଶରୀର ଅତିଥି

ଉପାଧି ହେତୁ ଭିନ୍ନ ଭିନ୍ନ

ତା ଅବଶେଷ ଏକ ଚିହ୍ନ

ଶୁଣ ହେ ପୃଥୁ ମହୀପତି

ଅସଙ୍ଗ ବ୍ରହ୍ମେ ହୁଏ ରତି

ଏ ବେନି ମୋକ୍ଷମାର୍ଗ ହେତୁ

ଭବସାଗର ପାର ସେତୁ

ଶୁଣ ସୁମନେ ହେ ରାଜନ

ବିବେକହୀନ ଯେବା ଜନ

ତାହାର ଆତ୍ମା ରତି ନୋହେ

ଯେବେହେଁ ଅହଙ୍କାର ବହେ

ଏ ମୋର ଦାରା ସୁତ ଘର

ବୋଲି ବିଷୟେ ଅନ୍ଧକାର

ବିଷୟା ରସେ ଇନ୍ଦ୍ରି ରସି

ମନକୁ ଆଣନ୍ତି ଆକର୍ଷି

ଇନ୍ଦ୍ରିୟ ସଙ୍ଗେ ମନ ରସେ

ନିଜ ଚେତନା ବଳେ ଧ୍ୱଂସେ

ଏଣୁ ବିବେକ ତାର ନୋହି

କୁସଙ୍ଗ ଦୋଷ ମନ ମୋହି

ଯେସନେ କୁଶ ଆଦି ମୂଳ

ହ୍ରଦରୁ ଓଟାରଇ ଜଳ

ତେସନ ଦେଖ ବିଷୟାଦି

ହରଇ ସର୍ବ ମନ ବୁଦ୍ଧି

ଚେତନା ବଳେ ଶ୍ରୁତି ରହି

ତାର ଅଭାବେ ଶ୍ରୁତି କାହିଁ

ଯାହାର ଶ୍ରୁତି ହୁଏ ନାଶ

ତା ହୃଦେ ଜ୍ଞାନ ଅପ୍ରକାଶ

ଜ୍ଞାନ ବିନାଶେ ଆତ୍ମା ହତ

ବେଦାନ୍ତେ କହନ୍ତି ପଣ୍ତିତ

ଶୁଣ ନୃପତି ପୁରୁଷର

ଏଥୁଟି କାହିଁ ନାହିଁ ପାର

ବିଷୟ ସୁଖଭୋଗ ଲାଗି

ହୁଅଇ ଆତ୍ମାବଧେ ଭୋଗୀ

ଯେ ନିଜ ହାନି ନ ବୁଝଇ

ତାର ବିବେକ ଗୁଣ କାହିଁ

ଅର୍ଥ କାମାଦି ଧନ ରାୟେ

ଏ ସର୍ବ ବିନାଶ ଉପାୟେ

ଯେ ନର ଜ୍ଞାନ ବିଦ୍ୟାହୀନ

ତା ଜୀବ ସ୍ଥାବର ସମାନ

ଯା ଚିତ୍ତେ ବ୍ରହ୍ମରତି ନୋହେ

ସର୍ବ ଅନାଥେ ଭାବ ହୁଏ

ଏବେ ହୋ ଶୁଣ ନୃପରାଣ

ଚୁତର୍ବର୍ଗର ଯେ କାରଣ

ଯେ ଧର୍ମ ଅର୍ଥ କାମ ମୋକ୍ଷ

ଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ

ଧର୍ମାଦି କାମ ବୋଲି ଯାହା

ଅନିତ୍ୟ ମିଥ୍ୟା ବୋଲି ତାହା

ଅନିତ୍ୟ ମୃତ୍ୟୁ ଭୟ ପାଇ

ଏଣୁ ଜ୍ଞାନୀ ତା ନ ଭାବଇ

ତୁତୀୟ ବର୍ଗ ବୋଲି ରାୟେ

ଦୁର୍ଲ୍ଲଭ ସେହି ଏ ଉପାୟେ

ମୃତ୍ୟୁର ଭୟ ଯହିଁ ନାହିଁ

ନିତ୍ୟେ ଆନନ୍ଦ ରୂପ ବହି

ଏ ଚତୁର୍ବର୍ଗ ନୁହେ ତୁଲ୍ୟ

ତୁମ୍ଭର ଅର୍ଥ ବହୁ ମୂଲ୍ୟ

ଯାହାର କାଳ ଭୟ ଅଛି

ତାହାର ସୁଖ କାହିଁ ଅଛି

ଆବର ବ୍ରହ୍ମାଦି ପର୍ଯ୍ୟନ୍ତ

ଈଶ୍ୱର ମାୟାରେ ଯନ୍ତ୍ରିତ

ଏହାଙ୍କ ଶ୍ରେଷ୍ଠ କେବେ ନୁହେ

ତେଣୁ ଦଣ୍ତଇ ଜନ୍ତୁରାୟେ

ଆପଣେ ଅର୍ଜଇ ଅନର୍ଥ

ରାଜନ ବୁଝ ଏହି ମତ

ସ୍ଥାବର ଜଙ୍ଗମାଦିଠାରେ

ଦେହ ଇନ୍ଦ୍ରିୟ ଅହଙ୍କାରେ

ପ୍ରାଣ ବୁଦ୍ଧିରେ ଯନ୍ତ୍ରିକୃତ

ଏହାଙ୍କ ହୃଦୟ ଯେ ବ୍ୟକ୍ତ

ଯେ ଅଧ ଉର୍ଦ୍ଧ୍ୱେ ଛନ୍ତି ପୂରି

ସର୍ବବ୍ୟାପକ ନରହରି

ଯେ କୁରୁକ୍ଷେତ୍ର ବୋଲି କହି

ଜୀବ ନ ଜାଣେ ଦେହ ବହି

ଏ ଦେହ ବହି ଅହଙ୍କାରେ

ଜୀବ ପରମ ବୁଦ୍ଧି ହରେ

ଜୀବର ପ୍ରଭୁ ଭଗବାନ

ପ୍ରମାଣ କରନ୍ତି ଚେତନ

ଭୋ ରାଜା ଶୁଣ ନିଶ୍ଚେ ତହିଁ

ସେ ଆତ୍ମା ରୂପେ ତୁହି ମୁହିଁ

ଏ ଆଦି ଚରାଚର ମତେ

ଆତ୍ମା ସ୍ୱରୂପେ ସର୍ବଭୂତେ

ଯେ ଆତ୍ମା ଆଶ୍ରୟ ଜଗତେ

ଶୋଭା ସେ ପାଉଛି ସତତେ

ମାୟାରେ ହୋଇଣ ପ୍ରଭେଦ

ଜ୍ଞାନ ବିବେକେ ତାହା ଛେଦ

ମାୟାକୁ ଆତ୍ମା ନ ସ୍ପରଶେ

ଯେସନେ ପବନ ଆକାଶେ

କର୍ମର ମୂଳ ଏ ପ୍ରକୃତି

ତାହାକୁ ସେ ନାଶ କରନ୍ତି

ସେ ଆତ୍ମା ସର୍ବଠାରେ ମୁକ୍ତ

ଲିପ୍ତ ହୋଇଣ ଥାଇ ମୁକ୍ତ

ସେ ଶୁଦ୍ଧ ପରମ ପୁରୁଷ

ତାରେ ଶରଣ ବେଗେ ପଶ

ତାହାର ପଦ୍ମପାଦେ ଭକ୍ତି

କରି ସାଧୁଏ ନିସ୍ତରନ୍ତି

ସୁଗମ ପଥ ଏ କାରଣ

ଅବିଘ୍ନେ ଲଭେ ନାରାୟଣ

କଠୋର ଯୋଗାଦି ସାଧନ

ସୁଗମ ଭକ୍ତି ହେ ରାଜନ

ସେ ଆତ୍ମା ଆନନ୍ଦ ପାଇବ

ଭକ୍ତିରେ ଭଜ ବାସୁଦେବ

ଏ ଭବ ସମୁଦ୍ର ଅପାର

ଇନ୍ଦ୍ରିୟ ବର୍ଗ ମହାଘୋର

ଏ ଜଳ ଚରଣେ ଯେ ଭେଳା

ନ କରି କେମନ୍ତେ ତରିଲା

ଅଷ୍ଟାଙ୍ଗ ଯୋଗ ଯୋଗୀ ସାଧି

ତରନ୍ତି ଯୋଗଭେଳା ବାନ୍ଧି

ସେ ଅତିଦୁଃଖେ ହ୍ୱନ୍ତି ପାର

ନୋହିଲେ ଭ୍ରମଇ ଅପାର

ସୁଗମ ତରଣୀ ଉପାୟେ

ତୁମ୍ଭଙ୍କୁ କହିଦେବା ରାୟେ

ଗୋବିନ୍ଦ ଅଭୟ ପୟର

ଯେ ଭଜେ ଭେଳା ମଧ୍ୟେ ସାର

ସେ ପାଦେ କଲେ ଏକ ଭାବ

ସୁଖେ ତରିବ ଭବାର୍ଣ୍ଣବ

ସେ ଭକ୍ତି ଯୋଗେ ସୁସାପାନ

ମୋକ୍ଷକୁ ପରମ କାରଣ

ଏମନ୍ତେ କହିଲେ ବିଦୁର

ସେ ଜ୍ଞାନେ ବ୍ରହ୍ମାଙ୍କ କୁମର

ପୃଥୁ ଶ୍ରବଣେ ଆତ୍ମଗତି

ପ୍ରସନ୍ନ ଚରଣେ ସେବନ୍ତି

ତୁମ୍ଭେ ଦୟାଳୁ ଯୋଗୀଜନ

ସୁଭାଗ୍ୟେ ତୁମ୍ଭ ଦରଶନ

ଯେଣୁ ଗୋବିନ୍ଦ କୃପା ଥିଲା

ତେଣୁ ଦର୍ଶନ ମୋର ହେଲା

ହରିଙ୍କୁ ଦେଖାଇବା ପାଇଁ

ମୋ ହିତେ ଅଇଲ ଗୋସାଇଁ

ମୋର ସଂଶୟ ଯେବା ଥିଲା

ତୁମ୍ଭ ପ୍ରସନ୍ନେ ଦୂର ହେଲା

ମୋ କାମ ମନୋରଥ ଯେତେ

ସମ୍ପୂର୍ଣ୍ଣ କରିଦେଲ ମୋତେ

ତୁମ୍ଭଙ୍କୁ କି ଭାବେ ସେବିବି

ଉତ୍ତମ ଦ୍ରବ୍ୟ କିବା ଦେବି

ଯେ କିଛି ଦ୍ରବ୍ୟ ଅଛି ମୋର

ସାଧୁଙ୍କ ଉତ୍ତମ ବେଭାର

ସୁଦୟା କରି ସାଧୁଜନେ

ରାଜ ବିଭୂତି ତୋଷମନେ

ସମର୍ପିଛନ୍ତି ମୋର ତହିଁ

ଯେଣେ ପ୍ରଭୁତ୍ୱ ମୋର ନାହିଁ

କି ଭାବେ କରିବୁ ସେବନ

ଏ ଦେହ ସାଧୁଙ୍କ ଅଧୀନ

ଯେହ୍ନେ ବାଳକେ ସ୍ନେହ ବହି

ତାତ ଜନନୀ ଧନ ଦେଇ

ସମର୍ପି ନ କରେ ଗ୍ରହଣ

ସେ ସର୍ବ ତୁମ୍ଭର ଅର୍ପଣ

ତୁମ୍ଭ ସନ୍ତୋଷେ ଶକ୍ୟ ନାହିଁ

ରାଜସେବକ ପ୍ରାୟ ହୋଇ

ତାଙ୍କୁ ତାମ୍ବୁଳ ନିଯୋଜନ୍ତି

ମଧ୍ୟରେ ସେବକ ବୋଲାନ୍ତି

ସେ ଅନୁସାରେ ମୋ ବିଚାର

ଯେ କିଛି ଦ୍ରବ୍ୟ ଅଛି ମୋର

ପ୍ରାଣ ତନୟ ଆଦି ଯେତେ

ସେ ରାଜ ବିଭୂତି ସହିତେ

ଅପରେ ଚତୁରଙ୍ଗ ବଳ

ସମର୍ପି ଅଛି ମୁଁ ସକଳ

ଏଣେ ମୋ ନାହିଁ ଅଧିକାର

ଦେବ ବିଦିତ ଏ ସଂସାର

ଯେ ବିପ୍ର ନିଜଧନେ ଶାନ୍ତି

ଜୀବକୁ କଲ୍ୟାଣେ ପାଳନ୍ତି

ବ୍ରାହ୍ମା ସର୍ଜନେ ଏହୁ ଅନ୍ନ

ଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ

ଏ ସର୍ବ ଯେବେ ସମର୍ପିବି

ତେବେ ମୁଁ ତୋଷି ନ ପାରିବି

ନିଗମବେତ୍ତା ପ୍ରଭୁ ଗାନେ

ମୋତେ ସଞ୍ଚିଲ ଆତ୍ମଜ୍ଞାନେ

ଏକାନ୍ତେ ଦେଲ ଆତ୍ମପଦ

ମୋହର ନାଶିଲ ପ୍ରମାଦ

ତୁମ୍ଭେ ଦୟାଳୁ ଯୋଗେଶ୍ୱର

ଅଧମ ଜନେ ଦୟାକର

ଅବ୍ୟକ୍ତ ବ୍ରହ୍ମ ଦୃଷ୍ଟିଗତେ

ପ୍ରତ୍ୟକ୍ଷେ ଦେଖାଇଲ ମୋତେ

ଅକାଳ ଭାବ ବିନାଶିଲ

ସଂସାରବନ୍ଧୁ ନିସ୍ତାରିଲ

ଏମନ୍ତ ମହିମା ତୁମ୍ଭର

ଅଶେଷ ଜୀବେ ଦୟାପର

ଏଣୁ ଗୁରୁଙ୍କ ସୁକଲ୍ୟାଣ

ସାଧକ ମୋକ୍ଷର କାରଣ

ଏମନ୍ତେ ସନକାଦି ଜନେ

ସନ୍ତୋଷେ ସେ ପୃଥୁ ବଚନେ

ନୃପଶୀଳତା ପ୍ରଶଂସିଲେ

ତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ

ସକଳ ଜନ ଦୃଷ୍ଟିଗ୍ରତେ

ସିଦ୍ଧେ ଗମିଲେ ଇଚ୍ଛାମତେ

ତଦନ୍ତେ ସେ ପୃଥୁ ରାଜନ

ମହତ ଗୁଣେ ସେ ପ୍ରଧାନ

ଅଧ୍ୟାତ୍ମ ଶିକ୍ଷାରେ ରହିଲେ

ସେ ଆତ୍ମଜ୍ଞାନେ ପୂର୍ଣ୍ଣହେଲେ

ଆତ୍ମାରେ କରି ଅବସ୍ଥିତି

କାଳରେ କର୍ମାଦି କରନ୍ତି

ଯେ ତତ୍ତ୍ୱବଳ ଯଥୋଚିତ

ଏମନ୍ତ ଅଛଇ ନା ବିତ୍ତ

ସେ ଅନୁସାରେ କର୍ମ କଲେ

ବିପ୍ରଙ୍କୁ ଦାନେ ପ୍ରତୋଷିଲେ

ନିଜ ପ୍ରଜାଗଣଙ୍କୁ ରାଇ

ଅତି ଆନନ୍ଦେ ଦୟାବହି

ହେ ପୁତ୍ର ସାବଧାନେ ଶୁଣ

ଯେବେ ପାଇବ ପରିତ୍ରାଣ

ଯେଣେ ଖଣ୍ଡିବ ମୃତ୍ୟୁଭୟ

କହିବା ତହିଁର ଉପାୟ

ସକଳ କୃଷ୍ଣ ଆଶ୍ରେ କର

ଏ ଘୋର ସଂସାରୁ ନିସ୍ତର

ଯେ କୃଷ୍ଣ ଚରଣେ ସେବନ୍ତି

ଏ ଭବ ଭୟୁ ନିସ୍ତରନ୍ତି

ଆମ୍ଭର ବାକ୍ୟ ଦୃଢ଼େ ଧର

ରାଜସ ଭୟ ପରିହର

ରାଜସ ଧର୍ମ ଧନ ଯେତେ

ପାଇଲୁ ଆମ୍ଭେ ତୋଷ ଚିତ୍ତେ

ଏମନ୍ତ ମଧୁର ବଚନେ

ପ୍ରଜା ଶିଖାଇ ପ୍ରବୋଧନେ

ଅର୍ପଣ କରି କାମ୍ୟଫଳ

ନିବୃତ୍ତ ହୋଇଲେ ଭୂପାଳ

ମୁଁ ଆତ୍ମା ପ୍ରକୃତି ରୂପର

ଅଧର୍ମ କର୍ମମାନଙ୍କର

ଆତ୍ମାକୁ ଏମନ୍ତ ସେ ମଣି

ଗୃହେ ରହିଲେ ନୃପମଣି

ସମ୍ପଦ ପୂରି ପୁରେ ଛନ୍ତି

ଇନ୍ଦ୍ରିୟ ଭୋଗ ନ ଇଚ୍ଛନ୍ତି

ଛାଡ଼ି ସକଳ ଅହଙ୍କାର

ବିଷୟ ଆଦି ଯେ ବିକାର

କେଉଁ କର୍ମରେ ଲିପ୍ତ ନୋହି

ସୂର୍ଯ୍ୟ କିରଣ ପ୍ରାୟ ଦେହୀ

ଏରୂପେ ଅଧ୍ୟାତ୍ମ ଗୋଚରେ

କର୍ମ ଆଚରନ୍ତି ସଂସାରେ

ତାଙ୍କର ଅର୍ଚ୍ଚୀ ନାମେ ନାରୀ

ପ୍ରତ୍ୟକ୍ଷେ ଲକ୍ଷ୍ମୀ ଅବତରି

ପଞ୍ଚ ତନୟ ତାଙ୍କଠାରେ

ପୃଥୁ ଜନ୍ମାଇଲେ ବେଭାରେ

ବିଜିତ ଅଶ୍ୱ ଧୂମ୍ରକେଶ

ହର୍ଯ୍ୟକ୍ଷ ଦ୍ରବିଣ ବୃକେଶ

ଏ ପଞ୍ଚତନୟ ତାଙ୍କର

ନୃପ ସମାନେ ଶୂର ବୀର

ଏବେ କହିବା ହେ ବିଦୁର

ରାଜାଙ୍କ ଗୁଣ ଏ ପ୍ରଚୁର

ଇନ୍ଦ୍ରାଦି ଦଶଦିଗପାଳ

ଏହାଙ୍କ ସୁଗୁଣ ଭୂପାଳେ

ସେ ନୃପ ଅଙ୍ଗେ ଏକେ ଏକେ

ଏ ଅବୟବ ଆଦି ଯାକେ

ବସିଲେ ସ୍ୱବୃତ୍ତି ଆବୋରି

ଶୁଣ ବିଦୁର ହେତୁ କରି

ଜଗତ ପରିପାଳିବାରେ

ଯେ ଜନ୍ମ ଲଭିଲେ ସଂସାରେ

ମନ ବଚନ ତୋର ବୃତ୍ତି

ଅତି ସୁନ୍ଦର ଗୁଣ କୀର୍ତ୍ତି

ଏଣୁ ରଞ୍ଜିତ ଜନପ୍ରଜା

ତେଣୁ ତାହାଙ୍କ ନାମ ରାଜା

ତା ତୁଲେ ନାହିଁ ନୃପବର

ତା ପ୍ରତି ସମତୁଲ କାର

ସେ ରାଜା ସୂର୍ଯ୍ୟଙ୍କ ସମାନ

ଯା ତେଜେ ମହୀ ଦ୍ୟନ୍ତି ଦାନ

କେହି ନ ପାରେ ତେଜ ଧ୍ୱଂସି

ତେଣୁ ସେ ଅଗ୍ନିରସ ରଶ୍ମି

ରଣେ ଦୁର୍ଜ୍ଜୟ ମହାରାଜା

ତେଣୁ ମହେନ୍ଦ୍ର ସମ ତେଜା

ସହିଷ୍ଣୁ ଗୁଣେ ସେ ପୃଥିବୀ

ଅଭୀଷ୍ଟ ଦାନେ ସ୍ୱର୍ଗ ଛବି

ଜୀମୁତ ପ୍ରାୟେ ବୃଷ୍ଟିକରେ

ପ୍ରଜା ପ୍ରାର୍ଥନେ କାମ ପୁରେ

ପୟୋଧି ପ୍ରାୟେ ସେ ଗମ୍ଭୀର

ସୁଧୀରେ କନକ ଭୂଧର

ଧର୍ମ ସମାନେ ସାକ୍ଷ୍ୟ କରି

ଆଶ୍ଚର୍ଯ୍ୟେ ହିମବାନ ଗିରି

କୁବେର ତୁଲେ ଧନେଶ୍ୱର

ରକ୍ଷଣେ ଯତ୍ନେ ରତ୍ନାକର

ଗୁଣେ ସକଳ ଜୀବେ ପ୍ରାଣ

ତେଣୁ ଅତୁଲ୍ୟ ସମୀରଣ

ଗଗନେ ବଳ ତେଜ ଘେନି

ଏଣୁ ମରୁତ ସମ ମାନି

କ୍ରୋଧରେ କାଳରୁଦ୍ର ସମ

ସୁନ୍ଦରେ ତାଙ୍କ ରିପୁ କାମ

ପ୍ରାକର୍ମେ ସମ ଗଜଇନ୍ଦ୍ର

ଦୟାରେ ସେ ମନ ନରେନ୍ଦ୍ର

ପ୍ରଭୁତ୍ୱପଣେ ଯେହ୍ନେ ବିଧି

ଗୁରୁ ସମାନେ ବ୍ରହ୍ମ ସାଧି

ହରଷ ମନେ ଜିତେନ୍ଦ୍ରିୟ

ପାଳନେ ଗୋରୁ ବିପ୍ରପ୍ରିୟ

ବିଷ୍ଣୁ ବୈଷ୍ଣବ ଜନଠାରେ

ସେବନ୍ତି ବିନୟ ଭାବରେ

ସମେ ପ୍ରତୁଲ୍ୟ କେହି ନାହିଁ

ସର୍ଜ୍ଜନେ ଦ୍ୱିତୀବ୍ରହ୍ମା ସେହି

ଏ ତିନି ଲୋକେ ତାଙ୍କ ଯଶ

ଯେହ୍ନେ ଶ୍ରବଣେ ହରିରସ

ଶ୍ରୀରାମ ତୁଲେ କୀର୍ତ୍ତିକାରୀ

ଗୁଣ ଗାବନ୍ତି ନରନାରୀ

ଶୁଣ ବିଦୁର ଭାଗ୍ୟବନ୍ତ

ସେ ପୃଥୁ କୁମର ଚରିତ

କହଇ ବିପ୍ର ଜଗନ୍ନାଥ

ସନ୍ଥ ଚରଣେ ଦେଇ ଚିତ୍ତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁ ଚରିତେ

ନାମ ଦ୍ୱାବିଂଶୋଽଧ୍ୟାୟଃ ।

•••

 

ତ୍ରୟୋବିଂଶ ଅଧ୍ୟାୟ

 

ବିଦୁର ଉବାଚ

ଶୁଣି ବିଦୁର କୃତକୃତ୍ୟ

ନମେ ମୈତ୍ରେୟ ପାଦଗତ

ଭୋ ମୁନି କରିବ ନିସ୍ତାର

କହ ସଂଶୟ ଯାଉ ଦୂର

ମୈତ୍ରେୟ ଉବାଚ

ଶୁଣ ବିଦୁର ଶୁଦ୍ଧଚିତ୍ତେ

ରାଜାର କିଛି କାଳ ଅନ୍ତେ

ବୃଦ୍ଧ ଶରୀର ଗ୍ରସ୍ତ କାଳ

ଦେଖି ବିଷାଦ ମହୀପାଳ

ମୁଁ ଯେ ଦ୍ୱିତୀୟ ପ୍ରଜାପତି

ତେଣୁ ମୁଁ କରି ସର୍ବସ୍ଥିତି

ଅନାଦି ଉତ୍ପତ୍ତି ମୁଁ କଲି

ନଗ୍ରାଦି ପୁର ବସାଇଲି

ସ୍ଥାବର ଜଙ୍ଗମାଦି ଯେତେ

ଆଜ୍ଞା ମୁଁ ଦେଲି ଯେଝାମତେ

ସାଧୁଙ୍କ ଧର୍ମ ରକ୍ଷା କଲି

ଈଶ୍ୱର ବଚନ ପାଳିଲି

ଏ ଧର୍ମ ରକ୍ଷା କଲି ମୁହିଁ

ଜନ୍ମ ଲଭିଲି କର୍ମ ଭୂଇଁ

ଏ ମୋ ଶରୀର ବୃଦ୍ଧ ହେଲା

କାମାଦି କର୍ମହିଁ ସରିଲା

ପୁତ୍ରକୁ ନ ଦେଇ ରାଜ୍ୟାଦି

ନୃପଚିହ୍ନ ଦଣ୍ଡଛତ୍ରାଦି

ଦୁହିତା ପ୍ରତୁଲ୍ୟ ଧରଣୀ

ପୁତ୍ର ନିବେଶି ନୃପମଣି

ପୃଥିବୀ ପିତା ତ୍ୟାଗଭରେ

ଶୋକେ ରହିଲା ପୁତ୍ରଠାରେ

ସକଳ ସମର୍ପି କୁମରେ

ଗମନ କରେ ବନଘୋରେ

ସଙ୍ଗତେ ଘେନି ଅର୍ଚ୍ଚି ନାରୀ

ରୋଦନ୍ତି ପ୍ରଜା ନଗ୍ରପୁରୀ

ସ୍ୱଇଚ୍ଛା ମନେ ଦୁଃଖାଶ୍ରମେ

ତପ ଆରାଧି ଯୋଗକ୍ରମେ

କଠୋର ଉଗ୍ର ତପେ ରାୟ

ଯେସନେ ପୂର୍ବ ରାଜ୍ୟ ଜୟ

ଯେ ବାନପ୍ରସ୍ଥର ବିଧାନ

ନିୟମ କଲେ ସେ ରାଜନ

ଫଳାଦି ଶାକ କନ୍ଦମୂଳ

ଭୋଜନ କଲେ ମହୀପାଳ

ଏମନ୍ତେ କେତେ କାଳାନ୍ତରେ

ତାହା ତେଜିଲେ ନୃପବରେ

ନୀରସ ଦଳ ଭୋଗକରି

ତୁଷ୍ଟେ ଆନନ୍ଦେ ପ୍ରାଣ ଧରି

ତାହା ଭକ୍ଷିଣ କିଛିଦିନ

ତପ ସାଧିଲେ ତୋଷମନ

ସେ ପତ୍ରାଶନ ତେଜି ରାୟ

ଜଳ ଆହାରେ ସୁଖମୟ

ଏମନ୍ତେ କେତେ କାଳାନ୍ତରେ

ସେ ଜଳ ତେଜି ନୃପବରେ

ନିରାଶ ତପସ୍ୟା କଠୋର

କେବଳ ପବନ ଆହାର

ପୁଣି ନିଦାଘ କାଳେ ନୃପ

ତପସ୍ୟା କଲେ ପଞ୍ଚାତପ

ସକଳ ଦିଗେ ଅଗ୍ନି ଜାଳି

ମଧ୍ୟେ ବସିଲେ ନିର୍ବିକଳି

ସୂର୍ଯ୍ୟ ମଣ୍ତଳେ ଦୃଷ୍ଟି କରି

ପରମ ବ୍ରହ୍ମଧ୍ୟାନ କରି

କୃଷ୍ଣ ଚରଣ ପଦ୍ମରସେ

କଠୋର ତପ ବହୁ କ୍ଳେଶେ

ବରଷାକାଳେ ମହୀପତି

ଦୁଃସହ ଜଳଧାରେ ତିନ୍ତି

ଶିଶିରକାଳେ ତପସ୍ୟାରେ

ବୁଡି ଆକଣ୍ଠ ଶୀତ ନୀରେ

ଶୟନେ ଭୂମି ଶଯ୍ୟା କରି

ଏ ଘୋର ତପସ୍ୟା ଆଚରି

କୃଷ୍ଣ ଚରଣେ ସେବିବାରେ

ତପ କରନ୍ତି ବନଘୋରେ

ଲୋକ ଶିକ୍ଷାର୍ଥେ ତପ କଲେ

ବିଷୟ କର୍ମ ବିନାଶିଲେ

ନିରତେ ପ୍ରାଣାୟାମ କରି

ଇନ୍ଦ୍ରିୟ ବିଷୟ ସଂହରି

ସେ କିଛି ବାସନାଦିମାନ

ଛାଡ଼ିଲା ଅଶେଷ ବନ୍ଧନ

ନିଶ୍ଚଳ ଚିତ୍ତେ ନୃପବର

ଯୋଗ ସାଧନେ ନିଷ୍ଠାପର

ଯେ ଦୀକ୍ଷା ବ୍ରହ୍ମାଙ୍କ କୁମର

କହି ଯେ ଥିଲେ ଯୋଗେଶ୍ୱର

ସେ ଯୋଗେ ଗୋବିନ୍ଦ ଚରଣ

ନିତ୍ୟେ ଆରାଧି ନୃପରାଣ

ଦୃଢ଼ ଭକତିଭାବ ଯୁକ୍ତେ

ଭକ୍ତି ଜନ୍ମିଲା ହୃଦଗତେ

ପ୍ରେମାଙ୍ଗ ଆନନ୍ଦେଣ ଭକ୍ତି

ଶ୍ରୀକୃଷ୍ଣେ କଲେ ମହୀପତି

ସେ ହରି ଭଜନ ପ୍ରବଳ

ହୋଇଲା ମନ ସୁନିଶ୍ଚଳ

ନିର୍ମଳ ମନ ପ୍ରକାଶିଲା

ବିରକ୍ତି ଜ୍ଞାନ ଉପୁଜିଲା

ସେ ଜ୍ଞାନ ଅସିତୀକ୍ଷ୍‌ଣେ ରାୟେ

ଛେଦିଲେ ହୃଦୟ ସଂଶୟେ

ଯେ କର୍ମଗ୍ରନ୍ଥି ଜୀବକୋଷ

ଜ୍ଞାନ ଖଡ଼ଗେ ଗଲା ନାଶ

ଯେ ଅହଙ୍କାରେ ଆତ୍ମାଦେହୀ

ତକ୍ଷଣେ ଦୂର ଗଲା ସେହି

ତେଣୁ ପାଇଲେ ଆତ୍ମା ଗତି

ନିରହଙ୍କାର ତା ସୁମତି

ଏ ସର୍ବ ଜ୍ଞାନ ଯେ ପ୍ରକାଶ

ତା ପଛେ ତେଜି ନୃପଈଶ

ଯାବତ ହରିଙ୍କ ଭଜନ

ନୋହିଲେ ତାବତ ସାଧନ

ଯେବେ ଶ୍ରୀକୃଷ୍ଣ ଭାବେ ରତି

ପୂତ ହୋଇବ ତେବେ ମତି

ଭଜନେ ରସମତ ଦେହେ

ନ ପଡ଼େ ଶୋକ ମାୟାମୋହେ

ଏ ରୂପେ ସେ ନୃପ ଈଶ୍ୱର

ଆତ୍ମାରେ କଲେ କଳେବର

ଯେ ଯୋଗେ ଯୋଗାସନ ବଳେ

ସେ ବ୍ରହ୍ମସ୍ୱରୂପ ନିଶ୍ଚଳେ

କାଳେ ଛାଡିଲେ କଳେବର

ଏ ଅନୁକ୍ରମେ ହୋ ବିଦୁର

ବସିଣ ଆସନ ସଧୀରେ

ସମୀର ସମ କଳେବରେ

ବାମଚରଣ ମୂଳାଧାରେ

ନିରୋଧି ଚାପିଲେ ନିର୍ଭରେ

ସେ ମୂଳାଧାରରୁ ପବନ

ଉର୍ଦ୍ଧ୍ୱକୁ ଟେକିଲେ ରାଜନ

ନାଭିରୁ ହୃଦୟ କୋଷରେ

ପବନ ରଖିଲେ ସଧୀରେ

ତହୁଁ ଷୋଡ଼ଶ ଦଳେ ନେଲେ

ସେ ଆଜ୍ଞାଚକ୍ରେ ବାୟୁବଳେ

ଏମନ୍ତେ ପ୍ରାଣାଦି ପବନ

ଭେଦିଲା ସେ ଷଡଚକ୍ରେଣ

ସେ ବ୍ରହ୍ମରନ୍ଧ୍ରେ ଯୋଗବଳେ

ଏ ସର୍ବ କରି ଏକ ତୁଲେ

ମନ ପବନ ହୃଦେ ଧରି

ଭିତରେ ରହିଲେ ପାଶୋରି

ସେ ବନେ ନୃପ ରାଜା ସୁତ

ଦେହ ଧାରଣ ପଞ୍ଚଭୂତ

ଯେ ଯାହା କର୍ମ ଯୋଗବଳେ

ସମଷ୍ଟି ଭୂତ ଲୟ କରେ

ପବନ ନ୍ୟାସ ସମୀରଣ

ଯେ କିଛି ଦେହାଦି ଧାରଣ

କ୍ଷିତି କି ଆପ ମଧ୍ୟେ ନାଶି

ସେ ଜନ ଅନଳେ ନିବେଶି

ତେଜକୁ ପବନେ ସଂହରି

ଶବଦଗୁଣ ତମେ ଭରି

ଇନ୍ଦ୍ରିୟ ଛିଦ୍ର ଯେତେ ପୂର୍ଣ୍ଣ

ତାହା ଆକାଶେ କରି ଲୀନ

ଆକାଶେ ଶବଦ ସଂହରି

ଶବଦ ଗୁଣ ତମେ ଭରି

ଏ ଯେ ତାମସ ଅହଙ୍କାର

କାର୍ଯ୍ୟ ଯେ ମହାଭୂତ ତାର

ଏମନ୍ତ ଲୟେ ଭୂତ ଭୂପ

ଶୁଣ ବିଦୁର ତା ସ୍ୱରୂପ

ପୃଥିବୀ ଲୟେ ଗନ୍ଧକରି

ଆପକୁ ରସ ମଧ୍ୟେ ଭରି

ତେଜକୁ ରୂପ ମଧ୍ୟେ ଥୋଇ

ପବନ ସ୍ପରଶେ ଲଗାଇ

ଶବଦ ଆକାଶେ ସଂହରି

ଏ ସର୍ବ ତମ ଗୁଣେ ଭରି

ଯେ ତମ ସା‌ତ୍ତ୍ୱିକ ରାଜସ

ଏକତ୍ୱେ କଲେ ବିଶ୍ୱବଶ

ଇନ୍ଦ୍ରି ସହିତେ ବୁଦ୍ଧିମନ

ଯେଝାର କର୍ମେ କଲେ ଲୀନ

ଶବଦ ଆଦି ଇନ୍ଦ୍ରିମାନେ

ଲୟ ପାଇଲେ ଯେଝାସ୍ଥାନେ

ଏହାଙ୍କ ଅଧିଷ୍ଠିତ ଦେବେ

ଯେ ଲୟ ଯେଝା ନିଜ ଠାବେ

ଏକତ୍ୱ ଅହଙ୍କାର ନେଇ

ସେ ମହତତ୍ତ୍ୱରେ ମିଶାଇ

ଏ ସର୍ବ ତ‌ତ୍ତ୍ୱଗୁଣେ ନ୍ୟାସ

ମହତ୍ତ୍ୱ ରୂପେ ପରକାଶ

ସେ ମହାତତ୍ତ୍ୱ ମାୟାମୋହେ

ପ୍ରକୃତି ଅଙ୍ଗେ ହୋଏ ଲୟେ

ଜ୍ଞାନ ବୈରାଗ୍ୟ ଯୋଗବଳେ

ସେ ବ୍ରହ୍ମେ ଜୀବ ଯାଇ ମିଳେ

ଏ ରୂପେ ସେ ପୃଥୁ ଭୂପାଳ

ଦେହ ତେଜିଲେ ପାଇ କାଳ

ସେ ଅର୍ଚ୍ଚିରାଣୀ ସୁକୁମାରୀ

ସେ ପତିବ୍ରତେ ଧର୍ମାଚାରୀ

ଦେହ ଶୁଖାଇ ତପେ ଥିଲା

ସ୍ୱାମୀର ମରଣ ଦେଖିଲା

ତକ୍ଷଣେ ହୋଇ ହତଜ୍ଞାନ

ଆକୁଳେ କରଇ ରୋଦନ

ଭୋ ନାଥ ମୋର ପ୍ରାଣନାହା

ମୋତେ ଦେଖାଅ କିମ୍ପା ଏହା

କପଟେ ମୁଦ୍ରିତ ଲୋଚନ

ସ୍ୱର୍ଗାପବର୍ଗ ଯା ଈକ୍ଷଣ

ତୁ କାଳବିହନ୍ତା ଈଶ୍ୱର

ଏ ତୋର ମାୟା ଖେଳଘର

ସ୍ଥିତି ଉତ୍ପତ୍ତି କରୁ ନାଶ

ତୁ ମାତ୍ର ରହୁ ଅବଶେଷ

ତୁ ସର୍ବ କାରଣ ମୁରାରି

କର୍ମ କାରଣେ ଦେହଧରି

ଏବେ ତୁ ମୂତ୍ୟୁଭୟ ଦେହେ

ମୋତେ ଦେଖାଉ ମାୟା ମୋହେ

ଭୋ ଯୋଗେଶ୍ୱର ତୋ ମହିମା

ଜାଣି ନ ପାରେ ସୁର ବ୍ରହ୍ମା

ଯେ ନାମେ ମୃତ୍ୟୁଭୟ ନାଶେ

ଅମୃତ ମୃତ ସେ ପ୍ରକାଶେ

ଏ ମାୟାମୋହ ଦ୍ୱନ୍ଦ୍ୱପାଶ

ମୁଁ ଯେ ତେଜିବି ତୁମ୍ଭ ଆଶ

ଏବେ ଉପେକ୍ଷି ବନଘୋରେ

ପ୍ରତେଜି ଗଲ ନିଜ ପୁରେ

ମୁଁ ଯେ ନିରତେ ଅପରାଧୀ

ତୋ ପାଦେ ନ ସେବି ଦୁର୍ବୁଦ୍ଧି

ସେ ଅପରାଧେ ଦେବ ମୋତେ

ଏବେ ତେଜିଲ ଦୁଃଖ ଚିତ୍ତେ

ତୁମ୍ଭେ ଯେ ମୋର ମନ ଦୁଃଖେ

କହ ସୁଦୟା ଭାବେ ସୁଖେ

ଭୋ ସଖି ନ ତେଜିବି ତୋତେ

ଯାବତ ପ୍ରାଣ ଦେହଗତେ

ସେ ଆଜ୍ଞା ଅଭାଗ୍ୟେ ମୋହର

ଏବେ ଫଳିଲା ଯୋଗେଶ୍ୱର

ଏ ରୂପେ ବିଳପେ ସୁନ୍ଦରୀ

ଶୋକାର୍ଣ୍ଣବରେ ତନୁହାରି

ସେ ଅର୍ଚ୍ଚିଦେବୀ ଜ୍ଞାନବତୀ

ତକ୍ଷଣେ ଧୀର କରି ମତି

ଅଦ୍ରି ସାନୁରେ ଚିତା କଲେ

ସ୍ୱାମୀଙ୍କୁ ତହିଁ ନିଯୋଗିଲେ

ମୁଖାଗ୍ନି କରି ବିଧିମତେ

ସ୍ନାନ ଉଦକ କ୍ରିୟା ଯେତେ

ଏ ସର୍ବ ସାରିଣ ସୁନ୍ଦରୀ

ଅଗ୍ନିକୁ ପ୍ରଦକ୍ଷିଣ କରି

ପ୍ରବେଶ ଅଗ୍ନି ମଧ୍ୟେ ଯାଇ

ଦେବେ ଦେଖନ୍ତି ଶୂନ୍ୟେ ଥାଇ

ସିଦ୍ଧ ଚାରଣ ବିଦ୍ୟାଧର

ଇନ୍ଦ୍ରାଦି ଯେତେ ଅନୁଚର

ଯେ ଯାହାମତେ କରି ସ୍ତୁତି

ଆନନ୍ଦେ ପୁଷ୍ପ ବରଷନ୍ତି

ଦୁନ୍ଦୁଭି ବାଦ୍ୟ ନାଦ କରି

ରଙ୍ଗେ ନାଚନ୍ତି ଅପସରୀ

ସେ ପତି ପତ୍ନୀ ବେନି ଜନେ

ଆକାଶେ ଯାନ୍ତି ଦେବଯାନେ

ଦେବେ ଆନନ୍ଦେ ସ୍ତୁତି ଭଣି

ଶିରେ ନିବେଶି ବେନିପାଣି

ପ୍ରଶଂସି ଦେବେ ଅନୁକ୍ଷଣେ

ଆନନ୍ଦେ ଅଶ୍ରୁଳ ଲୋଚନେ

ଧନ୍ୟ ସାଧବୀ ପତିବ୍ରତା

ସ୍ୱାମୀ ସେବାରେ ଅନୁରତା

ତେଜିଣ ଅଚଳ ବିଭୂତି

ସ୍ୱାମୀଙ୍କ ସଙ୍ଗରେ ଚଳନ୍ତି

ଯେଣୁ ଏ ପୂର୍ବେ ତପ କଲେ

ତେଣୁ ଦେବଙ୍କ ଉର୍ଦ୍ଧ୍ୱେଗଲେ

ଯେସନେ ଲକ୍ଷ୍ମୀନାରାୟଣ

ଏ ବେନି ଦିଶନ୍ତି ତେସନ

ଏ ଅନୁସାରେ ଯେ ବିଭୂତି

ତେଣୁ ଲଭିଲେ ନିଜ ପତି

ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି

ଅଳ୍ପ ଆୟୁଷେ ଯହିଁ ଭ୍ରମି

ସ୍ୱନିତ୍ୟ କର୍ମ ଆଚରନ୍ତି

ସକଳ ଦୁଃଖରୁ ତରନ୍ତି

ନିଷ୍ପାପ ଅଟେ ଯେଉଁ ନର

ସ୍ୱର୍ଗାପବର୍ଗ ନୁହେଁ ଦୂର

ଏଣୁ ନିଷ୍କାମ ଯାର ମତି

ସେ ଲଭେ ଏକାନ୍ତ ଭକତି

ସ୍ୱର୍ଗାଦି ଭୋଗ କିବା ତାର

ଯହିଁ ଲଭନ୍ତି ଭକ୍ତି ନର

ବିଷ୍ଣୁ ଚରିତ ନିତ୍ୟେ ଭାବି

ଲୋମ ପୁଲକ ଅଛି ଦ୍ରବି

ନିର୍ମଳ ହୁଏ ବୁଦ୍ଧି ମତି

ଅଜ୍ଞାନେ ମୋହ ବିନାଶନ୍ତି

ଏ ଭାବ ନ ଘେନି ଯା ଚିତ୍ତ

ସେ ଦୁଃଖ ସାଗରେ ପୀଡ଼ିତ

ଯେ ଆତ୍ମାବଧେ ଭାଗୀହୋଇ

ଯେ ନିତ୍ୟେ ବିଷୟେ ବର୍ତ୍ତଇ

ଏମନ୍ତେ ଶୁଣ ହେ ବିଦୁର

ସେ ଦେବ କାମିନୀ ବିଚାର

ଯେ ପଥ ଲଭନ୍ତି ଉତ୍ତମ

ଯାହାର ଚିତ୍ତର ଉଦ୍ଦାମ

ବର୍ଣ୍ଣିଲୁ ତାହାଙ୍କ ଚରିତ

ଶ୍ରବଣେ ହୁଅ ଶୁଦ୍ଧ ଚିତ୍ତ

ଶ୍ରଦ୍ଧାରେ ପଢ଼ନ୍ତି ଯେ ଜନ

ଏ ପୃଥୁ ପୁଣ୍ୟ ଉପାଖ୍ୟାନ

ସେ ପୃଥୁ ପଦହିଁ ଲଭନ୍ତି

ଅଥବା ଶ୍ରବଣେ ଶୁଣନ୍ତି

ଏ ଚାରି ବର୍ଣ୍ଣ ମଧ୍ୟଗତେ

ଶୁଣନ୍ତି ପଢ଼ନ୍ତି ଯେ ନିତ୍ୟେ

ତା ସର୍ବ କାମ ହୁଏ ସିଦ୍ଧ

ସମସ୍ତ ବର୍ଣ୍ଣେ ସେ ପ୍ରସିଦ୍ଧ

କହଇ ଜଗନ୍ନାଥ ଦାସ

ଶୁଣ ସୁଜନେ ହରି ରସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ବୈକୁଣ୍ଠ ଗମନେ ନାମ

ତ୍ରୟବିଂଶୋଽଧ୍ୟାୟଃ ।

•••

 

Unknown

ଚତୁର୍ବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର

ସେ ପଞ୍ଚ ପୃଥୁଙ୍କ କୁମରେ

ବିଜିତଅଶ୍ୱ ନାମ ଯାର

ବସିଲା ନୃପାସନେ ବୀର

ତାର ଅନୁଜ ଚାରିଭ୍ରାତ

ରାଜ୍ୟ ବିଭାଗେ ଯଥୋଚିତ

ଉତ୍ତର ଦକ୍ଷିଣ ପଶ୍ଚିମେ

ଏ ଚାରି ପୂର୍ବ ଅନୁକ୍ରମେ

ହର୍ଯ୍ୟକ୍ଷ ନାମେ ଯେ କୁମର

ତାହାର ପୂର୍ବେ ଅଧିକାର

ଧୂମ୍ରକେଶକୁ ଦେଲେ ଭୂପ

ଦକ୍ଷିଣ ଦିଗେ ସେ ଅଧିପ

ପଶ୍ଚିମେ ବୃକ ନୃପରାଣ

ଉତ୍ତର ଦିଗରେ ଦ୍ରବିଣ

ବିଜିତଅଶ୍ୱ ନାମ ଯାର

ସେହି ସେ ପୃଥୁଙ୍କ କୁମର

ଦ୍ୱିତୀୟ ଅନ୍ତର୍ଦ୍ଧାନ ନାମ

ତାହାକୁ କଲେକ ସଜ୍ଜନ

ଶୁଣି ବିଦୁର ହରଷିତ

ନମେ ମୈତ୍ରେୟ ପାଦଗତ

କିମର୍ଥେ ଅନ୍ତର୍ଦ୍ଧାନ ନାମ

ତାହାକୁ ଦେଲେ ନରୋତ୍ତମ

ଏ ବଡ଼ ସଂଶୟ ମୋ ଚିତ୍ତେ

ଭୋ ମୁନି କହିବା ତଦନ୍ତେ

ଏମନ୍ତେ ତାର ବାକ୍ୟ ଶୁଣି

କହେ ମୈତ୍ରେୟ ମହାମୁନି

ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତ

ଅମୃତ ପୃଥୁର ଚରିତ

ଶ୍ରବଣେ ଯେବେ ଇଚ୍ଛା ତୋର

କହିବା ଯେ ପୂର୍ବ ବିଚାର

ପୃଥୁ ଯେ ଅଶ୍ୱମେଧ କଲେ

ସକଳ ଦେବଙ୍କୁ ବରିଲେ

ଯଜ୍ଞେ ପୂଜିଲେ ଭଗବାନ

ବେଦୋକ୍ତ କର୍ମେ ଧରି ମନ

ଯଜ୍ଞେ ସୁବୁଦ୍ଧି ଭାବ ଯେତେ

ସମ୍ଭାର କରି ନାନା ମତେ

ଏମନ୍ତ ଯଜ୍ଞାରମ୍ଭ କାଳେ

ଅଶ୍ୱ ହରିଲେ ଇନ୍ଦ୍ର ବଳେ

ବିଜିତଅଶ୍ୱ ତାହା ଜାଣି

ଇନ୍ଦ୍ର ନ ମାରି ଅଶ୍ୱ ଆଣି

ତା ଦେଖି କହେ ପୁରନ୍ଦର

ଭୋ ବୀର ବେଗେ ମାଗ ବର

ତା ଶୁଣି ସେ ପୃଥୁ ନନ୍ଦନ

ଅତି ଆନନ୍ଦେ ତୋଷ ମନ

ମୋହର ବରେ ଇଚ୍ଛା ନାହିଁ

ଯେବେ ଯାଚିଲୁ ସୁରସାଇଁ

ଏ ତୋର ଅନ୍ତର୍ଦ୍ଧାନ ଗତି

ପ୍ରସନ୍ନେ ଦିଅ ଶଚୀପତି

ଶୁଣି ସନ୍ତୋଷ ମଘବାନ

ତାହାକୁ ଦେଲେ ଅନ୍ତର୍ଦ୍ଧାନ

ସେ ଘେନି ଅନ୍ତର୍ଦ୍ଧାନ ନାମ

ଶୁଣ ବିଦୁର ପୁଣ୍ୟୋତ୍ତମ

ସେ ପୁଣି ନିଜ ରାଜ୍ୟେ ରାଜା

ଧର୍ମେ ପାଳଇ ଜନ ପ୍ରଜା

ତାର ଶିଖଣ୍ତୀ ନାମେ ନାରୀ

ରୂପେ କାମିନୀ ମନୋହାରୀ

ତାହାର ଗର୍ଭେ ନୃପ ବୀର୍ଯ୍ୟେ

ପୁତ୍ରେ ଜନ୍ମିଲେ ମହାତେଜେ

ପାବକ ଶୁଚି ପବମାନ

ପୂର୍ବେ ଯେ ଥିଲେ ଅଗ୍ନିଜାଣ

ସେ ଅଗ୍ନି ବଶିଷ୍ଠ କୋପରୁ

ଜନ୍ମିଲେ ଏ ତିନି ଯୋଗରୁ

ଆର ଯେ ପତ୍ନୀ ସରସ୍ୱତୀ

ଏ ଅନ୍ତର୍ଦ୍ଧାନର ଯୁବତୀ

ତାହାର ଗର୍ଭେ ଯେ କୁମର

ହବିର୍ଦ୍ଧାନ ଯେ ନାମ ତାର

ତାହାକୁ କଲେ ଯେ ନୃପତି

ତା ଅଂଶେ ରାଜାର ସନ୍ତତି

ଅନ୍ତର୍ଦ୍ଧାନର ମାର୍ଗେ ରାୟେ

ବିଷୟ ସୁଖ ନ ଯୋଗାଏ

ସେ ଜ୍ଞାନ ବୈରାଗ୍ୟେ ନୃପତି

ତେଜି ଏ ଶୟଳେ ବିଭୂତି

ମନେ ବିଚାରେ ନୃପରାଣ

ଏ ସର୍ବ ଅନର୍ଥ କାରଣ

ରାଜ ସମ୍ପଦେ ଅନ୍ଧ ହୋଇ

ଅଜ୍ଞାନେ ଧର୍ମ ନ ଜାଣଇ

ମଣଇ ଶତ୍ରୁ ମିତ୍ର ଭାବ

ସକଳ ଘଟେ ଏକ ଜୀବ

ରାଜତ୍ୱ ଧର୍ମେ କ୍ରୋଧ ବହି

ପ୍ରଜା ପୀଡ଼ନେ ଧନ ଦେଇ

ଅଧର୍ମ ମାର୍ଗେ ନ୍ୟନ୍ତି ବଳେ

ପ୍ରଜା କ୍ଷୋଭିତ କ୍ଷୁଧାନଳେ

ପ୍ରଜା ବିନାଶେ ଘୋର ପାପ

ନରକେ ପଡ଼ନ୍ତି ଅଧିପ

ପୋଡ଼ୁ ଏ ରାଜ୍ୟେ କାର୍ଯ୍ୟନାହିଁ

ଯଜ୍ଞ କରିବା ସୁଖେ ରହି

ଯଜ୍ଞର ଛଳେ ସେ ରାଜନ

ତେଜିଲେ ନୃପ ସିଂହାସନ

ନିଷ୍କାମ ପଥ ଆଶ୍ରେ କଲେ

ପରମ ପୁରୁଷ ଭଜିଲେ

ସୋଽହଂସ ଦୀକ୍ଷାରେ ରାଜନ

ଗମିଲେ ବୈକୁଣ୍ଠ ଭୁବନ

ଯେ ହବିର୍ଦ୍ଧାନ ତା କୁମର

ବସିଲା ନୃପାସନେ ବୀର

ଯା ପତ୍ନୀ ନାମ ହବିର୍ଦ୍ଧାନୀ

ସୁର ମୋହିନୀ ସୁଲୋଚନୀ

ତାହାର ଗର୍ଭେ ଛଅ ସୁତ

ଜନ୍ମିଲେ ତେଜେ ବଳବନ୍ତ

ଗୟ ଯେ ବର୍ହିଷଦ ଶୁକ୍ଳ

କୃଷ୍ଣ ସତ୍ୟ ଯେ ଜିତବ୍ରତ

ସେ ହବିର୍ଦ୍ଧାନର ସନ୍ତତି

ମହତ ଗୁଣ ଅତିପ୍ରତି

ସେ ଭାଗ୍ୟବନ୍ତ ଦଣ୍ତଧାରୀ

ତା ଯଶ ତ୍ରୈଲୋକ୍ୟ ବିସ୍ତାରି

ସେ କ୍ରିୟା କାଣ୍ତର ଦ୍ୱିଗୁଣ

ଅଦ୍ଭୁତ ତାର କର୍ମମାନ

ଯେ କର୍ମ କଲେ ଏ ଜଗତେ

ଶୁଣ ବିଦୁର କହୁ ତୋତେ

ଭୂତ ଭବିଷ୍ୟ ବର୍ତ୍ତମାନେ

ନ ଦେଖି ଏ ତିନି ଭୁବନେ

ଏ ଯୋଗେ ପ୍ରାଚୀ ନଗ୍ରସ୍ଥଳ

ଗୁଣେ ଆଚ୍ଛାଦିଲା ସକଳ

ଏଣୁ ତା ନାମ ମହୀସ୍ଥଳେ

ପ୍ରାଚୀନ ବର୍ହିଷଦ ଦେଲେ

ସେ ଯେ ପ୍ରାଚୀନ ମହୀପତି

ବିବାହ ସମୁଦ୍ର ଦୁହିତୀ

ସେ ଶତଦ୍ରୁତି କନ୍ୟା ସାର

ତ୍ରୈଲୋକ୍ୟେ ନାହିଁ ପଟାନ୍ତର

ତାର ଚରିତ ପୂର୍ବ କଥା

ହୋଇଲା ଯେବଣ ବ୍ୟବସ୍ଥା

ବ୍ରହ୍ମା ତାହାର ପୁରେ ଆସି

କନ୍ୟାକୁ ବରିଲା ବିଶ୍ୱାସୀ

ବ୍ରହ୍ମା ବଚନେ ସିନ୍ଧୁପତି

ରାଜାରେ ବରିଲେ ଦୁହିତୀ

ସେ ଯେ ପ୍ରାଚୀନ ମହୀପତି

ତା ବିଭା କାଳେ ଶତଦ୍ରୁତି

ଅଗ୍ନି ପ୍ରଦକ୍ଷିଣ କରନ୍ତେ

ଯେହ୍ନେ ଚଣ୍ତାଂଶୁ ଭୂମିଗତେ

ସେ କନ୍ୟା ରୂପେ ହୁତାଶନ

ଅନଙ୍ଗେ ହୋଇଲା ଅଧୀନ

ସେ ଶତଦ୍ରୁତି ରୂପବତୀ

ଚରଣେ ନୂପୁର ଶୋଭନ୍ତି

ସେ ମତ୍ତ ଦ୍ୱିରଦଗାମିନୀ

ଚରଣେ ନୂପୁରର ଧ୍ୱନି

ଶ୍ରବଣେ ଅନଙ୍ଗ ପୀଡ଼ିତ

ମୂର୍ଖ ପଣ୍ତିତ ଶୁରବନ୍ତ

ତା ରୂପ ଦେଖି ବୁଧଜନେ

ମୋହେ ପଡ଼ନ୍ତି ହତଜ୍ଞାନେ

ଅମର କିନ୍ନର ଉରଗ

ସିଦ୍ଧ ଚାରଣ ଖଗ ମୃଗ

ଇତ୍ୟାଦି ପଶୁ ଜୀବ ଯେତେ

ତା ରୂପ ଦୃଶ୍ୟେ ବିମୋହିତେ

ତାପ୍ରତିତୁଲେ ଏ ଜଗତେ

ନ ଦେଖି ସ୍ୱର୍ଗ ମର୍ତ୍ତ୍ୟ ଗତେ

ସେ ପ୍ରାଚୀବରହି ରାଜନ

ତା ରୂପେ ହୋଇଲା ଅଧୀନ

ସକଳ ଧର୍ମ ପରିହରି

ତା ବଶେ ନିତ୍ୟେ ଦଣ୍ତଧାରୀ

ସେ କ୍ରୀଡ଼ାମୃଗ ଜୀବ ପ୍ରାୟେ

ତା ବଶେ ଧର୍ମ କଲା କ୍ଷୟେ

ରାତ୍ର ଦିବସ ନ ଜାଣିଲା

ତା ରୂପେ ଧ୍ୟାନେ ଦିନ ଗଲା

ତା ବିନା ଆଜ୍ଞାରେ ରାଜନ

ନ କରେ ଅନ୍ୟ କର୍ମମାନ

ସେ ପତ୍ନୀଠାରେ ତାର ବୀର୍ଯ୍ୟେ

ପୁତ୍ର ଜନ୍ମିଲେ ମହାତେଜେ

ସେ ଦଶ ପୁତ୍ର ଆତ୍ମା ଏକ

ଶୁଦ୍ଧ ସୁନ୍ଦର ସୁବିବେକ

ସମ ଆକୃତି ରୂପ ବେଶ

ଏକଇ ନାମ ପ୍ରଚେତସ

ତାହାଙ୍କୁ ଚାହିଁ ନୃପବର

କହିଲେ ପ୍ରଜା ସୃଷ୍ଟିକର

ତକ୍ଷଣେ ପିତା ଆଜ୍ଞା ପାଇ

ସେ ଯେ ପ୍ରଚେତା ଦଶ ଭାଇ

ତପ ସାଧନେ ଆଗମନ

ପଥରେ ଭେଟିଲେ ଈଶାନ

ବୃଷଭ ବାହନେ ମହେଶ

ଡମ୍ବରୁ ବାଦ୍ୟନାଦ ଘୋଷ

ଦୀର୍ଘେ ଉଚ୍ଚାରି ମୁଖେ ନାମ

ରାମ ଗୋବିନ୍ଦ କୃଷ୍ଣ ଶ୍ୟାମ

ଗୋବିନ୍ଦ ଗୋପାଳ ଶ୍ରୀହରି

ହେ ହୃଷୀକେଶ ହେ ଦୈତ୍ୟାରୀ

ଆନନ୍ଦେ ଲୋମ ପୁଲକିତ

ପ୍ରେମାଙ୍ଗ କଣ୍ଠ ଅଶ୍ରୁ ଜାତ

ଏମନ୍ତ ସମୟେ କୁମର

ଦର୍ଶନ କଲେ ଦେବହର

ଭେଟିଲେ ପୂର୍ବ ପୁଣ୍ୟ ଫଳେ

ଯା ନାମ ଧରି ଅନ୍ତକାଳେ

ପ୍ରାଣୀ ତରନ୍ତି ଅଘାର୍ଣ୍ଣବ

ସେ ସର୍ବ ଦେବଙ୍କୁ ଦୁର୍ଲ୍ଲଭ

ତାହାଙ୍କୁ ଚାହିଁଣ ଗିରୀଶ

କହନ୍ତି ଶୁଣ ବାଳଶିଷ୍ୟ

କାହାର ପୁତ୍ର ତୁମ୍ଭେମାନେ

କି ନାମ ଗୋତ୍ର ବାଞ୍ଛାମନେ

ବୟଃ ଆକୃତି ସମଦୃଶ

ବାଳ ନବୀନ ତୁମ୍ଭେ ଦଶ

କିମର୍ଥେ ତୁମ୍ଭ ଆଗମନ

କହ ସଂଶୟ ତେଜି ମନ

ସେ ଦେବବାକ୍ୟ ସୁମଧୁର

ଅମୃତ ଜିଣି ସୁଧାକର

ଶୁଣି ପ୍ରଚେତା ଦଶ ଭାଇ

କହନ୍ତି ଶିରେ କର ଦେଇ

ଶୁଣିମା ପ୍ରଭୁ ଦେବଈଶ

ପ୍ରଚେତା ନାମେ ଆମ୍ଭେ ଦଶ

ପ୍ରାଚୀ ନଗର ଅଧିପତି

ତା ବୀର୍ଯ୍ୟେ ଆମ୍ଭ ଉତପତ୍ତି

ପିତା ବଚନେ ତପ ଅର୍ଥେ

ଅଇଲୁ ପ୍ରାଚୀ ଦିଗ ପଥେ

କଠୋର ତପ ସାଧ୍ୟ କରି

ଭାବେ ସେବିବୁ ନରହରି

ତୁମ୍ଭ ଦର୍ଶନେ ଯୋଗେଶ୍ୱର

ଆମ୍ଭ ସଂଶୟ ହେଲା ଦୂର

ତା ଶୁଣି ଦେବ ଉମାସାଇଁ

ସନ୍ତୋଷେ ତାଙ୍କୁ ଶିକ୍ଷାଦେଇ

ସେ ତପେ ତୋଷି ତାଙ୍କ ମନ

ସାନନ୍ଦେ ଗଲେ ନିଜସ୍ଥାନ

ଶୁଣି ବିଦୁର ବିପରୀତ

ସଂଶୟ ଚିତ୍ତେ ଆଚ୍ଛାଦିତ

କହେ ମୈତ୍ରେୟ ମୁଖ ଚାହିଁ

ଅଦ୍ଭୁତ ଦୁର୍ଘଟିତ ଏହି

ନର ଅମରେ କାହିଁ ସଙ୍ଗ

କେମନ୍ତେ ହୋଇଲା ସଂଯୋଗ

ଏ ବଡ଼ ସଂଶୟ ଯେ ମୋତେ

ଭୋ ମୁନି ଫେଡ଼ିବା ତଦନ୍ତେ

ଯେ କାଳ ରୁଦ୍ରରୂପେ ଜାତ

ଉତ୍ପତ୍ତି ପାଳନ ତଦନ୍ତ

ସେ ଯେ ପ୍ରଚେତା ଭାଇ ଦଶ

କିରୂପେ କଲେ ତାଙ୍କୁ ତୋଷ

ଦେବ ମାନବ ସଙ୍ଗ କାହିଁ

ସେ ଯେ ଭେଟିଲେ ଉମାସାଇଁ

ଅତି ଦୁର୍ଲ୍ଲଭ ମୋକ୍ଷ ଅଙ୍ଗ

ମନୁଷ୍ୟେ ହୋଇଲା ସଂଯୋଗ

ଯେ ମୁକ୍ତ ଅଙ୍ଗ ଯୋଗୀଜନେ

ତାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ

ଧ୍ୟାନ ଧାରଣେ ନ ଦେଖନ୍ତି

ସେ ଯେ ତୋଷିଲେ କାଳମୂର୍ତ୍ତି

ସେ ଆତ୍ମା ବିହନ୍ତା ପୁରୁଷ

ଘୋର ଶକ୍ତିଏ ଯାର ପାଶ

ସେ ଶିବ ମୃତ୍ୟୁ ଦଣ୍ତଧର

ଏ ଚରାଚର ପ୍ରାଣହର

ଏଣୁ ସଂଶୟ ମୋର ଚିତ୍ତେ

ଭୋ ମୁନି କହିବା ତଦନ୍ତେ

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷ ମନେ

ଯେ ପୂର୍ବେ ଆଦ୍ୟନ୍ତ ବିଧାନେ

ଯେ ଶିବ ଶରୀରେ ଅଶେଷ

ସ୍ଥିତି ପାଳନ କରେ ନାଶ

କର୍ମାନୁସାରେ ପ୍ରାଣୀଙ୍କର

ସୃଜନ ପାଳନ ସଂହାର

ଅବିଦ୍ୟା କର୍ମେ କାଳରୂପୀ

ସେ ଶିବ ସୂର୍ଯ୍ୟରୂପେ ବ୍ୟାପୀ

ସୁବିଦ୍ୟା ଆଚାର ଯାହାର

ତାକୁ ସନ୍ତୋଷ ଶୂଳଧର

ସମ ବିଷମ ତାଙ୍କ ନାହିଁ

ମିତ୍ର ବଇରୀ ଅବା କାହିଁ

ଏଣୁ ସେ ମତେ ଯେ ଭାବନ୍ତି

ଏ ଘୋର ମୃତ୍ୟୁ ନିସ୍ତରନ୍ତି

ସେ ଯେ ପ୍ରଚେତା ଭାଇ ଦଶ

ପିତା ବଚନେ ତେଣୁ ତୋଷ

ତପ ସାଧନେ ଆଗମନ

ତେଜି ଅଚଳ ଭୋଗମାନ

ସମୁଦ୍ର ନିକଟେ ମିଳିଲେ

ଦିବ୍ୟ ସରୋବରେ ଦେଖିଲେ

ସେ ଜଳ ଅତ୍ୟନ୍ତ ନିର୍ମଳ

ଦର୍ଶନେ ହରେ ତୃଷାକୁଳ

ସୁଖ ଆନନ୍ଦ ସ୍ଥିତିକର

ଅମୃତ ତୁଲ୍ୟେ ସୁମଧୁର

ପୁଷ୍ପ ସମୂହେ ବିରାଜନ୍ତି

ଯେହ୍ନେ ଆକାଶେ ଗ୍ରହପନ୍ତି

ପ୍ରସନ୍ନ ଛଳେ ସୁନିର୍ମଳ

ନାନାଦି ବର୍ଣ୍ଣେ ଜାତିକୁଳ

ନୀଳ ଉତ୍ପଳ ଆଦି କରି

ପୁଷ୍ପ ସମୂହେ ଛନ୍ତି ପୁରି

ପଙ୍କଜାରୁଣ ସୁପ୍ରକାଶେ

ଶୋଭନ୍ତି ଇନ୍ଦୀବର ପୁଷ୍ପେ

ସେ ଜଳେ ନାନା ପକ୍ଷୀକୁଳ

କ୍ରୀଡ଼ନ୍ତି କାମେ ମତିଭୋଳ

ହଂସ ସାରସ ଚକ୍ରବାକ

କାରଣ୍ତ କୁକ୍‌କୁଟ ଡାହୁକ

ମତ୍ତେ ଭ୍ରମର ସ୍ୱନ ଦ୍ୟନ୍ତି

ଆନନ୍ଦେ ମଧୁପାନେ ମାତି

ତୀରେ ଶୋଭନ୍ତି ତରୁଲତା

ବିବିଧ ଲତା ଆଚ୍ଛାଦିତା

ଶୁକ କୋକିଳ ପକ୍ଷୀଗଣେ

ସୁସ୍ୱର ନାଦ ଅନୁକ୍ଷଣେ

ପଦ୍ମ କେଶର ରଜ ନେଇ

ଆନନ୍ଦେପବନ ବହଇ

ପୁଷ୍ପ ସୁଗନ୍ଧ ସୁମଧୁରେ

ଯେ ଦିଗ ବିଦିଗ ପ୍ରସରେ

ବୃଷରେ ଆରୋହି ମହେଶ

ସେ ବନେ ହୋଇଲେ ପ୍ରବେଶ

ଦେଖି ପ୍ରଚେତା ଦଶଭାଇ

ଉଭା ଯେ ଶିରେ କରଦେଇ

ଦଗ୍‌ଧ ହାଟକ ଦିଶେ କାନ୍ତି

ରତ୍ନ ସମୂହେ ବିରାଜନ୍ତି

ସୁଗ୍ରୀବ କଣ୍ଠେ ଶୋଭାବନ

ସୁନୀଳପ୍ରଭା ସୁଲକ୍ଷଣ

ଏମନ୍ତ ସମୟେ କୁମରେ

ଦେଖି ସାନନ୍ଦ ସୁଖଭରେ

ସତ୍ୱରେ ଦଣ୍ତବତ କଲେ

ପ୍ରସନ୍ନ ରକ୍ଷଣ ବୋଇଲେ

ଭୋ ଧର୍ମ ରକ୍ଷଣ ଈଶାନ

ତୋ ପାଦେ ନ ସେବି ଅଜ୍ଞାନ

ପ୍ରାଣୀ ବୃଜିନ ଦୁଃଖାନଳେ

ଦଗ୍‌ଧ ସନ୍ତାପ ମହାକୁଳେ

ଦାରା ତନୟ ସ୍ନେହ ଜଡି

ଦୁଃଖ ସଙ୍କଟେ ନିତ୍ୟ ପଡି

ଏ ଘେନି ତୋ ପାଦକମଳେ

ତା ଚିତ୍ତ ନ ରହେ ନିଶ୍ଚଳେ

ତୁ ନାଥ ଭକ୍ତଙ୍କ ସୋଦର

ଅଧମ ଜନ ପାପ ହର

ତୋ ନାମ ଭାବନ୍ତି ଯେ ନିତ୍ୟେ

ସେ ତରି ତାରନ୍ତି ଜଗତେ

ଏମନ୍ତେ ପ୍ରଚେତସ ଭଣି

ଶୁଣି ସନ୍ତୋଷ ଶୂଳପାଣି

ପ୍ରସନ୍ନ ଚିତ୍ତେ ଶୂଳହସ୍ତ

ଦେଖି ତାହାଙ୍କ ଶୀଳବନ୍ତ

କହନ୍ତି ପ୍ରଚେତ ସମାନ

ଜାଣିଲୁ ତୁମ୍ଭ ମନ ଜ୍ଞାନ

ତେଣୁ ଦର୍ଶନ ଦେଲୁ ଆଗେ

ଭୋ ପୁତ୍ର ବର ମାଗ ବେଗେ

ଶୁଣି ସନ୍ତୋଷ ପ୍ରଚେତସ

ଯେହ୍ନେ ଆପ୍ୟାନେ ସୁଧାରସ

ସତ୍ୱରେ ଦଣ୍ତବତେ ପଡି

କହନ୍ତି ଶିରେ କରଯୋଡି

ଭୋ ପ୍ରଭୁ ତୋ ପାଦ କମଳେ

ନ ଭଜି ମଜ୍ଜିଲୁ ଶୟଳେ

ବିଫଳେ ଗଲା ଆମ୍ଭ ଦିନ

ତୋ କୃପା ବିନେ ହୋ ଈଶାନ

ଏବେ ଜାଣିଲୁ ଶୁଦ୍ଧ ଚିତ୍ତେ

ତୋର ଦର୍ଶନ ଆମ୍ଭ ହିତେ

ଅଶେଷ କର୍ମ ଗଲା ନାଶ

ତୋର ପ୍ରସନ୍ନେ ଦେବଈଶ

ଭୋ ଦେବ କରୁଣା ସାଗର

ପ୍ରସନ୍ନେ ଦୀନ ପାପ ହର

ତୁମ୍ଭ ପ୍ରସନ୍ନେ ପ୍ରାଣୀଙ୍କର

ସ୍ୱର୍ଗାପବର୍ଗ ନୁହେଁ ଦୂର

ଭୋ ଯୋଗେଶ୍ୱର ତୋ ମହିମା

ନ ଜାଣି ପାରେ ସୁରବ୍ରହ୍ମା

ଆମ୍ଭେ ବାଳକ ଶିଶୁମତି

କାହୁଁ ଜାଣିବୁ ତୋର ଗତି

ଯେ ଆଜ୍ଞା ପ୍ରଭୁ କୃପା ତୋର

ଧର୍ମାଦି କାମ ମୋକ୍ଷଦ୍ୱାର

ଏମନ୍ତେ ନାନା ସ୍ତୁତିକରି

ପ୍ରେମ ଆନନ୍ଦେ ଅଶ୍ରୁପୂରି

ଶୁଣି ପ୍ରମୋଦେ ଉମାକାନ୍ତ

ପ୍ରସନ୍ନେ କହନ୍ତି ଅନନ୍ତ

ହେ ପୁତ୍ର ଶୁଣ ମୋ ଉତ୍ତର

ହରିଙ୍କ ଭକ୍ତ ପ୍ରିୟ ମୋର

ଭକ୍ତଜନ ଯେ ମୋ ହୃଦୟ

ଏଣୁ ଭକ୍ତଙ୍କଠାରେ ଲୟ

ଯେ ଯଜ୍ଞେଶ୍ୱର ବାସୁଦେବ

ଯାହାର ନାମ ଦୟାର୍ଣ୍ଣବ

ତ୍ରିଗୁଣେ ପାରେ ଯା ବେଭାର

ପ୍ରଧାନ ପୁରୁଷ ଈଶ୍ୱର

ତାହାଙ୍କ ଭକ୍ତ ଯେତେଜନ

ସେ ମୋର ଅଟନ୍ତି ଜୀବନ

ଏଣୁ ମୁଁ ତୁମ୍ଭରେ ପ୍ରସନ୍ନ

ବୈଷ୍ଣବ ନୁହନ୍ତି ଅଭିନ୍ନ

ତାଙ୍କ ମହିମା ଯଶ ଗୁଣ

ମୋ ତହୁଁ ସାବଧାନେ ଶୁଣ

ଯେ ପ୍ରାଣୀ ଶତ ସମ୍ୱତ୍ସରେ

ସ୍ୱଧର୍ମେ ସ୍ୱନିଷ୍ଠା ଆଚରେ

ତଦନ୍ତେ ବ୍ରହ୍ମଜ୍ୟୋତି ପାଇ

ଅଶେଷ କଳ୍ମଷ ଛାଡ଼ଇ

ସେ ବିପ୍ର ଦେହ କି ପ୍ରକାର

ସେ ପୁଣ୍ୟ କରେ ନିରନ୍ତର

ଅଶେଷ ପୁଣ୍ୟଗର୍ଭ ଫଳେ

ସେ ମୋତେ ଲଭେ ଅନ୍ତକାଳେ

ବୈଷ୍ଣବ ପଦ ଯେବେ ପାଇ

ଏ ଲିଙ୍ଗ ଶରୀର ଧ୍ୱଂସଇ

ଲିଙ୍ଗ ଭଙ୍ଗନେ ମୋକ୍ଷ ଯୋଗ

ନ ଲଭେ ମୃତ୍ୟୁଭୟ ଅଙ୍ଗ

ତୁମ୍ଭେ ଭକ୍ତର ମଧ୍ୟେ ସାର

ଲକ୍ଷଣ ଜାଣିଲୁ ତୁମ୍ଭର

ଆମ୍ଭର ପ୍ରିୟ ଯେବେ ହରି

ତୁମ୍ଭେ କେମନ୍ତେ ମୋତେ ସରି

ଏଣୁ ମାନବ ଭକ୍ତ ଯେହି

ମୋ ପ୍ରିୟ ତହୁଁ କେହି ନାହିଁ

ଆହେ ପ୍ରଚେତା ଭାଇ ଦଶ

ଏ ତୁମ୍ଭ ବାକ୍ୟେ ହେଲୁ ତୋଷ

ହରି ଭଜନ ଯେ ପ୍ରକାର

କହିବା ଦୃଢ଼ ଚିତ୍ତେ ଧର

ସେ ହରି ପ୍ରସନ୍ନ ଏମନ୍ତେ

ହେବେ ତୁମ୍ଭର ଦୟାଚିତ୍ତେ

ଏ ସର୍ବ ସ୍ତୋତ୍ରମଧ୍ୟେ ସାର

ତୁମ୍ଭେ ସକଳ ଚିତ୍ତେ ଧର

ଏମନ୍ତ କହିଣ ସନ୍ଦେଶ

ଶୁଣ ବିଦୁର ମନେ ତୋଷ

ନୃପ କୁମରେ ଦୟାବହି

ପ୍ରସନ୍ନେ କହନ୍ତି ଗୋସାଇଁ

ସେ ସର୍ବେ ଯୋଡ଼ି ବେନିକର

ଶ୍ରବଣେ ଡେରି କର୍ଣ୍ଣଦ୍ୱାର

ରୁଦ୍ର ଉବାଚ

ନିରତେ ସ୍ୱୟଂ ଯେ ପରମ

ଆନନ୍ଦ ସୁକ୍ଷ୍ମ ନିରୁପମ

ସେ ରୂପେ ସିଦ୍ଧ ହୁଅ ତୁମ୍ଭେ

ଯେଣୁ ଗୋବିନ୍ଦ ନାମ ଭାବେ

ତୁମ୍ଭର ସେବା ବଡ଼ ପଣ

ଜ୍ଞାନୀଙ୍କ ଆନନ୍ଦ କାରଣ

ଏଣୁ ଆନନ୍ଦ ଲଭ ମୋର

କରୁଣାକର ଚକ୍ରଧର

ସକଳ ଆତ୍ମେ ନମସ୍କାର

ନିରତେ ହୋଇବ ମୋହର

ତୋ ନାଭିପଦ୍ମ ବ୍ରହ୍ମା ଜାଣ

ସେ ବିଶ୍ୱ ଉତ୍ପତ୍ତି କାରଣ

ଏଣୁ ତୋ ନାମ ପଦ୍ମନାଭ

କହନ୍ତି ସଂସାରେ ଦୁର୍ଲ୍ଲଭ

ସେ ନାମେ ପ୍ରଣିପତ୍ୟ ମୋର

ଏ ବିନୁ ବାଞ୍ଚା ନାହିଁ ଆର

ଏ ପୃଥ୍ୱୀ ଆପ ତେଜ ବାୟୁ

ଆକାଶ ପଞ୍ଚଭୂତ ଯେହୁ

ଶବଦ ସ୍ପର୍ଶ ରୂପ ରସ

ଅପରେ ଗନ୍ଧମାତ୍ର ଶେଷ

ଏହାଙ୍କ ଅନ୍ତରାତ୍ମା ଏହି

ଯେ ବିଶ୍ୱ ସଂସାର ସର୍ଜଇ

ତାହାଙ୍କୁ ପ୍ରଣିପାତ ମୋର

ଏ ଭବୁ କରିବେ ନିସ୍ତାର

ଯେ ଅନ୍ତଃକରଣ ତତ୍ତ୍ୱର

ଏ ମନ ବୁଦ୍ଧି ଅହଙ୍କାର

ତାହାଙ୍କ ଅନ୍ତରାତ୍ମା ହୋଇ

ପ୍ରକାଶ କରୁ ତୁ ଗୋସାଇଁ

ଯେ ପ୍ରଭୁ ବୁଦ୍ଧି ଇଷ୍ଟଦାତା

ଶ୍ରୀ ବାସୁଦେବ ଶୁଦ୍ଧଚେତା

ସେ ଅତି ଶାନ୍ତ ନିର୍ବିକାର

ନମଇଁ ଭକ୍ତିମତେ ତାର

ଅଧିଷ୍ଠାତାଧିକାରୀ ଯେହୁ

ଶ୍ରୀ ଶଙ୍କର୍ଷଣ ମହାବାହୁ

ସେ ଯେ ଅନନ୍ତ ସିଦ୍ଧମୟେ

ମୋ ପ୍ରଣିପାତ ତାଙ୍କ ପାୟେ

ଯେ ପ୍ରଭୁ ଚିତ୍ର ଅଧିଷ୍ଠାତା

ପ୍ରଦ୍ୟୁମ୍ନ ରୂପେ ବିଚାରନ୍ତା

ସେ ପ୍ରଭୁ ପାଦେ ମୋ ବିନତି

ସେ ବିଶ୍ୱ ପ୍ରବୋଧ କରନ୍ତି

ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନ

ତକ୍ଷଣେ ହେବ ବିନାଶନ

ଇନ୍ଦ୍ରିୟ ଅଧିପ ଯେ ମନ

ତାହାଙ୍କ ଅଧିଷ୍ଠାନ ନାମ

ଯେ ଅନିରୁଦ୍ଧ ଯେ ଈଶ୍ୱର

କରିବେ ସଂସାରୁ ନିସ୍ତାର

ଯେ ସୂର୍ଯ୍ୟ ରୂପେଣ ପ୍ରକାଶ

ପ୍ରତ୍ୟକ୍ଷ ସେ ପରମହଂସ

ସେ ତେଜେ ଜ୍ୟୋତିରୂପ ଧରି

ଏ ବିଶ୍ୱ ପ୍ରକାଶକୁ କରି

ସ୍ୱାର୍ଗାପବର୍ଗ ଦ୍ୱାର ବେନି

ଥାଇ ତାହାର ବୁଦ୍ଧି ଘେନି

ପବିତ୍ର ଚିତ୍ତେ ଯାର ସ୍ଥିତି

ସେ ପ୍ରଭୁ ପାଦେ ମୋ ବିନତି

ସେ ନାମେ ପ୍ରଣିପତ୍ୟ ମୋର

ଏ ବିନୁ ନାହିଁ ବାଞ୍ଚା ଆର

ଯେ ଅଗ୍ନିରୂପେ ଭଗବାନ

ଯଜ୍ଞାଦି ଯାହାର ସାଧନ

ପ୍ରବୃତ୍ତି ନିବୃତ୍ତିରେ କରି

ଯେ ହରି ସଂସାରେ ବିହରି

ସେ ପିତୃଦେବଙ୍କ କାରଣ

ହୋଇଲେ ଅନ୍ୟ ସ୍ୱରୂପେଣ

ସେ ସୋମରୂପ ନାରାୟଣ

ଧଇଲେ ଯେ ଅର୍ଥ କାରଣ

ତ୍ରିପଦୀ ପାଦେ ମୋ ବିନତି

ଯେଣେ ହୋଇବ ମୋର ଗତି

ଯେ ଆତ୍ମାରୂପେ ଭଗବାନ

ସେ ସ୍ପର୍ଶରୂପେ ଆସ୍ୱାଦନ

ଯେ ମହୀରୂପେ ସର୍ବକାୟେ

ବିଶ୍ୱ ସଂସାର ଯାର ଦେହେ

ସେ ପ୍ରଭୁ ଚରଣେ ମୋ ମନ

ନିରତେ ରହୁ ଅନୁକ୍ଷଣ

ଯେ ତୁମ୍ଭ ପଙ୍କଜ ଚରଣ

ଯେ ପ୍ରାଣୀ ପଶନ୍ତି ଶରଣ

ଅଶେଷ ମାୟା ଦ୍ୱନ୍ଦ୍ୱଭୟେ

ଖଣ୍ତନ୍ତି ପ୍ରଭୁ ଦେବରାୟେ

ସେ ରୁବ୍ର କହନ୍ତି କୁମର

ଏ ଗୀତା ଶୁଦ୍ଧ ମନେ ଧର

ଏ ଗୀତା ପୂର୍ବେ ବ୍ରହ୍ମା ମୋତେ

କହିଲେ ଭୃଗ୍ୱାଦି ସହିତେ

ଏ ସ୍ତବ ପଢ଼ନ୍ତେ ଆମ୍ଭର

ଅଜ୍ଞାନ ଦଶା ହେଲା ଦୂର

ମହେଶ କହିଲେ କର୍ଣ୍ଣରେ

ଆନନ୍ଦେ ଧରି ତା କୁମରେ

ସାଷ୍ଟାଙ୍ଗେ ତାହାଙ୍କ ଚରଣେ

ନମିଲେ ପ୍ରଚେତସଗଣେ

କହଇ ବିପ୍ର ଜଗନ୍ନାଥ

ଚତୁର୍ଥ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ରୁଦ୍ରଗୀତା ଉପାଖ୍ୟାନେ

ନାମ ଚତୁର୍ବିଂଶୋଽଧ୍ୟାୟଃ ।

•••

 

ପଞ୍ଚବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ସୁମନେ ହେ ବିଦୁର

ଏମନ୍ତେ ମହେଶ ଠାକୁର

କୃପା ସେ କଲେ ସେମାନଙ୍କୁ

କହିଲେ ରୁଦ୍ରଗୀତା ତାଙ୍କୁ

ସେ ସର୍ବେ ହରଷ ହୋଇଲେ

ବିଧାନେ ଶିବଙ୍କୁ ପୂଜିଲେ

ତାହାଙ୍କୁ ଦେଇ ଦିବ୍ୟଜ୍ଞାନ

ଶିବ ହୋଇଲେ ଅନ୍ତର୍ଦ୍ଧାନ

ସେ ଦଶଭାଇ ପ୍ରଚେତସ

ଜ୍ଞାନରେ ହୋଇଲେ ହରଷ

ବୁଡ଼ିଣ ସମୁଦ୍ର ସଲିଳେ

ସେ ଘୋର ତପସ୍ୟା ନିଶ୍ଚଳେ

ଅୟୁତ ସମ୍ବତ୍ସର ଶେଷ

ତପ ସାଧିଲେ ଭାଇ ଦଶ

ରହିଲେ ଷଡ଼ଋତୁ ମାରି

ମନ ପବନ ହୃଦେ ଧରି

ନିତ୍ୟେ ପଢ଼ନ୍ତି ରୁଦ୍ର ଗୀତା

ତପେ ହୋଇଲେ ଉର୍ଦ୍ଧ୍ୱରେତା

ତଦନ୍ତେ ଶୁଣ ହେ ବିଦୁର

ସେ ଯେ ପ୍ରାଚୀନ ନୃପବର

ରାଜ୍ୟ କରଇ ଅବିବେକ

ସ୍ୱଭାବେ ଅଜ୍ଞାନୀ କାମୁକ

ଏ କଷ୍ଟ କର୍ମ ଦେଖି ତାର

ମନେ ଜାଣିଲେ ମୁନିବର

ଏ ମହୀପତି ପୃଥୁବଂଶ

ଏ କର୍ମ ମାର୍ଗେ ଗଲେ ନାଶ

ବିପ୍ର ବଚନେ ଭ୍ରମ ହେଲା

ଅନେକ ପଶୁ ବଧ କଲା

ଅଦୋଷୀ ଜୀବ ଯଜ୍ଞେ ମାରି

ଯେ ତାର ନୁହନ୍ତି ବଇରୀ

ଦୁର୍ଲ୍ଲଭ ଜନ୍ମ କଲା ନାଶ

କର୍ମେ ହୋଇଲା ଜ୍ଞାନ ଧ୍ୱଂସ

ଏମନ୍ତ କରି ଦୟାଚିତ୍ତେ

ସେ ମୁନି ସତ୍ୱରେ ଆରତେ

ସେ ସର୍ବ ଘଟେ ଦୟାପର

ଅଧ୍ୟାତ୍ମ ବିଦ୍ୟାଜ୍ଞାନେ ସାର

କରୁଣା କରି ସେ ରାଜାକୁ

ଦର୍ଶନ ଦେଲେ ଆସି ତାକୁ

ମୁନିଙ୍କୁ ଦେଖି ସେ ରାଜନ

ତେଜିଣ ଉଠିଲେ ଆସନ

ସତ୍ୱରେ କରି ନମସ୍କାର

ଆନନ୍ଦେ ପୂଜିଲେ ପୟର

ଆସନେ ବସାଇଲେ ନେଇ

ପାଦ କମଳ ଦେଲେ ଧୋଇ

ତାହାର ଭକ୍ତିଭାବେ ତୋଷ

ସେ ମୁନିବର ହେଲେ ବଶ

କହନ୍ତେ ତାରେ ଦୟାବହି

ଭୋ ନୃପ ତୋର ଜ୍ଞାନ ନାହିଁ

ତୁ କର୍ମ ମାର୍ଗେ ହେଲୁ ହୀନ

ବିଅର୍ଥେ ଗଲା ତୋର ଦିନ

ନିରତେ କର୍ମେ ନିମଜ୍ଜିଲୁ

ତୁ ଆମ୍ଭ ହିତ ନ ଜାଣିଲୁ

ଯେ କର୍ମ ମୋକ୍ଷମାର୍ଗେ ହାନି

ତୁ ତାହା ଶ୍ରେୟପ୍ରାୟେ ମଣି

ଯେ ସଙ୍ଗଦୋଷେ ଜ୍ଞାନ କ୍ଷୟେ

ବୁଝି ତା ନ ପାରିଲୁ ରାୟେ

ତୁ ଅତି ସ୍ନେହେ ତହିଁ ବନ୍ଧା

ଯେ ସଙ୍ଗଦୋଷେ ଧର୍ମ ବାଧା

ତା ଶୁଣି ଭୟେ ନୃପମଣି

ବଜ୍ର ନିର୍ଘାତ ପ୍ରାୟେ ମଣି

ଉତ୍ସୁକେ କହଇ ନୃପତି

ଭୋ ମୁନି ମୁଁ ଯେ ମୂଢ଼ମତି

ବିଷୟ ଜଡ଼େ ବଦ୍ଧ ହୋଇ

ମୁଁ ତୁମ୍ଭ ଜ୍ଞାନ ନ ଜାଣଇ

ଯେବେ ଅଇଲ ମୋର ହିତେ

ମୋ ଭାଗ୍ୟବଶେ ଦୟା ଚିତ୍ତେ

ଏ ଘୋର କର୍ମ ଜଡ଼ ମୋର

କହି ସୁଜ୍ଞାନେ ପରିହର

ତୁମ୍ଭେ ସଂସାରେ ପ୍ରାଣୀହିତେ

ଭ୍ରମଣ କରୁଥାଅ ନିତ୍ୟେ

ଅବ୍ୟକ୍ତ ଗତି ଯେ ତୁମ୍ଭର

ଦେବ ମାନବେ ଅଗୋଚର

ଏଣୁ ତୁମ୍ଭର ଦରଶନ

ନୁହଇ ବିଷୟ ବନ୍ଧେଣ

ଭୋ ମୁନି ମୁ୍ଁ ମୂଢ଼ ଦୁର୍ମତି

ଦାରା ତନୟେ ସ୍ନେହ ଅତି

ଏଣୁ ନୋହିଲା ଜ୍ଞାନ ସଧ

ରାଜ୍ୟ ବିଭୁତି ମଦେ ଅନ୍ଧ

ଇନ୍ଦ୍ରିୟ ସୁଖରସ ମୁହିଁ

ନିର୍ବନ୍ଧେ ଛାଡ଼ି ନ ପାରଇ

ଯେବେ ସୁଦୟା ତୁମ୍ଭ ଚିତ୍ତେ

ଏ ସ୍ନେହ ଛାଡ଼େ ମୋ ଯେମନ୍ତେ

ଏମନ୍ତେ ତାର ବାକ୍ୟ ଘେନି

ଅତି ଆନନ୍ଦେ ଦେବ ମୁନି

କହନ୍ତି ଚିତ୍ତେ ଦୟା ବହି

ଶୁଣ ପ୍ରାଚୀନ ପୁଣ୍ୟଦେହୀ

ତୁ କର୍ମଜ୍ଞାନେ ବିଶାରଦ

ଏଣୁ ହୋଇଲୁ କର୍ମେ ବଦ୍ଧ

ଯେ ପୂର୍ବେ ପୁଣ୍ୟ ତୋର ଥିଲା

ଏ ଯଜ୍ଞକର୍ମେ ନଷ୍ଟ ହେଲା

ତୁ ବିପ୍ର ବାକ୍ୟେ ହେଲୁ ଅନ୍ଧ

ଅନେକ କଲୁ ପଶୁ ବଧ

ଅଦୋଷୀ ଜୀବ ଯାଗେ ମାରି

ସେ ତୋର ନୁହନ୍ତି ବଇରୀ

ତୁ ରାଜା ଏଡ଼େ ଅବିବେକ

ଦୟା ନ ବସିଲା ତିଳେକ

ଏ ପଶୁଗଣେ କୋପ ବହି

ତୋ ମୃତ୍ୟୁ ମାର୍ଗେ ବାଟଚାହିଁ

ସେ ତୋତେ ନିଶ୍ଚେ ବିନାଶିବେ

ତୁ ନୃପ ବୋଲି ନ ଡରିବେ

ତୁ ପୀଡ଼ା ଦେଇଅଛୁ ଯେତେ

ଏ କୋପ ସୁମରନ୍ତି ନିତ୍ୟେ

ଏହାଙ୍କ ଯାଇ ନାହିଁ କ୍ରୋଧ

ଏ ନିଶ୍ଚେ ଦୁଃଖ ଦେବେ ମଧ୍ୟ

ତୋତେ ପାଇଲେ ପରଲୋକେ

କାଟି ଭକ୍ଷିବେ ଏକେ ଏକେ

ଏହାଙ୍କ ଶୃଙ୍ଗ ତୀକ୍ଷ୍‌ଣ ଧାର

ଲୌହ ସମାନେ ସେ କଠୋର

ସେ ଶୃଙ୍ଗେ ତୁମ୍ଭଙ୍କୁ କାଟିବେ

ତେବେ ସେ କ୍ରୋଧ ଉପେକ୍ଷିବେ

ଆମ୍ଭେ ଦେଖିଲୁ ସ୍ୱର୍ଗ ପଥେ

ତୋ ପ୍ରତିଆଶେ ପଶୁ ଯେତେ

ଦଶନେ ଅଧର କାମୁଡ଼ି

କୋପେଣ ଦ୍ୟନ୍ତି ଘୋର ରଡ଼ି

ଦଶନ ଭିଡ଼ି ବିକରାଳେ

ଖୂର ଖୋଳନ୍ତି ରବିତଳେ

ସେ ତୋତେ ପାଇଲେ ରାଜନ

କରିବେ ଅବଶ୍ୟ ଭୋଜନ

ତାହାଙ୍କ ମୁଖରେ ରାଜନ

ପଡ଼ିଲେ ନ ପାଇ ଜୀବନ

ଆମ୍ଭେ ଦେଖିଣ ଭୟ ଚିତ୍ତେ

ଶୀଘ୍ରେ ଅଇଲୁ ତୋର ହିତେ

କହିଲୁ ସତ୍ୟ ନିରାଧାର

ଏ ମିଥ୍ୟା ନୁହେଁ ନୃପବର

ଯେବେ ସଂଶୟ ତୋର ଚିତ୍ତେ

ପ୍ରତ୍ୟକ୍ଷେ ଦେଖାଇବା ତୋତେ

ଏମନ୍ତ କହି ମୁନିବର

ଯୋଗ ନିଦ୍ରାରେ ତା ଶରୀର

ହରିଲେ ପ୍ରାଣ ବୁଦ୍ଧି ମନ

ତକ୍ଷଣେ ନୃପତି ଅଜ୍ଞାନ

ସେ ଯୋଗନିଦ୍ରାରେ ସ୍ୱପନେ

ପ୍ରବେଶ ଯମର ଭୁବନେ

ଦେଖିଲା ତହିଁ ନୃପଗଣେ

ଦୁଃଖିତ ଇତ୍ୟାଦି କାରଣେ

ଯେ ଯାହା ଭାଗ୍ୟ କର୍ମଦ୍ୱାରେ

ପୀଡ଼ନ୍ତି ସେ ଶତ୍ରୁ ଯାହାରେ

ଯେ ଶସ୍ତ୍ରେ ପଶୁକୁ ଯେ ମାରି

ସେ ରୂପେ ଶୃଙ୍ଗ ଛନ୍ତି ଧରି

ଗଦା ମୁଦ୍‌ଗର ଅସିଧାର

କୁନ୍ତ କୁଠାର ତୀକ୍ଷ୍‌ଣ ଶର

ଏ ଆଦି ଅସ୍ତ୍ର ଅପ୍ରମିତ

ପ୍ରକୋପେ ପ୍ରହାରନ୍ତି ନିତ୍ୟ

ଯେ ଯାହା ଶତ୍ରୁ କର୍ମଦ୍ୱାରେ

ସୁମରି ଦଣ୍ଡ ଦ୍ୟନ୍ତି ତାରେ

କେ ବୃକ୍ଷେ ବାନ୍ଧିଣ ପିଟନ୍ତି

କେ ରୋଷେ ତୋଳି କଚାଡ଼ନ୍ତି

ଅଧୋବଦନେ ଊର୍ଦ୍ଧ୍ୱେପାଦ

ଏ ଆଦି ଅଶେଷ ବିପଦ

ନାନା କଦର୍ଥନେ ପୀଡ଼ନ୍ତି

ଭୟାଳୁ ରୂପେଣ ଚାହାନ୍ତି

ଅଧର ଚାପି ରହେ ଭିଡ଼ି

କୋପେ ଦିଅନ୍ତି ଘୋର ରଡ଼ି

ଶତ୍ରୁଙ୍କ ଦଣ୍ତ ଉଗ୍ରତାପେ

ଉଚ୍ଚେଣ ରୋଦନ ଅଧିପେ

ଦୁଃସହ ଦୁଃଖ ଭୟେ ଛନ୍ନ

ସ୍ରବିତ ମୁତ୍ର ଦ୍ୱାରମାନ

ତା ଦେଖି ପ୍ରାଚୀ ନୃପରାଣ

ଭୟେ ଉତ୍ସର୍ଗେ ଆତ୍ମପ୍ରାଣ

ଭ୍ରମ ହୋଇଲା ବୁଦ୍ଧି ମତି

ପଳାଇ ଲୁଚିଲା ନୃପତି

ତା ଯାଗବଧ ପଶୁଗଣେ

ସେ ଆସି ବେଢ଼ିଲେ ତକ୍ଷଣେ

ସେ ନିଜ ଶତ୍ରୁ ପାଇ କୋପେ

ବେଗେ ଭକ୍ଷିଲେ କ୍ଷୁଧା ତାପେ

ବୃକ ସମୂହେ ମୃଗ ଯେହ୍ନେ

ରାଜାଙ୍କୁ ବେଢ଼ିଲେ ତେସନେ

ଆବୋରି ଶତେପୁର କରି

ଏକ ଆରେକ ବଳେ ଧରି

ଦଶନେ ଧରି ଓଟାରନ୍ତି

ଏକ ଆରେକ ନ ଛାଡ଼ନ୍ତି

ଦୁଃସହ ଦୁଃଖେ ସେ ରାଜନ

ବ୍ୟାକୁଳେ କରଇ ରୋଦନ

ନିର୍ଦ୍ଦୟେ ରୁଷ୍ଟ ପଶୁଗଣେ

ମାଂସ ଭକ୍ଷନ୍ତି ଅନୁକ୍ଷଣେ

ଭକ୍ଷନ୍ତି ଅସ୍ଥି ଶେଷଯାଏ

ଯାବତ କ୍ରୋଧ ଶାନ୍ତି ନୁହେ

ତଦନ୍ତେ ଅନ୍ୟ ପଶୁଗଣେ

ସେ ବେଢ଼ି ଭକ୍ଷନ୍ତି ତତ୍‌କ୍ଷଣେ

ମାୟାରେ ପୁନରପି କାୟେ

ସଦୃଶେ ପୂର୍ବ ତନୁ ପ୍ରାୟେ

ଅଜ୍ଞାନେ ନ ଜାଣେ ନୃପତି

ଭୟେ ପଳାଇ ଚାରିକତି

ତେଣେ ଗୋଡ଼ାନ୍ତି ପଶୁଗଣେ

କୋପେ ଭକ୍ଷନ୍ତି ଜଣେ ଜଣେ

ଏମନ୍ତେ ଦଣ୍ଡଭୟ ଘୋରେ

ରୋଦନ କରେ ଉଚ୍ଚସ୍ୱରେ

ତାରେ ସପକ୍ଷ କେହି ନାହିଁ

ଶତ୍ରୁ ସମୂହେ ପୀଡ଼େ ଦେହୀ

ସଭୟେ ପଳାଇ ରାଜନ

ନିଶ୍ଚେ ମୁଁ ଛାଡ଼ିବି ଜୀବନ

ଏମନ୍ତେ ଭାଳନ୍ତେ ଆକୁଳେ

ମୁନି ଜାଣିଲେ ଯୋଗବଳେ

ଏ ମିଥ୍ୟା ଭୟେ ନୃପଚ୍ଛନ୍ନ

ଅବଶ୍ୟ ଛାଡ଼ିବ ଜୀବନ

ଉଚ୍ଛନ୍ନ ଭୟେ ନୃପବର

ହରିଲେ ଯୋଗନିଦ୍ରା ତାର

ତକ୍ଷଣେ ଚେତନା ଲଭିଲା

ବିହ୍ୱଳେ ସତ୍ୱରେ ଉଠିଲା

ମୁନିଙ୍କୁ କୋଳାଗ୍ରତେ ଧରି

ସେ ମିଥ୍ୟାଭୟେ ନୃପ ଡରି

କମ୍ପିତ କାତରେ ରାଜନ

ବିକଳେ ହୋଇ ଛନ୍ନ ଛନ୍ନ

ଏ ଦୁଷ୍ଟ ଭୟେ ପଶୁ ଘୋର

ନିଶ୍ଚେ ନାଶିବେ ମୋ ଶରୀର

ଏମନ୍ତ କହି ସେ ରାଜନ

ତକ୍ଷଣେ କରଇ ରୋଦନ

ମତି ବିଭ୍ରମ ଦେଖି ତାର

କହି ବୋଧିଲେ ମୁନିବର

ଏ ମିଥ୍ୟା ଭୟେ ତୁ ରାଜନ

ବିଅର୍ଥେ ହେଉ ମୋହ ଛନ୍ନ

ଏବେ ପ୍ରତ୍ୟକ୍ଷେ ଦେଖ ରାୟେ

ନୟନ ଫେଡ଼ି ତୁ ନିର୍ଭୟେ

ଏ ଯେ ଉଭୟ ପୀଡ଼ା ତୋତେ

ଅଜ୍ଞାନେ ଦେଉଥିଲା ନିତ୍ୟେ

ଅଦୃଶ୍ୟ ହେଲେ ଆମ୍ଭ ଡରେ

ତୋ ଅନ୍ତେ ପୀଡ଼ିବେ ସେ ନରେ

ଶୁଣି ସଂଭ୍ରମେ ନୃପରାଣ

ଏ କଷ୍ଟୁ ରଖ ମୋର ପ୍ରାଣ

ଏ ଯେତେ ଦୁଷ୍ଟ ପଶୁ ଘୋର

କି ରୂପେ ଏଥୁ ମୋ ନିସ୍ତାର

କହିବା ଏଥିର କାରଣ

ତୁମ୍ଭେ ସର୍ବଜ୍ଞ ସର୍ବ ଜାଣ

ତା ଶୁଣି ଦେବ ମହାଋଷି

ରାଜା ବିଭ୍ରମେ ମନ୍ଦେ ହସି

ଶୁଣ ସୁମନେ ନୃପବର

କହିବା ଏ ତୋର ନିସ୍ତାର

ସୁତଠାରୁ ତୁ ଛାଡ଼ ବିତ୍ତ

କି ଦାରା କି ତନୟ ମିତ

ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ଯେତେ

ଏ ରାଜ ବିଭୂତି ସହିତେ

ଯେ ଘୋର ଭୟ ପୀଡ଼ା ଯେତେ

ମାୟା ସଂସାରେ ବିମୋହିତେ

ଏ ସର୍ବ ତେଜି ବିଷ୍ଣୁ ପାଦେ

ଏକାନ୍ତେ ଭଜ ଅପ୍ରମାଦେ

ତୋ ତହୁଁ ହତ୍ୟା ଦୁଃଖ ଘୋର

ବେଗେ ଛାଡ଼ିବ ନୃପବର

ଏ ବିନେ ତୋର ଅନ୍ୟ ଗତି

ଅପରେ ନ ଦେଖେ ନୃପତି

ତା ଶୁଣି ସଭୟେ ରାଜନ

ଭୋ ମୁନି ମୁଁ ମୁଢ଼ ଅଜ୍ଞାନ

ପୁତ୍ର ଶ୍ରଦ୍ଧାରେ ସ୍ନେହ ଅତି

ଇନ୍ଦ୍ରିୟ ରସ ଭୋଗେ ମତି

ଏ ଆଦି ଗୃହବାସ ଯେତେ

ମୁଁ ଛାଡ଼ି ପାରିବି କେମନ୍ତେ

ଉପାୟ ଥିଲେ ମୁନିବର

କହି ଅଜ୍ଞାନ ଦୂରକର

ତା ବାକ୍ୟେ ହସି ମୁନି ତୋଷ

କହିବା ତୋତେ ଇତିହାସ

ଶ୍ରବଣେ ହେବ ତୋର ଜ୍ଞାନ

ଚରିତ ପୁରଞ୍ଜନାଖ୍ୟାନ

ଏ ଘୋର ଭୟେ ସ୍ନେହ ତୋର

ଶ୍ରବଣେ ବେଗେ ହେବ ଦୂର

ସେ ପୁରଞ୍ଜନ ଏକ ରାଜା

ପୂର୍ବେ ସେ ଥିଲା ମହାତେଜା

ବିଜ୍ଞାନ ନାମେ ସଖା ତାର

ଜ୍ଞାନରେ ଶ୍ରେଷ୍ଠ ଥାଇ ଯାର

ସେ ନିଜ ସଖା ପରିହରି

ଇନ୍ଦ୍ରିୟ ଭୋଗ ଇଚ୍ଛାକରି

ନିରତେ ଭାବେ ଅନୁଦିନ

ଇନ୍ଦିୟ ବଶେ ହୋଇ ଛନ୍ନ

ସେ ରାଜା ପୃଥିବୀ ଭ୍ରମଇ

ଉତ୍ତମ ସଂସ୍ଥାନ ଇଚ୍ଛଇ

ନ ପାଇ ନିଜ ରୂପ ସ୍ଥିତି

ବିଷାଦ ମନେ ସେ ନୃପତି

ଯାବତ ପୁର ମହୀସ୍ଥଳେ

ସେ ରାଜା ଦେଖିଲା ଶୟଳେ

ତା ନିଜ କାମ ପୂର୍ଣ୍ଣ ପାଇଁ

ସେ ରାଜା ସନ୍ତତେ ଭ୍ରମଇ

ଏମନ୍ତେ ଏକାନ୍ତେ ଭ୍ରମନ୍ତେ

ଗଲା ସେ ହିମାଳୟ ଅନ୍ତେ

ସେ ଗିରି ଦେଖିଣ ଭାଗ୍ୟରେ

ପ୍ରବେଶ ହୋଇଲା ସତ୍ୱରେ

ସୁଦିବ୍ୟ ପୁର ତହିଁ ଥିଲା

ସେ ରାଜା ସନ୍ତୋଷେ ଦେଖିଲା

ନାନା ଲକ୍ଷଣେ ବିରାଜଇ

ସେ ନବଦ୍ୱାରେ ଶୋଭା ପାଇ

ନବରେ ପାଚେରୀ ଶୋଭନ

ତା ଚାରିପାଶେ ଉପବନ

ଗୃହାଦି ଅଟ୍ଟାଳି ଶୋଭନ୍ତି

ପରିଖା ତ୍ରୋଣ ବିରାଜନ୍ତି

ହେମ ରଜତମୟ ଶୃଙ୍ଗ

ବିଚିତ୍ର ବର୍ଣ୍ଣେ ନାନା ରଙ୍ଗ

ରତ୍ନ ସମୂହ ବିରାଜନ୍ତି

ଶୁଭ୍ର ସୁନ୍ଦର ରୂପ କାନ୍ତି

ନୀଳାଦ୍ରି ସ୍ଫଟିକ ପୋହଳା

ମୋତି ମୌକ୍ତିକ ଆଦିମେଳା

ନିର୍ମିତ ହେମମୟ ସ୍ଥଳୀ

କାନ୍ତି ସମୂହ ଅତିଝଳି

ସେ ପୁର ଦେଖିଣ ନୃପତି

କିଏ ଦ୍ୱିତୀୟ ଭୋଗବତୀ

ସଭା ଚତ୍ୱର ରାଜବାଟ

ପଶା ଖେଳବା ସ୍ଥାନ ହାଟ

ବିଶ୍ରାମ ସ୍ଥାନ ପ୍ରାଣୀଙ୍କର

ଏ ଆଦି ଅଛି ସେ ମନ୍ଦିର

ସେ ପୁର ବାହ୍ୟ ଉପବନ

ଶୋଭନ ନାନା ଦ୍ରୁମମାନ

ପୁଷ୍ପିତ ସରୋବର ତହିଁ

ବିହଙ୍ଗକୁଳ କୂଳେ ଯହିଁ

ହେମ ନିର୍ଝର ବିନ୍ଦୁ ଯୋଗେ

କୁସୁମାକର ବାୟୁ ବେଗେ

ପ୍ରବଳ ଦଳ ବିଟପୀରେ

ସରସୀ ତଟ ସମ୍ପଦରେ

ନାନା ବର୍ଣ୍ଣରେ ମୃଗମାନେ

ବିହରୁ ଛନ୍ତି ଉପବନେ

ଯହିଁ କୋକିଳ କ୍ରିଡ଼ୁଛନ୍ତି

କିଏ ସେ କାନ୍ତକୁ ଡାକନ୍ତି

ଏମନ୍ତେ ନାନା ପକ୍ଷୀକୁଳେ

କ୍ରୀଡ଼ନ୍ତି କାମମତି ଭୋଳେ

ସେ ଦିବ୍ୟ ଭୁବନେ ରାଜନ

କହିବା ଅପାର ବିଧାନ

କାମିନୀ ରତ୍ନ ସେହୁ ବନେ

ଆସୁ ଯେ ଥିଲେ ସ୍ୱଚ୍ଛମନେ

ରମଣୀ ରତ୍ନ ସେହୁ ବାଳା

ତାହାକୁ ନୃପତି ଦେଖିଲା

ସଙ୍ଗେ ତା ଦଶ ପରିବାରୀ

ଘେନିଣ ଆସିଲା ସୁନ୍ଦରୀ

ଭୂତ ମାନଙ୍କେ ଏକେ ଏକେ

ସଙ୍ଗତେ ଶତ ସନାମିକେ

ପଞ୍ଚ ମସ୍ତକେ ଏକା ଅହି

ସେ ନାରୀ ଦ୍ୱାରପାଳ ସେହି

ସେ କାମରୂପୀ ଦିବ୍ୟ ନାରୀ

ବିବାହ ନୋହିଛି ତାହାରି

ଅପାଙ୍ଗ ଅଙ୍କିତ ବିଶିଖ

ଭୁରୁ କମାଣେ ସନ୍ଧି ଲାଖ

ରାଜାକୁ ସତ୍ୱରେ ବିନ୍ଧିଲା

ତକ୍ଷଣେ ରାଜା ମୋହ ହେଲା

ସେ ବୀର ଲଜ୍ଜା ପାଇ ମନେ

ନାରୀକୁ ପଚାରେ ଅଜ୍ଞାନେ

ଭୋ ସଖୀ ନାମ ଗୋତ୍ର ତୋର

କହ କି ଅର୍ଥେ ବନ ଘୋର

ଭ୍ରମଣ କରୁଛୁ ସୁନ୍ଦରୀ

ସୁର ମୁନୀଦ୍ର ମନୋହାରୀ

ଏ ଦିବ୍ୟମୟ ଉପବନେ

କହ କି ଅଛି ତୁମ୍ଭ ମନେ

କି କାମମୃଗ ନିବାରଣେ

ବିହାର କରୁ କି କାରଣେ

ମୋ କାମ ଶତ୍ରୁ ବିଦାରଣେ

ସଦନ ତେଜିଣ ବିପିନେ

ମୁଁ ନିଶ୍ଚେ ଜାଣିଲି ମୋ ଚିତ୍ତେ

ସୁଗୁଣ ଘେନି ମୋର ହିତେ

ଏ ପୁରେ କରୁ ତୁ ବିହାର

ମୁଁ ଯେଣୁ ତୋର ପରିଚାର

ଭୋ ସଖୀ ଏ ତୋ ସଖୀଗଣ

କହ କାହାର କି କି କାମ

ଅଟନ୍ତି ଦଶଜଣ ଯେବା

ଏ ତୁମ୍ଭ କରନ୍ତି କି ସେବା

ଏ ସର୍ପ କେ ତୁମ୍ଭ ଆଗର

ପଞ୍ଚ ମସ୍ତକ କିମ୍ପା ତାର

ତୁମ୍ଭେ କି ଲଜ୍ଜାରୂପ ଧରି

ଧର୍ମ ପତିକୁ ଚାହିଁକରି

କି ଅବା ତୁମ୍ଭେ ଗୋ ଭବାନୀ

ସଙ୍ଗକୁ ଇଚ୍ଛ ଶୂଳପାଣି

କି ଅବା ତୁମ୍ଭେ ପଦ୍ମାଳୟା

ଲୋଡ଼ୁଛ ପଦ୍ମପାଦ ଛାୟା

ତୋ ଗୁଣ ବର୍ଣ୍ଣିବଇଁ କେତେ

ତୋ ସମ ନାହିଁ ଏ ଜଗତେ

ଏବେ ନିଶ୍ଚୟ ମୋତେ ଘେନି

ଏ ପୁରେ ବିହର କାମିନୀ

ଅନଙ୍ଗ ବାଣ ପୀଡ଼େ ମୋତେ

ମୁଁ ଫେଡ଼ି କହିଲଇଁ ତୋତେ

ତୁ ଅନୁରାଗ ମୋତେ କର

ଏ କାମ ଅଗ୍ନି ତୁ ନିବାର

ଅନେକ ବିନୟ ବଚନେ

ସେ ନାରୀ ବଶ ପୁରଞ୍ଜନେ

ହେ ନୃପ ତୋର ପ୍ରାୟ ସେହି

ନାରୀ ସ୍ୱବଶ କଲା ଦେହୀ

ସେ ନାରୀ ବୁଝିଲା ଏ ବୀର

କାମେ ଯେ ହୋଇଛି ଅସ୍ଥିର

କହିବି ଚିତ୍ତେ ସୁବଚନ

ଶୁଣ ହେ ଦେବ ପୁରଞ୍ଜନ

ଆମ୍ଭର କର୍ତ୍ତା କେହି ନାହିଁ

ବିହରୁ ଏ ପୁରରେ ରହି

ସ୍ୱନାମ ଗୋତ୍ର ତା ନ ଜାଣି

ଏ ତନୁ ଅଛି କେ ନିର୍ମାଣି

ଏତେକ ଜାଣି ଆମ୍ଭେମାନେ

ସକଳେ ଅଛୁ ଏ ଭୁବନେ

ଅପରେ ନ ଜାଣୁ ନା କିଛି

ଏ ପୁରେ ମୋତେ କେ ରଖିଛି

ଦେଖ ଏ ଯେତେ ପରିଜନ

ମୋର ଏ ନୁହନ୍ତି ଅଭିନ୍ନ

ଏହାଙ୍କ ନାମ କର୍ମ ଗୁଣ

ପୁଚ୍ଛିଲେ ଶୁଣ ନୃପରାଣ

ମୁଁ ଯେବେ ନିଦ୍ରାଗତ ହୁଏ

ଏ ସର୍ପ ପୁର ଜଗିଥାଏ

ଏମାନେ ଆମ୍ଭ ପରିଚାର

ସକଳ କାର୍ଯ୍ୟରେ ଚତୁର

ଏ କରେ ମୋର ଅନୁମତେ

ଯେ ଭୋଗ ବାଞ୍ଛେ ଯେବେ ଚିତ୍ତେ

ଯେ ଶୁଭାଶୁଭ ଚିତ୍ତେ ଦେଇ

ବିଧି ନିଷେଧ ମାର୍ଗେ ନେଇ

ଏଣୁ ଆତ୍ମୀୟ ପ୍ରିୟ ମୋର

ତେଣୁ ଏ ସେବେ ନିରନ୍ତର

ଏହାର ବେନି ପତ୍ନୀ ନାମ

ପ୍ରବୃତ୍ତି ନିବୃତ୍ତି ରାଜନ

ପ୍ରବୃତ୍ତି ପତ୍ନୀ ନାମ ଯାର

ସେ ସେବେ ପ୍ରବୃତ୍ତି ମାର୍ଗର

ନିବୃତ୍ତି ନାମେ ଯେ ଯୁବତୀ

ସେ ଧର୍ମମାର୍ଗେ ସେବେ ପତି

ଏ ବେନି ନାରୀଙ୍କ କୁମର

ସେ ସାଧୁଶୀଳ ଦୁଷ୍ଟପର

ଯେ ତେଜ ପ୍ରବୃତ୍ତି ନନ୍ଦନ

ଏ କାମ କ୍ରୋଧ ଅଭିମାନ

ଅଜ୍ଞାନ ଲୋଭ ମୋହ ହିଂସା

ବିବାଦ ତର୍କ ମିଥ୍ୟା ଭାଷା

ଅପରେ କହିବଇଁ କେତେ

ଏ ଆଦି ପୁତ୍ର ଛନ୍ତି ଯେତେ

ଏ ସର୍ବ ଧର୍ମର ବିବାଦୀ

ପିତୃ ସେବନ୍ତି ନିରବଧି

ଅଧର୍ମ ମାର୍ଗେ ନିରନ୍ତର

ସୁସେବା କରନ୍ତି ପିଅର

ଯେ କାମଭୋଗ ତୁମ୍ଭ ଇଚ୍ଛା

ଦେଇ ପାରିବେ ତୁମ୍ଭ ବାଞ୍ଛା

ଏଣୁ ଏ ତୁମ୍ଭ ସଙ୍ଗେ ଥିବେ

ସେବାଦି କର୍ମରେ ତୋଷିବେ

ଏହାଙ୍କୁ କ୍ଷଣେ ନ ଛାଡ଼ିବ

ଆମ୍ଭର ଯେତେ ଦୟା ଥିବ

ଏ ଯେତେ ନିବୃତ୍ତି ନନ୍ଦନ

ଦୟା ବିବେକ ଧର୍ମ ଜ୍ଞାନ

କ୍ଷମା ସନ୍ତୋଷ ଧୀର ଶାନ୍ତି

ଏ ଅନୁକ୍ରମେ ଯେତେ ଛନ୍ତି

ଅଧର୍ମ ମାର୍ଗେ ଏ ଦାରୁଣ

ବାଞ୍ଛନ୍ତି ପିତାର ମରଣ

ଏ ନିଶ୍ଚେ ମାରି ନିଜ ତାତ

ରଖିବେ ପିତାର ପିତାନ୍ତ

ଏଣୁ ଏହାଙ୍କୁ ନ ତେଜିବ

ଭୋଗାଦି ବାଞ୍ଛା ଯେବେ ହେବ

ଏ ଦୁଷ୍ଟ ଅଜ୍ଞାନ ବିନାଶ

ଭୋଗାଦି ନୁହେଁ ଏଣେ ତୋଷ

ଯେ ପିତୃ ବଧେ ଛିଦ୍ର ବାଞ୍ଛ

ତୁମ୍ଭେ ପାଇବ କାହିଁ ରକ୍ଷା

ତୁମ୍ଭେ ନବୀନ ପୁରଞ୍ଜନ

ନ ଜାଣ କେ ସାଧୁ ଦୁର୍ଜ୍ଜନ

ଆମ୍ଭର କହିବା ଉଚିତ

ତୁମ୍ଭେ ଯେଣୁ ଆମ୍ଭର କାନ୍ତ

ସ୍ୱାମୀ କପଟୀ ଯେତେ ନାରୀ

ସେହିଟି ଅଜ୍ଞ ବ୍ୟଭିଚାରୀ

ତୁମ୍ଭେ ଯେ ଭୋଗାଦି ଈଶ୍ୱର

ଇତ୍ୟାଦି ଭୋଗ ବାଞ୍ଛା କର

ଏ ସର୍ବ ଭୋଗ ବିନାଶିବେ

କାମାଦି ବାଞ୍ଛା ଏ ନ ଦେବେ

ଏହାଙ୍କ ସଙ୍ଗରେ ରାଜନ

ପଡ଼ି ହୋଇବ ଭୋଗେ ହୀନ

ଏ ପୁରେ ଭୋଗ ବାଞ୍ଛା ଯାର

ଏ ଅଙ୍ଗେ ନୋହେ ନୃପବର

ଏ ସଙ୍ଗ ବେଗେ ପରିହର

ନିଶ୍ଚିନ୍ତେ ଏ ପୁରେ ବିହର

ଏବେ ଆମ୍ଭର ସଙ୍ଗେ ତୁମ୍ଭେ

ସୁକୃତ କରି ରହ ଦମ୍ଭେ

ସେ ନାରୀ ବାକ୍ୟେ ନୃପମଣି

ଅଜ୍ଞାନେ ମଜ୍ଜିଲେ ନ ଜାଣି

ଅଧର୍ମ ମାର୍ଗେ ଚିତ୍ତ ଦେଲା

ସ୍ୱ ପର ଭେଦ ବୁଦ୍ଧି କଲା

ତାହାର ବଶେ ଗଲା ଦିନ

ଅଜ୍ଞାନୀ ପୁରୁଷେ ଯେସନ

ଭୋ ସଖୀ ଯାବତ ଏ ପୁରେ

ଥିବି ତୋ ଆଜ୍ଞା ଅନୁସାରେ

ଶୁଣି ପ୍ରତୋଷେ ସୁରନାରୀ

ରାଜାଙ୍କୁ ଘେନିଲା ଆଦରି

ହେ ନୃପ ଶୁଣ ପୁରଞ୍ଜନ

ଏ ମୋର ଯେତେ ପରିଜନ

ସୁସେବା କରିବେ ନିରତେ

ଯେ ଭୋଗବାଞ୍ଛା ତୁମ୍ଭ ଚିତ୍ତେ

ଏ ସଙ୍ଗେ ଆଣି ନିଯୋଗିବେ

ତୁମ୍ଭଙ୍କୁ କ୍ଷଣେ ନ ଛାଡ଼ିବେ

ଏ ରୂପେ ପ୍ରବୋଧି ବଚନ

କହିଣ ତୋଷିଲା ରାଜନ

ତା ବାକ୍ୟେ ରାଜା ବିମୋହିତ

କନ୍ଦୂକ ପ୍ରତିମା ଯେମନ୍ତ

ତା ବଶେ ସ୍ତବେ ଚାଟୁବାଣୀ

ଭୋ କାମାନଳ ଉଦ୍ଧାରିଣୀ

ପ୍ରମଦାକୁଳ ମଧ୍ୟେ ସାର

ତୋ ତୁଲେ ନାହିଁ ପଟ୍ଟାନ୍ତର

ଭୋ ନାରୀ ରତ୍ନ ସୀମନ୍ତିନୀ

କେ ତୁମ୍ଭ ପିଅର ଜନନୀ

କହ ତାହାଙ୍କ ଗୁଣ ନାମ

ଶ୍ରବଣେ ମୋର ନିସ୍ତାରଣ

ତା ବାକ୍ୟ ଶ୍ରବଣେ ପ୍ରତୋଷି

ସେ ନାରୀ କହେ ମନ୍ଦେ ହସି

ଶୁଣ ହେ ଦେବ ପୁରଞ୍ଜନ

କହିବା ଯେ ପୂର୍ବ ବିଧାନ

ଆମ୍ଭର କେବା ତାତ ମାତ

ନ ଜାଣି ଜନ୍ମାଦି ଉଦନ୍ତ

ଏ ତୁମ୍ଭ ଆଦି ଦେହଧାରୀ

ସଚରାଚର ଆଦି କରି

ଈଶ୍ୱର ସ୍ୱଇଚ୍ଛା ବିହରେ

ପ୍ରକୃତି ଭେଦେ ସୃଷ୍ଟି କରେ

ଏ ଘେନି କେ ଜାଣେ ତଦନ୍ତ

ଏ ମାୟା ଜଡ଼େ ଯେ ଜଡ଼ିତ

ସ୍ୱନାମ ଗୋତ୍ରେ କିବା ଫଳ

ମୋ ଭାଗ୍ୟେ ତୁମ୍ଭେ ଯେ ମିଳିଲା

ଆଜ ମୋ ଭାଗ୍ୟ ଅଗୋଚର

ଦେଖିଲି ନୟନ ଗୋଚର

ଯାକୁ ଅଷ୍ଟାଙ୍ଗ ଯୋଗଧ୍ୟନେ

ଯୋଗୀ ଭାବନ୍ତି ଅନୁଦିନେ

ଯେ ତୁମ୍ଭେ ମୋ ଭାଗ୍ୟେ ଆଗତ

ଏଣୁ ମୁଁ ମଣିଲି ଅଦ୍ଭୁତ

ଏ ପୁରେ କରିବା ବିଶ୍ରାମ

ଭୁଞ୍ଜ ସ୍ୱଇଚ୍ଛା ସୁଖେ କାମ

ମୁଁ ସର୍ବ ପୁଣି ନିଯୋଗିବି

ଏହାଙ୍କ ସଙ୍ଗେ ମୁଁ ସେବିବି

ମୋ ସଙ୍ଗେ କର ରତିଯୋଗ

ଏ ଶତ ସମ୍ବତ୍ସର ଭୋଗ

ଏ ତୁମ୍ଭ ବିନା ଯେବା ଜନ

କେ ରତି କରେ ତା ସଙ୍ଗେଣ

ସେ ଅପଣ୍ତିତ ହୀନ ଦେହୀ

ତା ରତି ରଙ୍ଗେ ଜ୍ଞାନ ନାହିଁ

ନାହିଁ ଯାହାର ଲୋକ ଚିନ୍ତା

ନ ଜାଣେ କାଳର କରତା

କେବଳ ପଶୁତୁଲ୍ୟ ସେହି

ତା ସଙ୍ଗେ କେବା ବିଳସଇ

ଏ ପୁରେ ସର୍ବ ଧର୍ମ ସିଦ୍ଧି

ଧର୍ମାର୍ଥ କାମ ମୋକ୍ଷ ଆଦି

ପୁତ୍ର ଆନନ୍ଦ ସୁଖ ଯଶ

ଏ ପୁରେ ଏ ସର୍ବ ପ୍ରକାଶ

ଯେ ଲୋକ ନିର୍ମଳ ବିଶୋକ

ଯାକୁ ଭାବନ୍ତି ଜ୍ଞାନୀ ଲୋକ

ଯେ ଲୋକ ଏଥି ସାଧି ପାଇ

ଏଣୁ ଏ ପୁର ସୁଖମୟୀ

ପିତୃ ଦେବତା ମହାଋଷି

ସୁଖ ଲଭନ୍ତି ଯହିଁ ଆସି

ଏ ଭାବେ ଗୃହସ୍ଥ ଆଶ୍ରମ

ରଖଇ ସର୍ବଲୋକ ଧର୍ମ

ଏଣୁ ଏ ପୁରେ କର୍ମେ ଥାଇ

ଯେ ଭୋଗବାଞ୍ଛା ନ ଇଚ୍ଛଇ

କେ ଅବା ସେ ଅଜ୍ଞାନବତୀ

ତୁମ୍ଭର ପ୍ରାୟ ପାଇ ପତି

ବିହାର ନ କରେ ତା ତୁଲେ

ସ୍ୱସ୍ୱାମୀ ଆସି ଯେବେ ମିଳେ

ବ୍ୟର୍ଥ ସେ ନାରୀର ଜୀବନ

ତେଜି ଏ ଭୁଜ ଆଲିଙ୍ଗନ

ଯେବେ ସୁଦୟା ମୋତେ ହେବ

ଶତେ ବରଷ ଏଥି ଥିବ

ଏମନ୍ତ ତା ବାକ୍ୟେ ରାଜନ

ସେ ନାରୀ ସଙ୍ଗେ ପୁରଞ୍ଜନ

ସେ ପୁରେ କଲେକ ବସତି

ଶତ ବତ୍ସର ସୁଖେ ମାତି

ଗାୟକମାନେ ଯେ ଗାବନ୍ତି

ସେ ବେନି ବିହାର କରନ୍ତି

ସେ ସଖୀମାନଙ୍କୁ ଘେନିଣ

ରୁଦ୍ରାଣୀ ଜଳରେ ପଶିଣ

ନିଦାଘକାଳେ ସେ କ୍ରୀଡ଼ନ୍ତି

ସେ ପୁର କେବେ ନ ଛାଡ଼ନ୍ତି

ସେ ପୁରେ ଈଶ୍ୱରଟି ସେହି

ତାହାକୁ ନ ଜାଣନ୍ତି କେହି

ତା ପୂର୍ବ ପଞ୍ଚଶ୍ରେଷ୍ଠ ଦ୍ୱାର

ଅଗ୍ରେ କହିବା ନାମ ତାର

ଖଦ୍ୟୋତ ଅବୁମୁଖୀ ଦୁଇ

ଏହାର ରୂପ ସମ୍ପାଦଇ

ନଳିନୀ ନାଳିନୀ ଯେ ଦ୍ୱାର

ଏ ପୂର୍ବଦ୍ୱାର ଅଛି ତାର

ଏହାର ଅବଧୂତ ଦୀକ୍ଷା

ସୁଗନ୍ଧ ଘେନିଥାଇ ଏକା

ସୁଖ ନାମରେ ଦ୍ୱାର ଏକ

ଉଭୟ କର୍ମରେ ଅଧିକ

ବିବିଧ ଓଦନ ବସନ

ସେ ଦ୍ୱାରେ ଘେନେ ପୁରଞ୍ଜନ

ରସ ଆସ୍ୱାଦ ବାଦ୍ୟ ଦୁଇ

ଏ ବେନି ସେ ଦ୍ୱାରେ ଘେନଇ

ପିତୃହୁଁ ଦେବହୁଁ ଯେ ନାମ

ଏ ବେନିଦ୍ୱାର ଦକ୍ଷ ନାମ

ସେ ଦ୍ୱାରେ ବିଷୟ ରାଜନ

ସର୍ବଦା କଲେ ଆସ୍ୱାଦନ

ଦକ୍ଷିଣ ଉତ୍ତର ପଞ୍ଚାଳ

ରାଜ୍ୟ ପାଳଇ ମହୀପାଳ

ପଶ୍ଚିମ ଆସୁରୀ ତା ନାମ

ସେ ବେନି ଦ୍ୱାରେ ଯେଝାକର୍ମ

ଶ୍ରୀମଳ ନାମେ ଯେ ବିଜୟ

ଯାହାକୁ ବୋଲି ହବ୍ୟବାହ

ସେ ଦ୍ୱାରେ ପ୍ରଜା ଉତପତ୍ତି

ଦୁର୍ମଦ ସହିତେ ନୃପତି

ନିର୍ଋତ ନାମଟି ଯାହାର

ମଳ ଉତ୍ସର୍ଗେ ସେହି ଦ୍ୱାର

ବୈଶସ ବିଷୟକୁ ଯାଇ

ଲୁବ୍‌ଧକ ମନ୍ତ୍ରୀ ସଙ୍ଗେ ଥାଇ

ଏପୁରେ ଯେତେକ ଅଛନ୍ତି

ଏ କେହି ଅନ୍ଧ ସେ ନୁହନ୍ତି

ନିର୍ବାକ ପେଶି ଶୀତ ଦୁଇ

ଏ ବେନି ଅନ୍ଧରୂପେ ତହିଁ

ଏ ଦ୍ୱାର ଅର୍ଥେ ପୁରଞ୍ଜନ

କରଇ ଆନନ୍ଦ ପ୍ରଦାନ

ଯେ ଘୋର ଅନ୍ଧ ତା ପୟର

ତହିଁ ଗମଇ ନୃପବର

ଏ ରୂପେ ରାଜା ପୁରଞ୍ଜନ

ସେ ପୁରେ ଥାଇ ଅନୁକ୍ଷଣ

ଏ କାମ୍ୟ କର୍ମେ ଦେଇ ଚିତ୍ତ

ଏଣୁ ହୋଇଲା ଜ୍ଞାନହତ

ତା ପତ୍ନୀ ଯେଣେ ପ୍ରବର୍ତ୍ତାଇ

ସେ ମାର୍ଗେ ରାଜନ ଗମଇ

ଏମନ୍ତ ସେ ରାଜାକୁ ରାଣୀ

ରଖିଲା ସ୍ୱବଶରେ ଆଣି

ତା ବିନା ଆଜ୍ଞାରେ ରାଜନ

ନ କରେ ଅନ୍ୟ ଚେଷ୍ଟାମାନ

ଯେ ପ୍ରାଣୀ ନାରୀବଶ ହୋନ୍ତି

ସେ ସର୍ବ ପୁଣ୍ୟ ବିନାଶନ୍ତି

ଇହଲୋକରେ ଅପଯଶ

ଦେହାନ୍ତେ ନରକେ ପ୍ରବେଶ

ଏମନ୍ତ ନାନା ଧର୍ମବାଟେ

ସେ ମୁନି ବୁଝାଏ ଉଚ୍ଚାଟେ

ପ୍ରାଚୀନ ବରହି ନାରଦ

ଏ ପୁରଞ୍ଜନର ସମ୍ବାଦ

ଏହା ଯେ ଶ୍ରବଣେ ଶୁଣନ୍ତି

ସର୍ବ ପାପରୁ ମୁକ୍ତ ହୋନ୍ତି

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ

ନାମ ପଞ୍ଚବିଂଶୋଽଧ୍ୟାୟଃ

•••

 

ଷଡବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣି ନାରଦ ମହାମୁନି

କହନ୍ତି ହରି ଭାବ ଘେନି

ନାରଦ ଉବାଚ

ଶୁଣ ପ୍ରାଚୀନ ନୃପବର

ସେ ପୁରଞ୍ଜନ ସେ ମନ୍ଦିର

ରହିଲା ସ୍ତିରୀବଶେ ଭୋଗେ

ଅଜ୍ଞାନ ମୋହେ ଅନୁରାଗେ

ସେ ଏକଦିନେ ଦଣ୍ତଧର

ମୃଗୟା ଅର୍ଥେ ବନଘୋର

ଉଦ୍ୟମ କଲା ସେ ରାଜନ

ସଙ୍ଗେ ଦୁର୍ଜ୍ଜୟ ଭଟ୍ଟମାନ

ରଥ ଆରୋହୀ ଶୀଘ୍ର ଗତି

ଅରଣ୍ୟେ ପ୍ରବେଶ ନୃପତି

ସେ ପୁରଞ୍ଜନ ଦିବ୍ୟଯାନ

ଅତି ସୁନ୍ଦର ନିରୁପମ

ପଞ୍ଚ ତୁରଙ୍ଗ ରଥ ବହେ

ଗମନ୍ତି ପଞ୍ଚମାର୍ଗେ ହୟେ

ସେ ରଥେ ଅଛି ଦୁଇ ଚକ୍ର

ତିନି ଧ୍ୱଜା ଯେ ଅକ୍ଷ ଏକ

ପଞ୍ଚ ବନ୍ଧନ ରଜ୍ଜୁ ଏକ

ଏକ ସାରଥି ନୀଡ଼ ଏକ

ଦୁଇଟି ସୁଗନ୍ଧର ସ୍ଥାନ

ତହିଁରେ ପାଞ୍ଚ କଥା ଜାଣ

ସାତଟି ଚର୍ମ ଆବରଣ

ପାଞ୍ଚ ପ୍ରକାରେ ଗତି ଜାଣ

ସେ ହେମ ଭୂଷଣେ ଶୋଭନ

ସାଞ୍ଜୁ ପିନ୍ଧଇ ସେ ରାଜନ

ବସିଲେ ମନୋଜ୍ଞ ବିମାନେ

ଦେଖି ଶଙ୍କିତ ରିପୁଗଣେ

ଅଜୟ ଆୟୁଧ ବାନ୍ଧିଣ

ଭୂପତି ଅତି ହରଷେଣ

ମନ ନାମକ ସେନାପତି

ସଙ୍ଗତ କରିଣ ନୃପତି

ଛାଡ଼ି ତା ପ୍ରିୟବତୀ ନାରୀ

ଏ କାଳେ ଗଲା ନ ବିଚାରି

ଅସୁର ବୃତ୍ତି ଧରି ରାୟେ

କଠିନ ହୃଦୟେ ନିର୍ଦ୍ଦୟେ

ନାହିଁ ତା ଅନୁଗ୍ରହ ଚିତ୍ତେ

ମୃଗୟା ଛଳେ ବିମୋହିତେ

ନିଶିତ ବାଣେ ସେ ରାଜନ

ବଧିଲେ ବନ ପଶୁମାନ

ଯେ ରାଜା ହୋଏ ଅପଣ୍ତିତ

କରେ ଅଦୋଷୀ ଜୀବହତ

ଯେ ପ୍ରାଣୀ ଜୀବ ବଧ କରେ

ସେ ଯୋନି ମଧ୍ୟେଟି ବିହରେ

ଏହା ନ ଜାଣି ନୃପବର

ସେ ପଶୁ ମାଇଲା ଅପାର

ବରାହ ଗବୟ ହରିଣ

ଏମନ୍ତେ ଅନେକ ମାରିଣ

ମେଧ ଅମେଧ୍ୟ ପଶୁ ଯେତେ

ଇତ୍ୟାଦି ଜୀବନ୍ତ ସଙ୍ଗତେ

ଏମନ୍ତେ ନାନା ଜୀବ ମାରି

ସେ ଧର୍ମ ପଥ ନ ବିଚାରି

ବନ ଭ୍ରମଣେ ନୃପବର

ବହୁତ ଶ୍ରମ ହେଲା ତାର

କ୍ଷୁଭିତ ତୃଷା କ୍ଷୁଧା କାଳେ

ଆତ୍ମ ପୀଡ଼ିତ ଶ୍ରମ ବଳେ

ସତ୍ୱରେ ସଦନେ ପ୍ରବେଶ

ସ୍ନାନାଦି ଭୋଜନେ ସୁବେଶ

ସୁକାନ୍ତି କରାନ୍ତି ଶରୀର

ଅତି ଆନନ୍ଦେ ନୃପବର

ସୁଗନ୍ଧ ଦ୍ରବ୍ୟ ପୁଷ୍ପ ମାଳ

ଭୂଷଣ ହେଲା ମହୀପାଳ

ବିବିଧ ନାନା ଆଭରଣ

ସ୍ୱକର୍ମ ଭୋଗେ ନୃପରାଣ

ଇଚ୍ଛଇ ସ୍ୱପତ୍ନୀ ସଙ୍ଗତ

ଅନଙ୍ଗ ଶରୀରେ ପୀଡ଼ିତ

ପ୍ରବେଶ ଅନ୍ତଃପୁରେ ଯାଇ

ପତ୍ନୀ ବିଷୟେ ମନ ଧ୍ୟାୟୀ

ସକଳ ପୁରେ ସେ ରାଜନ

ସ୍ୱପତ୍ନୀ ଲୋଡ଼ିଣ ଉଚ୍ଛନ୍ନ

ନ ପାଇ ସେ ନବଯୁବତୀ

ସଖିଙ୍କି ଚାହିଁ ପଚାରନ୍ତି

ବିଷାଦେ ପୁଚ୍ଛଇ ରାଜନ

ଶୁଣ ଏ ମୋହର ବଚନ

ମୋ ପ୍ରାଣସଖୀ ଛନ୍ତି କାହିଁ

କହି ସନ୍ତୋଷ କର ଦେହୀ

ସେ ଧର୍ମେ ଆତ୍ମାଟି ମୋହର

ଅର୍ଦ୍ଧେକ ନ ରହେ ଶରୀର

ସଦନେ ଅଛନ୍ତି ନା ଭଲେ

ସେ ସଖିଗଣ ସଙ୍ଗମେଳେ

ତୁମ୍ଭେ ତାହାଙ୍କ ଅନୁଚର

କହ କୁଶଳ ତାହାଙ୍କର

ଏମନ୍ତ ବୋଲି ସେ ରାଜନ

ଅନ୍ୟୋଽନ୍ୟେ କହଇ ବଚନ

ଶୁଣ ଗୋ ସଖିଗଣ ମୋର

ଏ ଗୃହାଶ୍ରମର ବେଭାର

ପତ୍ନୀ ନ ଥିଲେ ନ ଶୋଭନ୍ତି

ଏ ରାଜ ସମ୍ପଦ ବିଭୂତି

ଯେ ଗୃହେ ନାହିଁ ତାତ ମାତ

ସୁପୁତ୍ର ସୁତା ପତିବ୍ରତ

ଯେ ଗୃହେ ପତି ଧର୍ମହୀନ

ସୁଖେ ତା ନାହିଁ ପ୍ରୟୋଜନ

ଯେସନେ ଚକ୍ରହୀନ ରଥ

ବସିଲେ ସୁଖ ନୋହେ ଜାତ

ତେସନେ ଗୃହିଣୀ ବିହୀନେ

ଗୃହସ୍ଥ ନ ଶୋଭେ ସଦନେ

ଯେସନେ ଆତ୍ମହୀନ ଦେହୀ

ତା ଗୃହ ତେହ୍ନେ ନ ଶୋଭଇ

କହ ମୋ କାହିଁ ସୁଲକ୍ଷଣୀ

ସେ ମୋର ପ୍ରାଣ ଉଦ୍ଧାରିଣୀ

ତା ବିନୁ ନ ସ୍ଫୁରଇ ଜ୍ଞାନ

କହି ଗୋ ରଖ ମୋ ଜୀବନ

ମୁଁ ଦୁଃଖ ସାଗରେ ବୁଡ଼ିଲେ

ଉଦ୍ଧରି ରଖ ପ୍ରାଣ ଭଲେ

ତା ଶୁଣି ସଖିଗଣ ଭୟେ

କହନ୍ତି ଶୁଣ ମହାରାୟେ

ଆମ୍ଭେ ତ ନ ଜାଣୁ କିମ୍ପାଇ

ଭୂମି ଶଯ୍ୟାରେ ଛନ୍ତି ଶୋଇ

ଦେଖିଲେ ଜାଣ ମହାରାୟ

ଆମ୍ଭେ ନ ଜାଣୁ ଅଭିପ୍ରାୟ

ତକ୍ଷଣେ ସତ୍ୱର ରାଜନ

ରାଣୀକୁ କଲା ଆଲିଙ୍ଗନ

ଭୂମିରୁ କୋଳରେ ବସାଇ

ଅନେକ ଚାଟୁବାକ୍ୟ କହି

ସେ ନାରୀ ଦୁଃଖ ବିମୋଚନେ

କହେ କାକୁସ୍ଥ ଭୟଛନ୍ନେ

ଭୋ ସଖି ମୁଁ ଯେ ଅପରାଧୀ

ତୋ ସଙ୍ଗ ତେଜିମୁଁ ଦୁର୍ବୁଦ୍ଧି

ମୃଗୟା ଛଳେ ବନେ ଗଲି

ଏଣୁ ଦୁଃଖିତ ତୋରେ ହେଲି

ତୁ ରକ୍ଷା ନ କଲେ ସୁନ୍ଦରୀ

ମୁଁ ପ୍ରାଣ ନ ପାରବି ଧରି

ପତି ବିନୟ ବାକ୍ୟ ଶୁଣି

ସେ ମାନ ନ ତେଜେ ତରୁଣୀ

ଅନେକ ବିନୟେ ରାଜନ

ଚରଣେ ପଡ଼ିଲା ତକ୍ଷଣ

ଚରଣ ଧରି ତାର ରାୟେ

ଅତି ବିଭ୍ରମ ଶୋକେ କହେ

ଭୋ ସଖି ତୋର ଚିନ୍ତାଭରେ

ମୋ ପ୍ରାଣ ନ ରହେ ଶରୀରେ

ବାକ୍ୟ ତୁ ହସି କରି କହ

ବିକଳ ହେଉଅଛି ଦେହ

ଭୋ ସ୍ତିରୀରତ୍ନ ଶିରୋମଣି

ମୋ କାମ ଦୁର୍ଗତି ତାରିଣୀ

ତୋ ବିନୁ ଅନ୍ୟ କେବାମୋରେ

ଏ ଦୋଷ କ୍ଷମା କରିପାରେ

ଯେ ପୁଣ୍ୟବନ୍ତ ଭୃତ୍ୟଠାରେ

ଦୋଷେ ଦଣ୍ତନ୍ତି ପ୍ରଭୁ ତାରେ

ଦୋଷାନୁସାରେ ପାଇ ଦଣ୍ତ

ତା ଅପରାଧ ହୁଏ ଖଣ୍ତ

ଯେ ସ୍ୱାମୀ ଭୃତ୍ୟ ନ ଦଣ୍ତନ୍ତି

କପଟଭାବ ତାଙ୍କ ମତି

ଯେ ନିତ୍ୟ ଭୟେ ଦୁଃଖଦେହେ

ତା ରସେ ଚିତ୍ତ କାହିଁ ରହେ

ସ୍ୱାମୀ ସେବକ ଯେବେ ଦଣ୍ତି

ଦିଅନ୍ତି ଅନୁଗ୍ରହେ ଖଣ୍ତି

ତା ଯେବେ ଭୃତ୍ୟ ନ ବୁଝଇ

ସେ ମୂଢ଼ ଅଧମ ଅଟଇ

ତାହାର କାହିଁ ଜ୍ଞାନ ବୁଦ୍ଧି

ଚିତ୍ତ ବିଭ୍ରମେ ନିରବଧି

ଯେସନେ ପିତା ଅଭିମାନେ

ବାଳକ ରୋଦଇ ଯେସନେ

ସେ ପୁତ୍ର ଦୋଷ ନ ଧରନ୍ତି

ପୁଣି ବାଳକେ ଆଶ୍ୱାସନ୍ତି

ସେରୂପେ ମୋର ଅଭିମାନ

ଭୋ ସଖି କର ବିମୋଚନ

ମୁଁ ଯେ ତୁମ୍ଭର ନିଜପତି

ମୃଗୟା ଦୁଃଖେ ଶ୍ରମେ ଅତି

ଏବେ ତୁ ତେଜି ଅଭିମାନ

ଆପଣା କରି ମୋତେ ଘେନ

ହେ ବରନାରୀ ଶୁଣ ଏବେ

ଧାତା ଅପରାଧିନୀ ଯେବେ

ପଳାଇ ଏ ତିନି ଭୁବନେ

ଯେବେ ପଶିବେ ଭୟେଛନ୍ନେ

ତାରେ ଶରଣ ରଖେ କେବା

ତୋ ବିନୁ ଅନ୍ୟ ସୁରଦେବା

ଯେ ବିପ୍ର ବୈଷ୍ଣବର କୁଳେ

ଦଣ୍ଡନେ ଶକ୍ୟ ହେବା ବଳେ

ଏ ବିନେ ଅନ୍ୟ ସୁର ନର

ମୂଢ଼ ଜୀବନ ତାହାଙ୍କର

ଅପରେ ଚରାଚର ଯେତେ

ସେ ସର୍ବ ଅଜ୍ଞାନେ ମୋହିତେ

ଏବେ ହୋ ତାପ ଚିନ୍ତା ଜ୍ୱର

ତୋର କଟାକ୍ଷେ ଦୂର କର

ଅନେକ ପ୍ରବୋଧ ବଚନ

କହିଣ ତୋଷିଲେ ରାଜନ

ସେ ନାରୀ ମାନ ଦୂର କଲା

ସନ୍ତୋଷେ ସତ୍ୱରେ ଉଠିଲା

ଏମନ୍ତେ ଶୁଣ ହେ ବିଦୁର

ସେ ପୁରଞ୍ଜନ ନୃପବର

ତା ବଶେ ହୋଇଲା ଆୟତ୍ତ

ବିଭ୍ରମ ହେଲା ତା’ର ଚିତ୍ତ

ଏ ସର୍ବ ଅନୁଭବ ବାଣୀ

ନାରଦ ନୃପରେ ବଖାଣି

କହିଲେ ବିପ୍ର ଜଗନ୍ନାଥ

ଅମୃତ ଜ୍ଞାନମୟ ପଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନ ବିଷୟେ ନାରଦ ନାମ ପ୍ରାଚୀନବର୍ହି

ସମ୍ୱାଦେ ନାମ ଷଡବିଂଶୋଽଧ୍ୟାୟଃ ।

•••

 

ସପ୍ତବିଂଶ ଅଧ୍ୟାୟ

 

ନାରଦ ଉବାଚ

କହନ୍ତି ବ୍ରହ୍ମାଙ୍କ ନନ୍ଦନ

ତଦନ୍ତେ ସେ ଯେ ପୁରଞ୍ଜନ

ଅନେକ ମତେ ପ୍ରବୋଧିଲା

ରାଣୀଙ୍କ ମାନ ଦୂରକଲା

ପ୍ରସନ୍ନ ବଦନେ ସୁନ୍ଦରୀ

ସ୍ନାନ ମାର୍ଜନା ବେଗେ ସାରି

କୁଙ୍କୁମ କସ୍ତୁରୀ ଲଗାଇ

ସୁବାସ ଗନ୍ଧେ ମନ ମୋହି

ସୁଗନ୍ଧ ପୁଷ୍ପମାଳା ଦେଇ

କବରୀ ବାନ୍ଧିଲା ସଜାଇ

ଖଞ୍ଜିଲା ନାନା ଅଳଙ୍କାର

ମୁକୁରେ ନିରେଖି ଶରୀର

ଭୋଜନ ସାରି ଷଡ଼ରସେ

ତାମ୍ବୁଳ ଭୁଞ୍ଜିଲା ହରଷେ

ନୃପତି ସମୀପେ ମିଳିଲା

ହସି ପଲ୍ୟଙ୍କେ ବିଜେ କଲା

ସକାମ ବିକାରେ ରାଜନ

ରାଣୀଙ୍କି କଲା ଆଲିଙ୍ଗନ

ବିବିଧ ସକାମ ବିକାର

ହାସ୍ୟ କଟାକ୍ଷ ମନୋହର

ଏକାନ୍ତ ସଙ୍ଗ ରତିରଙ୍ଗେ

ସେ ରାଜା ପୁରଞ୍ଜନ ସଙ୍ଗେ

ରାତ୍ର ଦିବସ ନ ଜାଣିଲେ

ଅଜ୍ଞାନ ମୋହେ ନିମଜ୍ଜିଲେ

ସେ କାମ ଭୋଗରେ ନୃପତି

ଫୁଟିଣ ଶ୍ରାନ୍ତ ହେଲା ଅତି

ଉପଧି କରି ପତ୍ନୀ କର

ସୁଖେ ଶୋଇଲେ ନୃପବର

ପଲ୍ୟଙ୍କେ ବହୁ ନିଦ୍ରା ଗଲା

ସେ କାଳ ଗତି ନ ଜାଣିଲା

ଅଜ୍ଞାନେ ପତ୍ନୀ ବଶେ ରତ

ନ ଦେଲା ଜ୍ଞାନମାର୍ଗେ ଚିତ୍ତ

ନବୀନ ବୟସ ରାଜନ

ନାଶିଲା ଏ ନାରୀ ଭୋଗେଣ

କ୍ଷଣକ ପ୍ରାୟ ତା ଜାଣିଲା

ଏ ଯୁବାକାଳେ ବିନାଶିଲା

ଭୋଗାନ୍ତେ ପୁରଞ୍ଜନଠାରେ

ଜନ୍ମିଲେ କନ୍ୟା ଯେ କୁମରେ

ଦଶଉତ୍ତର କନ୍ୟା ଶତ

ସୁକନ୍ୟା ଗୁଣଶୀଳେ ଜାତ

ଏଗାର ଶତ ଯେ କୁମର

ଜନ୍ମ ଲଭିଲେ ଆଦ୍ୟେ ତାର

ସେ କନ୍ୟା ପୁତ୍ରେ ବିଭା ଦେଇ

ସତ୍ୱରେ ଗଲା ନୃପସାଇଁ

ବିଷୟ ବନ୍ଧେ ନିମଜ୍ଜିଲା

ଅର୍ଦ୍ଧ ଆୟୁଷ ତାର ଗଲା

ପୁତ୍ର କନ୍ୟାଙ୍କ ସୁଖାଶୟେ

ଜଞ୍ଜାଳ ବଢ଼ାନ୍ତି ସେ ରାୟେ

ଏ ସର୍ବ ରାଜାର ଭଣ୍ତାର

ଲୁଟିଣ କଲେ ସେ ବେଭାର

ବିଷୟେ ମମତା ବଢ଼ାଇ

ବନ୍ଦୀ ହୋଇଲା ନୃପସାଇଁ

ତଦନ୍ତେ ଘୋର ଯଜ୍ଞ କଲା

ଅନେକ ପଶୁ ବଧ କଲା

ଦେବତା ପିତୃ ଭୂତପତି

ସେ ଯଜ୍ଞେ ପୂଜିଲା ନୃପତି

ଯେ ରୂପେ ତୁମ୍ଭେ ହେ ରାଜନ

କରିଛ ଘୋର ଯଜ୍ଞମାନ

ସେ ରୂପେ ପୁରଞ୍ଜନ ରାୟେ

ଅନେକ ପଶୁ କଲା କ୍ଷୟେ

ବିଷୟ ଜଡ଼ରେ ଉନ୍ମତ୍ତ

କୁଟୁମ୍ବେ ବଦ୍ଧ କଲା ଚିତ୍ତ

ତଦନ୍ତେ ଉପୁଜିଲା କାଳ

ଯେ ହରେ ପ୍ରାଣୀ ଆୟୁବଳ

ତାହାର ନାମ ଚଣ୍ତବେଗ

ଗନ୍ଧର୍ବ ରାଜ୍ୟ କରେ ଭୋଗ

ଗନ୍ଧର୍ବମାନଙ୍କର ପତି

ଅତି ପ୍ରଚଣ୍ତ ତାର ଗତି

ତ୍ରିଂଶତି ଷଟ ତା ପ୍ରମାଣ

ଗନ୍ଧର୍ବ ଅତି ବଳବାନ

ମିଥୁନ ଭାବେ କରି ସ୍ତୁତି

ଏତେ ଗନ୍ଧର୍ବେ ତହିଁ ସ୍ଥିତି

ଗନ୍ଧର୍ବୀ ଗନ୍ଧର୍ବେ ପ୍ରବଳ

କେ କୃଷ୍ଣ କେ ଅବା ଶୁକଳ

ସେ ସର୍ବ ଚଣ୍ତବେଗଙ୍କର

ଅଟନ୍ତି ତାଙ୍କ ଅନୁଚର

ସେ ଚଣ୍ତବେଗ ଆଜ୍ଞା ପାଇ

ବେଢ଼ିଲେ ରାଜାପୁରେ ଯାଇ

ସେ ପୁରଞ୍ଜନ ଦିବ୍ୟପୁରୀ

ଗନ୍ଧର୍ବେ ବେଗେ ଲୁଟିକରି

ସେ ନଗ୍ରେ ସେନାପତି ଏକ

ରକ୍ଷଣେ ଥିଲା ଯେ ଅଧିକ

ତାହାର ନାମ ପ୍ରଜାପର

ସେ ବେଗେ ମିଳିଲା ଆଗର

ତାହାକୁ ମାରି ଘଉଡ଼ିଲା

ଅନେକ ଘୋର ଯୁଦ୍ଧ କଲା

ସେ ଶତ ସମ୍ବତ୍ସର ନିତ୍ୟେ

ଯୁଝିଲା ଗନ୍ଧର୍ବ ସଙ୍ଗତେ

ଗନ୍ଧର୍ବ ଅତି ବଳବାନ

ତାହାକୁ ମାରି କଲେ ଛିନ୍ନ

ସେ ପୁରବାସୀ ଯେତେଥିଲେ

ସେ ସର୍ବ ଆକୁଳେ ଶୋଚିଲେ

ଅନେ ଯେ ନ ପାରନ୍ତି ଯାଇ

ଦୁଃଖେ ରୋଦନ୍ତି ସୁଖ ପାଇଁ

ଯେ ପୁରେ ନୃପ ପୁରଞ୍ଜନ

ସଙ୍ଗତେ ଘେନି ପରିଜନ

ପଞ୍ଚାଳ ଦେଶେ ନାନା ସୁଖ

ଯେଣୁ ଭୁଞ୍ଜିଲା ଅବିବେକ

ପତ୍ନୀ ବଶେ ତା ଦିନ ଗଲା

ଅଳପ ସୁଖେ ନିମଜ୍ଜିଲା

ନ କଲା ସେ ଭୟେ ବିଚାର

ଏଣୁ ହୋଇଲା ଦୁଃଖ ଘୋର

ପ୍ରାଚୀନ ଅଗ୍ରତେ ନାରଦ

କହିଲେ ଯୁଦ୍ଧର ସମ୍ବାଦ

କାଳର କନ୍ୟା ଏକ ଥିଲା

ତାହାକୁ କେହି ନ ବରିଲା

ଏ ତିନିଲୋକେ ସେ ଭ୍ରମଇ

ତା ଠାରେ କେହି ବିଭା ନୋହି

ସେ ଯାରେ ବର ଇଚ୍ଛା କରେ

ସେ ଦେଖି କମ୍ପେ ଥରହରେ

ସେ ସର୍ବ ଅଭାଗ୍ୟର ଧାମ

ଦୁର୍ଭାଗୀ ଏଣୁକରି ନାମ

ସେ କନ୍ୟା ପୂର୍ବେ ଏକକାଳେ

ଯଯାତି ବିଭା ହେଲା ବଳେ

ତା’ଠାରେ ବଇ ଭୋଗ ସାରି

ପୁତ୍ରକୁ ବରେ ଇଚ୍ଛାକରି

ତାହାକୁ ଯଯାତି ରାଜନ

ପୁତ୍ରକୁ କଲେ ସମର୍ପଣ

ତା ଜ୍ୟେଷ୍ଠ ଯେତେକ କୁମର

କେହି ନ କଲେ ଅଙ୍ଗୀକାର

କନିଷ୍ଠ ପୁତ୍ର ପୁରୁ ଥିଲା

ସେ ପିତା ଆଜ୍ଞାରେ ବରିଲା

ଏମନ୍ତେ ସେ କାଳ ଦୁହିତୀ

ସେ ବରେ ନୁହେଁ ତୁଷ୍ଟମତି

କାମ ଭୋଗେଣ ବଳ ହରି

ତଦନ୍ତେ ସଂସାରେ ବିହରି

ମୁଁ ନିତ୍ୟେ ବ୍ରହ୍ମଲୋକଠାରୁ

ଏ ମହୀ ଭ୍ରମଣ ଇଚ୍ଛାରୁ

ଆସନ୍ତେ କୃଷ୍ଣ ରସେ ରସି

ସେ ମୋତେ ଭେଟିଲା ଦୁର୍ଦ୍ଧଷୀ

ବୋଇଲା ଶୁଣ ମୁନିବର

ମୋ କାମ ଦୁଃଖ ପରିହର

ଯତିତ୍ୱ ପଣ ମୋର ଜାଣ

ତଥାପି ବରିଲା ଭ୍ରମେଣ

ହେ ମୁନିଶ୍ରେଷ୍ଠ ଯୋଗେଶ୍ୱର

ମୋ ତୁଲେ ଗୃହ ଧର୍ମ କର

ତୁମ୍ଭେ ମୋହାର ନିଜ ପତି

ଏଣୁ ଅଇଲି ତୁମ୍ଭ କତି

ପୁରୁଷ ସ୍ୱଧର୍ମଟି ଏହି

ପ୍ରାପତ ଧନ ନ ତେଜଇ

ଯାଚକ ଧନ ପ୍ରତେଜିଲେ

ସେ ସୁଖ ନ ଲଭନ୍ତି ଭଲେ

ଏମନ୍ତ ବାକ୍ୟ ତାର ଶୁଣି

ଆମ୍ଭେ ପ୍ରକୋପେ ତାକୁ ଭଣି

କହିଲୁ ତୁ ନିଶ୍ଚେ ଯୁବତୀ

ପ୍ରମଦାକୁଳେ ନୋହୁ ସତୀ

କୁଳ ଦୂଷଣ କର୍ମ ତୋର

ନ ମରି ଧରିଛୁ ଶରୀର

ପାତ୍ର ଅପାତ୍ର ତୁ ନ ଜାଣୁ

ଦୂଷଣ କଥା ମୁଖେ ଭଣୁ

ଶୁଣ ତୁ ପାମରୀ ଅଜ୍ଞାନୀ

ଆମ୍ଭେ ଯେ ଅଟୁ ମହାମୁନି

ଗୃହସ୍ଥ ଧର୍ମ ଆମ୍ଭ ନାହିଁ

ତୋର ବରଣେ ଇଚ୍ଛା କାହିଁ

ତୋହର ବରେ ଯେବେ ଇଚ୍ଛା

କହିବା ପୂରିବ ତୋ ବାଞ୍ଛା

ଯବନମାନଙ୍କ ଈଶ୍ୱର

ତୁ ଯାଇ ବେଗେ ତାକୁ ବର

ଏ ତୋର ଯେତେ କାମ ଇଚ୍ଛା

ସେ ତୋର ପୂରାଇବେ ବାଞ୍ଛା

ତା ଶୁଣି ବିମୁଖେ ତରୁଣୀ

ସେ ମୋତେ କୋପେ ଶାପ ଭଣି

ବୋଇଲା ଶୁଣ ମୁନିବର

ମୋ ପ୍ରୀତି ଆଶା କଲୁ ଦୂର

ତୁ ଏକଠାବେ ନ ରହିବୁ

ଜୀବନେ ଯେତେ କାଳ ଥିବୁ

ବ୍ରହ୍ମାଣ୍ତ ମଧ୍ୟେ ସ୍ଥାନ ଯେତେ

ଭ୍ରମଣ କରୁଥିବୁ ନିତ୍ୟେ

କାହିଁ ତୁ ନ ଲଭିବୁ ସୁଖ

ଇତ୍ୟାଦି ଭୋଗ ତୁ ବିମୁଖ

ଏ ଘୋରଶାପ ମୋତେଦେଇ

ବରିଲା ଭୟେ ପତି ଯାଇ

ଭୋ ଦେବ ଯବନ ଈଶ୍ୱର

ତୁ ବୀର ବଳେ ବଳୀୟାର

ଏଣୁ ବରିଲି ମୁହିଁ ତୋତେ

ମୋର ବିନୟ ଘେନ ଚିତ୍ତେ

ତୁମ୍ଭଙ୍କୁ ଯେବା ମାଗେ ଯାହା

ବିନାଶ ନୋହେ କାମ ତାହା

ଶୁଣ ଯବନ ଅଧିପତି

ଏ ବେନି ଲୋକ ଶିଶୁ ମତି

ଯେ ଲୋକ ଶାସ୍ତ୍ରରେ ଉଚିତ

ଦ୍ରବ୍ୟ ହୋଇଛି ଉପଗତ

ଯାଚକ ଜନେ ତା ନ ଦେଇ

ଅଥବା ଦେଲେ ନ ଘେନଇ

ଏ ବେନି ଶିଶୁ ସଙ୍ଗେ ସରି

ଏଣୁ ତାହାଙ୍କୁ ମୁଁ ନ ବରି

ତୁମ୍ଭେ ଦୟାଳୁ ଶୂରବନ୍ତ

ଯବନମାନଙ୍କ ସାମନ୍ତ

ମୁଁ କାମେ ତୁମ୍ଭଙ୍କୁ ଭଜିଲି

ଲଜ୍ଜା ସଙ୍କୋଚ ଉପେକ୍ଷିଲି

ମୋ ସଙ୍ଗେ କର ବଇଭୋଗ

ହର ଦୂର୍ଜ୍ଜୟ କାମ ରୋଗ

ପୁରୁଷ ସ୍ୱଧର୍ମଟି ଏହି

ଦୀନଜନଙ୍କୁ ଉଦ୍ଧାରଇ

ମୁଁ ଜନ୍ମକାଳୁ କାମ ଦୁଃଖେ

ତୁ ମୋତେ ନ ତେଜ ବିମୁଖେ

ତାର କାର୍ପଣ ବାକ୍ୟ ଶୁଣି

ଯବନେଶ୍ୱର ମନେ ଗୁଣି

ଦେବଙ୍କ ଗୁପ୍ତ ଯେ ମରଣ

ଏହା ସାଧିବି ନିଶ୍ଚେଁ ଜାଣ

ଏମନ୍ତ ମନେ ବିଚାରିଲା

କନ୍ୟାକୁ ପ୍ରତିବାକ୍ୟ ଦେଲା

ଶୁଣ ହେ କାଳର ଦୁହିତୀ

ତୋ ମନେ ବିରିଅଛୁ ପତି

ଏକାକୀ ବୋଲି ଭୟ ଯେବେ

ମୋ ସେନା ସଙ୍ଗେ ନିଅ ତେବେ

ଏମନ୍ତେ ପ୍ରଜାଙ୍କୁ ବିନାଶ

ଏମାନେ ହୋନ୍ତୁ ତୋର ଦାସ

ମୋହର ଭାଇ ଯେ ପ୍ରଜ୍ଜ୍ୱର

ତୁ ଭଗ୍ନୀ ହେବୁ ଯେ ମୋହର

ଏକତ୍ୱେ ଭାଇ ଭଗ୍ନୀ ଥିବ

ମୋ ସୈନ୍ୟଗଣ ସଙ୍ଗେ ନେବ

ଲୋକେ ତୋ ଗତି ନ ଜାଣିବେ

ଚାରି ଦିଗରେ ଭ୍ରମୁଥିବେ

ଜୀବନ ଭୋଗ ଅନୁସାରେ

ପଡ଼ିବେ ଲୋଭାଦି ବ୍ୟାଧିରେ

ଏମନ୍ତେ ଶିକ୍ଷା ତାକୁ ଦେଇ

ଅଗ୍ରେ ପେଷିଲା ଭଗ୍ନୀ ଭାଇ

ଚତୁର୍ଥ ସ୍କନ୍ଧ ଭାଗବତ

ନାରଦ ପ୍ରାଚୀନ ଉକତ

ଏ ପୁରଞ୍ଜନର ଆଖ୍ୟାନ

ଭଣଇ ଜଗନ୍ନାଥ ହୀନ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନ ଉପାଖ୍ୟାନେ ନାମ

ସପ୍ତବିଂଶୋଽଧ୍ୟାୟଃ ।

•••

 

Unknown

ଅଷ୍ଟାବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ତଦନ୍ତେ ଶୁଣ ହେ ବିଦୁର

ସମ୍ୱାଦ ସେ ପୁରଞ୍ଜନର

ନାରଦ ଉବାଚ

ନାରଦ କହନ୍ତି ରାଜନ

ଏବେ କହିବା ବୀର ଶୁଣ

ଯବନ ଅଧିପତି ସେହି

ତାହାର ନାମ ଭୟ କହି

ସୈନ୍ୟାଦି ବ୍ୟାଧିଗଣେ ତାର

ସଙ୍ଗତେ ଥାନ୍ତି ନିରନ୍ତର

ପ୍ରଜ୍ଜ୍ୱର କାଳ କନ୍ୟା ବେନି

ଏହାଙ୍କ ସଙ୍ଗେ ନୃପମଣି

ଏ ସର୍ବ ସଙ୍ଗତେ ଚଳନ୍ତି

ଯେ ଦିଗେ ବିଜୟେ ନୃପତି

ସେ ଏକଦିନେ ନୃପବର

ସଙ୍ଗତେ ସୈନ୍ୟ ଯେ ପ୍ରଜ୍ଜ୍ୱର

ସେ ମହୀ ଭ୍ରମଣ କରନ୍ତେ

ଦେଖିଲା କାଳ କର୍ମଗତେ

ସେ ପୁରେ ଥିଲା ପୁରଞ୍ଜନ

ତା ବେଗେ ବେଢ଼ିଲା ରାଜନ

ସେ ପୁରେ ଦ୍ୱାରୀ ଜୀର୍ଣ୍ଣ ଅହି

ନିରତେ ପୁରଦ୍ୱାରେ ଥାଇ

ଏ ପଞ୍ଚଭୂତେ ଦେହ ଯେତେ

ଯାକୁ ନ ଛାଡ଼େ କଦାଚିତ୍ତେ

ବ୍ରହ୍ମାଣ୍ତ ମଧ୍ୟେ ଦେହ ବହି

ତାକୁ ଜିଣନ୍ତା କେହି ନାହିଁ

ବ୍ରହ୍ମାଦି ମୁନି ସୁରଦେବା

ଭୟେ କରନ୍ତି ତାକୁ ସେବା

ତାକୁ ଜିଣନ୍ତା କେବା ଜନ

ନିଶ୍ଚିନ୍ତେ ରହେ ନିଜ ସ୍ଥାନ

ଅଜ୍ଞାନେ ସେ ପୁରେ ପଶିଲେ

ସେ ପୁରେ ପୁରଞ୍ଜନ ଥିଲେ

ଯେ କାଳ କନ୍ୟା ସଙ୍ଗେ ଥିଲା

ସତ୍ୱରେ ସେ ପୁରେ ପଶିଲା

ସେ ନାରୀ ଯାରେ ସ୍ପରଶଇ

ସେ ପ୍ରାଣୀ ଉଠି ନ ପାରଇ

ଆଗେ ସେ ନାରୀ ପ୍ରବେଶିଲା

ଯେତେ ଯବନ ବଳ ଥିଲା

ସେ ସର୍ବଦ୍ୱାର ମାର୍ଗେ ଗଲେ

ପ୍ରବେଶି ପୁର ବିନାଶିଲେ

ପୁର ଉଜାଡ଼ି ଭୟକରି

ସେ ପୁରଞ୍ଜନ ଦଣ୍ତଧାରୀ

ବହୁତ ସନ୍ତାପ ସେ କଲା

ନିର୍ବଳେ ଶଙ୍କିତ ରହିଲା

ସେ ରାଜା କ୍ରୋଧେ ଅଭିମାନୀ

ଦେଖିଲା ସ୍ୱକୁଟୁମ୍ବ ହାନି

ସ୍ନେହାନୁବନ୍ଧେ ନ ଛାଡ଼ଇ

ଆକୁଳେ ସନ୍ତାପେ ଶୋଚଇ

ସେ କାଳ କନ୍ୟା ଆସି ଆଗେ

ରାଜାକୁ କୋଳ କଲା ବେଗେ

ତାର ସ୍ପରଶେ ମହାରାୟ

ହୋଇଲା ନଷ୍ଟ କାନ୍ତି କାୟ

କୃପଣ ବିଷୟେ ରାଜନ

ହୋଇଲା ଅସଙ୍ଗ ପାଇଣ

ପ୍ରତିଜ୍ଞା ହେଲା ତାର ନାଶ

ସଘନେ ଛାଡ଼ଇ ନିଃଶ୍ୱାସ

ଯବନ ଗନ୍ଧର୍ବେ ପଶିଲେ

ରାଜାର ସମ୍ପଦ ନାଶିଲେ

ସେ ପୁର କ୍ଷୀଣ ଦେଖି ତାର

ପୁତ୍ରାଦି ଛାଡ଼ିଲେ ଆଦର

ଆତ୍ମୀୟ ଲୋକ ଯେତେ କହି

ଦେଖିଲା ପୂର୍ବ ସ୍ନେହ ନାହିଁ

ତା ପତ୍ନୀଠାରେ ଯେଉଁ ପ୍ରୀତି

ଦେଖିଲା ଅସ୍ନେହ ଅନୀତି

ଆତ୍ମାକୁ ଜରାଗ୍ରସ୍ତ କଲା

ପଞ୍ଚାଳ ବିଷୟ ତା ଗଲା

ଦୂରନ୍ତ ଚିନ୍ତା ପାଇ ରାୟ

ନ ଦେଖି ତରିବା ଉପାୟ

ସେ କନ୍ୟା ବିଷୟେ ନିର୍ବଳ

ଏକାନ୍ତେ ଝୁରେ ମହୀପାଳ

ଦୁର୍ବଳ ଦେଖି ନିଜ ଦେହ

ଛାଡ଼ିଲେ ପୁତ୍ର ଆଦି ସ୍ନେହ

ସ୍ୱପୁର ଲୋକ ଚିନ୍ତା କଲା

ସେ କାଳ କନ୍ୟା ଏହା କଲା

ସେ ପୁର ଛାଡ଼ିବାରେ ମନ

ରୋଦନ କରେ ଅନୁକ୍ଷଣ

ନ ପାରେ ସହି ଦୁଃଖ ଘୋର

ନିଶ୍ଚୟ ଛାଡ଼ିବି ଶରୀର

ଆତୁରେ ଭାଳଇ ନୃପତି

ଭ୍ରମ ତା ହେଲା ବୁଦ୍ଧି ଅତି

ଭୟରେ ଅଗ୍ରଜ ପ୍ରଜ୍ୱ୍ୱର

ଆଚ୍ଛାଦି ରହିଲା ସେ ପୁର

ସେ ସର୍ବେ ପୁରମାର୍ଗେ ରହି

ପ୍ରଚଣ୍ତ ତେଜ କୋପ ବହି

ସାନ ଭ୍ରାତାର ପ୍ରିୟ ଅର୍ଥେ

ସେ ପୁର ଦହିଲା ତ୍ୱରିତେ

ପୁର ଦହନ ଯହୁଁ ହେଲା

ସେ ରାଜା ମହାଭୟ କଲା

ସେ ପୁରେ ଯେତେ ଦାସୀ ଥିଲେ

ସେ ସର୍ବେ ଭୟରେ କମ୍ପିଲେ

ଯବନ ପୁର ଦେଲେ ଦହି

କାଳ କନ୍ୟାର ପକ୍ଷ ବହି

ଭୟେ ଏ ନ ପାରନ୍ତି ରହି

ଦୁଃଖେ ରୋଦନ୍ତି ଛନ୍ନ ହୋଇ

ଯବନପୁର ନେଲେ ବେଗେ

ସେ କାଳକନ୍ୟା ଘେନି ସଙ୍ଗେ

ଭୟରେ ଅଗ୍ରଜ ପ୍ରଜ୍ଜ୍ୱର

ପୁର ନାଶିଲେ ବେଗେ ତାର

ଦେଖିଣ ବିଷାଦେ ନୃପତି

ରୋଦନ କଲା ଭୟେ ଅତି

ବହୁତ କଷ୍ଟେ ସେ ରାଜନ

ପୁର ଛାଡ଼ିବା କଲା ମନ

ଯେସନେ ବୃକ୍ଷକ୍ରୋଟ ଅହି

ଅନଳ ତେଜେ ତାପେ ଦହି

ସେ ଯେହ୍ନେ ସେ ସ୍ଥାନ ଉପେକ୍ଷି

ରହେ ଅତ୍ୟନ୍ତ ଭୟେ ଦୁଃଖୀ

ତେସନେ ଛାଡ଼ି ନିଜପୁରୀ

ସେ ରାଜା ବହୁ ଚିନ୍ତାକରି

ହସ୍ତ ଚରଣ ନ ଚଳିଲେ

ପୌରୁଷେ ଗନ୍ଧର୍ବେ ହାରିଲେ

ଯବନ ଶତ୍ରୁ ବ୍ୟାଧିରୂପେ

କଣ୍ଠ ନିରୋଧି କଲେ କୋପେ

ମୂଢ଼ କୁମତି ସେ ରାଜନ

ନ ତେଜି କରଇ ରୋଦନ

ଏ ମୋର ପୁତ୍ର କନ୍ୟା ଯେତେ

ମୋ ବିନୁ ବଞ୍ଚିବେ କେମନ୍ତେ

ମୁଁ ଏବେ ପୁର ପ୍ରତେଜିଲେ

ଏ ସର୍ବେ ନ ବର୍ତ୍ତିବେ ଭଲେ

ସ୍ୱପତ୍ନୀ ସହିତେ ରାଜନ

ଅନେକ କରନ୍ତି ରୋଦନ

ମୁଁ ଏବେ ନିଶ୍ଚୟ ମରିବି

ଏ ବହୁ ଦୁଃଖ ନ ସହିବି

ମୋର ଅଭାବେ ଏ କାମିନୀ

ଭାଳିବ କୁଟୁମ୍ବ ଘେନି

ବାଳକେ ହୋଇବେ ଅନାଥ

ତା ଦେଖି ରୋଦିବେ ବହୁତ

ମୋ ଅନ୍ତେ ଏ ସର୍ବେ ମରିବେ

କିବା ଭକ୍ଷିବେ କାହିଁ ଥିବେ

ଯେହ୍ନେ ସମୁଦ୍ର ମଧ୍ୟେ ନାବ

ଭଗ୍ନେ ନାଶନ୍ତି ପ୍ରାଣୀ ସର୍ବ

ଏମନ୍ତେ ଭାଳନ୍ତି ରାଜନ

କାଳ ହୋଇଲା ଅବସାନ

ଯଜ୍ଞାଦି ପୁଣ୍ୟକର୍ମ ଯେତେ

କରଣେ ନୋହିଲେ ସମର୍ଥେ

କାମ୍ୟ କର୍ମକୁ ତ୍ୟାଗକରି

ଅନେକ ପଶୁଥିଲା ମାରି

ସେ ଦୋଷ ମନେ ଧରିଥିଲେ

ତକ୍ଷଣେ ରାଜାକୁ ଭେଟିଲେ

ବଳେ ବେଢ଼ିଲେ ପଶୁଗଣ

ନାନାଦି ଅବସ୍ଥା କରିଣ

କୃଷ୍ଣ ଅଭାବେ ମୂଢ଼ମତି

ଏଣୁ ନରକେ ହେଲା ଗତି

ଈଶ୍ୱର ବାକ୍ୟ ବେଦ ବାଣୀ

ସେ ଜ୍ଞାନ ତେଜିଲା ନ ଜାଣି

ତେଣୁ କର୍ମାନୁସାରେ ତାର

ଜନ୍ମିଲା ବିଦର୍ଭ ମନ୍ଦିର

ସେ ରାଜା ମରଣ ସମୟେ

ସ୍ତ୍ରୀଲିଙ୍ଗ ଭାବିଲା ହୃଦୟେ

ତେଣୁ ସେ ପ୍ରମଦା ହୋଇଲା

ପୁରୁଷ ଅଙ୍ଗ ପ୍ରତେଜିଲା

ସେ ପ୍ରତିବ୍ରତା ସଙ୍ଗ ଫଳେ

ଜନ୍ମ ଲଭିଲା ସାଧୁକୁଳେ

ଏଣୁ ସୁସଙ୍ଗେ ମୋକ୍ଷ ପ୍ରାଣୀ

ଜ୍ଞାନେ ଭକତି ପରିମାଣି

ବିଦର୍ଭ ମନ୍ଦିରେ ସୁନ୍ଦରୀ

ଜନ୍ମ ଲଭିଲା ଦେହ ଧରି

ମଳୟଧ୍ୱଜ ନାମେ ରାଜା

ସେହି ବୈଷ୍ଣବ ମହାତେଜା

କନ୍ୟାର ରୂପ ଗୁଣ ଶୁଣି

ଚିତ୍ତେ କଳ୍ପିଲା ନୃପମଣି

ସେ କନ୍ୟା ସାମନ୍ତ ସାଜିଲା

ବିଦର୍ଭ ଦେଶେ ବିଜେ କଲା

ସେ ରାଜା ସଙ୍ଗତେ ରାଜନ

ଯୁଦ୍ଧେ ଜିଣିଲା ରାଜ୍ୟଧନ

ବଳେ ହରିଣ ତା ଦୁଲଣୀ

ବିବାହ କଲା ନୃପମଣି

ମଳୟ ଧ୍ୱଜ ନୃପବର

ଦ୍ରାବିଡ଼ ଦେଶେ ଅଧିକାର

ସେ କନ୍ୟା ଗର୍ଭେ ତା ସନ୍ତତି

ଜନ୍ମିଲା ସୁଗୁଣ ସୁମତି

ସେ ରାଜା ସଦୃଶ କୁମାରୀ

ପ୍ରସବ କଲା ତାର ନାରୀ

ଶ୍ରୀକୃଷ୍ଣ ରୁଚି ସେବାପର

ତା ନାମ ଦେଲା ନୃପବର

ସପତ ତନୟ ଅନ୍ତରେ

ଜନ୍ମିଲେ ସେ ନାରୀ ଉଦରେ

ଶ୍ରବଣ କୀର୍ତ୍ତନ ଏ ଆଦି

ଏ ସପ୍ତନାମେ ଭକ୍ତି ସିଦ୍ଧି

ଏକୁ ଅନେକ ତାହାଙ୍କର

ଅର୍ବୁଦ ଅର୍ବୁଦ କୁମର

ବଂଶର ସଂଖ୍ୟା ତା ନ ଯାଇ

ଅସଂଖ୍ୟ ଅପ୍ରମିତ ହୋଇ

ସେ ସର୍ବେ ମହୀଭୋଗ କଲେ

ଆନନ୍ଦେ କୃଷ୍ଣକୁ ଭେଟିଲେ

ମଳୟଧ୍ୱଜର ଦୁହିତା

ସେ ଜ୍ଞାନ ବଳେ ଧ୍ରୁବବତା

ଅଗସ୍ତ୍ୟେ ତାର ବିଭା ଦେଲେ

ତା ଗର୍ଭେ ଦୃଢ଼ଚ୍ୟୁତ ହେଲେ

ମଳୟଧ୍ୱଜ ରାଜଋଷି

ପୁତ୍ରକୁ ଡକାଇଲେ ବସି

ବିଭାଗ କରି ରାଜ୍ୟ ଖଣ୍ତ

ପୁତ୍ରକୁ ଦେଲେ ଛତ୍ର ଦଣ୍ତ

କୃଷ୍ଣ ଭଜନେ ନରସାଇଁ

ରହିଲେ କୁଳାଚଳେ ଯାଇ

ତାର ବୈଦର୍ଭୀ ନାମେ ଜାୟା

ଛାଡ଼ିଣ ଗୃହ ସୁତ ମାୟ

ସେ ରାଜା ପଛେ ଗୋଡ଼ାଇଲା

ସୁଧାଂଶୁ ପ୍ରାୟ ଶୋଭା କଲା

ସେ କୁଳାଚଳ ଗିରିବର

ସକଳ ତୀର୍ଥଙ୍କ ମନ୍ଦିର

ତୀର୍ଥଙ୍କ ନାମ ଏକ ଏକ

ଯେ ତାମ୍ରପର୍ଣ୍ଣୀ ବଟୋଦକ

ଅପରେ ଚନ୍ଦ୍ରରସା ନାମ

ଏ ଆଦି ପୁଣ୍ୟ ତୀର୍ଥଧାମ

କୃଷ୍ଣ ଭକତି ସୁସାଧନେ

ତପ ଆଚରି ଶୁଦ୍ଧମନେ

ସେ ପୁଣ୍ୟ ତୀର୍ଥ ଜଳେ ନିତି

ସ୍ନାନାଦି ମାର୍ଜନା ସାରନ୍ତି

ଦୂରନ୍ତ ବାହ୍ୟାନ୍ତରେ ମଳ

ସେ ଜଳେ ହୋଇଲା ନିର୍ମଳ

ତପ ସାଧନେ ଅତିରେକ

ଭକ୍ଷଣ ଫଳ ମୂଳ ଶାକ

ପୁଷ୍ପ ପଳାଶ ପତ୍ର ଜଳ

ତୃଣାଦି ଶଯ୍ୟାରେ ନିଶ୍ଚଳ

କଠୋର ତପ ଆଚରିଲା

ଶରୀର ତାପେ ଶୁଖାଇଲା

ଶୀତ ଉଷ୍ଣାଦି ତ୍ରୟ ତାପ

କ୍ଷୁଧା ପିପାସା ତେଜି ଭୂପ

ଦୁଃଖ ସୁଖାଦି ଶ୍ରମେ ତାରେ

ଶୋକେ ହରଷ ଏକାକାରେ

ଏ ରୂପେ ସୁସାଧନ କଲେ

ବ୍ରହ୍ମରେ ଆତ୍ମା ନିବେଶିଲେ

ମନ ପବନ ବଶ କରି

ଦୁର୍ଜୟ ଇନ୍ଦ୍ରିୟ ନିବାରି

ଦୃଢ଼ ଆସନେ ନୃପବର

ସେ ଯୋଗବଳେ ଯୋଗେଶ୍ୱର

ତାହାର ପତ୍ନୀ ଯେ ରୋଦିଲା

ଆପଣା ମନେ ବିଚାରିଲା

କାଷ୍ଠ କୁଢ଼ାଇ ଅଗ୍ନି ଦେଲେ

ପତି ପତ୍ନୀ ମଧ୍ୟେ ପଡ଼ିଲେ

ତକ୍ଷଣେ ବିପ୍ରେକ ମିଳିଲେ

ସେ ପୂର୍ବେ ତାର ସଖା ଥିଲେ

ସେ ବେଗେ ତାର ହସ୍ତ ଧରି

କହେ ପ୍ରବୋଧ ଶାନ୍ତକରି

ଶୁଣ ସୁନ୍ଦରୀ ମନୋହାରୀ

କେ ତୁମ୍ଭେ କାହାର ବା ନାରୀ

ମୁଁ ପୂର୍ବ ସଖା ଯେ ତୋହର

ତୁ ଜୀବ ଆତ୍ମା ଅଟୁ ମୋର

ତୋ ଆମ୍ଭ ଏକ ବେନିହଂସ

ଏ ମାନସରେ ନିତ୍ୟ ବାସ

ତୁ ମୋତେ ଛାଡ଼ିଣ ସେଠାରେ

ଅଇଲୁ ଏ ମହୀ ଭୋଗରେ

ପ୍ରବେଶ ଏ ସୂର୍ଯ୍ୟ ମଣ୍ତଳ

ଏଥେ ଦେଖିଲୁ ଦିବ୍ୟସ୍ଥଳ

ସେ ପୁରେ ନାରୀ ଏକ ଥିଲା

ସେ ତୋର ମନ ବନ୍ଦି କଲା

ତୋ ବଶେ ନୁହେଁ ତା ଆୟତ୍ତ

ମିଥ୍ୟା ବିଳାପ ଭ୍ରମ ଚିତ୍ତ

ସେ ନଗ୍ରେ ପଞ୍ଚ ଉପବନ

ସେ ନବଦ୍ୱାରେ ଶୋଭାବନ

ରକ୍ଷଣେ ଏକ ଦ୍ୱାରପାଳ

ସେ ତ୍ରୟ କୋଠରୀ ବିଶାଳ

ଅପରେ ଅଛି କୁଳ ଅଷ୍ଟ

ବସଇ ଭଲେ ପଞ୍ଚ ହାଟ

ପଞ୍ଚ ଯେ ପ୍ରକାରେ ପ୍ରକୃତି

ସେ ଏକନାରୀ ରୂପବତୀ

ସେ ପଞ୍ଚଇନ୍ଦ୍ରିୟ ବିଷୟେ

ଆରାମ ତହିଁରେ ନିଶ୍ଚୟେ

ଏକଇ ପ୍ରାଣ ତହିଁ ଦ୍ୱାରୀ

ସେ ନବଦ୍ୱାର ରକ୍ଷାକାରୀ

ପୃଥିବୀ ଆପ ତେଜମାନ

ଏକବିଂଶ ତହିଁ ସଦନ

ମନ ଇନ୍ଦ୍ରିଗଣ ପଞ୍ଚେଣ

ତହିଁର ଅଷ୍ଟକୋଣେ ଜାଣ

ଏ କ୍ରିୟା ଶକ୍ତି ତହିଁ ବାଟ

ନାନା ବିଷୟ ତହିଁ ହାଟ

ପ୍ରକୃତି ନବ ଦ୍ୱାର କରି

ଏ ରୂପେ ହାଟକୁ ବିଚାରି

ଏ ଧର୍ମା ଧର୍ମ ବେନି ଯହିଁ

କ୍ରୟ ବିକ୍ରୟ ନିତ୍ୟ ତହିଁ

ସେ ହାଟେ ସ୍ତିରୀ ବୃଦ୍ଧ ଥିଲା

ତୋ ମନେ ତା ବଶେ କିଣିଲା

ତୁ ଭୋଗ କଲୁ ତାକୁ ତହିଁ

ତୁ ମୋରେ ସମ୍ପାଦିବୁ କାହିଁ

ଏକାନ୍ତେ ନାରୀ ସଙ୍ଗ କଲୁ

ଏ ପାପ ଦଶା ତୁ ଲଭିଲୁ

ନୋହୁ ତୁ ବିଦର୍ଭ ଦୁହିତ

ଏ ବୀର ନୁହେଁ ତୋର କାନ୍ତ

ଅଟୁ ତୁ ପୁରଞ୍ଜନ ପତି

ତା ଲାଗି ଏ ତୋର ଦୁର୍ଗତି

ଛାଡ଼ ଏ ମାୟା ମୋହ ମତି

ଆମ୍ଭେ ଏ ବେନି ସୁସଂଗତି

ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ

ଏ ବେନି ଏକ କରି ଚିହ୍ନ

ନାରଦ କହନ୍ତି ସଦୟେ

ଶୁଣ ପ୍ରାଚୀନ ନୃପରାୟେ

ଏ ଯେ ଆଧ୍ୟାତ୍ମ ଦିବ୍ୟଜ୍ଞାନ

କହିଲୁ ପରୀକ୍ଷା ବାଦେଣ

ଚତୁର୍ଥ ସ୍କନ୍ଧେ ଭାଗବତ

କହଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ପୁରଞ୍ଜନ ଚରିତେ

ନାମ ଅଷ୍ଟାବିଂଶୋଽଧ୍ୟାୟଃװ

•••

 

ଊନତ୍ରିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ସେ ଯେ ପ୍ରାଚୀନ ନୃପବର

ନାରଦ ପାଦେ ଦେଇ ଶିର

ରାଜୋବାଚ

ଭୋ ମୁନି ତୁମ୍ଭେ ଜ୍ଞାନପର

କହିଲ ଅଧ୍ୟାତ୍ମ ବିଚାର

ତୁମ୍ଭେ ଏ ପରୀକ୍ଷା ବାଦେଣ

କହିଲ ସେ ସାଂଖ୍ୟ କାରଣ

ମୁଁ ବୁଝି ନ ପାରିଲି ଚିତ୍ତେ

ଛେଦି ସଂଶୟ କହ ମୋତେ

ଯେ ମାର୍ଗେ ବୁଝିବଇଁ ମୁହିଁ

ସେ ଭାବେ କହିବା ଗୋସାଇଁ

ଯେବା ପଣ୍ତିତ ଦୃଢ଼ମତି

ଏ ଅନୁଭବ ସେ ଜାଣନ୍ତି

ଆମ୍ଭର ନାହିଁ ଏଣେ ଜ୍ଞାନ

ବିଷୟ ଛନ୍ନେ ଅବିଛିନ୍ନ

ଏଣୁ ନ ଧରେ ଜ୍ଞାନ ରତି

ବିବେକ ନୁହେଁ ଆମ୍ଭ ମତି

ଭୋ ମୁନି ଫେଡ଼ ପ୍ରତି ତାହା

ମୋ ଅର୍ଥେ କହ ପୁଣ୍ୟଦେହା

ସେ ପୁରଞ୍ଜନର ବିଚାର

ଶ୍ରବଣେ ହେବ ଜ୍ଞାନ ମୋର

ଶୁଣି ନାରଦ ମହାଋଷି

ତା ଭାବେ କହନ୍ତି ବିଶେଷି

ନାରଦ ଉବାଚ

ଶୁଣ ରାଜନ ସାବଧାନ

କହିବା ଏ ପରୋକ୍ଷ ଜ୍ଞାନ

ପୁରୁଷ ପୁରଞ୍ଜନ ଯେହୁ

କର୍ମର ପୁର କଲା ସେହୁ

ଏମନ୍ତେ ନାନ ପୁର କରି

ଏ ଜୀବ ତା ମଧ୍ୟେ ବିହରି

ଅଜ୍ଞାତ ସଖା ଯାକୁ କହି

ଈଶ୍ୱର ନାମ ଅଟେ ସେହି

ସେ ନାମ ରୂପର ବାହାର

ଏଣୁ ଅଜ୍ଞାତ ନାମ ତାର

ସେ ନଗ୍ର ପ୍ରକୃତି ଗୁଣକୁ

ପୁରୁଷ ଇଚ୍ଛଇ ଭୋଗକୁ

ଏଣୁ ଏ ପୁର ନବଦ୍ୱାରେ

ରଚନା କଲା ଏ ବେଭାରେ

ଯେ ପୁରେ ପଦ ହସ୍ତ ଘେନି

କରଇ କର୍ମ ଲାଭ ହାନି

ସେ ପୁରେ ଥାଇ କରେ ଭୋଗ

ମାୟା ନିର୍ବନ୍ଧେ ଅନୁରାଗ

ଏ ରୂପେ ପୁଣ୍ୟପୁର ସେହି

ଭୋଗ ସୁଖାଦି ନୁହେଁ ତହିଁ

ଏ ଯେ ମାନବ କଳେବର

ଅଶେଷ ଦେହ ମଧ୍ୟେ ସାର

ଏ ପୁର ମଧ୍ୟେ ଜୀବ ରହି

ଇନ୍ଦ୍ରି ବିଷୟ ରସେ ମୋହି

ବିବିଧ ଭୋଗ ସୁଖ ସାର

ଜୀବ ଭୁଞ୍ଜଇ ଏ ମନ୍ଦିର

ସେ ପୁର ମଧ୍ୟେ ବୁଦ୍ଧି ନାରୀ

ଏ କାଳେ ସର୍ବତ୍ର ବିହରି

ସେ ଯେ ସମତ୍ୱେ ହୋଏ ଛନ୍ନ

କହଇ ଏ ମୋର ସଦନ

ସେ ନାରୀ ବଶେ ଜୀବ ଥାଇ

ଇନ୍ଦ୍ରିୟ ଭୋଗେ ତୁଷ୍ଟ ହୋଇ

ଇନ୍ଦ୍ରିୟଗଣେ ବୁଦ୍ଧିସଖା

ବିଷୟ ହୃଦେ ସଖା ଲେଖା

ଏ ଜ୍ଞାନ କର୍ମ ଇନ୍ଦ୍ରିଗଣେ

ପୁରୁଷ ଭୋଗ ବଶେ ଟାଣେ

ଅଜ୍ଞାନ କର୍ମ ଇନ୍ଦ୍ରିଦେଶ

ଏହାଙ୍କ ଭୋଗେ ଜୀବ ତୋଷ

ଏ ପାପ ପୁଣ୍ୟ ଆଦି କରି

ବଳେ ଭୁଜ୍ଞଇ କର୍ମ କରି

ଏ ପୁରଦ୍ୱାରୀ ସର୍ପ ସେହି

ଏ ଦେହ ପଞ୍ଚପ୍ରାଣ ଯେହି

ମୋ ପଞ୍ଚବୃତ୍ତିରେ ସଞ୍ଚାର

ଏଣୁ କହିଲି ପଞ୍ଚଶର

ଉତ୍ତର ବୋଲି ଯାହା କହି

ମନର ନାମ ଅଟେ ସେହି

ଦଶ ଇନ୍ଦ୍ରିୟ ଅନାମକ

ତାକୁ ଜିଣନ୍ତା ନାହିଁ ଲୋକ

ତାକୁ ଜିଣନ୍ତା ଯେବା ଜନ

ସେ ଯୋଗ୍ୟ ଏ ତିନିଭୁବନ

ଉତ୍ତର ଦକ୍ଷିଣ ଯା କହି

ମନର ନାମ ଅଟେ ସେହି

ଏ ପଞ୍ଚ ବିଷୟ ଜଞ୍ଜାଳ

ଏହା ତୁ ବୁଝ ମହୀପାଳ

ମନ ଇନ୍ଦ୍ରିୟ ଚକ୍ଷୁ କହି

ଏ ପୁର ନବଦ୍ୱାର ସେହି

ଏ ବେନି ନାସା ଚକ୍ଷୁ କର୍ଣ୍ଣ

ଏ ମୁଖ ଲିଙ୍ଗ ଗୁହ୍ୟସ୍ଥାନ

ଏହାକୁ ନବଦ୍ୱାର କହି

ଇନ୍ଦ୍ରିୟଗଣ ସ୍ଥାନ ଏହି

ଏ ସଙ୍ଗେ ଜୀବର ଗମନ

ବିଷୟ କଲେ ଆସ୍ୱାଦନ

ଏ ଚକ୍ଷୁ ମୁଖ ନାସା ତାର

ଏ ପୂର୍ବ ମୁଖେ ପଞ୍ଚଦ୍ୱାର

ଉତ୍ତର ଦକ୍ଷିଣ ଯା କହି

ଏ ପୂର୍ବ ନବଦ୍ୱାର ସେହି

ପଶ୍ଚିମ ବେନି ଭାଗ ଦ୍ୱାର

ଏ ଲିଙ୍ଗ ଗୃହ୍ୟ ନୃପବର

ଏ ନବଦ୍ୱାରରେ ନିର୍ମିତ

ଯେଝା ବିଷୟ ଆସ୍ୱାଦିତ

ସେ ବେନି ଆତ୍ମା ଦେବହରି

ଏକ ଆରେକ ଆଗ ସରି

ଖଦ୍ୟୋତ ଆଦିମୁଖ ଦୁଇ

ଚକ୍ଷୁର ନାମ ଏ ଅଟଇ

ସେ ବେନି ଦ୍ୱାରେ ପୁରଞ୍ଜନ

କରଇ ରୂପ ସମ୍ପାଦନ

ନଳିନୀ ନାଳିନୀ ଯେ ଦୁଇ

ନାସିକା ନାମ ସେ ଅଟଇ

ଏ ଦ୍ୱାର ଅବଧୂତ ନାମ

ଗନ୍ଧାଦି ଆମୋଦ ପବନ

ସେ ପାପ ପୁଣ୍ୟ ଆଦି ଯେତେ

ଜୀବ ଭୁଞ୍ଜଇ ଏ ଜଗତେ

ସୁଗନ୍ଧ ଦୁର୍ଗନ୍ଧ ସହିତେ

ଏ ଦ୍ୱାରେ ଘେନଇ ନିରତେ

ବଦନ ନାମେ ମୁଖ ଦ୍ୱାର

ରସନା ବାକ୍ୟେ ତା ମଧୁର

ଏ ବେନି ଇନ୍ଦ୍ରିୟେ ରାଜନ

ବାକ୍ୟାଦି ରସ ଆସ୍ୱାଦନ

ଏ ସାରାସାର ଭାବ ଯେତେ

ଏ ଦ୍ୱାରେ ଘେନଇ ନିରତେ

ପ୍ରବୃତ୍ତି ନିବୃତ୍ତି ଯେ ଦୁଇ

ପଞ୍ଚାଳ ବିଷୟ ତା କହି

ଶକ୍ର ଇନ୍ଦ୍ରିୟ ଶ୍ରୁତିଧର

ପିତୃଯାନ ଦେବ ଯାନର

ଏ ମାର୍ଗେ ଗତି ନିରନ୍ତର

ସ୍ୱଇଚ୍ଛା ଚିତ୍ତେ ନୃପବର

ଆସୁରୀ ଲିଙ୍ଗଦ୍ୱାର ସ୍ଥାନ

ଦୁର୍ମଦ ଉପସ୍ଥର ନାମ

ବ୍ୟବାୟରତ ନାମ କହି

ପ୍ରଜା ସର୍ଜନ କରେ ତହିଁ

ଅପରେ ଗୃହ୍ୟ ନାମ ରତି

ତହିଁ ଲୁବ୍‌ଧକ ବାୟୁ ସ୍ଥିତି

ବୈଶସ ନାମେ ନର୍କ କହି

ସେ ଦ୍ୱାରେ ମଳ ଉତ୍ସର୍ଗଇ

ଅନ୍ଧ ବୋଲି କହିଲୁ ଯାହା

ଏ ପାଦପାଣି ବୋଲି ତାହା

ଏ ବେନି ଇନ୍ଦ୍ରିୟ ବିଷୟ

କହିବା ଶୁଣ ତୁ ନିର୍ଣ୍ଣୟ

ଆଦାନ ପ୍ରଦାନ ଏ କରେ

ଯେଝା ବିଷୟ ଅଧିକାରେ

ଦ୍ୱିତୀୟ ଅନ୍ଧ ଯେ ପୟର

କହିବା ଏଥିର ବିଚାର

ଇନ୍ଦ୍ରିୟ ଯୋଗେ ପୁରଞ୍ଜନ

ହରଇ ଗତାଗତେ ଦିନ

ଅନନ୍ତପୁର ବୋଲି ଯାହା

ହୃଦୟ ପୁର ବୋଲି ତାହା

ବିସୁଚି ନାମଟି ତାହାର

ଏମନ୍ତ ନାମ ନୃପବର

ତା ବଶେ ଥାଇ ଏ ପୁରୁଷ

ଭଜଇ ହରଷ ବିରସ

ସେ ଗୁଣ ସକାଶୁ ତରଇ

ବୁଦ୍ଧି ଯହିଁକି ଚଳାବଇଁ

ତା ବଶେ ପୁରୁଷ ଅଧୀନ

କରଇ ନାନା କର୍ମମାନ

ଏ ଦେହ ରଥ ସ୍ୱରୂପେଣ

ତୋତେ କହିଛି ନୃପରାଣ

ଏ ରଥେ ଅଶ୍ୱରୂପ ହୋଇ

ଇନ୍ଦ୍ରିୟଗଣେ ଛନ୍ତି ରହି

ପଞ୍ଚବିଷୟେ ମାର୍ଗେ ହୟେ

ଗମନ୍ତି ସମ୍ବତ୍ସର ଯାଏ

ଈଶ୍ୱର ଆଜ୍ଞାରେ ନିର୍ମିତ

ଯେ ରଥେ ସକଳ ସଂଯୁକ୍ତ

ପୁଣ୍ୟ ପାତକ ଚକ୍ର ଯହିଁ

ଈଶ୍ୱର ଅହଙ୍କାର ବହି

ଧ୍ୱଜ ସ୍ୱରୂପ ତିନିଗୁଣ

ରଥେ ବନ୍ଧନ ପଞ୍ଚ ପ୍ରାଣ

ଏ ଅଶ୍ୱ ରୂପ ବହିଛନ୍ତି

ବାହ୍ୟ ଅନ୍ତରେ ପ୍ରକାଶନ୍ତି

ବୁଦ୍ଧି ସାରଥି ରୂପେ ଯହିଁ

ଏ ମନରଶ୍ମି ତଳେ ତହିଁ

ରଥ ପୁଞ୍ଜର ବ୍ୟବହାର

ଇନ୍ଦ୍ରିୟ ବିଷୟ ତାହାର

ସପତ ଧାତୁ ଆଭରଣ

ତାର ବିକ୍ରମ ମତ୍ତ ଜାଣ

ଇନ୍ଦ୍ରିୟ ରସେ ରସୁଥାଇ

ସେ ମୃଗତୃଷ୍ଣାରେ ଧାମଇଁ

ଇନ୍ଦ୍ରିୟ ଅନ୍ୟାୟ ବିଷୟେ

ଭଜଇ ମୃଗ ଜାଲ ପ୍ରାୟେ

ଏ ସମ୍ବତ୍ସର ରୂପେ କାଳ

ଚଣ୍ତବେଗ ନାମ ଭୂପାଳ

ଗନ୍ଧର୍ବୀ ଗାନ ଦିବା ନିଶି

ତ୍ରିଦଶ ଷାଠିଏ ପ୍ରକାଶି

ଏ ସର୍ବେ କାଳ ସଙ୍ଗେ ଥାନ୍ତି

ପୁରୁଷ ଆୟୁକୁ ହରନ୍ତି

କାଳ ଦୁହିତା ଯାକୁ କହି

ଜାରାର ନାମ ଅଟେ ସେହି

ସେ ପ୍ରାଣୀ ରୂପ କାନ୍ତି ହରେ

ଦେଖିଲେ ପ୍ରାଣୀ ତାକୁ ଡରେ

ଏଣୁ ତାହାକୁ କେହି ଭଲେ

ବରଣେ କେହି ନ ଇଚ୍ଛିଲେ

ସେ ମୂଳ ତାର ଭଙ୍ଗ ପ୍ରାୟେ

ସେହୁ ଆବୋରି ନିତ୍ୟେ ରହେ

ସେ ପ୍ରାଣୀ ରୂପ କାନ୍ତି ହରେ

ମୃତ୍ୟୁ ପର୍ଯ୍ୟନ୍ତେ ପୀଡ଼ା କରେ

ପ୍ରଜ୍ଜ୍ୱଳ ଆଦି ଯେତେ ନର

ପ୍ରବେଶି ନାଶନ୍ତି ଶରୀର

ବିବିଧ ଦୁଃଖ ତାପ ତ୍ରୟେ

ପୀଡ଼ନ୍ତି ପ୍ରାଣ ଶେଷଯାଏ

ପ୍ରାଣ ଇନ୍ଦ୍ରିୟ ମନ ଧର୍ମ

ନିର୍ଗୁଣ ଆତ୍ମାର ଅଧୀନ

ଏ କାମ ସୁଖ ଲବ ମାତ୍ର

ଭୁଞ୍ଜଇ ଦୁଃଖ ସୁଖ ପାତ୍ର

ଏ ମୋର ବୋଲି ଅହଙ୍କାରେ

ବହିଛୁ ଦୁଃଖ ନିରନ୍ତରେ

ପରମ ଆତ୍ମା ଭଗବାନ

ସେ ସର୍ବ ହେତୁ ଚଇତନ

ଯାବତ ତାକୁ ନ ଜାଣଇ

ଏ ଭ୍ରମେ ଭ୍ରମ ହେଉଥାଇ

ତାବତ ପ୍ରକୃତି ଗଣରେ

ଜୀବ ପଡ଼େ ମହା ଘୋରରେ

ଗୁଣାଭିମାନ ନିରନ୍ତର

ତା ବଶେ କର୍ମରେ ସତ୍ୱର

ସାତ୍ତ୍ୱିକେ ତମ ରଜ ଆଦି

କରମ ହୁଏ ତ୍ରୟବିଧି

ପୁରୁଷ ଯେ କର୍ମ କରଇ

ସେ ଅନୁସାରେ ଜନ୍ମ ହୋଇ

ସାତ୍ତ୍ୱିକେ ଯେବା କର୍ମ କରେ

ଅଧିକ ପ୍ରକାଶିତ କରେ

ଏହି ତ୍ରିଲୋକ ଯଶ ତାର

ଗାବନ୍ତି ଦେବ ସୁର ନର

ରାଜସ କର୍ମ ଯେ କରନ୍ତି

ଆଦ୍ୟରେ ସେ ସୁଖ ଲଭନ୍ତି

ପଶ୍ଚାତେ ଲଭେ ବହୁ ଦୁଃଖ

ଏ ଭାବ ନ ଜାଣେ ମୂରୁଖ

ତାମସ କର୍ମ ସଦ୍ୟ ଫଳ

ସେ ସୁଖ ଶୋକ ମୋହ ଆଳ

ଅଜ୍ଞାନ ଭାବେ ମୂଢ଼ ମୁହିଁ

ସ୍ୱକର୍ମ ବଶେ ଭ୍ରମୁଥାଇ

ଭେଦ ପୁରୁଷ ନାରୀ ଦେହୀ

ଏ ଚରାଚର ଭ୍ରମେ ମହୀ

ନପୁଂସ ଜନ୍ମ କେବା ଧରେ

ଏ ରୂପେ କର୍ମ ଅନୁସାରେ

କେବେହେଁ ଦେବ ତନୁ ପାଇ

ମନୁଷ୍ୟ ଜନ୍ମ କେ ଲଭଇ

ଖଗାଦି ପଶୁ ଚରାଚରେ

ସ୍ୱକର୍ମ ଭୁଞ୍ଜନ୍ତି ପାମରେ

ଯେସନେ କ୍ଷୁଧାତୁର ହୋଇ

କୁକୁର ପ୍ରାୟେକ ଭ୍ରମଇ

ଆହାର ଅର୍ଥେ ନିରନ୍ତରେ

ସତ୍ୱରେ ଭ୍ରମେ ନାନାପୁରେ

କାହିଁ ବା ଆହାର ମିଳଇ

କାହିଁ ନିର୍ଘାତ ଦଣ୍ତ ପାଇ

ସର୍ବେ କହନ୍ତି ବେଗେ ମାର

ଦୁଷ୍ଟ ସଜ୍ଜନ ଆଦି ନର

ତା ଭାବେ କର୍ମ ଶତ୍ରୁ ପଣେ

ନିରତେ ଦଣ୍ତେ ଅନୁକ୍ଷଣେ

ସେ ରୂପେ ଏ ଜୀବ ସଞ୍ଜାତ

ସ୍ୱକର୍ମ ବଳେ ଆତ ଜାତ

ଏମନ୍ତ ଉଚ୍ଚ ନୀଚେ ଭ୍ରମି

କର୍ମ ଭୁଞ୍ଜଇ ଦୁଃଖେ ଭ୍ରମି

ତୁ ବିପ୍ର ବାକ୍ୟେ ବିମୋହିତ

ନ ଜାଣି ବେଦର ବୃତ୍ତାନ୍ତ

ଏହାଙ୍କ ବାକ୍ୟେ ତୁ ରାଜନ

ଭ୍ରମେ ହୋଇଲୁ ହତଜ୍ଞାନ

ଏବେ ଯେ ହରିଙ୍କ ଚରଣ

ତୁ ଯାଇ ପଶ ଯା ଶରଣ

ଏ ତୁମ୍ଭ ସନ୍ଦେହ ଫେଡ଼ିଲୁ

ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ

ଅପର ଗୁପ୍ତ ଦୃଷ୍ଟାନ୍ତର

ତୋତେ କହିବା ନୃପବର

ତା ତୋତେ ବୁଝାଇ ରାଜନ

ତେବେ ହୋଇବ ତୋର ଜ୍ଞାନ

ଇଚ୍ଛଇ ମିଥୁନ ସଂଯୋଗ

କୁସୁମ ବାଡ଼ି ମଧ୍ୟେ ମୃଗ

ହରିଣୀ ବଶେ ବଶ ହୋଇ

ଅଜ୍ଞାନେ ମୃତ୍ୟୁ ନ ଜାଣଇ

ଅଳପ ସୁଖେ ଭ୍ରମେ ଅତି

ଭ୍ରମର ଗୀତେ ଡେରି ଶ୍ରୁତି

ତା ଅଗ୍ରେ ବୃକମାନେ ଛନ୍ତି

ସେ ତାର ମାଂସରେ ବଞ୍ଚନ୍ତି

ତାହାଙ୍କ ମୁଖକୁ ରାଜନ

ନିର୍ଭୟେ କରଇ ଗମନ

ତା ପଛେ ବ୍ୟାଧ ଗୋଡ଼ାଇଛି

ସଘନେ ବାଣ ବିନ୍ଧୁ ଅଛି

ତାହାକୁ ନ କରିଣ ଭୟ

ଆନନ୍ଦେ ମୃଗୀବଶେ ମୋହ

ଭେଦିଣ ବ୍ୟାଧ ତୀକ୍ଷ୍‌ଣ ଶର

ମିଳାଇ ଅଧେ ତା ଶରୀର

ଗଲାଣି ନ ଜାଣଇ ସୁଖେ

ତେବେ ସେ ଉତ୍ସର୍ଗତା ଭକ୍ଷେ

ତାହାକୁ ନ କରିଣ ଭୟେ

ସଧୀରେ ବୃକ୍ଷଲତା ଖାଏ

ଏମନ୍ତ ମୃଗ କେ ରାଜନ

ବିବେକୀ ଖୋଜ ତୁ ବହନ

ଯେବେ ତୁ ଜାଣି ଧୂର୍ତ୍ତମତି

ବିଷୟ ଧ୍ୟାନ ତ୍ୟାଗ ଗତି

ଏ ଅନୁଭବେ ବୁଝ ରାୟେ

ବିବେକୀ ଜାଣିବ ଥୋକାଏ

ତା ଶୁଣି ସଭୟେ ରାଜନ

ଭୋ ମୁନି ସାବଧାନେ ଶୁଣ

ରାଜୋବାଚ

ଆମ୍ଭର ଏଣେ ନାହିଁ ମତି

ବିବେକି ନୋହେ ଆତ୍ମଗତି

ଏବେ ମୋଠାରେ ଦୟାବହ

ଏ କଥା ମୋତେ ଫେଡି କହ

ତୁମ୍ଭେ ଦୟାଳୁ ଯୋଗେଶ୍ୱର

ସକଳ ଘଟେ ଦୟାପର

ମୁଁ ବୁଝି ନ ପାରିଲି ଚିତ୍ତେ

କ୍ଷୀଣ ସଂଶୟ କହ ମୋତେ

କେ ମୃଗ ବ୍ୟାଧ ବୃକଦେହୀ

ଭୋ ମୁନିବର ଦେବ କହି

ନାରଦ ଉବାଚ

ଶୁଣ ରାଜନ ଶୁଦ୍ଧ ଚିତ୍ତେ

ଫେଡ଼ିଣ କହିଦେବା ତୋତେ

ହେ ରାଜା ମୃଗରୂପୀ ତୁହି

ତୋ ପତ୍ନୀ ଗଣେ ବୃକଦେହୀ

ସେ ତୋତେ ବେଢ଼ି ଅଗ୍ରେଛନ୍ତି

ତୋ ପ୍ରାଣ ବିବାଦେ ନାଶନ୍ତି

ତୁ ତାହା ତର୍କି ନ ପାରିଲୁ

ସୁବେଶେ ତନୁକୁ ପୂଜିଲୁ

ସର୍ପାଗ୍ନି ଯେ ସ୍ତିରୀ ଦୁର୍ଜ୍ଜନ

ବିଶ୍ୱାସ ନ ଯିବ ଏ ଜନ

ତୁ ତାଙ୍କ ବଶେ ନିମଜ୍ଜିଲୁ

ପ୍ରାଣୁ ଅଧିକେ ସ୍ନେହ କଲୁ

ସେ ତୋର ବଶ କଲେ ମନ

ଯେସନେ ପଶୁ ଯେ ବନ୍ଧନ

ଏ ତୋତେ ନିଶ୍ଚେଁ ବିନାଶିବେ

ତୋ ସ୍ନେହବଶେ ପ୍ରାଣନେବେ

ଏ ସଙ୍ଗୁ ତୋର ନୃପବର

ହୋଇବ ମୋକ୍ଷମାର୍ଗ ଦୂର

ତୁ ଅନୁଭବ ଏହା ବେଗେ

ଆଉ କି କହିବି ତୋ ଆଗେ

କୁସୁମବନ ବୋଲି ଯାହା

ନାରୀଙ୍କ ଧର୍ମ ବୋଲି ତାହା

ତା ସଙ୍ଗେ ଏ ପୁରୁଷ ଘର

ଆନନ୍ଦେ କରଇ ବିହାର

ଏବେ ତୁ ବୁଝ ମହୀପତି

ଏ ମୃଗତୃଷ୍ଣା ଜୀବ ଗତି

ଆପଣା ଚିତ୍ତେ ତୁ ବିଚାର

ଏ ଚିତ୍ତ ହୃଦେ ତୁହି ଧର

କାମୁକ କାମ ସୁଖ ପାଇ

ଗୃହ କରଣେ ବନ୍ଦୀହୋଇ

ଯେହ୍ନେ ପଙ୍କଜ ମଧୁ ଆଶେ

ଭ୍ରମର ଚୁମ୍ୱେ ସ୍ନେହ ବଶେ

ସ୍ନେହାନୁବନ୍ଧେ ନ ଛାଡ଼ିଲା

ପଦ୍ମ ମୁଦ୍ରିତେ ପ୍ରାଣ ଦେଲା

ସେ ରୂପେ ନାରୀ ମୁଖାମ୍ବୁଜେ

ଯହିଁ ଯୋଗୀନ୍ଦ୍ର ଯୋଗତ୍ୟଜେ

ପୁଣ୍ୟାଦି ଧର୍ମ କରେ ନାଶ

ଯେ ସଙ୍ଗେ ନାହିଁ ସୁଖ ଲେଶ

ସତ୍ୟ ଶଉଚ ଦୟା ଧର୍ମ

ଶାନ୍ତି ସୁଶୀଳ ମତି ଭ୍ରମ

ତୁ ଗୃହ ଛାଡ଼ି ହରି ଭଜ

ବିଷୟ ଧ୍ୟାନ କର ତେଜ

ତା ଶୁଣି ବୋଲଇ ରାଜନ

ଭୋ ମୁନି ଏ ତୁମ୍ଭ ବଚନ

ବିଚାରି ବୁଝିବଇଁ ଚିତ୍ତେ

ମୋ ରାଜ୍ୟେ ବିପ୍ରଛନ୍ତି ଯେତେ

ଏ ସର୍ବେ ନ ଜାଣନ୍ତି ଜ୍ଞାନ

ବିଦ୍ୟା ବିବଦ୍ଧେ ଅଭିମାନ

ସେ ଯେବେ ଜାଣନ୍ତେ ନା ଏହା

କିମ୍ପାଇଁ ନ କହନ୍ତେ ତାହା

ଏଣୁ ସେ କର୍ମେ ମୋତେ ଟେକି

ଯେଣୁ ଅଟନ୍ତି ଅବିବେକୀ

ଭୋ ମୁନି ତୁମ୍ଭପ୍ରାୟ ଯେତେ

ସାଧୁଏ ଅଛନ୍ତି ଜଗତେ

ଏ ତୁମ୍ଭ ପ୍ରାୟେ ଦୟାକରି

କେହି ନ ଛାଡ଼ନ୍ତି ମୋ ପୁରୀ

ଏ କଥା କହ ମୁନିବର

ମୋର ସଂଶୟ ଯାଉ ଦୂର

ଏମନ୍ତେ ଦେବ ମହାଋଷି

ତା ବାକ୍ୟେ କହନ୍ତି ପ୍ରଶଂସି

ତୁ ଯାହା ପୁଚ୍ଛିଲୁ ରାଜନ

କହିବି ଏଥିର ବିଧାନ

ଯେ ପାଦ ଲାଭ ପଦାଶ୍ରିତ

ଏଣେ ନ ଭାବେ ତାଙ୍କ ଚିତ୍ତ

ସ୍ୱର୍ଗାପବର୍ଗ ତୁଚ୍ଛ ଗଣି

ତୋ ରାଜଭୋଗ ମୃତ୍ୟୁଗଣି

ଏଣୁ ସାଧବେ ତାହା ଦେଖି

ଭୟ ବିମୁଖେ ଦୂରୁପେକ୍ଷି

ଆତ୍ମା ବିହୀନେ ପିଣ୍ତ ଯେହ୍ନେ

ସଭୟେ ତେଜନ୍ତି ଯେସନେ

ତେସନେ ଏ ରାଜ୍ୟ ବିଭୂତି

ଭୟେ ସାଧବେ ନ ଛାଡ଼ନ୍ତି

ତୁ ରାଜା ଚିତ୍ତେ ପରିମାଣ

ଭୋଗାଦି ଅନର୍ଥ କାରଣ

ତା ଶୁଣି ସଭୟେ ନୃପତି

ଚିନ୍ତା ବିମୁଖେ ଦୁଃଖୀ ଅତି

ଏ ବିପ୍ରଗଣ ଅନୁକ୍ଷଣେ

କହନ୍ତି ଯଜ୍ଞାଦି କାରଣେ

ଏହାଙ୍କ କର୍ମ ଦୀକ୍ଷା ଯେତେ

ଛାଡ଼ିଲା ତୁମ୍ଭ ବାକ୍ୟ ଚିତ୍ତେ

ଯେ କର୍ମେ ଯୋଗୀଜନ ମୋହ

ଏଣୁ ଏ ସର୍ବଠାରେ ସ୍ନେହ

ଏକ ସଂଶୟ ହୃଦେ ଅଛି

ଭୋ ମୁନି କହ ପଚାରୁଛି

ଯେ ଦେହେ ପ୍ରାଣୀ କର୍ମ କରେ

ତା ଛାଡ଼ି ପ୍ରଲୋକେ ସଞ୍ଚରେ

କର୍ମ ଭୁଞ୍ଜଇ ଅନ୍ୟ ଦେହେ

ଏ କଥା ସର୍ବ ବେଦ କହେ

ଫେଡ଼ିଣ କହିବା ଗୋସାଇଁ

ଆବର ସନ୍ଦେହ ଅଛଇ

ତା ପଚାରିବି ହୃଦଭାବେ

ମୋ ମନେ ସୁମରୁଛି ଏବେ

ଦେହ ସହିତେ ଯେତେ କର୍ମ

ଲୋକ ବିଚାରେ ବିଧି ଧର୍ମ

କର୍ମ ଉତ୍ତାରେ ତା ନ ଜାଣି

କେମନ୍ତେ କର୍ମ ଭୁଞ୍ଜେ ପ୍ରାଣୀ

ଅଦୃଷ୍ଟ କର୍ମେ ସଂଯୋଗଇ

ସନ୍ଦେହ ଲାଗେ ମୋର ଦେହୀ

ନାରଦ ଉବାଚ

ଶୁଣ କହିବା ନୃପରାଣ

ଏ ବେନି ସନ୍ଦେହ ଫେଡ଼ିଣ

ଯେ ଦେହେ ଜୀବ କର୍ମ କରେ

ପ୍ରଲୋକେ ଭୁଞ୍ଜେ ସେ ଶରୀରେ

ଏ ସ୍ଥୂଳଦେହ ଗଲେ ନାଶ

ଏ ଲିଙ୍ଗ ଅନ୍ୟ ଦେହେ ବାସ

କର୍ତ୍ତା ଭୋକତା ନୁହେଁ ଭିନ୍ନ

ସ୍ୱପ୍ନେ ଦୃଷ୍ଟାନ୍ତର ଯେସନ

ଶୟନେ ଦେହ ପଡ଼ିଥାଇ

ଶ୍ୱାସ କ୍ଷେପଣ ନ ଜାଣଇ

ଏ ହେତୁ ସ୍ନେହ ପରିହର

ଏମନ୍ତ ଲିଙ୍ଗ ଦେହଧରି

ଅଦ୍ଭୁତ କର୍ମ ଏ ବେଭାର

ଏମନ୍ତ କରେ ଅଙ୍ଗୀକାର

ଏମନ୍ତ ଜାଣି ଦୃଷ୍ଟାନ୍ତର

ଏ ମନ ଅନ୍ୟତ୍ର ଶରୀର

ଧରିଣ ସ୍ଥୂଳ ଦେହମାନ

ମୁଁ କୁଳେ ଶ୍ରେଷ୍ଠ ବିଦ୍ୱଜନ

ଏ ପୁତ୍ର ଦାରାଦି ମନ୍ଦିର

ବୋଲିଣ କରେ ଅଙ୍ଗୀକାର

ଏ ଅଭିମାନେ କର୍ମ କରେ

ସେ କର୍ମଦୋଷ ଯୋଗ ଧରେ

କର୍ମ ନଥିଲେ ଯୋଗ କାହିଁ

ଏମନ୍ତ ଜାଣି ନ ପାରଇ

ଏମନ୍ତ ଲିଙ୍ଗ ଦେହ ଘେନି

ଭୋଗାର୍ଥେ ସ୍ଥୂଳଦେହ ଘେନି

ଯାହା ତୁ ପୁଚ୍ଛିଲୁ ନୃପତି

ବିନାଶ କର୍ମ ଉପଗତି

ତା ଫେଡ଼ି କହିବାକୁ ତୋତେ

ସନ୍ଦେହ ଫେଡ଼ିବ ଯେମନ୍ତେ

ଏ ଜ୍ଞାନ କର୍ମ ଇନ୍ଦ୍ରି ଦୁଇ

ଭେଦେଣ କର୍ମାଣି କରଇ

ଏ ସର୍ବ ପାପାଦି ବିଷୟ

କରନ୍ତି ଏ ମନ ଇନ୍ଦ୍ରିୟ

ବିଷୟ କର୍ମ ମନ ଜାଣି

ନୋହିଲେ କେବା ପରିମାଣି

ଏ ରୂପେ ଜାଣି ଚିତ୍ତ ବୁଦ୍ଧି

ଭୁଞ୍ଜଇ ସର୍ବ କର୍ମ ସିଦ୍ଧି

କର୍ମେ ନ ଥିଲେ ଭୋଗ ନାହିଁ

ବିବେକୀ ବୁଝ ନରସାଇଁ

ଏ ପ୍ରତିଲକ୍ଷେ ଦୃଷ୍ଟାନ୍ତର

ତୋତେ କହିବା ନୃପବର

ତୋ ଅନ୍ୟଦେହ ଥାଉ ଏବେ

ଏ ଦେହ ବୁଝ ଅନୁଭବେ

ଜାଗ୍ରତେ ଯେତେ ରୂପମାନ

ଏ ଦେହେ ଭାବିଥାଇ ମନ

ଦୃଷ୍ଟି ଶ୍ରବଣେ ଏ ବିଷୟ

ସ୍ୱପନ ସଙ୍ଗେ ସେ ଉଦୟ

ଏ ଦେହ ଲିଙ୍ଗ ଧରି ମନ

ବିଷୟ କର୍ମ କରେ ଧ୍ୟାନ

ଯେ କଥା ଅନୁଭବ ନାହିଁ

ସ୍ୱପନେ ଦେଖିବ ତା କାହିଁ

ଏହାର ପୂର୍ବ କର୍ମ ଦୋଷ

ଯାବତ ହୋଇଛି ବିଶ୍ୱାସ

ତା ଅନ୍ୟଦେହ ଭୋଗ କରେ

ଯେ ଶୁଭାଶୁଭ ଅବେଭାରେ

ଏ ସର୍ବେ ହ୍ୱନ୍ତି ମୋକ୍ଷପର

କହିଲୁ ବ୍ରହ୍ମତ‌ତ୍ତ୍ୱ ସାର

ସଂସାର ବନ୍ଧୁ ମୁକ୍ତ ହୁଏ

ଅଜ୍ଞାନେ ଗୃହ ବାସେ ରହେ

ପରୀକ୍ଷ ତ‌ତ୍ତ୍ୱଜ୍ଞାନ ସାର

ତୋ ଭାବେ କହିଲୁ ବିଦୁର

କହଇ ବିପ୍ର ଜଗନ୍ନାଥ

ମୈତ୍ରେୟ ବିଦୁର ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ମୈତ୍ରେୟ ବିଦୁର ଚରିତେ

ନାମ ଊନତ୍ରିଂଶୋଽଧ୍ୟାୟଃ !

•••

 

ତ୍ରିଂଶ ଅଧ୍ୟାୟ

 

ବିଦୁର ଉବାଚ

ତଦନ୍ତେ ପଚାରେ ବିଦୁର

ଶୁଣ ମୈତ୍ରେୟ ମୁନିବର

ତୁମ୍ଭେ ଯେ କହିଥିଲ ପୂର୍ବେ

ତପେ ପ୍ରଚେତା ଭାଇ ସର୍ବେ

ହରି ଭଜିବେ ଏକଭାବେ

ସେମାନେ ରୁଦ୍ରଗୀତା ସ୍ତବେ

କହ ସେ ଦେବ ଗୁରୁଈଶ

ତାହାଙ୍କୁ ସାଧ୍ୟ ହେଲା କିସ

ସେ ସର୍ବେ ବଡ଼ ଭାଗ୍ୟବନ୍ତ

ଦେଖିଲେ ଉମାଦେବୀ କାନ୍ତ

ସେ ତାଙ୍କୁ ରୁଦ୍ର ଗୀତ ଦେଲେ

ସେ ତହିଁ ଯୋଗ ସିଦ୍ଧକଲେ

ହରିଙ୍କୁ ପାଇବି କେମନ୍ତେ

ଇହ କାଳରେ କିବା ଅନ୍ତେ

ଏ କଥା କ‌ହ ମୁନିବର

ତାହା ଶ୍ରବଣେ ଇଚ୍ଛା ମୋର

ମୈତ୍ରେୟ ଉବାଚ

ଶୁଣ ବିଦୁର ସୁଚେତନ

ତଦନ୍ତେ ଯେବଣ ବିଧାନ

ସେ ଗୀତ ବାକ୍ୟେ ହୋଇ ତୋଷ

ତପ ସାଧିଲେ ଭାଇ ଦଶ

ବାଟରେ ଭେଟିଲେ ଈଶାନ

ସେ ତାଙ୍କୁ ଦେଲେ ଦିବ୍ୟଜ୍ଞାନ

ସେ ଦୀକ୍ଷା ପାଇ ଦଶଭାଇ

ସମୁଦ୍ରେ ପ୍ରବେଶିଲେ ଯାଇ

ବୁଲିଣ ସମୁଦ୍ର ମଧ୍ୟରେ

ତପସ୍ୟା କଲେ ନିରାଧାରେ

ଅୟୁତ ସମ୍ବତ୍ସର ଯାଏ

ସେ ତପ କଲେ ଏକଠାଏ

ତଦନ୍ତେ ଦେବ ନାରାୟଣ

ଦର୍ଶନ ଦେଲେ ତ‌ତ‌କ୍ଷଣ

ହରିଙ୍କ କାନ୍ତି ଶୋଭା କଲା

ତା ଦେଖି ତାଙ୍କ ଦୁଃଖ ଗଲା

ଖଗେନ୍ଦ୍ର ପୃଷ୍ଠେ ଦିବ୍ୟ ଅଙ୍ଗେ

ଯେହ୍ନେ ଜୀମୁତ ମେରୁ ଶୃଙ୍ଗେ

ପୀତବସନ ପରିଧାନେ

ଯେହ୍ନେ ତଡ଼ିତ ନବଘନେ

ଅତି ସୁନ୍ଦର ସୁଭୂଷଣ

ସୁଗ୍ରୀବ କଣ୍ଠେ ମଣିଗଣ

ରତ୍ନ ସମୂହେ ଶୁଦ୍ଧକାନ୍ତି

ଯେ ଦିଗେ ତିମିର ନାଶନ୍ତି

ଶୋଭନେ ନାହିଁ ପଟାନ୍ତର

ଚାରୁ ସୁନ୍ଦର ମନୋହର

ମକର କୁଣ୍ତଳ ଶ୍ରବଣେ

ରଞ୍ଜିତ ନାନା ମଣିଗଣେ

କଞ୍ଜ ବଦନ ଶୋଭା କରେ

କୋଟି ଅନଙ୍ଗ ଦର୍ପ‌ହରେ

ଅଷ୍ଟ ଆୟୁଧ ସଙ୍ଗେ ଛନ୍ତି

ସେବକ ସେବନ କରନ୍ତି

ଦେବ ସମୂହେ ମୁନି ଜନେ

ସେବନ୍ତି ନିଗମ ବଚନେ

ତାହାଙ୍କୁ ଦେଖି ଦଶଭାଇ

ନମିଲେ ଦଣ୍ଡ ପ୍ରାୟ ହୋଇ

ସନ୍ତୋଷେ ତାଙ୍କୁ ଦାମୋଦର

କହନ୍ତି ବଚନ ମଧୁର

ଶ୍ରୀଭଗବାନୁବାଚ

ଶୁଣ ହେ ନୃପତି ନନ୍ଦନ

ହୋଇଲୁ ତୁମ୍ଭରେ ପ୍ରସନ୍ନ

ଯେଣୁ କଠୋର ତପ କଲ

ଏବେ ହୋଇବ ତୁମ୍ଭେ ଭଲ

ହେ ପୁତ୍ରେ ବର ମାଗ ଦେବା

ଯେଣୁ ଆମ୍ଭରେ କଲ ସେବା

ଏକତ୍ୱ ଭାବେ ଦଶ ଭାଇ

କାହାରି ଭେଦାଭେଦ ନାହିଁ

ସମାନ ଧର୍ମ ସମଶୀଳ

ଏଣୁ ଆମ୍ଭରେ ଯୋଗ କଲ

ତୁମ୍ଭର ଶୁଣି କୀର୍ତ୍ତି ଯଶ

ଶ୍ରବଣେ କଳୁଷ ବିନାଶ

ଯେ ନର ଶଯ୍ୟାରୁ ଉଠିଣ

ତୁମ୍ଭରେ କରିବ ଶ୍ରବଣ

ନୋହିବ ତାଙ୍କ ଭାଇ ଭେଦ

ସେମାନେ ନ ପାଇବେ ଖେଦା

ସକଳ ଭୂତେ ସମଭାବ

ଖଣ୍ତିବେ ଦୁଃଖ ପରାଭବ

ଯେ ନିତ୍ୟ ଏ ପ୍ରାତଃସନ୍ଧ୍ୟାରେ

ଏ ରୁଦ୍ର ଗୀତା ସ୍ତବକରେ

ମୁଁ ତାରେ ଦେଖି କାମ୍ୟବର

ଶୋଭନ ମତି ହେବ ତାର

ଯେଣୁ ଏ ତୁମ୍ଭେ ଦଶଭାଇ

ପିତାର ଆଜ୍ଞା ଶିରେ ବହି

ସନ୍ତୋଷେ ତପ ଆଚରିଲ

ଏଣୁ ଲଭିବ କୀର୍ତ୍ତି ଭଲ

ବିମଳ ସୁଯଶ ତୁମ୍ଭର

ବିଖ୍ୟାତ ରହିବ ମହୀର

ତଦନ୍ତେ କିଛିକାଳ ଅନ୍ତେ

ଏ ତୁମ୍ଭ ପତ୍ନୀ ଗର୍ଭଗତେ

ହୋଇବ ଏକ ଯେ ତନୟ

ସେ ହେବ ବ୍ରହ୍ମ ପୁଣ୍ୟମୟ

ଏ ପୁତ୍ର ଆତ୍ମା ବୀର୍ଯ୍ୟବଳେ

ପୂରିବ ଏ ଲୋକ ସକଳେ

ବଂଶର ସଂଖ୍ୟା ତ ନ ଯିବ

ସୃଷ୍ଟି ସର୍ଜ୍ଜନ ତେବେ ହେବ

ଯେ କନ୍ୟା ବିଭାହେବ ତୁମ୍ଭେ

କହିବା ତାର ଜନ୍ମ ଏବେ

ଶୁଣ ହେ ନୃପତି ନନ୍ଦନେ

ସେ କଣ୍ତୁ ଋଷି ତପୋବନେ

ତାଙ୍କ ଆଶ୍ରମେ ଅନୁସରି

ଅଇଲା ଏକଇ ସୁନ୍ଦରୀ

ପ୍ରମ୍ଳୋଚା ନାମ ଯେ ତାହାର

ଅପ୍‌ସରାଗଣେ ଶ୍ରେଷ୍ଠ ସାର

ତାହାକୁ ଦେଖି ମୁନିବର

ଅନଙ୍ଗେ ହୋଇଲେ ଅସ୍ଥିର

ଛାଡ଼ି ତପସ୍ୟା ଆଦି ଧ୍ୟାନ

ତା ରୂପେ ପାଶୋରିଲେ ଜ୍ଞାନ

ତା ଅନୁସଙ୍ଗେ ମୁନିବର

ଗୃହସ୍ଥ ଧର୍ମେ ସୁବିଚାର

ଏମନ୍ତେ କିଛି କାଳାନ୍ତରେ

ଅମୋଘ ବୀର୍ଯ୍ୟ ତା ଉଦରେ

ରହିଲା କାଳ କର୍ମଫଳେ

ବିଧି ସଂଯୋଗେ କର୍ମବଳେ

ତାହାରି ଗର୍ଭେ ଏକ କନ୍ୟା

ହୋଇଲା ଗୁଣଶୀଳେ ଧନ୍ୟା

ସେ କନ୍ୟା ବନେ ତେଜ୍ୟାକରି

ତକ୍ଷଣେ ଗଲା ନିଜପୁରୀ

ସେ ବନେ ଯେତେ ବୃକ୍ଷ ଥିଲେ

ସେ ସର୍ବେ କନ୍ୟାକୁ ଘେନିଲେ

ସେ କନ୍ୟା କ୍ଷୁଧାର ବିକଳେ

ରୋଦନ କଲା ବୃକ୍ଷମୂଳେ

ତାହାକୁ ଦେଖି ପୁରନ୍ଦର

ଦୟାରେ ହୋଇଲେ କାତର

ତର୍ଜନୀ ଅଙ୍ଗୁଷ୍ଠି ତାହାର

ତା ମୁଖେ ଦେଲେ ତୋଷଭର

ସେ ଇନ୍ଦ୍ରି କରେ ସୁଧା ଥିଲା

ତା ପାନେ କ୍ଷୁଧା ଦୂର ହେଲା

ଏମନ୍ତେ ସେ ବନେ ସୁନ୍ଦରୀ

ରହିଲା କର୍ମ ଅନୁସରି

ସେ ଗୁଣବତୀ କନ୍ୟାସାର

ତା ଅନୁରୂପେ ତୁମ୍ଭେ ବର

ଆମ୍ଭର ଭକ୍ତ ତୁମ୍ଭ ପିତା

ସୃଷ୍ଟି ସର୍ଜନେ କରି ଚିନ୍ତା

ତେଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେ

ଏ ସୃଷ୍ଟି କର ତାଙ୍କ ବୋଲେ

ଏଣୁ ଏ ତୁମ୍ଭେ ଦଶ ଭାଇ

ସେ କନ୍ୟା ବିଭା କର ଯାଇ

ସମାନଧର୍ମେ ତୁମ୍ଭେମାନେ

ଏ ମୋର ବାକ୍ୟେ ତୋଷ ମନେ

ସେ କନ୍ୟା ତୁଲେ ସୃଷ୍ଟିକର

ସେ ଯୋଗ୍ୟ ଅଟଇ ତୁମ୍ଭର

ଦେବତା ଆୟୁଷ ପ୍ରମାଣେ

ଜୀବନ୍ତେ ରହ ସୁକଲ୍ୟାଣେ

ପୃଥିବୀ ସୁଖେ ଭୋଗ କର

ତ୍ରିବିଧ ତାପ ପରିହର

ମୋ ପାଦେ କରିବ ଭକତି

ବୈକୁଣ୍ଠେ ଲଭିବ ବସତି

ଏ କର୍ମବନ୍ଧ ବିନାଶିବ

ବିଷୟଭୋଗ ନ ଲାଗିବ

ଏ ଗୃହଧର୍ମେ ବସ୍ତୁ ଯେତେ

ମୋତେ ସମର୍ପି ଶୁଦ୍ଧଚିତ୍ତେ

ଉଦାସୀ ଜନ ପ୍ରାୟ ହୋଇ

ମୋର ଭକତି ହୃଦେ ଧ୍ୟାୟି

ତାକୁ ନ ଲାଗେ ମାୟା ମୋହ

ହୁଡ଼େ ଦୁର୍ଜନ ବନ୍ଧୁ ସ୍ନେହ

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର

ଏମନ୍ତେ କହନ୍ତେ ଈଶ୍ୱର

ମୁଣ୍ଡ ନୁଆଇଁ ଦଶ ଭାଇ

ପ୍ରଣାମ କରନ୍ତି ବିନୟୀ

ସେ ମୁଖ ନିରୋପି ଚାହିଁଲେ

ଆନନ୍ଦ ସାଗରେ ବୁଡ଼ିଲେ

ନମସ୍ତେ ପ୍ରଭୁ ଭଗବାନ

ଏ ଭବୁଁ କରିବେ ମୋଚନ

ସ୍ତୁତି ପଠନେ ଦଶଭାଇ

ଶୁଣି ସନ୍ତୋଷେ ଭାବଗ୍ରାହୀ

ସମ୍ପୂର୍ଣ୍ଣ ଲୋଚନେ ଦେଖିବା

ନିରତେ ଚରଣ ସେବିବା

ଏମନ୍ତେ ସେ ବାଞ୍ଛନ୍ତେ ମନ

ହରି ହୋଇଲେ ଅନ୍ତର୍ଦ୍ଧାନ

ସେ ଯେ ପ୍ରଚେତା ଭାଇଦଶ

ଆକୁଳେ ଚାହିଁ ଦଶଦିଶ

ନ ଦେଖି ପ୍ରଭୁ ଚକ୍ରଧର

ସେ ଦିଗେ କରି ନମସ୍କାର

ବିଚ୍ଛେଦ ଶୋକେ ନିମଜ୍ଜିଲେ

ସେ ଦୁଃଖ ସାଗରେ ବୁଡ଼ିଲେ

ପଡ଼ିଲେ ମୃତ୍ୟୁଶବ ଜାଣି

ସେ ହରି ବିଚ୍ଛେଦେ ଧରଣୀ

ଆତ୍ମା ବିହୀନେ ଯେତେ ଦେହୀ

ଚେତନା ଶୂନ୍ୟ ସର୍ବଭାଇ

ତକ୍ଷଣେ ଦେହ ଭାବ ପାଇ

ଜଳୁ ଉଠିଲେ ଦଶଭାଇ

ଉଠି ଚାହିଁଲେ ଦଶ ଦିଗ

ଦ୍ରୁମ ଆଚ୍ଛାଦେ ଭୂମି ଭାଗ

ଆକାଶେ ଘୋଟି ବେଢ଼ିଛନ୍ତି

ଦେଖିଣ ପ୍ରକୋପେ ଜଳନ୍ତି

ସର୍ବେ ବିଚାରି ଏକମନେ

ବୃକ୍ଷ ନ ରଖିବା ଭୁବନେ

ଅଗ୍ନି ପବନ ଶୀଘ୍ର ଦୁଇ

ମୁଖୁଁ ଉଦ୍‌ଗାର କଲେ ସେହି

ସେ ଅଗ୍ନି ପବନ ବହିଲେ

ସମସ୍ତ ଦ୍ରୁମ ନାଶଗଲେ

ଅନିଳ ଅନଳ ପ୍ରତାପେ

ଅତି ଉତ୍ସନ୍ନ ଧୂମ ବ୍ୟାପେ

ତା ଦେଖି ବେଗେ ପିତାମହ

ଜାଣିଳେ ଗଲା ଭୂମିରୁହ

ସେ ନିଜ ଲୋକକୁ ଅଇଲେ

ସେ ଦ୍ରୁମ ବିନାଶ ଦେଖିଲେ

କ୍ରୋଧ ସାନ୍ତ୍ୱନା କରି ତାଙ୍କ

ପ୍ରବୋଧି କହିଲେ ଅନେକ

ହେ ପ୍ରଚେତସଗଣେ ଶୁଣ

ବୃକ୍ଷ ହୋଇଲେ ଅତିକ୍ଷୀଣ

ତୁମ୍ଭେ ଯେ ଅଟ ସର୍ବଜ୍ଞାନୀ

କିମ୍ପା କରୁଛ ସୃଷ୍ଟି ହାନି

ଏବେ ଯେତେକ ଦ୍ରୁମଶେଷ

ରହନ୍ତୁ ଯାଇ ବନଦେଶ

ବୃକ୍ଷ ସାନ୍ତ୍ୱନା କରି ତାଙ୍କ

ପ୍ରବୋଧି କହିଲେ ଅନେକ

ବୃକ୍ଷଙ୍କୁ ଡାକି ପଦ୍ମଯୋନି

କହିଲେ କନ୍ୟା ଆସ ଘେନି

ଦଶଭାଇଙ୍କୁ କନ୍ୟା ଦେଇ

ନିର୍ଭୟେ ବନେ ରହଯାଇ

ପାଦପେ ବିଧି ବାକ୍ୟ ଶୁଣି

ତାହାଙ୍କୁ ଦେଲେ କନ୍ୟା ଆଣି

ସେ କନ୍ୟା ନାମ ଯେ ମାରିଷା

ପଦ୍ମଲୋଚନୀ ପିକଭାଷା

ସେ ସର୍ବ ଲକ୍ଷଣେ ସୁନ୍ଦର

ତା ତୁଲେ ନାହିଁ ପଟାନ୍ତର

ବିଧି କହିଲେ ପ୍ରଚେତସ

ଏ କନ୍ୟା ବର ତୁମ୍ଭେ ଦଶ

ଏମନ୍ତ ଧାତାର ବଚନେ

ସନ୍ତୋଷ ଭଜିଲେ ସେମାନେ

ତକ୍ଷଣେ କନ୍ୟାକୁ ବରିଲେ

ସେ ଧାତା ନିଜପୁରେ ଗଲେ

ତଦନ୍ତେ ସେ ଯେ ଦଶଭାଇ

ନୃପ ଆସନେ ସୁଖେ ରହି

ସେ ବିଷ୍ଣୁ ବାକ୍ୟେ ପ୍ରଚେତସ

ସୁଖେ ପାଳିଲେ ପ୍ରଜାଦେଶ

ଅନେକ ଦାନ ଯଜ୍ଞ କଲେ

ହରିଙ୍କୁ ସ୍ୱଧର୍ମେ ତୋଷିଲେ

ଏମନ୍ତେ ଶୁଣ ହେ ବିଦୁର

ସେ କନ୍ୟା ଉଦରେ ତାଙ୍କର

ଜନ୍ମିଲେ ଦକ୍ଷ ପ୍ରଜାପତି

ପୂର୍ବେ ଯେ ବ୍ରହ୍ମାର ସନ୍ତତି

ଗିରୀଶ ନିନ୍ଦା ପୂର୍ବେ ଯେଣୁ

ଗର୍ଭ ଯାତନା କଷ୍ଟ ତେଣୁ

ସେ ପାପ ବୀଜେ କୂଟେ ଥିଲା

କେବେହେଁ ମୋଚନ ନ ହେଲା

ଚାକ୍ଷୁଷ ମନ୍ୱନ୍ତର ଅନ୍ତେ

ପୂର୍ବ ସୁକୃତ ଲୁପ୍ତ ଯାନ୍ତେ

ସେ ଦକ୍ଷ ଗର୍ଭୁ ଜନ୍ମ ହେଲେ

ଏବେ ସେ ପ୍ରଜା ସୃଷ୍ଟି କଲେ

ଜନ୍ମିଳା ମାତ୍ରକେ କୁମର

ତେଜ ତା ହେଲା ଅଗୋଚର

ତେଜସ୍ୱୀମାନେ ଯେତେ ଥିଲେ

ତା ତେଜେ ସର୍ବେ ଲୀନହେଲେ

ସେ ସର୍ବ କର୍ମେ ଦକ୍ଷ ଯହୁଁ

ତା ନାମ ଦକ୍ଷ ଦେଲେ ତହୁଁ

ବିବିଧ ପ୍ରଜା ପ୍ରଜାପତି

ସୃଷ୍ଟି ସେ କଲେ ମହାମତି

ତାହାକୁ ପ୍ରଜା ରକ୍ଷାପାଇଁ

ନିଯୁକ୍ତି କଲେ ବେଦସାଇଁ

ଏମନ୍ତେ ଦକ୍ଷର ବ୍ୟବସ୍ଥା

ଶୁଣ ବିଦୁର ଶୁଦ୍ଧଚେତା

ଯେଣୁ ସେ ପ୍ରଜା ସୃଷ୍ଟି କଲେ

ଏଣୁ ରାଜତ୍ୱ ଉପେକ୍ଷିଲେ

ତେଣୁ ସେ ଧ୍ରୁବ ବଂଶେ ରାଜା

ନୋହିଲେ ହେ ବ୍ୟାସ ତନୁଜା

ପ୍ରିୟବ୍ରତରେ ରାଜ୍ୟ ଦେଲେ

ସେ ଦକ୍ଷ ବାକ୍ୟେ ସୃଷ୍ଟିକଲେ

ସେ ପ୍ରିୟବ୍ରତର ଚରିତ

ପଞ୍ଚମ ସ୍କନ୍ଧେ ସେ ଉଦିତ

ବିସ୍ତାରି କହିବାକ ତୋତେ

ପ୍ରଚେତା ଜ୍ଞାନ ଉପଗତେ

କହଇ ବିପ୍ର ଜଗନ୍ନାଥ

ଚତୁର୍ଥ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପରୀକ୍ଷିତ ସମ୍ୱାଦେ

ପ୍ରଚେତସ ଚରିତ କଥନେ ନାମ ତ୍ରିଂଶୋଽଧ୍ୟାୟଃ ।

•••

 

ଏକତ୍ରିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର

ପ୍ରଚେତା ବୈରାଗ୍ୟ ବିଚାର

ସେ ଦଶଭାଇ ଦିବ୍ୟଜ୍ଞାନୀ

ହରିଙ୍କ ଆଜ୍ଞା ଅନୁଧ୍ୟାନି

ପତ୍ନୀକୁ ପୁତ୍ର ସମର୍ପିଲେ

ରାଜ୍ୟକୁ ତେଜି ବନେ ଗଲେ

ପଶ୍ଚିମ ଜଳଧି ତଟରେ

ରହିଲେ ସିଦ୍ଧ ଆଶ୍ରମରେ

ଜାବାଳ ନାମେ ଦ୍ୱିଜବର

ଯହିଁ ହୋଇଲେ ସିଦ୍ଧେଶ୍ୱର

ତହିଁ ସେମାନେ ତପ କରି

ପୂଜନ୍ତି ବ୍ରହ୍ମା ଚିତ୍ତେ ସ୍ମରି

ଏ ମନ ଲୋଚନ ବଚନ

ସଂଯମ କଲେ ପ୍ରାଣ ମନ

ଅଶନ ଆଦି ଜୟ କଲେ

ଶୁଦ୍ଧାନ୍ତ ବିଗ୍ରହ ହୋଇଲେ

ଏମନ୍ତ ସମୟେ ବିଦୁର

ନାରଦ ବ୍ରହ୍ମାଙ୍କ କୁମର

ମିଳିଲେ ସେଠାବରେ ଆସି

ସେମାନେ ତପେଛନ୍ତି ବସି

ଦେଖି ନାରଦ ମୁନିବର

ସେମାନେ ଉଠିଲେ ସତ୍ୱର

ବେଗେ ଆସନ ଆଣିଦେଲେ

ଚରଣ ଯୁଗ ପଖାଳିଲେ

ଆସନେ ବସାଇଲେ ନେଇ

ପୁଜିଲେ ଅର୍ଘ୍ୟ ଆଦିଦେଇ

ଆନନ୍ଦେ ବସି ମୁନିବର

ସେମାନେ ଅଗ୍ରେ ଯୋଡ଼ିକର

ବସି ବିଚାରନ୍ତି ବିନୟେ

ଭୋ ମୁନି ସ୍ୱାଗତ ନିର୍ଣ୍ଣୟେ

କି ଭାଗ୍ୟ ଆମ୍ଭେ କରିଥିଲୁ

ଏ ତୁମ୍ଭ ଦର୍ଶନ ଲଭିଲୁ

ଭୋ ମୁନି ଏ ତୁମ୍ଭ ଭ୍ରମଣ

ଅଜ୍ଞାନ ଜନେ ଉଦ୍ଧାରଣ

ନିର୍ଭୟ ହେତୁ ପ୍ରାଣୀଙ୍କର

ତୁମ୍ଭ ଦର୍ଶନ ମୁନିବର

ଯେସନେ ସୂର୍ଯ୍ୟଙ୍କ ଉଦୟ

ଅଶେଷ ପ୍ରାଣୀ ସୁଖୋଦୟ

ସେ ରୂପେ ତୁମ୍ଭ ଦରଶନ

ସୁଭାଗ୍ୟ ଆମ୍ଭର ଜୀବନ

ଭୋ ମୁନି ମନ ଦୁଃଖ ଯେତେ

କହିବୁ ତୁମ୍ଭର ଅଗ୍ରତେ

ପୂର୍ବେ ଯେ ପ୍ରଭୁ ଭଗବାନ

କହି ଯେ ଥିଲେ ଦିବ୍ୟଜ୍ଞାନ

ଆମ୍ଭେ ଯେ ଗୃହ ଧର୍ମେ ପଡ଼ି

ସେ ଦିବ୍ୟଜ୍ଞାନ ଦେଲୁ ହୁଡ଼ି

ଭୋ ମୁନି କର ଅନୁଗ୍ରହ

ସେ ତ‌ତ୍ତ୍ୱଜ୍ଞାନ ଏବେ କହ

ଏ ଭବ ସାଗର ଦୁସ୍ତର

ଯେ ଜ୍ଞାନେ ହୋଇବୁ ନିସ୍ତାର

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ଭାରତ

ଏମନ୍ତ ବାକ୍ୟେ ସେ ପ୍ରଚେତ

ସ୍ମରି ନାରଦ ଭଗବାନ

ଉତ୍ତମ ଶ୍ଲୋକେ କଲେ ଧ୍ୟାନ

ଧ୍ୟାନ କରନ୍ତି ମୁନିବର

ରୋମ ପୁଲକ କଳେବର

କୃଷ୍ଣ ବିଷୟେ ନିମଜ୍ଜିଲେ

ଦେହ ଜୀବନ ପାଶୋରିଲେ

ତକ୍ଷଣେ ପାଇ ଦେହ ବୁଦ୍ଧି

ତାହାଙ୍କୁ କହନ୍ତି ପ୍ରବୋଧି

ନାରଦ ଉବାଚ

ଶୁଣ ନୃପତି ଧର୍ମଶୀଳ

ଯେଣେ ତୋ ହୋଇବ କୁଶଳ

କହିବା ଶୁଣ ସାବଧାନ

ଯେ ଧର୍ମେ ହେବ ତୁମ୍ଭ ଜ୍ଞାନ

ହରି ଭଜନ ଯେବେ ନାହିଁ

ଏଥୁ ଅଭାଗ୍ୟ ପରେ କାହିଁ

ସୁସାଧ୍ୟ କଲେ ଦିବ୍ୟଜ୍ଞାନ

ଅପରେ ଯେତେ ତପଦାନ

ଏ ସର୍ବ ତାର ଅକାରଣ

ଯେବେ ନ ଭଜେ ନାରାୟଣ

ଯେସନେ ଜନେ ତରୁ ମୂଳେ

ସେଚନ କଳେ ନେଇ ଜଳେ

ତାହାର ଭୁଜ ସ୍କନ୍ଧ ଶାଖା

ସର୍ବ ସନ୍ତୁଷ୍ଟ ମୂଳେ ଏକା

ଏମନ୍ତେ ସେ ହରିଙ୍କ ସେବା

କଲେ ସନ୍ତୋଷ ସର୍ବଦେବା

ହରିଟି ସର୍ବ ଆତ୍ମାମୂଳ

ଯେତେ ପ୍ରପଞ୍ଚେ ସୂକ୍ଷ୍ମ ସ୍ଥୂଳ

ଅପରେ ହରି କଥାମାନ

କହି ତୋଷିଲେ ତାଙ୍କ ମନ

ତକ୍ଷଣେ ବ୍ରହ୍ମଲୋକେ ଗଲେ

ସେ ସର୍ବ ସନ୍ତୋଷେ ରହିଲେ

ମୈତ୍ରେୟ ଉବାଚ

ଶୁଣ ବିଦୁର ଜ୍ଞାନବନ୍ତ

ନାରଦ ମୁଖରୁ ନିର୍ଗତ

ହରିଙ୍କ ନାମ ଯଶୋଗୁଣ

ଯେବା ଭାବନ୍ତି ଅନୁକ୍ଷଣ

ସେ ସର୍ବ କାମାର୍ଥ ଲଭନ୍ତି

ଇତ୍ୟାଦି ତାର ବିନାଶନ୍ତି

ଶୁଣ ଆନନ୍ଦେ ନୃପଗଣେ

ହରିଙ୍କୁ ଭଜି ଅନୁକ୍ଷଣେ

ସେ ଅନ୍ତେ ହରିଙ୍କୁ ଲଭିଲେ

ନାରଦ ହେତୁ ନିସ୍ତରିଲେ

ଏଣୁ ସାଧୁଙ୍କ ସଙ୍ଗେ ପ୍ରାଣୀ

ଅନ୍ତରେ ଲଭେ ଚକ୍ରପାଣି

ଅପରେ ନାହିଁ ସଦଗତି

ଏ ଗୁହ୍ୟ ଗୁପ୍ତଜ୍ଞାନ ଅତି

ସେ ସାଧୁସଙ୍ଗେ ଚିତ୍ତେ କର

ଏ ମାୟା ସ୍ନେହ ଯାଉ ଦୂର

କହିଲୁ ବ୍ରହ୍ମ ତତ୍ତ୍ୱସାର

ମୈତ୍ରେୟ କହନ୍ତି ବିଦୁର

ତୋର ସଂଶୟ ହୃଦଗତେ

ପଚାରିଥିଲୁ ଯେ ବୃତ୍ତାନ୍ତେ

ସାରୋଦ୍ଧାର ଏ ଭାଗବତେ

କହି ଯେ ଥିଲୁ ଆମ୍ଭେ ତୋତେ

ନାରଦ ପ୍ରଚେତ ଦଶଙ୍କ

ସମ୍ୱାଦ ଚରିତ ହରିଙ୍କ

ମୁଁ ଫେଡ଼ି କହିଲଇଁ ତାହା

ସନ୍ଦେହ କରିଥିଲୁ ଯାହା

ଶ୍ରୀଶୁକ ଉବାଚ

କହନ୍ତି ଶୁକ ମହାମୁନି

ଶୁଣ ପରୀକ୍ଷ ମହାଜ୍ଞାନୀ

ମୈତ୍ରେୟ ଏମନ୍ତ କହିଲେ

ବିଦୁର ବିନୟେ ଶୁଣିଲେ

ଆନନ୍ଦେ ଲୋମ ପୁଲକିତ

ଭାବ ଗଦ୍‌ଗଦେ ଅଶ୍ରୁପାତ

ଆନନ୍ଦ ସାଗରେ ବୁଡ଼ିଲେ

ଦେହ ଜୀବନ ପାଶୋରିଲେ

ଧରିଣ ମୁନିଙ୍କ ଚରଣ

ହେ ମୁନି କର ଉଦ୍ଧାରଣ

ତୁମ୍ଭ ପ୍ରସନ୍ନେ ତ‌ତ୍ତ୍ୱଜ୍ଞାନ

ପାଇ ଛାଡ଼ିଲା ଅଭିମାନ

ଭୋ ମୁନି ତୁମ୍ଭେ ଜ୍ଞାନପର

ଦେଖାଇଦେଲ ତତ୍ତ୍ୱ ସାର

ଏମନ୍ତ ଜନ ଯେତେ ହୋଇ

ସେ ପ୍ରାଣୀ ହରିଙ୍କୁ ଲଭଇ

ମୁଁ ଏବେ ହେଲି ମୋକ୍ଷପର

ତୁମ୍ଭ ଦର୍ଶନେ ମୁନିବର

ଭୋ ମୁନି ଆଜ୍ଞାଦେବେ ଯେବେ

ନିଜ ସଦନେ ଯିବି ତେବେ

ମୁନିଙ୍କ ଚରଣେ ନମିଲେ

ସେ ତାକୁ ତୋଷେ ଆଜ୍ଞାଦେଲେ

ହସ୍ତିନା ଗମଇ ବିଦୁର

ଦେଖିବା ଅର୍ଥେ ସହୋଦର

ଛାଡ଼ି ସମସ୍ତ ମାୟା ମୋହେ

ଗମିଲା ମାତ୍ର ଭ୍ରାତୃ ସ୍ନେହେ

ଶୁଣ ରାଜନ ଦଣ୍ତଧର

ସେ ଯେ ପ୍ରାଚୀନ ନୃପବର

ତାହାଙ୍କ ପୁଣ୍ୟ ଯଶ କୀର୍ତ୍ତି

ଯେ ନିତ୍ୟେ ଶୁଣେ ଦୃଢ଼େ ଅତି

ତା ଯଶ ଆୟୁଷ ବଢ଼ଇ

ବିପୁଳ ଭୋଗ ନ ଛାଡ଼ଇ

ଷଡ଼ ଐଶ୍ୱର୍ଯ୍ୟ ଭୋଗେ ତୋଷ

ଅନ୍ତେ ଯେ ଗତି ଚତୁର୍ଦ୍ଦଶ

କହଇ ବିପ୍ର ଜଗନ୍ନାଥ

ଏ କୃଷ୍ଣ ଆଜ୍ଞାରୁ ଭକତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ନାରଦ ପ୍ରଚେତା ପ୍ରସଙ୍ଗେ

ନାମ ଏକତ୍ରିଂଶୋଽଧ୍ୟାୟଃ ।

ଭୀମସ୍ୟାପି ରଣେ ଭଙ୍ଗୋ ମୁନିରପି ମତିଭ୍ରମଃ

ଯଦି ଶୁଦ୍ଧମଶୁଦ୍ଧଂ ବା ମମ ଦୋଷୋ ନ ବିଦ୍ୟତେ ।

Image